ଓକିଲ ଆନ୍ଦୋଳନ ହିଂସାତ୍ମକ ହେବା ନେଇ ଦାୟୀ କିଏ ? କେନ୍ଦ୍ର ନା ରାଜ୍ୟ ?
ପ୍ରସାଦ ରାଓ
ଭୁବନେଶ୍ୱର
ଡିସେମ୍ବର ୧୮
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବିର କୌଣସି ଯଥାର୍ଥତା ନାହିଁ ବୋଲି ବୁଧବାର (ଡିସେମ୍ବର୧୪ ତାରିଖ) ସୁପି୍ରମ କୋର୍ଟର ଏକ ଦୁଇ ଜଣିଆ ଖଣ୍ଡପୀଠ ମନ୍ତବ୍ୟ ଦେବା ପରେ ଦୀର୍ଘ ବର୍ଷ ଧରି ଚାଲି ଥିବା ଓକିଲ ଆନ୍ଦୋଳନରେ ପୂର୍ଣ୍ଣଛେଦ ପଡିଲା ବୋଲି ସମସ୍ତେ ଧରି ନେଇଥିଲେ । ସୁପ୍ରିମ କୋର୍ଟ ଏଭଳି ମନ୍ତବ୍ୟ ଦେବା ପଛରେ କାରଣ ଥିଲା, ସ୍ଥାୟୀ ବେଂଚ ଦାବି ସପକ୍ଷରେ ସମ୍ବଲପୁରରେ ଆନ୍ଦୋଳନ ଜାରି ରଖି ଥିବା ଓକିଲମାନେ ଅଚାନକ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ମାର୍ଗ ଛାଡି ହିଂସ୍ର ହେବା ଏବଂ ସୋମବାର (୧୨ ତାରିଖ) ସମ୍ବଲପୁର ଜିଲ୍ଲା ଜଜ୍ କୋର୍ଟରେ ପ୍ରବେଶ କରି ବିଚାର ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟ ସ୍ଥଳରୁ ଘଉଡାଇବା ସହ ବ୍ୟାପକ ଭଂଗାରୁଜା କରିବା । ଘଟଣାଟି ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କୁ କ୍ଷୁବ୍ଧ କଲା ଏବଂ ଭଂଗାରୁଜାରେ ସଂପୃକ୍ତ ଥିବା ଲୋକମାନେ ଆଇନଜୀବୀ ହୋଇଥିବାରୁ ପୁଲିସ କୋହଳ ମନୋଭାବ ପ୍ରଦର୍ଶନ କରିଥିବା ସୁପ୍ରିମ କୋର୍ଟ ଅନୁଭବ କରିଥିଲେ ।
ସୁପ୍ରିମ କୋର୍ଟ ଖଣ୍ଡପୀଠ ଓଡ଼ିଶା ପୁଲିସ ଡ଼ିଜି ଓ ଉତ୍ତରାଂଚଳ ରେଂଜ ଆଇଜିଙ୍କୁ ବୁଧବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ନିଜ ସମ୍ମୁଖରେ ହାଜର କରାଇ ଭର୍ଛନା କରିବା ସହ ରାଜ୍ୟ ପୁଲିସ ଯଦି ଭଂଗାରୁଜାରେ ସଂପୃକ୍ତ ଓକିଲଙ୍କ ବିରୋଧରେ କଠୋର ହୋଇପାରୁ ନାହାନ୍ତି ଅଦାଲତ ରାଜ୍ୟରେ କେନ୍ଦ୍ରୀୟ ବାହିନୀକୁ ମୁତୟନ କରିବା କଥା ଚିନ୍ତା କରିବେ ବୋଲି ଚେତାବନୀ ଦେବାରୁ ଓଡ଼ିଶା ପୁଲିସ ଆନ୍ଦୋଳନକାରୀଙ୍କ ପ୍ରତି କଠୋର ହେବାକୁ ବାଧ୍ୟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲା କୋର୍ଟରେ ଭଂଗାରୁଜା କରିଥିବା ଓକିଲଙ୍କ ବିରୋଧରେ ପୁଲିସ ଆଡୁ କାର୍ଯ୍ୟାନୁଷ୍ଠାନ ଚାଲିଛି । ବିଭିନ୍ନ ପର୍ଯ୍ୟାୟରେ ପୁଲିସ ୩୭ ଜଣ ଓକିଲ ନେତାଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ସଂଗୀନ ଦଫା ଲଗାଇଛନ୍ତି ଓ ସେମାନଙ୍କୁ ଜେଲ ହାଜତକୁ ପଠାଇଛନ୍ତି । ବିସିଆଇ (ଭାରତୀୟ ବାର୍ କାଉନସିଲ୍) ମଧ୍ୟ ଖଣ୍ଡପୀଠଙ୍କ ନିର୍ଦେଶ ଅନୁସାରେ ୫୪ ଜଣ ଓକିଲଙ୍କ ଲାଇସେନ୍ସ ନିଲମ୍ବନ କରିବା ସହ କୈଫିୟତ ତଲବ କରି ଆନ୍ଦୋଳନକାରୀ ଓକିଲଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ଓକିଲମାନେ ଭୟଭିତ ଥିବା ବେଳେ ପଶ୍ଚିମ ଓଡ଼ିଶାର କିଛି ବିରୋଧୀ ଦଳ ନେତା ସଂସଦରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ଉତ୍ଥାପନ କରି ଆନ୍ଦୋଳନକୁ ଜୀବନ୍ତ ରଖିବା ସକାଶେ କରୁଥିବା ପ୍ରୟାସ ଆଗାମୀ ଦିନରେ ରାଜନୈତିକ ରଂଗ ଦେଇ ଆନ୍ଦୋଳନକୁ ନୂଆ ରୂପରେ ସାମ୍ନାକୁ ଆଣିବା ଜଳ ଜଳ ଦିଶୁଛି ।
ହାଇକୋର୍ଟ ସ୍ଥାୟୀ ବେଂଚ ଦାବିରେ ଓକିଲଙ୍କ ଆନ୍ଦୋଳନ ରାଜ୍ୟର ବିଭିନ୍ନ ଜିଲ୍ଲା ଅଦାଲତଗୁଡିକରେ ଅଚଳାବସ୍ଥା ସୃଷ୍ଟି ନକରିବା ପର୍ଯ୍ୟନ୍ତ ଏହା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଷୟବସ୍ତୁ ଥିଲା । ରାଜ୍ୟ ସରକାର କେନ୍ଦ୍ରକୁ ଆଂଗୁଠି ଦେଖାଇ ସମୟ ଗଡାଉ ଥିବା ବେଳେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ । ଆନ୍ଦୋଳନରତ ଓକିଲମାନେ ରାଜ୍ୟ ଓ କେନ୍ଦ୍ର ସରକାର ଦ୍ୱାରା ପ୍ରତାରିତ ହୋଇଥିବା ଅନୁଭବ କରି ଅଦାଲତଗୁଡିକୁ ଅଚଳ କରିବା ସହ ବିଚାର ବିଭାଗୀୟ ଅଧିକାରୀଙ୍କୁ ବଳପୂର୍ବକ ଅଦାଳତକୁ ଯିବାକୁ ରୋକିଥିଲେ । ଫଳରେ, ବିଭିନ୍ନ ଅଦାଲତରେ ବିଚାର ଅପେକ୍ଷାରେ ଥିବା ଲକ୍ଷ ଲକ୍ଷ ମାମଲା ବିଚାର ହୋଇ ନପାରି ମହକିଲମାନେ ହାରାଶ ହେଉଥିଲେ । ଅଦାଲତଗୁଡିକର ଲକ୍ଷାଧିକ କାର୍ଯ୍ୟ ସମୟ ମଧ୍ୟ ନଷ୍ଟ ହେଉଥିଲା । ଓଡିଶା ହାଇକୋର୍ଟରୁ ଏଭଳି ରିପୋର୍ଟ ପାଇବା ପରେ ସୁପ୍ରିମ କୋର୍ଟ କ୍ଷୁବ୍ଧ ହେବା ସହ ନିସର୍ତ୍ତରେ ଅଦାଲତ କାର୍ଯ୍ୟରେ ଭାଗ ନେବାକୁ ଓକିଲଙ୍କୁ ନିର୍ଦେଶ ଦେଇଥିଲେ । ଏଥିରେ ଅବଜ୍ଞା ହେଲେ କଠୋର କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଥିଲେ ।
ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ଚେତାବନୀ ସତ୍ତ୍ୱେ ଓକିଲ ସଂଗଠନମାନେ ତାହାକୁ ଅବଜ୍ଞା କରି କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି । ଡିସେମ୍ବର ୧୨ ତାରିଖ ଦିନ ଓକିଲଙ୍କ ଆଡୁ ସମ୍ବଲପୁର ଜିଲ୍ଲା ଜଜ୍ କୋର୍ଟରେ ବିଚାରପତିଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରାଯିବା ସହ ବ୍ୟାପକ ଭଂଗାରୁଜା ହେବା ଘଟଣାରେ ଖଣ୍ଡପୀଠ କ୍ଷୁବ୍ଧ ହୋଇ ହିଂସା ସହ ସଂପୃକ୍ତ ଓକିଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଓଡ଼ିଶା ପୁଲିସକୁ ବାଧ୍ୟ କଲା ପରେ ଓଡ଼ିଶା ପୁଲିସ ଓ ଭାରତୀୟ ବାର୍ କାଉନସିଲ (ବିସିଆଇ) କଠୋର ହୋଇଛନ୍ତି । ଡିସେମ୍ବର ୧୭ ତାରିଖ ସୁଦ୍ଧା ପୁଲିସ ସମ୍ବଲପୁର ଓକିଲ ସଂଘର ୩୭ ଜଣ ଓକିଲଙ୍କୁ ଗିରଫ କରିଥିବା ବେଳେ ଭାରତୀୟ ବାର୍ କାଉନସିଲ (ବିସିଆଇ) ୫୪ ଜଣ ଓକିଲଙ୍କ ଓକିଲାତି ଲାଇସେନ୍ସ ନିଲମ୍ବନ କରିଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଓକିଲମାନଙ୍କୁ କୋର୍ଟ ପରିସରରେ ପ୍ରବେଶ ଅନୁମତି ନାହିଁ ବୋଲି ବିସିଆଇ ତାହାର ନିର୍ଦେଶନାମାରେ କହିଛି ।
ସମ୍ବଲପୁର ସିିଭିଲ ଜଜ୍ କୋର୍ଟ ରେଜିଷ୍ଟ୍ରାର ସିସିଟିଭି ଫୁଟେଜ ଓ ଭିଡ଼ିଓ କ୍ଲିପ୍ ଆଧାରରେ ଯେଉଁମାନଙ୍କୁ ଚିହ୍ନଟ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି । ନିଲମ୍ବିତ ଓକିଲମାନେ ନିଲମ୍ବନ ସମୟ ମଧ୍ୟରେ ଦେଶର କୌଣସି ଅଦାଲତ, ଫୋରମ, କମିଶନ ବା ଟ୍ରିବ୍ୟୁନାଲକୁ ଯାଇ ମାମଲା ପରିଚାଳନା କରି ପାରିବେ ନାହିଁ ବୋଲି ବିସିଆଇ ସ୍ପଷ୍ଟ କରିଛି । ଅନ୍ୟ ଓକିଲମାନେ ନିଜ ନିଜ କାର୍ଯ୍ୟରେ ଯୋଗ ଦେଇ ମାମଲା ପରିଚାଳନାରେ ମହକିଲଙ୍କୁ ସହଯୋଗ କରିବାକୁ ନିର୍ଦେଶ ଦିଆଯାଇଛି । ନିଲମ୍ବିତ ଓକିଲମାନେ ୨୦୨୩ ଫେବୃୟାରୀ ୧୫ ତାରିଖ ପୂର୍ବରୁ ସେମାନଙ୍କ ପକ୍ଷ ରଖିବାକୁ କୁହାଯାଇଛି । ବିସିଆଇ ସଂପାଦକଙ୍କ ନିକଟରେ ସେମାନେ ଲିଖିତ କୈଫିୟତ ଦାଖଲ କଲେ ବିସିଆଇ ତାହାର ଶୁଣାଣୀ କରି ପରବର୍ତ୍ତୀ ଆଦେଶ ଦେବେ । ସେପର୍ଯ୍ୟନ୍ତ ନିଲମ୍ବନ ଆଦେଶ ବଳବତ୍ତର ରହିବ ବୋଲି ସେମାନଙ୍କୁ ଜଣାଇ ଦିଆଯାଇଛି । ଡିସେମ୍ବର ୧୨ ତାରିଖ ଦିନ ସମ୍ବଲପୁର ଜିଲ୍ଲା ଜଜ୍ କୋର୍ଟରେ ହୋଇଥିବା ଭଂଗାରୁଜା ପଛରେ କେଉଁମାନଙ୍କ ହାତ ରହିଛି ଚିହ୍ନଟ କରିବା ସକାଶେ ବିସିଆଇ ଏକ ତିନି ଜଣିଆ ‘ଫ୍ୟାକ୍ଟ ଫାଇଣ୍ଡିଂ କମିଟି’ ଗଠନ କରିଛି । ଜାନୁୟାରୀ ୧୫ ତାରିଖ ସୁଦ୍ଧା ଏହି କମିଟି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।
ସମ୍ବଲପୁର ପୁଲିସ ଓ ବିସିଆଇର କଡା କାର୍ଯ୍ୟାନୁଷ୍ଠାନ ହାଇକୋର୍ଟ ବେଂଚ ଆନ୍ଦୋଳନରୁ ଓକିଲମାନଙ୍କୁ ସାମୟିକ ଭାବେ ବିରତ କରିଥିଲେ ମଧ୍ୟ ସଂସଦରେ ସେମାନଙ୍କ ଦାବି ଉପରେ ଆଲୋଚନା ହୋଇ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ନିକଟରେ କଥା ପହଂଚି ସାରିଲାଣି । ପଶ୍ଚିମ ଓଡ଼ିଶାର ବିଜେପି ସାଂସଦ ସୁରେଶ ପୁଜାରୀ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବିର ଯଥାର୍ଥତା ଦର୍ଶାଇ ଲୋକସଭାରେ ବିବୃତି ରଖିବା ସହ କେନ୍ଦ୍ର ମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । ସମ୍ବଲପୁର ଜିଲ୍ଲା ଜଜ୍ କୋର୍ଟରେ ଓକିଲଙ୍କ ହିଂସାତ୍ମକ ପ୍ରଦର୍ଶନ ପାଇଁ ସେ ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟି କରିଛନ୍ତି । ଓଡ଼ିଶା ପୁଲିସ ଓ ବିସିଆଇ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ସାଂସଦ ପୁଜାରୀ ଉଦ୍ବେଗ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଓକିଲଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର ଓ ଜେଲରେ ଥିବା ଓକିଲଙ୍କୁ ତୁରନ୍ତ ଖଲାସ କରାଯିବା ପାଇଁ ଦାବି କରିଛନ୍ତି । ବିସିଆଇ ପକ୍ଷରୁ ୫୪ ଓକିଲ ନେତାଙ୍କ ବିରୋଧରେ ହୋଇଥିବା ନିଲମ୍ବନ ଆଦେଶର ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ମଧ୍ୟ ପୁଜାରୀ ନିବେଦନ କରିଛନ୍ତି ।
କେବଳ ବରଗଡ଼ ସାଂସଦ ପୁଜାରୀ ନୁହନ୍ତି, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବଲାଂଗୀର ସାଂସଦ ସଂଗୀତା ସିଂହଦେଓ, ସମ୍ବଲପୁର ସାଂସଦ ନିତେଶ ଗଂଗଦେବ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଲେଖା ଯାଇଥିବା ଚିଠିରେ ଦସ୍ତଖତ କରିଛନ୍ତି । ରାଜ୍ୟ ସରକାର ରାଜ୍ୟର କେଉଁଠି କେଉଁଠି ହାଇକୋର୍ଟ ବେଂଚ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରି ଏକ ସୁବିସ୍ତୃତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଥିଲେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ନିଷ୍ପତ୍ତି ହୋଇ ସାରନ୍ତାଣି । ତେବେ, ରାଜ୍ୟ ସରକାର ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରିବାରୁ ସମ୍ବଲପୁର ଜିଲ୍ଲା ଜଜ୍ କାର୍ଟରେ ଭଂଗାରୁଜା ଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଲା ବୋଲି ସାଂସଦ ପୁଜାରୀ କରିଛନ୍ତି । କିନ୍ତୁ, ବିଜେଡ଼ି ଏହି ଅଭିଯୋଗକୁ ଅଗ୍ରାହ୍ୟ କରିଛି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବଶ୍ୟକ ଆର୍ଥ ଓ ଭିତ୍ତିଭୂମି ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଜଣାଇ ଥିଲେ । କିନ୍ତୁ, କେନ୍ଦ୍ର ସରକାର ଓଡ଼ିଶା ହାଇକୋର୍ଟ ସହ ଆଲୋଚନା କରି ବେଂଚ ପ୍ରତିଷ୍ଠା ପାଇଁ ସ୍ଥାନ ନିରୂପଣ ଦିଗରେ ଆଗ୍ରହ ନ ଦେଖାଇବାରୁ ବେଂଚ ପ୍ରତିଷ୍ଠାରେ ଅନିଶ୍ଚିତତା ସୃଷ୍ଟି ହୋଇଛି । କେନ୍ଦ୍ର ସରକାର ଚାହିଁଲେ ନିଜ ସାମ୍ବିଧାନିକ ଅଧିକାର ପ୍ରୟୋଗ କରି ସଂସଦରେ ବିଲ୍ ଗୃହୀତ କରାଇବା ମାଧ୍ୟମରେ ଓଡ଼ିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା କରି ପାରିବେ । ଏଥିରେ କେନ୍ଦ୍ର ସରକାରଙ୍କୁ କିଏ ରୋକିଲା (?) ବୋଲି ବିଜେଡ଼ି ସାଂସଦ ସସ୍ମିତ ପାତ୍ର ପ୍ରଶ୍ନ କରିଛନ୍ତି ।
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠାକୁ ନେଇ ବିଜେପି-ବିଜେଡ଼ି ମଧ୍ୟରେ ଆକ୍ଷେପ, ପ୍ରତ୍ୟାକ୍ଷେପ ଚାଲି ଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ପଶ୍ଚିମ ଓଡ଼ିଶାର ନିର୍ବାଚିତ ସାଂସଦମାନେ ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ନିଜକୁ ଅନ୍ତର୍ଭୁକ୍ତ କରି ସଂସଦରେ ଏହି ପ୍ରସଙ୍ଗ ଉଠାଇ ଥିବା ବେଳେ ଦକ୍ଷିଣ ଓଡ଼ିଶାରେ ନିର୍ବାଚିତ ପ୍ରତିନିଧିମାନେ ଶୋଇ ରହିଛନ୍ତି କାହିଁକି (?) ବୋଲି ବହୁ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । କେବଳ ହାଇକୋର୍ଟ ବେଂଚ ନୁହେଁ, ଗୋପାଳପୁରରେ ଟାଟାର ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ଓ ଭଂଜନଗର ସବ-ଡିଭିଜନକୁ ଜିଲ୍ଲା କରିବା ଦାବିକୁ ଦକ୍ଷିଣ ଓଡ଼ିଶାର ନିର୍ବାଚିତ ପ୍ରତିନିଧିଙ୍କ ଉଦାସୀନତା ଏବେ ଚର୍ଚ୍ଚାକୁ ଆସିଛି । ସଂସଦରେ ସେମାନେ ପାଟି ଫିଟାଉ ନଥିବା ଦୁଃଖର ବିଷୟ ବୋଲି ଅନେକ କହୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, କେବଳ ପଶ୍ଚିମ ଓଡ଼ିଶା ନୁହେଁ, ଦକ୍ଷିଣ ଓଡ଼ିଶାରେ ମଧ୍ୟ ହାଇକୋର୍ଟ ବେଂଚ ଦାବିରେ ଦୀର୍ଘ ବର୍ଷ ହେଲା ଆନ୍ଦୋଳନ ଚାଲିଛି । କିନ୍ତୁ, ପଶ୍ଚିମ ଓଡ଼ିଶା ଭଳି ଦକ୍ଷିଣ ଓଡ଼ିଶାର ରାଜନେତାମାନେ ପ୍ରତ୍ୟକ୍ଷ ଭାବେ ସେଥିରେ ସଂପୃକ୍ତ ହେଉ ନାହାନ୍ତି । ଫଳରେ, ପଶ୍ଚିମ ଓଡ଼ିଶା ଓକିଲ ଆନ୍ଦୋଳନ ଦୃଶ୍ୟମାନ ହେଉଥିବା ବେଳେ ଦକ୍ଷିଣ ଓଡିଶାରେ ଚାଲି ଥିବା ଓକିଲ ଆନ୍ଦୋଳନ ପରଦା ଆଢୁଆଳରେ ରହିଯାଉଛି ।
ଦୀର୍ଘ ବର୍ଷ ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଇକୋର୍ଟ ବେଂଚ ଦାବିରେ ଓକିଲ ଆନ୍ଦୋଳନ ଚାଲି ଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମାଧାନର ରାସ୍ତା ବାହାର ନକରି ପରସ୍ପର ପ୍ରତି ଦୋଷାରୋପ କରିବାରେ ମାତିଛନ୍ତି । ପ୍ରଥମେ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ଓ ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ହାଇକୋର୍ଟ ବେଂଚ ଦାବି ମୁଣ୍ଡ ଟେକିଥିଲା । ପରବର୍ତ୍ତୀ ସମୟରେ ତାହା ସବୁ ଜିଲ୍ଲାକୁ ବ୍ୟାପିଛି । ରାଜ୍ୟ ସରକାର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରି ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଦୁଇଟି ସ୍ଥାନକୁ ଚିହ୍ନଟ କରିଥିଲେ ଓ କେନ୍ଦ୍ର ନିକଟରେ ପ୍ରସ୍ତାବ ଉପସ୍ଥାନ କରିଥିଲେ ବେଂଚ ଦାବି କେଉଁ ଦିନରୁ ତୁଟି ସାରନ୍ତାଣି । କିନ୍ତୁ, ହାଇକୋର୍ଟ ବେଂଚ ନେଇ ଆନ୍ଦୋଳନ ୨୨ଟି ଜିଲ୍ଲାକୁ ବ୍ୟାପିବା ପରେ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପରକୁ ଦୋଷ ଦେଇ ଓକିଲଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ହିଂସା ଆଡକୁ ଟାଣି ନେଇଛନ୍ତି । ଏବେ ଅନ୍ତତଃ କେନ୍ଦ୍ର ଓ ରାଜ୍ୟ ସରକାର ରାଜନୀତିକୁ ଜଳାଂଜଳୀ ଦେଇ ପରସ୍ପର ମଧ୍ୟରେ ଆଲୋଚନା ମାଧ୍ୟମରେ କିଛି ଦୃଢ ପଦକ୍ଷେପ ନେବାର ଆବଶ୍ୟକ ରହିଛି । ଏହା ନହେଲେ, ସୁପ୍ରିମ କୋର୍ଟ ଭୟରେ ସାମୟିକ ଭାବେ ମଳିନ ପଡି ଯାଇଥିବା ଆନ୍ଦୋଳନ ପୁନର୍ବାର ମୁଣ୍ଡ ଟେକିବାକୁ ବେଶି ସମୟ ଲାଗିବ ନାହିଁ । ସମ୍ବଲପୁର ଭଳି ଅନ୍ୟ ଜିଲ୍ଲାରେ ମଧ୍ୟ ଓକିଲମାନେ ହିଂସାର ଆଶ୍ରୟ ନେଲେ ସରକାରଙ୍କ ଅଡୁଆ ହିଁ ବଢିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS