ମାଗଣା ଚାଉଳ ରାଜନୀତି, ଆଖି ଚବିଶି ନିର୍ବାଚନ ଉପରେ..
ପ୍ରସାଦ ରାଓ
ଜାନୁଆରୀ ୧୨/୨୩
ଆଗୁଆ ନହେଲେ ମଧ୍ୟ ଦେଶରେ ୨୦୨୪ ସାଧାରଣ ନିର୍ବାଚନ ସମୟରେ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବା ନିଶ୍ଚିତ । ତେଣୁ, ନୂଆ ବର୍ଷ ଆରମ୍ଭରୁ ଓଡ଼ିଶା ରାଜନୀତି ସରଗରମ ହେଲାଣି । ଉଭୟ ଶାସକ ବିଜେଡ଼ି ଓ ବିରୋଧୀ ବିଜେପି ବିଭିନ୍ନ ପ୍ରସଙ୍ଗକୁ ନେଇ ପରସ୍ପରକୁ ଆକ୍ଷେପ କରିବାର କୌଣସି ସୁଯୋଗ ହାତଛଡା କରୁନାହାନ୍ତି । ଆକ୍ଷେପ, ପ୍ରତ୍ୟାକ୍ଷେପ ଏତେଦୂର ତୀବ୍ର ହେଲାଣି ଯେ ତାହା ଦୁଇ ଦଳ ମଧ୍ୟରେ ରହି ଆସିଥିବା ମଧୁର ସଂପର୍କକୁ ଆକସ୍ମିକ ଭାବେ ତୀକ୍ତ କରିଛି ।
ରାଜ୍ୟରେ ଲଗାତର ୨୨ ବର୍ଷରୁ ଅଧିକ ସମୟ ହେଲା ବିଜେଡ଼ିର ଶାସନ ଚାଲିଛି । ରାଜ୍ୟର ଗ୍ରାମାଂଚଳରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ସବୁଠି ବିଜେଡ଼ିର ବିଜୟ ବାନା ଉଡୁଥିବା ବେଳେ ବିଜେପି ୨୦୨୪ରେ ଓଡ଼ିଶା ଦଖଲ କରିବା ସ୍ୱପ୍ନ ନେଇ ନିଜ ସଂଗଠନକୁ ସୁଦୃଢ କରିବାରେ ଲାଗିଛି । ରାଜ୍ୟ ସରକାର ମହିଳା ସଶକ୍ତିକରଣ ସହ ଗରିବ ଲୋକଙ୍କୁ ଯୋଗାଉଥିବା ଟଙ୍କିକିଆ ଚାଉଳକୁ ନିର୍ବାଚନୀ ଅସ୍ତ୍ର କରିଥିବା ବେଳେ ବିଜେପି ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି କହି ମହିଳାଙ୍କ ପ୍ରତି ବୃଦ୍ଧି ପାଇଥିବା ଅପରାଧର ପରିସଂଖ୍ୟାନର ସାହାରା ନେଇଛି । ସେହିଭଳି, କେନ୍ଦ୍ର ସରକାର କୋଭିଡ଼ ସମୟରୁ ଦେଶରେ ଚାଲି ଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)କୁ ଡିସେମ୍ବର ମାସରେ ବନ୍ଦ କରି ଦେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସରକାରଙ୍କୁ ଅଡୁଆରେ ପକାଇବାକୁ ପଛାଇ ନାହାନ୍ତି । ଓଡ଼ିଶା ସରକାର ମଧ୍ୟ ଏଥିରେ ପ୍ରଭାବିତ ହୋଇଛନ୍ତି ଏବଂ ଏହା କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି କହି ନିନ୍ଦା କରିବା ସହ ଯୋଜନାର ପୁନଃ ପ୍ରଚଳନ ଦାବି କରିଛନ୍ତି ।
ସୂଚନାଯୋଗ୍ୟ କି, କିଛି ବର୍ଷ ହେଲା ରାଜ୍ୟ ସରକାର ‘ମିଶନ ଶକ୍ତି’ ଓ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ନିଜର ଭୋଟ ରାଜନୀତିକୁ ସୁଦୃଢ କରିବା ସହ ମହିଳା ଓ ଗରିବ ଜନତା ଆଖିରେ ତ୍ରାଣକର୍ତ୍ତା ସାଜିଥିଲେ । ରାଜ୍ୟରେ ଛଅ ଲକ୍ଷରୁ ଅଧଇକ ମହିଳା ଏସଏଚଜି ଗୃପ୍ ବା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ ସେଥିରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସଂଗଠିତ କରାଯାଇଛି । ସେମାନଙ୍କୁ ଆର୍ଥିର୍କ ସ୍ୱଚ୍ଛଳ କରିବା ପାଇଁ କମ୍ ସୁଧରେ ଋଣ ଯୋଗାଣ ସହ ଉତ୍ପାଦିତ ସାମଗ୍ରୀର ମାର୍କେଟିଂ ବ୍ୟବସ୍ଥା ମଧ୍ୟ ହୋଇଛି । ଏହାଛଡା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଓ ପିଏମଜିକେଏୱାଇରେ ୩ କୋଟି ୨୫ ଲକ୍ଷ ଗରିବଙ୍କୁ ପ୍ରତି ମାସରେ ପରିବାର ପିଛା ନିର୍ଦ୍ଧାରିତ ପରିମାଣର ଚାଉଳ ଯୋଗାଇ ଦିଆଯାଉଥିଲା । ମାତ୍ର ଏକ ଟଙ୍କା (କିଲୋ ପିଛା) ମୂଲ୍ୟରେ ଚାଉଳ ମିଳୁ ଥିବାରୁ ରାଜ୍ୟର ଗରିବ ଲୋକମାନେ (ରେସନ କାର୍ଡ ଥିବା) ବିଶେଷ ଭାବେ ଉପକୃତ ହେଉଥିଲେ । ବିଜେଡ଼ି ଏହାକୁ ଅସ୍ତ୍ର କରି ନିଜ ରାଜନୀତିକୁ ଚମକାଇ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଂଚଳ ଓ ସହରାଂଚଳ ଗରିବ ଲୋକଙ୍କ ନିକଟରେ ଭଗବାନତୁଲ୍ୟ ପୂଜା ପାଉଛନ୍ତି ।
ନବୀନଙ୍କ ପରେ ଏଭଳି ସୁବିଧା ଆଉ କିଏ ଦେବ କି ନାହିଁ ସେନେଇ ଗରିବ ଲୋକ ଚିନ୍ତିତ ଥିବା ସେମାନଙ୍କ ସହ ଆଲୋଚନା ବେଳେ ଶୁଣିବାକୁ ମିଳୁଛି । ବିଜେଡ଼ିର ଏହି ରହସ୍ୟକୁ ବିଜେପି ଭଲରେ ଜାଣିଛି । ତେଣୁ, ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡ଼ିକୁ ପ୍ରହାର କରିବା ପାଇଁ ମହିଳା ସଶକ୍ତୀକରଣ ଓ ଗରିବ କଲ୍ୟାଣ ଯୋଜନାରେ କେଁ ପୁରାଇବା ଉଦ୍ୟମ ଆରମ୍ଭ କରିଛି । ରାଜ୍ୟ ସରକାର ରାଜ୍ୟର ଗରିବ ପରିବାରଙ୍କୁ ଯେଉଁ ଟଙ୍କକିଆ ଚାଉଳ ଦେଉଛନ୍ତି ତାହାର କିଲୋ ପିଛା ମୂଲ୍ୟ ୩୦ ଟଙ୍କା ହୋଇଥିବା ବେଳେ ସେଥିରୁ ୨୭ ଟଙ୍କା କେନ୍ଦ୍ର ବହନ କରୁଛି । ରାଜ୍ୟ ସରକାର ମାତ୍ର ୩ ଟଙ୍କା ଖର୍ଚ୍ଚ କରି ସମସ୍ତ ଶ୍ରେୟ ନେଉ ଥିବାରୁ ଓ କେନ୍ଦ୍ରକୁ ଶ୍ରେୟ ଦେଉନଥିବାରୁ ବିଜେପି କ୍ଷୁବ୍ଧ । ଟଙ୍କିକିଆ ଚାଉଳରେ କେନ୍ଦ୍ରର ଭାଗିଦାରୀ ଅଧିକ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ସମସ୍ତ ଶ୍ରେୟ ନେଉଥିବାରୁ ବିଜେପି ତାହାକୁ ହଜମ କରିପାରୁନି । ୨୦୨୪ ନିର୍ବାଚନ ପୂର୍ବରୁ ନବୀନ ସରକାରଙ୍କୁ ଚେଙ୍କେ ଦେବା ପାଇଁ କେନ୍ଦ୍ର ଆଡୁ ରଣନୀତି ପ୍ରସ୍ତୁତ ହୋଇଛି ।
ରାଜ୍ୟ ସରକାର ଗରିବ ପରିବାରଙ୍କ ସଦସ୍ୟ ପିଛା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ)ରେ ମାସିକ ୫ କିଲୋ ଓ ପିଏମଜିକେଏୱାଇ (ପ୍ରଧାନମନ୍ତ୍ରୀ ଗରିବକଲ୍ୟାଣ ଅନ୍ନ ଯୋଜନା)ରେ ଆଉ ୫ କିଲୋ ଏଭଳି ମୋଟ ୧୦ କିଲୋ ଚାଉଳ ଯୋଗାଇ ଆସୁଥିଲେ । ଫଳରେ, ରାଜ୍ୟରେ ହିତାଧିକାରୀ ଚିହ୍ନଟ ହୋଇଥିବା ୬ ଜଣ ସଦସ୍ୟ ବିଶିଷ୍ଟ ଗୋଟିଏ ପରିବାର ମାସିକ ୬୦ କିଲୋ ଚାଉଳ ଏକ ଟଙ୍କା ମୂଲ୍ୟରେ ପାଉଥିଲେ । ଯେହେତୁ ରାଜ୍ୟ ସରକାରଙ୍କ ବିତରଣ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି ଗରିବ ପରିବାରମାନେ ରାଜ୍ୟ ସରକାରଙ୍କୁ ଟଙ୍କିକିଆ ଚାଉଳ ଯୋଗାଣର ସମସ୍ତ ଶ୍ରେୟ ଦେଉଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମଜିକେଏୱାଇ (ପ୍ରଧାନମନ୍ତ୍ରୀ ଗରିବକଲ୍ୟାଣ ଅନ୍ନ ଯୋଜନା)ର ଅବଧି ସରିବା ପରେ ଏହି ଯୋଜନା ବନ୍ଦ ହେଲା ବୋଲି ଡିସେମ୍ବର ମାସରେ ଘୋଷଣା କରିଛନ୍ତି । ନୂତନ ବର୍ଷ ପ୍ରାରମ୍ଭରୁ ଗରିବ ହୀତାଧିକାରୀଙ୍କୁ କେବଳ ଏନଏଫଏସଏରେ ରିହାତି ଚାଉଳ ମିଳୁ ଥିବାରୁ ଯେଉଁ ଛଅ ସଦସ୍ୟ ବିଶିଷ୍ଟ ପରିବାର ମାସକୁ ୬୦ କିଲୋ ଚାଉଳ ପାଉଥିଲେ ଏବେ ସେମାନେ ୩୦ କିଲୋ ପାଇବା ଦ୍ୱାରା ଖାଦ୍ୟାଭାବ ପରିସ୍ଥିତିର ସାମ୍ନା କରୁଛନ୍ତି । ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କୁ ଶ୍ରେୟ ନଦେଇ ନିଜେ ଯେଉଁ ଆଦର ଗୋଟାଉ ଥିଲେ ସେଥିରେ ମଧ୍ୟ ଭଟ୍ଟା ପଡିଛି ।
ବିଜଡ଼ିର କହିବା ଅନୁଯାୟୀ, କେନ୍ଦ୍ର ସରକାର କୋଭିଡ଼ ସମୟରୁ ଯେଉଁ ପିଏମଜିକେଏୱାଇ ଯୋଜନା କାର୍ଯ୍ୟକାରୀ କରିଥିଲେ ତାହା ଗରିବ ଲୋକଙ୍କୁ ଅନ୍ନ ଯୋଗାଇବା ସହ ଓଡ଼ିଶା ଚାଷୀଙ୍କୁ ମଧ୍ୟ ଉପକୃତ କରୁଥିଲା । ଏହି ଯୋଜନାରେ କେନ୍ଦ୍ର ସରକାର ଚାଷୀଙ୍କ ନିକଟରୁ ବଳକା ଚାଉଳ ସଂଗ୍ରହ କରି ସର୍ବନିମ୍ନ ଲାଭଜନକ ମୂଲ୍ୟ (ଏମଏସପି) ଦେଉଥିଲେ । ଏବେ, ପ୍ରଧାନମନ୍ତ୍ରୀ ମୋଦୀ ଯୋଜନାକୁ ବନ୍ଦ କରି ଦେବା ପରେ ଉଭୟ ଗରିବ ହିତାଧିକାରୀ ଏବଂ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ଏହା ଗରିବ ଓ ଚାଷୀ ମାରଣ ନୀତି ବୋଲି ବିଜେଡ଼ି ପକ୍ଷରୁ ଅଭିଯୋଗ କରାଯିବା ସହ କେବଳ ଓଡ଼ିଶା ନୁହେଁ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ପିଏମଜିକେଏୱାଇର ପୁନଃ ପ୍ରଚଳନ କରାଯିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି । କେନ୍ଦ୍ର ସରକାର ୨୦୨୩ ଜାନୁଆରୀ ପହିଲାରୁ କେବଳ ପିଏମଜିକେଏୱାଇକୁ ବନ୍ଦ କରି ନାହାନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ ଚିହ୍ନଟ ହୋଇଥିବା ସମସ୍ତ ଗରିବ ପରିବାରଙ୍କୁ ଜାନୁୟାରୀ ୧ ତାରିଖରୁ ବିନା ମୂଲ୍ୟରେ ଏକ ବର୍ଷ ପାଇଁ ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ବିତରଣ ଖାଦ୍ୟଶସ୍ୟର ରସିଦ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ମଧ୍ୟ କେନ୍ଦ୍ର ସରକାରଙ୍କ ଖାଉଟୀ କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଏନଏଫଏସଏ ହିତାଧିକାରୀଙ୍କୁ ମାଗଣାରେ ବିତରଣ କରାଯାଉଥିବା ଖାଦ୍ୟଶସ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି । ସେଥିରୁ ମିଳୁଥିବା ରିହାତି ବା ସବସିଡି ମଧ୍ୟ କେନ୍ଦ୍ର ସରକାର ଦେଉଛନ୍ତି । ଏକଥା ଛପା ରସିଦରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ କହିଛି । ଗଲା ଡିସେମ୍ବର ପର୍ଯ୍ୟନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀଙ୍କୁ କିଲୋ ପିଛା ୩ଟଙ୍କା ମୂଲ୍ୟରେ ଚାଉଳ, ୨ ଟଙ୍କା ମୂଲ୍ୟରେ ଗହମ ଓ ୧ ଟଙ୍କା ମୂଲ୍ୟରେ ମୋଟା ବଗଡା ଚାଉଳ ମିଳୁ ଥିଲା । ୨୦୨୩ ଜାନୁୟାରୀ ୧ ତାରିଖରୁ ବର୍ଷକ ପାଇଁ ସେମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ମିଳିବ । ଏନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସରକାରମାନେ ସେମାନଙ୍କ ଏମସି ଟିମ୍ ଓ ବୈଷୟିକ ଟିମ୍ ଙ୍କୁ ତୁରନ୍ତ ସୂଚିତ କରି ଆବଶ୍ୟକ ନିର୍ଦେଶ ଦେବାକୁ କେନ୍ଦ୍ର ସରକାର କହିବା ସହ ଏନଏଫଏସଏ ସ୍କିମରେ ବିତରଣ ହେଉଥିବା ଚାଉଲ ପାଇଁ ସ୍ୱତନ୍ତ୍ର ରସିଦ ଛପାଇବାକୁ କହିଛନ୍ତି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସରକାରମାନେ ଯଦି ଅନ୍ୟ କିଛି ସ୍କିମ୍ କାର୍ଯ୍ୟକାରୀ କରିଛନ୍ତି ସେଥିପାଇଁ ଭିନ୍ନ ରସିଦ ପ୍ରଦାନ ବ୍ୟବସ୍ଥା କରିବାକୁ ମନ୍ତ୍ରଣାଳୟ କହିଛି । ଏନଏଫଏସଏରେ ବିତରଣ ହେଉଥିବା ଖାଦ୍ୟଶସ୍ୟ ପାଇଁ ଯେଉଁ ସ୍ୱତନ୍ତ୍ର ରସିଦ ଛପା ଯିବ ତାହାର ଫର୍ମାଟ୍ ତୁରନ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସରକାରଙ୍କୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।
କେନ୍ଦ୍ର ସରକାରଙ୍କ ନୂତନ ନିର୍ଦେଶନାମା ସଂପର୍କରେ ଏଫପିଏସ୍ (ଫେୟାର ପ୍ରାଇସ୍ ସପ୍) ଡିଲର ଓ ହିତାଧିକାରୀଙ୍କୁ ସଂପୂର୍ଣ୍ଣ ଅବଗତ ଓ ସଚେତନ କରାଇବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସରକାରଙ୍କୁ ଅନୁରୋଧ କରିଥିବା ଜଣାପଡିଛି । ଏହି କେନ୍ଦ୍ରୀୟ ନିର୍ଦେଶନାମା ରାଜ୍ୟମାନଙ୍କରେ କେନ୍ଦ୍ରୀୟ ସ୍କିମ୍ ଚୋରାଇ ନିଜ ନାମରେ ପ୍ରଚଳନ କରିବାର ଯେଉଁ ପରଂପରା ଚାଲି ଥିଲା ତାହାକୁ ରୋକି ପାରିବ ବୋଲି ବିଜେପି ନେତୃବର୍ଗ କହୁଥିବା ବେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନିଷ୍ପତ୍ତିକୁ ନେଇ ରାଜ୍ୟମାନ ମତାମତ ରଖିବାର ଯେଉଁ ଅଧିକାର ଥିଲେ ତାହା ଏହାଦ୍ୱାରା କ୍ଷୁର୍ଣ୍ଣ ହେବାକୁ ଯାଉଛି ବୋଲି ବିଜେଡ଼ି ପକ୍ଷରୁ ଅଭିଯୋଗ ହୋଇଛି । ଏହା ଫଳରେ ଯେଉଁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ତାହା ଗରିବ ହିତାଧିକାରୀଙ୍କୁ ହିଁ କ୍ଷତିରେ ପକାଇବ ବୋଲି କିଛି ବିଜେଡ଼ି ନେତା କହିଛନ୍ତି ।
ସାଧାରଣତଃ, ମାଗଣା ଚାଉଳ ବଂଟା ଭଳି କେନ୍ଦ୍ରୀୟ ଯୋଜନା ରାଜ୍ୟମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ । କାରଣ, ବିତରଣ ବ୍ୟବସ୍ଥା ରାଜ୍ୟମାନଙ୍କ ଦ୍ୱାରା ପରିଚାଳିତ । ଏନଏଫଏସଏ ଯୋଜନା ମଧ୍ୟ ରାଜ୍ୟମାନେ କାର୍ଯ୍ୟକାରୀ କରୁଛନ୍ତି ଓ କାର୍ଯ୍ୟକାରୀ କରିବେ । କେନ୍ଦ୍ର ସରକାର ରସିଦ ବ୍ୟବସ୍ଥା ପ୍ରଚଳନ କରି ଓ ଯାହା ଦିଆଯାଉଛି କେନ୍ଦ୍ର ହିଁ ଦେଉଛି ବୋଲି ବିଜ୍ଞପ୍ତି କରାଇ ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ସପକ୍ଷରେ ପ୍ରଚାର ପାଇଁ ଉଦ୍ୟମ ଆରମ୍ଭ କରି ଦେଇଥିବା କେନ୍ଦ୍ର ସରକାରଙ୍କ ଖାଉଟୀ କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରଣାଳୟର ନିର୍ଦେଶନାମାରୁ ସ୍ପଷ୍ଟ ସୂଚନା ମିଳୁଛି । ତେବେ, ରାଜ୍ୟର କୋଣ, ଅନୁକୋଣରେ ରାଜ୍ୟ ସରକାର ହିଁ ସବୁ କିଛି ଦେଉଛନ୍ତି ବୋଲି ଯେଉଁ ଧାରଣା ସୃଷ୍ଟି ହୋଇସାରିଛି ତାହା ବଦଳାଇବାରେ କେନ୍ଦ୍ର ସରକାର କେତେଦୂର ସଫଳ ହେବେ, ତାହା ୨୦୨୪ ନିର୍ବାଚନରେ ହିଁ ଜଣାପଡିବ । ସେପର୍ଯ୍ୟନ୍ତ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS