ଶେଲ୍ଲୀ ଓବେରଏ ହେବେ ଦିଲ୍ଲୀ ମେୟର !
ପ୍ରସାଦ ରାଓ
ଡିସେମ୍ବର ୨୩
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ସହକାରୀ ପ୍ରଫେସର ଶେଲ୍ଲି ଓବେରଏ ହେବେ ଏମସିଡ଼ି ବା ଦିଲ୍ଲୀ ମହାନଗର ନିଗମର ମେୟର । ‘ଆମ୍ ଆଦମୀ ପାର୍ଟି’ ପକ୍ଷରୁ ଆଜି ତାଙ୍କ ନାମ ଘୋଷଣା କରାଯାଇଛି । ସେହିଭଳି, ବରିଷ୍ଠ ‘ଆପ୍’ ବିଧାୟକ ସୋହେବ ଇକବଲଙ୍କ ପୁଅ ଆଲେ ମହମ୍ମଦ ଇକବଲଙ୍କୁ ଦଳ ଡେପୁଟୀ ମେୟର ପ୍ରାର୍ଥୀ କରିଛି । ‘ଆପ୍’ର ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ନିଷ୍ପତ୍ତି ହେବା ପରେ ଦଳର ବରିଷ୍ଠ ନେତା ପଂକଜ ଗୁପ୍ତା ଏକ ସାମ୍ବାଦିକ ସମ୍ମିଳନୀ କରି ମେୟର ଓ ଡେପୁଟୀ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ମେୟର ପଦ ପାଇଁ ବିଜେପି ପ୍ରାର୍ଥୀ ଦେଉ ନଥିବାରୁ ଶେଲ୍ଲୀ ମେୟର ନିର୍ବାଚିତ ହେବା ନିଶ୍ଚିତ ଥିବା କୁହାଯାଉଛି । ଡିସେମ୍ବର ୪ ତାରିଖରେ ୨୫୦ ୱାର୍ଡ ବିଶିଷ୍ଟ ଦିଲ୍ଲୀ ମହାନଗର ନିଗମ ପାଇଁ ନିର୍ବାଚନ ହୋଇ ୮ ତାରିଖ ଫଳାଫଳ ଆସିଥିଲା । ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍)କୁ ସର୍ବାଧିକ ୧୩୪ଟି ଆସନ ମିଳି ଥିବା ବେଳେ ବିଜେପିକୁ ୧୦୪ ଓ କଂଗ୍ରେସକୁ ମାତ୍ର ୯ଟି ଆସନ ମିଳିଛି । ବିଗତ ୧୫ ବର୍ଷ ଧରି ଦିଲ୍ଲୀ ମହାନଗର ନିଗମରେ ବିଜେପିର ନିର୍ବାଚିତ ପରିଷଦ ଥିଲା । ବିଜେପିର କାର୍ଯ୍ୟକାଳରେ ଦିଲ୍ଲୀରେ ପ୍ରଦୂଷଣ ଚରମ ସ୍ତରରେ ପହଂଚି ଥିବା ପ୍ରସଙ୍ଗ କରି ‘ଆପ୍’ ନିର୍ବାଚନ ଲଢିବା ସହ ପ୍ରଥମ କରି ଏହି ମହାନଗର ନିଗମରେ କ୍ଷମତା ଦଖଲ କରିଛି । ପ୍ରତିଶ୍ରୁତି ଅନୁସାରେ ଜଣେ ମହିଳାଙ୍କୁ ମେୟର ପ୍ରାର୍ଥୀ କରିଥିବା ଆଜି କହିଛି । ମେୟର ଓ ଡେପୁଟୀ ମେୟର ପ୍ରାର୍ଥୀଙ୍କ ନାମ ସହ ଆଜି ‘ଆପ୍’ ପକ୍ଷରୁ ୪ ଜଣ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ସେମାନେ ହେଉଛନ୍ତି – ରମିନ୍ଦର କାଉର, ସରିକା ଚୌଧୁରୀ, ମୋହିନୀ ଜିନୱାଲ ଓ ମହମ୍ମଦ ଅମିଲ ମାଲିକ । ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନରେ ରାଜଧାନୀ ବାସିନ୍ଦା ‘ଆପ୍’ ସପକ୍ଷରେ ସ୍ପଷ୍ଟ ମତ ଦେଇଥିବାରୁ ବିଜେପି ତାହାକୁ ସମ୍ମାନ ଜଣାଇ ମେୟର ନିର୍ବାଚନରେ ଭାଗ ନେବ ନାହିଁ ଏବଂ ନିର୍ବାଚିତ ପରିଷଦରେ ଶକ୍ତିଶାଳୀ ବିରୋଧୀ ଦଳ ଭାବେ ଦାୟିତ୍ୱ ତୁଲାଇବ ବୋଲି ଏମସିଡି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ଦିଲ୍ଲୀ ମୁଖ୍ୟ ଆଦେଶ ଗୁପ୍ତା ଘୋଷଣା କରିଥିଲେ । ଅବଶ୍ୟ ପରେ ସେ ଏମସିଡିରେ ପରାଜୟର ଦାୟିତ୍ୱ ମୁଣ୍ଡାଇ ବିଜେପି ଦିଲ୍ଲୀ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ । ଗୁପ୍ତାଙ୍କ ବୟାନ ପରେ ବିଜେପି ଜାତୀୟ ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଭିନ୍ନ ମତ ରଖି ଥିଲେ । ଏକ ଟ୍ୱିଟ୍ ମାଧ୍ୟମରେ ସେ କହିଥିଲେ, ଏମସିଡି ମେୟର ନିର୍ବାଚନ ନିର୍ବାଚିତ ପାରିଷଦମାନଙ୍କ ଦ୍ୱାରା ହେବାକୁ ଥିବାରୁ ବିଜେପି ମେୟର ପଦରେ ପ୍ରାର୍ଥୀ ଦେବ । କାହା ସପକ୍ଷରେ ଅଧିକ ସମର୍ଥନ ରହୁଛି ତାହା ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ୱାରା ନିର୍ଦ୍ଧାରିତ ହେବ । ଅମିତ ମାଲବ୍ୟଙ୍କ ଟ୍ୱିଟ୍ ଦିଲ୍ଲୀ ମେୟର ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବା ସମ୍ଭାବନା ସୃଷ୍ଟି କରିଥିଲା । ୩୫ ଆସନ ବିଶିଷ୍ଟ ଚଣ୍ଡିଗଡ଼ ପୌର ନିଗମରେ ‘ଆପ୍’ର ସର୍ବାଧିକ ୧୪ ପାରିଷଦ ଥାଇ ବିଜେପି ମେୟର ପଦ ଦଖଲ କରିଥିବାରୁ ଦିଲ୍ଲୀରେ ମଧ୍ୟ ସେଭଳି କରିପାରେ ବୋଲି ‘ଆପ୍’ ଅଶଙ୍କାରେ ଥିଲା । ଦଳର କିଛି କାଉନସିଲରଙ୍କୁ ବିଜେପି ଲୋଭ ଦେଖାଇ ଖର୍ଦ୍ଦି ଉଦ୍ୟମ କରୁଛି ବୋଲି ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ ଏମସିଡି ନିର୍ବାଚନ ଫଳାଫଳ ଆସିବା ପରେ ଅଭିଯୋଗ କରିବା ସହ ଏଭଳି ହେଲେ ‘ଆପ୍’ ସଂପୃକ୍ତ ବିଜେପି ନେତାଙ୍କ ମୁଖା ଖୋଲି ଦେବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ । ତେବେ, ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ ଦେଉନଥିବା କୁହାଯାଉଛି । ଫଳରେ, ଶେଲ୍ଲୀ ଓବେରଏ ଦିଲ୍ଲୀର ମେୟର ନିର୍ବାଚିତ ହେଉଥିବା ଏକପ୍ରକାର ନିଶ୍ଚିତ ହୋଇଛି । ଜାନୁୟାରୀ ୬ ତାରିଖ ଦିନ ଏମସିଡି ନବନିର୍ବାଚିତ ପରିଷଦର ପ୍ରଥମ ବୈଠକ ବସୁଥିବା ଧାର୍ଯ୍ୟ ହୋଇଛି । ବୈଠକରେ ମେୟର ନିର୍ବାଚନ ହେବ । ୨୫୦ ଜଣ ନିର୍ବାଚିତ କାଉନସିଲର, ଦିଲ୍ଲୀର ସାତ ଜଣ ଲୋକସଭା ଓ ତିନି ଜଣ ରାଜ୍ୟସଭା ସାଂସଦ ଓ ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ମନୋନୀତ ୧୪ ଜଣ ବିଧାୟକ ନିର୍ବାଚନରେ ଭୋଟ ଦେଉଥିବା ଜଣାପଡିଛି । ଏମସିଡ଼ି ନୂତନ ନିୟମାବଳୀ ଅନୁଯାୟୀ, ପାଂଚ ବର୍ଷ କାର୍ଯ୍ୟକାଳରେ ଏମସିଡିରେ ପାଂଚ ଜଣ ମେୟରଙ୍କୁ ନିଯୁକ୍ତି ମିଳିବ । ପ୍ରଥମ ବର୍ଷ ପାଇଁ ଜଣେ ମହିଳା ଓ ତୃତୀୟ ବର୍ଷ ସଂଖ୍ୟାଲଘୁ ଜାତିର ଜଣେ ପାରିଷଦ ମେୟର ପଦରେ ଅଧିଷ୍ଠିତ ହେବାର ବ୍ୟବସ୍ଥା ରହିଛି । ୨୦୧୨ ପର୍ଯ୍ୟନ୍ତ ଦିଲ୍ଲୀ ଏମସିଡି ଜଣେ ମେୟରଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ପରେ, ଏମସିଡିକୁ ତିନି ଭାଗ କରାଯାଇ ଉତ୍ତର ଦିଲ୍ଲୀ ମହାନଗର ନିଗମ, ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ ଓ ପୂର୍ବ ଦିଲ୍ଲୀ ମହାନଗର ନିଗମରେ ପରିଣତ କରାଗଲା । ଚଳିତ ବର୍ଷ ତିନିଟି ଯାକ ମହାନଗର ନିଗମର ଏକତ୍ରୀକରଣ କରାଯାଇ ଡିସେମ୍ବର ୪ ତାରିଖ ଦିନ ନିର୍ବାଚନ କରାଯାଇଛି । ଦଶ ବର୍ଷ ପରେ ଦିଲ୍ଲୀ ମହାନଗର ନିଗମ ପୁଣି ଥରେ ଜଣେ ମେୟରଙ୍କ ଦ୍ୱାରା ପରିଚାଳିତ ହେବାକୁ ଯାଉଛି । ଦିଲ୍ଲୀ ମେୟର ହେବାକୁ ଯାଉଥିବା ୩୯ ବର୍ଷ ବୟସ୍କା ‘ଆପ୍’ ପ୍ରାର୍ଥୀ ଶେଲ୍ଲୀ ଓବେରଏ ପ୍ରଥମ ଥର ପାଇଁ ପଶ୍ଚିମ ଦିଲ୍ଲୀର ଇଷ୍ଟ୍ ପଟେଲ ନଗର ୱାର୍ଡରୁ ନିର୍ବାଚିତ ହୋଇଛନ୍ତି । ସେହିପରି, ‘ଆପ୍’ର ଡେପୁଟୀ ମେୟର ପ୍ରାର୍ଥୀ ଆଲେ ମହମ୍ମଦ ଇକବଲ ସର୍ବାଧିକ ୧୭ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS