ପଂଜାବରେ ରାହୁଲଙ୍କ ପଦଯାତ୍ରା ଆରମ୍ଭ, ଇତିହାସକୁ ଉଙ୍ଖାରିଛି ବିଜେପି ଓ ସାଦ୍


ପ୍ରସାଦ ରାଓ
ଜାନୁଆରୀ ୧୧/୨୩
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ’ ଯାତ୍ରା ପ୍ରାରମ୍ଭରୁ ବିଜେପି ଦ୍ୱାରା ସମାଲୋଚିତ ହେଉଛି । ଏହି ପଦଯାତ୍ରା ଦେଶକୁ ଯୋଡିବା ପାଇଁ ନୁହେଁ, ଭାଂଗିବା ପାଇଁ ଉଦ୍ଦିଷ୍ଟ ବୋଲି ବିଜେପି ନେତୃବର୍ଗ ପ୍ରାରମ୍ଭରୁ ସମାଲୋଚନା କରି ଆସୁଛନ୍ତି । ଜାତୀୟ ଗଣମାଧ୍ୟମରେ ବିତର୍କରେ ଭାଗ ନେଉଥିବା ବିଜେପି ଜାତୀୟ ମୁଖପାତ୍ରମାନେ ରାହୁଲଙ୍କ ପଦଯାତ୍ରାର ନାମକରଣ କରିଛନ୍ତି ‘ଭାରତ ତୋଡୋ’ ଯାତ୍ରା । ଏହା ରାହୁଲ ଗାନ୍ଧୀଙ୍କ ପ୍ରତି କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିର ଅସୂୟା ଭାବ ବୋଲି କଂଗ୍ରେସ ପକ୍ଷରୁ ପାଲଟା ଅଭିଯୋଗ କରାଯିବା ସହ ‘ଭାରତ ଯୋଡୋ’ ଯାତ୍ରା ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତୀରେ ବଡ ପରିବର୍ତ୍ତନ ଆଣି ଥିବା ଓ ତାଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବା ଦୃଷ୍ଟିରୁ ବିଜେପି ନେତୃବର୍ଗ ଭୟଭିତ ବୋଲି କୁହାଯାଉଛି । ୨୦୨୨ ସେପ୍ଟେମ୍ବର ୭ ତାରିଖରୁ ରାହୁଲ ଗାନ୍ଧୀ ତମିଲନାଡୁର କନ୍ୟାକୁମାରୀରୁ ତାଙ୍କ ‘ଭାରତ ଯୋଡୋ’ ଯାତ୍ରା ଆରମ୍ଭ କରିଛନ୍ତି । ସେହି ଦିନଠାରୁ ବିଜେପି ଓ କଂଗ୍ରେସ ମଧ୍ୟରେ ଏଭଳି ଆକ୍ଷେପ, ପ୍ରତ୍ୟାକ୍ଷେପର ଖେଳ ଚାଲିଛି । ଏବେ ରାହୁଲଙ୍କ ପଦଯାତ୍ରା ପଂଜାବରେ ଆରମ୍ଭ ହେବା ପରେ ଶିରୋମଣୀ ଅକାଳୀ ଦଳ (ସାଦ୍) ବିବାଦରେ ପକ୍ଷଭୁକ୍ତ ହୋଇଛି । ପଂଜାବକୁ ଧ୍ୱସ୍ତବିଧ୍ୱସ୍ତ କରିବାରେ ଗାନ୍ଧୀ ପରିବାରର ସବୁଠାରୁ ଅଧିକ ଭୂମିକା ଥିବା ‘ସାଦ୍’ ସଭାପତି ସୁଖବିନ୍ଦର ସିଂହ ବାଦଲ ଆଜି ମୁକ୍ତସରଠାରେ ଗଣମାଧ୍ୟମରେ ଅଭିଯୋଗ କରିବା ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଂଜାବରେ ‘ଭାରତ ଯୋଡୋ’ ଯାତ୍ରା ଅବସରରେ ପଂଜାବବାସୀଙ୍କୁ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି । ରାହୁଲ ଗାନ୍ଧୀ ଗତକାଲି ହରିୟାଣାରେ ତାଙ୍କ ଦ୍ୱତୀୟ ପର୍ଯ୍ୟାୟ ପଦଯାତ୍ରା ଶେଷ କରିବା ପରେ ପଂଜାବର ଅମୃତସରରେ ପହଂଚି ସ୍ୱର୍ଣ୍ଣ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । କେଶରୀ ରଂଗର ପଗଡି ପିନ୍ଧି ଥିବା ରାହୁଲ ବହୁ ସଂଖ୍ୟକ କଂଗ୍ରେସ ନେତା ଓ କର୍ମୀଙ୍କ ଗହଣରେ ସ୍ୱର୍ଣ୍ଣ ମନ୍ଦିରରେ ପ୍ରାର୍ଥନାରେ ଭାଗ ନେବା ପରେ ଆଜି ଫତେଗଡ଼ ସାହିବରୁ ତାଙ୍କ ‘ଭାରତ ଯୋଡୋ’ ଆରମ୍ଭ କରିଛନ୍ତି । ରାହୁଲଙ୍କ ହରମନ୍ଦିର ସାହିବ ଗସ୍ତ ଓ ଦର୍ଶନ ବିରୋଧୀଙ୍କୁ ଗାନ୍ଧୀ ପରିବାରକୁ ନେଇ ଥିବା ଐତିହାସିକ ଘଟଣାବଳୀକୁ ମନେ ପକାଇ ଦେଇଛି । ‘ସାଦ୍’ ଓ ବିଜେପି ନେତାମାନେ ରାହୁଲଙ୍କୁ କଟୁ ସମାଲୋଚନା କରିବା ସହ ଗାନ୍ଧୀ ପରିବାର ହିଁ ପଂଜାବର ସର୍ବାଧିକ କ୍ଷତି କରିଛି, ପଂଜାବକୁ ଧ୍ୱସ୍ତବିଧ୍ୱସ୍ତ କରିବା ସହ ରାଜ୍ୟ ପ୍ରତି ଘୋର ବୈମାତୃକ ମନୋଭାବ ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିଛି ବୋଲି କହିଛନ୍ତି । ରାହୁଲ ଗାନ୍ଧୀ ସେହି ପରିବାରର ସଦସ୍ୟ ହୋଇଥିବା ଦୃଷ୍ଟିରୁ ପଂଜାବରେ ‘ଭାରତ ଯୋଡୋ’ ଯାତ୍ରା କରିବା ନିନ୍ଦନୀୟ ବୋଲି ବାଦଲ ମନ୍ତବ୍ୟ ଦେଇଥିବା ଜଣାପଡିଛି । ଦେଶକୁ ଭାଗ ଭାଗ କରିବା (ଭାରତ ତୋଡୋ)ରେ ଗାନ୍ଧୀ ପରିବାରର ଇତିହାସ ରହିଥିବା ଦର୍ଶାଇ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରୀ ଦରବାର ସାହିବ ଉପରେ ଟ୍ୟାଙ୍କ ଓ ମୋର୍ଟର ଆକ୍ରମଣ, ଅକାଲ ତାଖତ ସାହିବରେ ବ୍ୟାପକ କ୍ଷତି କରିବା ଏବଂ ରାହୁଲ ଗାନ୍ଧୀଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ୧୯୮୪ ‘ଶିଖ୍ ଗଣହତ୍ୟା’ର ମୁଖ୍ୟ କାରକ ଥିବା କଥା କହିଛନ୍ତି । ‘ଗୋଟିଏ ବିରାଟ ବୃକ୍ଷ ଉପୁଡି ପଡିଲେ ଭୂକଂପନ ସ୍ୱାଭାବିକ’ ବୋଲି ସେତେବେଳେ ରାଜୀବ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ସେ ମନେ ପକାଇ ରାଜୀବ ଶିଖ୍ ବିରୋଧୀ ଦଂଗାକୁ ଯଥାର୍ଥ ସାବ୍ୟସ୍ତ କରିବାକୁ ଯାଇ ଏହା କହିଥିଲେ ବୋଲି ବାଦଲ କହିଛନ୍ତି । ପଂଜାବର ନଦୀ ଜଳକୁ ଲୁଟ୍ କରି ରାଜସ୍ଥାନକୁ ସ୍ଥାନାନ୍ତର କରିବାରେ ଗାନ୍ଧୀ ପରିବାରର ଭୂମିକାକୁ ସେ ମନେ ପକାଇ ଦେବା ସହ ରାହୁଲ ନିଜ ଅନ୍ତରାତ୍ମାକୁ ଥରେ ଝାଙ୍କନ୍ତୁ ବୋଲି କହିଥିଲେ । ପଂଜାବ ପ୍ରତି ଗାନ୍ଧୀ ପରିବାର ଯେଭଳି ଅବିଚାର ଓ ଅପରାଧ କରିଛନ୍ତି ସେଥିପାଇଁ ରାହୁଲ ଆଜି ପର୍ଯ୍ୟନ୍ତ କେବେ କ୍ଷମା ମାଗି ନାହାନ୍ତି । ପଂଜାବର କଂଗ୍ରେସ ନେତାମାନେ ମଧ୍ୟ ହରମିନ୍ଦର ସାହିବ ଓ ୧୯୮୪ ଶିଖ ବିରୋଧୀ ଦଙ୍ଗା ବା ଗଣହତ୍ୟାକୁ ନେଇ ରାହୁଲ ଗାନ୍ଧୀ ଓ ତାଙ୍କ ପରିବାରକୁ ପ୍ରଶ୍ନ କରୁନଥିବା ସମାନ ଭାବେ ନିନ୍ଦନୀୟ ଓ ଦୁଃଖଦାୟକ ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ରାହୁଲ ଅତୀତରେ ମଧ୍ୟ ଅମୃତସର ଯାଇ ହରମିନ୍ଦର ସାହିବ ଦର୍ଶନ କରିଥିଲେ । ତେବେ, ଏଥର ସେ ଶାନ୍ତିର ସୌଦାଗର ଭାବେ ‘ଭାରତ ଯୋଡୋ’ ଯାତ୍ରାରେ ପଂଜାବ ଯାଇଥିବାରୁ ବିରୋଧୀ ତାଙ୍କୁ ରାଜନୈତିକ ଆକ୍ରମଣ କରିବାର ସୁଯୋଗ ପାଇଛନ୍ତି । ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ପଂଜାବର ଅମୃତସରରେ ‘ବ୍ଲୁଷ୍ଟାର ଅପରେସନ୍’ ହୋଇଥିଲା ଏବଂ ସ୍ୱର୍ଣ୍ଣ ମନ୍ଦିରରେ ସଶସ୍ତ୍ର ସୁରକ୍ଷା ବଳ ପ୍ରବେଶ କରିଥିଲେ । ସେହିଭଳି, ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ରାଜୀବ ଗାନ୍ଧୀଙ୍କ ସମୟରେ ୧୯୮୪ରେ ଶିଖ୍ ସଂପ୍ରଦାୟକୁ ଟାର୍ଗେଟ କରାଯାଇ ଗଣହତ୍ୟା ହୋଇଥିଲା । ଏତିପାଇଁ କଂଗ୍ରେସ ଦଳ ସର୍ବଦା ରକ୍ଷାତ୍ମକ ସ୍ଥିତିରେ ରହି ଆସିଛି । ଦେଶରେ ସାଂପ୍ରଦାୟିକ ସୌହାର୍ଦ୍ଧ୍ୟ ଭାବ ପ୍ରତିଷ୍ଠା ପାଇଁ ରାହୁଲ ଗାନ୍ଧୀ ‘ଭାରତ ଯୋଡୋ’ ଯାତ୍ରାରେ ଥିବା ବେଳେ ଏହି ଯାତ୍ରା ପଂଜାବବାସୀଙ୍କ ଐତିହାସିକ କ୍ଷତକୁ ଅଧିକ ଉଂଖାରିବ ବୋଲି ବରିଷ୍ଠ ବିଜେପି ନେତା ଅଶ୍ୱିନୀ କୁମାର କହିଛନ୍ତି । ସେ କହିଛନ୍ତି, ଦିଲ୍ଲୀରେ ହୋଇଥିବା ଶିଖ୍ ଗଣହତ୍ୟାକୁ ନେଇ ଗାନ୍ଧୀ ପରିବାର କେବେ କ୍ଷମା ମାଗି ନାହାନ୍ତି । ରାହୁଲ ଗାନ୍ଧୀ ମଧ୍ୟ ଏନେଇ କେବେ ପଦୁଟିଏ କହି ନାହାନ୍ତି । ଏହି ପଦଯାତ୍ରା ଅବସରରେ ରାହୁଲ ପଂଜାବବାସୀଙ୍କୁ କ୍ଷମା ମାଗି ନେବେ ବୋଲି ଅଶ୍ୱିନୀ କୁମାର ଆଶାବ୍ୟକ୍ତ କରିଛନ୍ତି । ଅପରପକ୍ଷରେ, ରାହୁଲଙ୍କ ‘ଭାରତ ଯୋଡୋ’ ଯାତ୍ରା ପଂଜାବରେ ବିଶେଷ ପ୍ରଭାବ ପକାଇବ ବୋଲି ପଂଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅମରିନ୍ଦର ସିଂହ ରାଜା ୱାରିଙ୍ଗ କହିଛନ୍ତି । ରାହୁଲ ଗାନ୍ଧୀ ପଂଜାବରେ ଆଜି ବିଧିବଦ୍ଧ ଭାବେ ପଦଯାତ୍ରା ଆରମ୍ଭ କରିବା ପୂର୍ବରୁ ଗତକାଲି ବହୁ ସଂଖ୍ୟକ କଂଗ୍ରେସ ନେତା ଓ କର୍ମୀଙ୍କ ଗହଣରେ ସ୍ୱର୍ଣ୍ଣ ମନ୍ଦିରକୁ ଯାଇଥିଲେ । ତେବେ, ସ୍ୱର୍ଣ୍ଣ ମନ୍ଦିରକୁ ଦର୍ଶନ ଓ ପ୍ରାର୍ଥନା ପାଇଁ ଯାଉଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ଶିରୋମଣୀ ଗୁରୁଦ୍ୱାର ପ୍ରବନ୍ଧକ କମିଟି ଯେଭଳି ଅଭ୍ୟର୍ଥନା କରାଯାଇଥାଏ ସେଭଳି ରାହୁଲଙ୍କ କ୍ଷେତ୍ରରେ ହୋଇନଥିବା ଜଣାପଡିଛି । ରାହୁଲ ଆଜି ପଂଜାବରେ ଦୋହରାଇଛନ୍ତି ଯେ, ବିଜେପି ଦେଶରେ ଯେଉଁ ଭୟ ଓ ଘୃଣାଭାବର ସୃଷ୍ଟି କରିଛି ତାହାକୁ ପ୍ରତିହତ କରିବା ପାଇଁ ତାଙ୍କ ‘ଭାରତ ଯୋଡୋ’ ଯାତ୍ରା ଉଦ୍ଦିଷ୍ଟ । ଦେଶ ଭାତୃତ୍ୱ, ଏକତା ଓ ପରସ୍ପର ପ୍ରତି ସମ୍ମାନକୁ ବିଶ୍ୱାସ କରୁଥିବାରୁ ‘ଭାରତ ଯୋଡୋ’କୁ ବିଶେଷ ଜନସମର୍ଥନ ମିଳୁଛି ଓ ଏହି ଯାତ୍ରା ସଫଳ ହୋଇଛି । ରାହୁଲଙ୍କ ପଦଯାତ୍ରା କାଲି ଲୁଧିଆନାରେ ପହଂଚିବାକୁ ଥିବା ବେଳେ ସେଠାକାର କଂଗ୍ରେସ ଭବନରେ କୌଣସି ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ଲଗା ଯାଇଥିବା ପୋଷ୍ଟର ପଂଜାବ ପୁଲିସକୁ ଅଡୁଆରେ ପକାଇଛି । କଂଗ୍ରେସ ଦଳ ୧୯୪୭ରେ ଦେଶ ବିଭାଜନ ଓ ୧୯୮୪ରେ ଶିଖ୍ ସଂପ୍ରଦାୟ ବିରୋଧରେ ଦଂଗା ପାଇଁ ଦାୟୀ । ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଏହାର ଜବାବ ଦିଅନ୍ତୁ ବୋଲି ପୋଷ୍ଟରରେ ଲେଖା ଥିବା କୁହାଯାଉଥିବା ବେଳେ ଲୁଧିଆନା ପୁଲିସ ତାହାର ଭିଡିଓଗ୍ରାଫ୍ କରାଇ କାନ୍ଥରୁ ପୋଷ୍ଟର ହଟାଇ ଥିବା ଜଣାପଡିଛି । ପଂଜାବରେ ରାହୁଲଙ୍କ ପଦଯାତ୍ରା ଆରମ୍ଭରୁ ଏଭଳି ବିରୋଧ ପ୍ରଦର୍ଶନ ପଛରେ ରାଜନୈତିକ ଉଦ୍ଦେଶ୍ୟ ସ୍ପଷ୍ଟ । ତେବେ, ପୋଷ୍ଟର ଲଗାଇବା ପଛରେ କେଉଁମାନଙ୍କ ହାତ ରହିଛି ପୁଲିସ ସିସିଟିିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS