ଆଗୁଆ ନିର୍ବାଚନ ସମ୍ଭାବାନା କେତେ ? ଏପର୍ଯ୍ୟନ୍ତ ଅସ୍ପଷ୍ଟ…
ପ୍ରସାଦ ରାଓ
ଭୁବନେଶ୍ୱର
ଡିସେମ୍ବର ୨୧
ଦେଶରେ ଆଗୁଆ ନିର୍ବାଚନ ହେବ, ଏଭଳି ଏକ ସମ୍ଭାବନା ଭାରତୀୟ ରାଜନୀତିକୁ ଚଳଚଂଚଳ କରିଛି । ଅନ୍ୟ କେହି ନୁହନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ୱସ୍ତ ଭାବେ ପରିଚିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଓଡ଼ିଶାର ପଦ୍ମପୁର ବିଧାନସଭା ଉପ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏଭଳି ଏକ ସମ୍ଭାବନାକୁ ନେଇ ଆଲୋଚନାର ବାତାବରଣ ସୃଷ୍ଟି କରିଥିବା ବେଳେ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ତାହାକୁ ଦୋହରାଇ ଆଲୋଚନାକୁ ଅଧିକ ବେଗବାନ କରିଛନ୍ତି । ତେବେ, ଜୟ ନାରାୟଣ କହିଛନ୍ତି, ସେ ଏକଥା କେବଳ ଶୁଣୁଛନ୍ତି, ସତ୍ୟାସତ୍ୟ ଜାଣନ୍ତି ନାହିଁ । ଦୁଇ ନେତା ବିଜେପିର । ସେମାନେ ଏଭଳି ଏକ ବୟାନ ରଖିବା ପରେ ରାଜନୈତିକ ମହଲରେ ହଲଚଲ ହେବା ସ୍ୱାଭାବିକ ।
ଓଡ଼ିଶାରେ ବିଜେଡ଼ି ୨୨ ବର୍ଷ ହେଲା ନିରଂକୁଶ କ୍ଷମତା ଭୋଗ କରୁଛି । ୨୦୧୯ରେ ବିଜେପି କଂଗ୍ରେସକୁ ପଛରେ ପକାଇ ମୁଖ୍ୟ ବିରୋଧୀ ଦଳର ଭୂମିକାରେ ରହିଛି । କଂଗ୍ରେସ ଦୃତଗତିରେ ତଳକୁ ଖସୁଥିବା ବେଳେ ୨୦୨୪ରେ ରାଜ୍ୟ ସାଧାରଣ ନିର୍ବାଚନର ସାମ୍ନା କରିବାକୁ ଯାଉଛି । କେନ୍ଦ୍ର ମନ୍ତ୍ରୀ ପ୍ରଦାନ ଆଗୁଆ ନିର୍ବାଚନ କଥା କହିବା ପରେ ରାଜ୍ୟ ବିଜେଡ଼ି ଓ କଂଗ୍ରେସ ନେତୃବର୍ଗ ତୁରନ୍ତ ପ୍ରତିକ୍ରିୟା ରଖି ଆଗୁଆ ନିର୍ବାଚନ ହେଲେ ସାମ୍ନା କରିବାକୁ ସେମାନେ ପ୍ରସ୍ତୁତି ଅଛନ୍ତି କହି ଆଲୋଚନାକୁ ଅଧିକ ବଳ ଦେଇଛନ୍ତି । ଏମିତି ବି ୨୦୨୪ରେ ସାଧାରଣ ନିର୍ବାଚନ ସହ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଗୁଆ ନିର୍ବାଚନ କହିଲେ ୨୦୨୩ ଶେଷ ଆଡକୁ ହୋଇପାରେ । କେନ୍ଦ୍ର ସରକାର ଆଗୁଆ ନିର୍ବାଚନ ନେଇ ଯଦି କିଛି ନିଷ୍ପତ୍ତି ନିଅନ୍ତି ତାହା କେବଳ ଓଡ଼ିଶା ପାଇଁ ନହୋଇ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ହେବ । ତେଣୁ, ବିରୋଧୀ ସତ୍ୟାସତ୍ୟ ଜାଣିବାର ଆବଶ୍ୟକତା ଅନୁଭବ ନ କରି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଦେଖିବାକୁ ମିଳୁଛି ।
ନିକଟରେ ସରିଥିବା ଧାମନଗର ବିଧାନସଭା ଉପ ନିର୍ବାଚନରେ ବିଜେପି ତାହାର ୨୦୧୯ର ଆସନ ବଜାୟ ରଖିଥିବା ବେଳେ ପରବର୍ତ୍ତୀ ପଦ୍ମପୁର ବିଧାନସଭା ଉପ ନିର୍ବାଚନରେ ବିଜେଡ଼ି ୪୨ ହଜାର ଭୋଟ ବ୍ୟବଧାନରେ ତାହାର ଆସନକୁ ବଜାୟ ରଖିଛି । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ଧାମନଗରରୁ ଓ ବିଜେଡ଼ି ପଦ୍ମପୁରରୁ ବିଜୟୀ ହୋଇଥିଲା । ଦୁଇ ଦଳର ବିଧାୟକ କ୍ଷମତାରେ ଥିବା ଅବସ୍ଥାରେ ମୃତ୍ୟୁକୁ ଆଦରି ନେବାରୁ ଦୁଇଟି ଯାକ ଆସନରେ ଉପ ନିର୍ବାଚନ ହେଲା । ଉଭୟ ଧାମନଗର ଓ ପଦ୍ମପୁରରେ ମୃତ ବିଧାୟକଙ୍କ ପରିବାର ସଦସ୍ୟ ପ୍ରାର୍ଥୀ ରହିବାରୁ ଅନ୍ୟାନ୍ୟ ପ୍ରସଙ୍ଗ ସହ ‘ଅନୁକଂପା’ ମଧ୍ୟ କାମ କରିଥିଲା । ତେଣୁ, କୌଣସି ଦଳରେ ପରାଜୟର ଗ୍ଲାନି ନାହିଁ । ତଥାପି, ବିଜେପି ଧାମନଗର ଉପ ନିର୍ବାଚନରେ ଶାସକ ଦଳର ସମସ୍ତ ପ୍ରୟାସକୁ ପଣ୍ଡ କରି ବିଜୟୀ ହୋଇ ଥିବାରୁ ଓ ପଦ୍ମପୁରରେ ମଧ୍ୟ ଶାସକ ଦଳକୁ କଡା ଟକ୍କର ଦେଇଥିବାରୁ ଉତ୍ସାହିତ । ଆଗୁଆ ନିର୍ବାଚନ ହେଲେ ଦଳ ଲାଭରେ ରହିବ ବୋଲି ଆଶା ରଖିଛି ।
ତେଣୁ, ଧାମନଗର ଓ ପହ୍ମପୁର ବିଧାନସଭା ଉପ ନିର୍ବାଚନରେ ଦଳୀୟ କର୍ମୀମାନେ ଯେଭଳି ଉତ୍ସାହ ନେଇ କାର୍ଯ୍ୟ କରିଥିଲେ ତାହାକୁ ଅତୁଟ ରଖିବା ସକାଶେ କେନ୍ଦ୍ର ମନ୍ତ୍ରୀ ପ୍ରଧାନ ଆଗୁଆ ନିର୍ବାଚନ ସମ୍ଭାବନାର ‘ଥୋପ’ ପକାଇ ଥିବା ଅନୁମାନ କରାଯାଇପାରେ । କାରଣ, ଆଗୁଆ ନିର୍ବାଚନ ସମ୍ଭାବନା କଥା କେନ୍ଦ୍ର ମନ୍ତ୍ରୀ ପ୍ରଧାନ କହିଥିବା ବେଳେ କେନ୍ଦ୍ର ସରକାର କିମ୍ବା ଭାରତୀୟ ନିର୍ବାଚନ ଆୟୋଗଙ୍କ ଆଡୁ ସେଭଳି କିଛି ସୂଚନା ସାମ୍ନାକୁ ଆସି ନାହିଁ । କିନ୍ତୁ, ‘ନିଆଁ ନଥିଲେ କଣ ଧୂଆଁ ଉଠିବ ?’- ଏହି ନ୍ୟାୟରେ ପ୍ରଧାନଙ୍କ ବକ୍ତବ୍ୟକୁ ବିଚାର କରାଯାଉଛି ଏବଂ ରାଜ୍ୟରେ ରାଜନୈତିକ ବୟାନବାଜୀ ଓ ପ୍ରସ୍ତୁତି ଚଳିଛି । ଏମିତି ବି ୨୦୨୪ରେ ସାଧାରଣ ନିର୍ବାଚନ ସହ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ରାଜନୈତିକ ଦଳଙ୍କ ହାତରେ ମାତ୍ର ଗୋଟିଏ ବର୍ଷ ସମୟ ରହିଛି । ନିର୍ବାଚନ ଆଗୁଆ ହେଉ ବା ନିର୍ଦ୍ଧାରିତ ସମୟରେ, ପ୍ରସ୍ତୁତି ଆରମ୍ଭ ହୋଇଯିବା ସ୍ୱାଭାବିକ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ କେନ୍ଦ୍ରରେ କ୍ଷମତାସୀନ ହେବା ପରରୁ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କଥା କହି ଆସୁଥିବାରୁ କେନ୍ଦ୍ର ମନ୍ତ୍ରୀ ପ୍ରଧାନଙ୍କ ‘ଗୁଗୁଲି’ ଅଣ-ବିଜେପି ରାଜନୈତିକ ଦଳଙ୍କୁ ଦ୍ୱନ୍ଦ୍ୱରେ ପକାଇବା ନିଶ୍ଚିତ । ଏକା ସମୟରେ ସମଗ୍ର ଦେଶରେ ନିର୍ବାଚନ ହେଲେ ଏବାବଦ ବ୍ୟୟଭାର ସହ ନିର୍ବାଚନ କଳର ବ୍ୟବହାର ମଧ୍ୟ ସୀମିତ ରହିବ ଏବଂ ବାରମ୍ବାର ନିର୍ବାଚନକୁ ନେଇ ସମୟ ଓ ଅର୍ଥର ଅପଚୟକୁ ରୋକି ହେବ ବୋଲି ପ୍ରଧାନମନ୍ତ୍ରୀ କହି ଆସୁଛନ୍ତି । ତେବେ, ଏପର୍ଯ୍ୟନ୍ତ ସେଭଳି କିଛି ପରୀକ୍ଷା ନିରୀକ୍ଷା ହୋଇନାହିଁ । ୨୦୨୩ରେ ତେଲେଙ୍ଗାନା, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ସହ ଚାରିଟି ଉତ୍ତର ପୂର୍ବାଂଚଳ ରାଜ୍ୟ ତ୍ରିପୁରା, ନାଗାଲ୍ୟାଣ୍ଡ, ମିଜୋରାମ ଓ ମେଘାଳୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ସେହିଭଳି, ୨୦୨୪ରେ ସାଧାରଣ ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ସହ ସିକିମ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବା ନିଧାର୍ଯ୍ୟ । ତେଣୁ, କେନ୍ଦ୍ର ସରକାର ୨୦୨୩ରେ ଏଭଳି କିଛି ପରୀକ୍ଷା ନିରୀକ୍ଷା କଥା ବିଚାର କରୁଥାଇ ପାରନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରଧାନଙ୍କ ବୟାନ ପରେ ରାଜନୈତିକ ଦଳମାନେ ଅନୁମାନ ଲଗାଉଛନ୍ତି ।
ଭାରତୀୟ ନିର୍ବାଚନ ଆୟୋଗ ହେଉଛି ଏକ ସ୍ୱୟଂଶାସିତ ସାମ୍ବିଧାନିକ ସଂସ୍ଥା । ତେବେ, ନିର୍ବାଚନ ଆୟୋଗ ସର୍ବଦା ସରକାରଙ୍କ ପ୍ରସ୍ତାବକୁ ପ୍ରାଥମିକତା ଦେଇଥାଏ । କେନ୍ଦ୍ର ସରକାର ଚାହିଁଲେ ନିର୍ବାଚନ ଆୟୋଗ ଆଗୁଆ ନିର୍ବାଚନ ସଂପର୍କରେ ବିଚାର କରିବା କିଛି ଅସମ୍ଭବ ନୁହେଁ । ସଂପୃକ୍ତ ରାଜ୍ୟର ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ଏଭଳି ନିଷ୍ପତ୍ତି ନିଆଯାଇପାରେ । ୨୦୨୨ ନଭେମ୍ବର ଓ ଡିସେମ୍ବରରେ ହିମାଚଳ ପ୍ରଦେଶ, ଗୁଜରାଟ ବିଧାନସଭା ନିର୍ବାଚନ ସହ ପାଂଚଟି ରାଜ୍ୟର ଛଅଟି ବିଧାନସଭା ଆସନରେ ଉପ ନିର୍ବାଚନ ସହ ଦିଲ୍ଲୀ ଏମସିଡ଼ି (ମହାନଗର ନିଗମ) ନିର୍ବାଚନ ମଧ୍ୟ ସରିଛି । ବିଜେପି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଓ ଦିଲ୍ଲୀ ଏମସିଡି ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ଗୁଜରାଟରେ ବିଜୟର ନୂଆ ରେକର୍ଡ କରିଛି ।
୨୦୧୭ରେ ବିଜେପି ଗୁଜରାଯରେ ୧୮୨ରୁ ୯୯ ଆସନ ଓ କଂଗ୍ରେସ ୭୭ ଆସନ ପାଇଥିଲେ । ୨୦୨୨ରେ କଂଗ୍ରେସର ଆସନ ସଂଖ୍ୟା ୧୭କୁ ଖସି ଯାଇଛି ଓ ବିଜେପି ବିଦାୟକ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି । ଲଗାତର ୨୭ ବର୍ଷ ହେଲା ଗୁଜରାଟରେ ସରକାରରେ ଥିବା ବିଜେପି ୨୦୨୨ ନିର୍ବାଚନରେ ସରକାର-ବିରୋଧୀ ଜନଅସନ୍ତୋଷର ସାମ୍ନା କରୁଥିଲା । ଦଳ କୌଣସି ରାଜ୍ୟସ୍ତରୀୟ ନେତାଙ୍କୁ ବିଶ୍ୱାସକୁ ନନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ ନିର୍ବାଚନ ପରିଚାଳନା କରୁଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଦୀର୍ଘ ଦିନ ଧରି ନିଜ ରାଜ୍ୟରେ ଡେରା ପକାଇ ପ୍ରଚାରର ମଂଗ ଧରି ଥିଲେ । ରାଜ୍ୟରେ ସରକାର ବିରୋଧୀ ନୁହେଁ, ସରକାର ସପକ୍ଷବାଦୀ ହାୱା ଥିବା ସେମାନଙ୍କ ନ୍ୟାରେଟିଭ ରହିଥିଲା । ଅପରପକ୍ଷରେ, ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ମାତ୍ ଦେବା ପାଇଁ ବିରୋଧୀ ଏକତା କଥା କହି ଆସୁଥିବା କଂଗ୍ରେସ ସମେତ ଅଣ-ବିଜେପି ବିରୋଧୀ ଦଳମାନେ ଯେଭଳି ଏକତାର ବାର୍ତ୍ତା ଦେବା କଥା ଗୁଜରାଟରେ ତାହା ଦେବାରେ ବିଫଳ ହୋଇଥିଲେ ।
ଗୁଜରାଟରେ କଂଗ୍ରେସର ପ୍ରଚାର ‘ଶୂନ’ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅପରପକ୍ଷରେ, ନିଜକୁ ବିଜେପିର ଏକମାତ୍ର ଜାତୀୟ ବିକଳ୍ପ ବୋଲି ଦାବି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ‘ଆମ୍ ଆଦମୀ ପାର୍ଟି’ ବା ‘ଆପ୍’ ଗୁଜରାଟ ନିର୍ବାଚନରେ ବିଜେପିକୁ ପରାଜିତ କରିବାର ବୃଥା ଆସ୍ଫାଳନ ଦେଖାଇ ଥିଲା । ତେବେ, ‘ଆପ୍’ ମାତ୍ର ୫ଟି ଆସନରେ ବିଜୟୀ ହୋଇ ଛି । ସୀମିତ ରହି ଗଲା । ତଥାପି, ‘ଆପ୍’ ନେତୃତ୍ୱ ଖୁସି ଜାହିର କରିଛନ୍ତି । ଗୁଜରାଟରେ ଦଳକୁ ୧୩ ପ୍ରତିଶତ ଭୋଟ ସେୟାର ମିଳିବା ଖୁସିର କାରଣ ହୋଇଛି । ଦଳ ‘ଜାତୀୟ ରାଜନୈତିକ ଦଳ’ର ମାନ୍ୟତା ପାଇ ଜାତୀୟସ୍ତରରେ ବିଜେପିର ଏକକ ବିକଳ୍ପ ହେବାର ସ୍ୱପ୍ନ ଦେଖୁଛି ।
ବିଜେପି ଗୁଜରାଟରେ ‘ଆପ୍’ର ପ୍ରବେଶକୁ ନେଇ ଚିନ୍ତିତ ନୁହେଁ । ହିମାଚଳ ପ୍ରଦେଶ ବିଧାନସଭା ଓ ଦିଲ୍ଲୀ ଏମସିଡ଼ି ନିର୍ବାଚନରେ ପରାଜୟକୁ ନେଇ ମଧ୍ୟ ସେମାନଙ୍କର ଚିନ୍ତା ନାହିଁ ।
ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୬୮ରୁ ୪୦ ଆସନ ପାଇଛି । ବିଜେପି ସଂଖ୍ୟା ୨୫ ରହିଛି । ଦୁଇ ଦଳ ମଧ୍ୟରେ ୧୫ଟି ଆସନର ବ୍ୟବଦାନ ଥିଲେ ମଧ୍ୟ ଭୋଟହାର ଦୃଷ୍ଟିରୁ ଦୁଇ ଦଳ ମଧ୍ୟରେ ମାତ୍ର ୧ ପ୍ରତିଶତ ଫରକ ରହିଛି । ରାଜ୍ୟରେ କଂଗ୍ରେସର ଭୋଟହାର ୪୪ ପ୍ରତିଶତ ଥିବା ବେଳେ ବିଜେପିର ୪୩ ପ୍ରତିଶତ ରହିଛି । ‘ଆପ୍’ ମାତ୍ର ଏକ ପ୍ରତିଶତ ଭୋଟ ପାଇଛି । ତେବେ, ଦିଲ୍ଲୀ ମହନଗର ନିଗମ ନିର୍ବାଚନରେ ‘ଆପ୍’ ବିଜେପିକୁ ପଛରେ ପକାଇ କ୍ଷମତାକୁ ଆସିବା ଦ୍ୱାରା ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛି । ୨୫୦ଟି ୱାର୍ଡ ବିଶିଷ୍ଟ ଦିଲ୍ଲୀ ମହାନଗର ନିଗମରେ ଡିସେମ୍ବରରେ ହୋଇଥିବା ନିର୍ବାଚନରେ ‘ଆପ୍’ ୧୩୪ଟି ୱାର୍ଡରେ ବିଜୟୀ ହୋଇ ୧୫ ବର୍ଷ ଧରି କ୍ଷମତାରେ ଥିବା ବିଜେପିକୁ ହଟାଇ ଥିବା ବେଳେ ବିଜେପି ୧୦୪, କଂଗ୍ରେସ ୦୯ ଓ ଅନ୍ୟମାନେ ୦୩ଟି ଆସନ ବିଜୟୀ ହୋଇଛନ୍ତି ।
ବିଭିନ୍ନ ରାଜ୍ୟରେ କଂଗ୍ରେସ ଭୋଟ୍ ବ୍ୟାଙ୍କରେ ଛିଦ୍ର କରି ‘ଆପ୍’ ନିଜର ବିସ୍ତାର କରୁଥିବା ବେଳେ ଅନ୍ୟ ବିରୋଧୀ ରାଜନୈତିକ ଦଳମାନେ ବିଜେପି ବିରୋଧୀ ଏକକ ରାଜନୈତିକ ମେଂଟ ଗଠନ ଠାରୁ ବହୁ ଦୂରରେ ଥିବାରୁ ବିଜେପି ଆଶ୍ୱସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ଭୋଟ ସଂଗ୍ରହ ମେସିନ୍ ହୋଇଛନ୍ତି ଓ ଏକ ବିକଳ୍ପ ତଥା ଦୃଢ ବିରୋଧୀ ମେଂଟର ଅଭାବାରୁ ବିଜେପି ଭୋଟ ମେସିନ୍ ତାହାର ବିଜୟ ବାନା ଉଡାଇ ଚାଲିଛି । ଭାରତୀୟ ଫିଲ୍ମ ଉଦ୍ୟୋଗରେ ମେଗା ଷ୍ଟାର୍ ଅମିତାଭ ବଚ୍ଚନଙ୍କ ବକ୍ସ ଅଫିସ ସଫଳତା ଭଳି ଭାରତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୧୪ ପରବର୍ତ୍ତୀ ରାଜନୈତିକ ସଫଳତା ବିରୋଧୀଙ୍କୁ ସଂପୂର୍ଣ୍ଣ ନିସ୍ତେଜ କରି ଦେଇଥିବା ବେଳେ ବିରୋଧୀ ନିଜ ଭିତରେ ‘ଅହଂକାର’ ଲଢେଇରେ ମାତି ବିଜେପି-ବିରୋଧୀ ଭୋଟକୁ ଭାଗ ଭାଗ କରୁଥିବା ଜାତୀୟସ୍ତରରେ ବିଜେପି ନେତୃତ୍ୱକୁ ଉତ୍ସାହିତ କରିଛି ।
‘ଆପ୍’ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ଜାତୀୟ ରାଜନୈତିକ ବିକଳ୍ପ ହେବାର ସାମାନ୍ୟତମ ସମ୍ଭାବନା ନାହିଁ, ଏକଥା ରାଜନୈତିକ ବିଶ୍ଲେଷକମାନେ ଭଲ ଭାବେ ଜାଣନ୍ତି । ତଥାପି, ଜାତୀୟ ଗଣମାଧ୍ୟମରେ ‘ଆପ୍’କୁ ନେଇ ବିତର୍କ ହେଉଛି । ହିମାଚଳ ପ୍ରଦେଶରେ କଂଗ୍ରେସର ବିଜୟ ଗୁଜରାଟରେ ବିଜେପିର ବିପୁଳ ବିଜୟ ନିକଟରେ ନିଷ୍ପ୍ରଭ ରହିଛି । କଂଗ୍ରେସକୁ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ କରିବା ପରିବର୍ତ୍ତେ ଦଳର ନେତା ରାହୁଲ ଗାନ୍ଧୀ ‘ଭାରତ ଯୋଡୋ’ରେ ବ୍ୟସ୍ତ । ‘ଭାରତ ଯୋଡୋ’ର ନିର୍ବାଚନ ରାଜନୀତି ସହ କୌଣସି ସଂପର୍କ ନାହିଁ ବୋଲି ସେ ଖୋଲାଖୋଲି ବୟାନ ଦେଉଛନ୍ତି । ଗାନ୍ଧୀ ପରିବାରରୁ କେବଳ ପ୍ରିୟଙ୍କା ଗାନ୍ଧୀ ହିମାଚଳ ପ୍ରଦେଶ ନିର୍ବାଚନରେ ସାମିଲ ହୋଇଥିଲେ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜାତୀୟ ସ୍ତରରେ କଂଗ୍ରେସର ଉତ୍ଥାନରେ କେତେଦୂର ସଫଳ ହେବେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ । ରହିଲେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଅଣ-ବିଜେପି ବିରୋଧୀ ଦଳଙ୍କୁ ନେଇ ଦେଶର ଏକ ବିରୋଧୀ ମେଂଟ ଗଠନ ମାଧ୍ୟମରେ ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟକ୍କର ଦେବାକୁ ସ୍ୱପ୍ନ ବୁଣି ଥିବା ବରିଷ୍ଠ ଜେଡ଼ିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ବିହାରରେ ବିଷାକ୍ତ ମଦମୃତ୍ୟୁକୁ ନେଇ ନିଜ ରାଜ୍ୟରେ ଫସି ଯାଇଛନ୍ତି । ଦିଲ୍ଲୀ, ପଂଜାବ ଓ କିଛି ମାତ୍ରାରେ ଗୁଜରାଟ ବ୍ୟତୀତ ଦେଶର ଅନ୍ୟତ୍ର ‘ଆମ୍ ଆଦମୀ ପାର୍ଟି’ର ସଂଗଠନ ନାହିଁ । ଏଭଳି ସ୍ଥିତି ବିଜେପିକୁ ନିରଂକୁଶ ରଖିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦଳ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ପଥ ପରିଷ୍କାର ରହିଛି । ନିର୍ବାଚନ ଆଗୁଆ ହେଉ ବା ନିର୍ଦ୍ଧାରିତ ସମୟରେ, ବିଜେପିକୁ କିଛି ଫରକ ପଡିବା ଭଳି ଲାଗୁ ନାହିଁ । ତଥାପି କେନ୍ଦ୍ର ମନ୍ତ୍ରୀ ପ୍ରଧାନ ଆଗୁଆ ନିର୍ବାଚନ ସମ୍ଭାବନା କଥା କହି ବିରୋଧୀଙ୍କୁ ଡରାଇବାକୁ ଯେଉଁ ଉଦ୍ୟମ କରିଛନ୍ତି ତାହା କେବଳ ଓଡ଼ିଶା ପାଇଁ ଉଦ୍ଦିଷ୍ଟ କି (?) ବୋଲି ରାଜନୈତିକ ମହଲରେ ପ୍ରଶ୍ନ ହେଉଛି ।
୨୦୧୯ ନିର୍ବାଚନରେ ବିଜେଡିକୁ କ୍ଷମତାଚ୍ୟୁତ କରିବାକୁ ବିଜେପି ସମସ୍ତ ଶକ୍ତି ପ୍ରୟୋଗ କରିଥିଲେ ମଧ୍ୟ ବିଫଳ ହୋଇଥିଲା । ୨୦୨୪ ନିର୍ବାଚନରେ ଅନ୍ତଃତ ଏହି ଲକ୍ଷ୍ୟ ହାସଲ କରିବ ବୋଲି ଦଳ ସ୍ୱପ୍ନ ଦେଖୁଛି । ୟୁପି ବିଧାନସଭା ନିର୍ବାଚନରେ ବିଜେପି ଲଗାତର ଦ୍ୱତୀୟ ଥର ପାଇଁ କ୍ଷମତାକୁ ଆଣି ଥିବା ବିଜେପି ନେତା ସୁନିଲ ବଂଶଲ ଓଡ଼ିଶା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ, ଆଗୁଆ ନିର୍ବାଚନର ‘ଧୂଆଁବାଣ’ ବିଜେପି ପାଇଁ କିଭଳି ସହାୟକ ହେବ, ତାହାର ଉତ୍ ତର କାହାରି ପାଖରେ ନାହିଁ । କେନ୍ଦ୍ର ମନ୍ତ୍ରୀ ପ୍ରଧାନ ଏହି ଗୋଲକଧନ୍ଦାର ସୂତ୍ରପାତ କରିଥିବାରୁ ସେ ହିଁ ତାହାର ଉତ୍ତର ରଖି ପାରିବେ ବୋଲି ରାଜନୀତି ସହ ସଂପୃକ୍ତ ବିଶ୍ଲଷକମାନେ କହୁଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS