ଏୟାର ଇଣ୍ଡିଆ ମାମଲା, ବେଂଗାଲୁରୁରୁ ଗିରଫ ହେଲେ ଅଭିଯୁକ୍ତ ଶଙ୍କର ମିଶ୍ର


ପ୍ରସାଦ ରାଓ
ଜାନୁଆରୀ ୦୭/୨୩
ନଭେମ୍ବର ୨୬ ତାରିଖ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ (ଏଆଇ-୧୦୨)ର ବିଜିନେସ୍ କ୍ଲାସରେ ଆସୁଥିବା ଜଣେ ୭୧ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା କରି ଦେଶରେ ଚହଳ ପକାଇ ଥିବା ଅଭିଯୁକ୍ତି ଶଙ୍କର ମିଶ୍ରଙ୍କୁ ଗତକାଲି ରାତିରେ ଦିଲ୍ଲୀ ପୁଲିସ ବେଂଗାଲୁରୁରୁ ଗିରଫ କରିଥିବା ଜଣାପଡିଛି । ମିଶ୍ର ‘ୱେଲ୍ସ୍ ଫାରଗୋ’ ନାମକ ଏକ କାଲିଫର୍ଣ୍ଣିଆ (ୟୁଏସ) ଭିତ୍ତିକ ଆମେରିକୀୟ ବହୁରାଷ୍ଟ୍ରୀୟ ଫାଇନାନ୍ସିଆଲ୍ ସର୍ଭିସେସ୍ କର୍ପୋରେସନରେ ଭାରତ ଭିତ୍ତିକ ଉପ ସଭାପତି ବା ଭାଇସ୍ ପ୍ରେସିଡେଂଟ୍ ଭାବେ କାର୍ଯ୍ୟ କରୁଥିଲେ । ନଭେମ୍ବର ୨୬ ତାରିଖ ଘଟଣାକୁ ନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଜାନୁୟାରୀ ୪ ତାରିଖ ଦିନ ଦିଲ୍ଲୀ ପୁଲିସରେ ଏତଲା ଦେବା ପରେ ଗିରଫ ଭୟରେ ମିଶ୍ର ଫେରାର ଥିବା ବେଳେ ପୁଲିସ ତାଙ୍କ ବିରୋଧରେ ‘ଲୁକ୍ ଆଉଟ୍’ ନୋଟିସ ଜାରି କରିଥିଲେ । ଆମେରିକୀୟ ‘ୱେଲ୍ସ୍ ଫାରଗୋ କର୍ପୋରେସନ୍’ ମଧ୍ୟ ଘଟଣା ଜାଣିବା ପରେ ଅଭିଯୁକ୍ତ ମିଶ୍ରଙ୍କୁ ଚାକରୀରୁ ବହିଷ୍କାର କରିଛି । ଦିଲ୍ଲୀ ପୁଲିସ ମିଶ୍ରଙ୍କ ସୋସିଆଲ ମିଡ଼ିଆ ଆକାଉଂଟ, ଡେବିଟ୍ ଓ କ୍ରେଡିଟ୍ କାର୍ଡ କାରବାର ଉପରେ ନଜର ରଖିଥିଲେ । ତାହାକୁ ଟ୍ରାକ୍ କରି ଦିଲ୍ଲୀ ପୁଲିସର ଗୋଟିଏ ଟିମ୍ ବେଂଗାଲୁରୁରୁ ପହଂଚି ମିଶ୍ରଙ୍କୁ ସଂଜୟ ନଗରରେ ଥିବା ତାଙ୍କ ଭଉଣୀଙ୍କ ଘରୁ ଗିରଫ କରିଛନ୍ତି । ଶଙ୍କର ବିମାନ ଯାତ୍ରା ସମୟରେ ମାତ୍ରାଧିକ ମଦ୍ୟପାନ କରି ବିମାନରେ ଏଭଳି ଅଶୋଭନୀୟ ଘଟଣା ଘଟାଇ ଥିବା ବିମାନରେ ତାଙ୍କ ସହଯାତ୍ରୀ ଥିବା ଜଣେ ମହିଳା ଯାତ୍ରୀ ଏକ ଇଂରାଜୀ ଦୈନିକକୁ କହିଛନ୍ତି । ଆମେରିକାରେ କାର୍ଯ୍ୟରତ ମହିଳା ଡାକ୍ତର ଜଣକ ସେଦିନ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିଲେ । ଏୟାର ଇଣ୍ଡିଆ ବିମାନରେ ସେ ବିଜିନେସ୍ କ୍ଲାସର ପ୍ରଥମ ଧାଡିର ୮-ଏ ନମ୍ବର ସିଟ୍ ରେ ବସି ଥିବା ବେଳେ ଅଭିଯୁକ୍ତ ଶଙ୍କର ମିଶ୍ର ୮-ସି ନମ୍ବର ସିଟ୍ ରେ ଯାତ୍ରା କରୁଥିଲେ । ମଧ୍ୟାହ୍ନ ଭୋଜନ ସମୟରେ ମିଶ୍ର ଚାରି ଗ୍ଲାସ୍ ସିଂଗଲ ମଲ୍ଟ୍ ହ୍ୱିସ୍କି ଏକସମୟରେ ଗଟକି ଯାଇଥିଲେ । ତା’ ପୁର୍ବରୁ ବା ପରେ ମିଶ୍ର କେତେ ପରିମାଣର ମଦ ପିଇଥିଲେ ତାହା ସେ ଜାଣନ୍ତି ନାହିଁ ବୋଲି ପାଖ ସିଟ୍ ରେ ଥିବା ମହିଳା ଯାତ୍ରୀ କହିଛନ୍ତି । ତେବେ, ମିଶ୍ର ମାତ୍ରାଧିକ ନିଶାରେ ତାଙ୍କୁ ବାରମ୍ବାର ଗୋଟି ପ୍ରଶ୍ନ କରିଥିଲେ, ‘ଆପଣଙ୍କ ପିଲାମାନେ କଣ କରନ୍ତି ?’ ଡାକ୍ତରାଣୀ ଜଣକ ବିମାନର ଜଣେ ଜଣେ ପୁରୁଷ କର୍ମଚାରୀଙ୍କୁ ତାଙ୍କ ପାଖ ସିଟ୍ ରେ ବସିଥିବା ପୁରୁଷ ଯାତ୍ରୀ ଜଣକ ମାତ୍ରାଧିକ ନିଶାଗ୍ରସ୍ତ ଥିବା ଜଣାିବା ସହ ଅଧିକ ମଦ ନ ପରଶିବାକୁ ସୂଚିତ କରିଥିଲେ । ଏହାପରେ ଡାକ୍ତରାଣୀ ଜଣକ ନିଜ ସିଟ୍ ରେ ଶୋଇ ଯାଇଥିଲେ । ପରେ ଜାଣିଲେ, ଅଭିଯୁକ୍ତ ମିଶ୍ର ବିମାନରେ ସେମାନଙ୍କ ଠିକ୍ ପଛରେ ସିଟ୍ ୯-ଏରେ ବସିଥିବା ଦୁଇ ଜଣ ମହିଳା ଯାତ୍ରୀଙ୍କ ମଧ୍ୟରୁ ଜଣକ ସିଟ୍ ପାଖକୁ ଯାଇ ତାଙ୍କୁ ପରିଶ୍ରାରେ ଭିଜାଇ ଦେଇଛନ୍ତି । ‘ଘଟଣା ସମୟରେ ମୁଁ ଶୋଇ ପଡିଥିଲି । ପରେ ଯାହା ସବୁ ଘଟିଲା ମୁଁ ତାହାର ପ୍ରତ୍ୟକ୍ଷଦର୍ଶୀ’ ବୋଲି ସେ ସଂପୃକ୍ତ ଇଂରାଜୀ ଦୈନିକକୁ କହିଥିବା ଜଣାପଡିଛି । ଯେଉଁ ମହିଳା ଯାତ୍ରୀଙ୍କ ଉପରେ ମିଶ୍ର ପରିଶ୍ରା କରିଥିଲେ ଓ ତାଙ୍କ ପୋଷାକ, ବେଡ୍, କମ୍ବଳ ଓ ଯୋତାକୁ ନଷ୍ଟ କରିଦେଇ ଥିଲେ ସେହି ମହିଳା ଯାତ୍ରୀ ଗଭୀର ମାନସିକ ଚାପରେ ଥିବା ବେଳେ ତାଙ୍କୁ ଏୟାର ଇଣ୍ଡିଆ ବିମାନ କର୍ମଚାରୀମାନେ ମିଶ୍ର କ୍ଷମା ମାଗିବାକୁ ଚାହୁଁଥିବା ଦର୍ଶାଇ ଥରେ ତାଙ୍କ ସହ କଥା ହେବାକୁ ପ୍ରବର୍ତ୍ତାଇବା ଚିନ୍ତାର ବିଷୟ ଥିଲା । ସେମାନେ ବସି ଥିବା ସ୍ଥାନରୁ ଚାରି ଧାଡି ପଛରେ ଲାଭାଟୋରୀ ଥିବା ବେଳେ ଅଭିଯୁକ୍ତ ସେଠାକୁ ନଯାଇ ଠିକ୍ ପଛ ଧାଡିରେ ବସିଥିବା ମହିଳାଙ୍କ ଉପରେ ପରିଶ୍ରା କରିଥିଲେ । ସେଠାରୁ ନିଜ ସିଟ୍ କୁ ଫେରି କିଛି ସମୟ ଶୋଇବା ପରେ ହଠାତ ଚିହିଁକି ଉଠି ‘ବନ୍ଧୁ, ମୁଁ ବିପଦରେ ଅଛି କି (?)’ ବୋଲି ପାଖ ସିଟ୍ ରେ ବସିଥିବା ଡାକ୍ତରାଣୀଙ୍କୁ ପଚାରି ଥିଲେ । ‘ହଁ, ସେ ବିପଦରେ ଅଛନ୍ତି’ ବୋଲି ଡାକ୍ତରାଣୀ ତାଙ୍କୁ ଉତ୍ତର ଦେଇଥିଲେ । ଅବଶ୍ୟ ବିମାନରେ ଥିବା ଦୁଇ ଜଣ ଏୟାର ଇଣ୍ଡିଆ ‘କ୍ରୁ’ ସଦସ୍ୟ ପୀଡ଼ିତାଙ୍କୁ ସଫାସୁତୁରେ ହେବାରେ ସହାୟତା କରିବା ସହ ହାତରେ ଗ୍ଲେଭସ୍ ପିନ୍ଧି ତାଙ୍କ ଜିନିଷପତ୍ର ନେଇ ଲାଭାଟୋରୀରେ ସଫା କରିଥିଲେ ବୋଲି ମିଶ୍ରଙ୍କ ପାଖ ସିଟ୍ ରେ ବସି ଯାତ୍ରା କରୁଥିବା ଡାକ୍ତରାଣୀ ଜଣକ କହିଛନ୍ତି । ଦିଲ୍ଲୀରେ ପହଂଚିବା ପରେ ଡାକ୍ତରାଣୀ ଜଣକ ଏୟାର ଇଣ୍ଡିଆରେ ନିଜ ଅଭିଯୋଗ ଦାଖଲ କରିବାକୁ ‘କ୍ରୁ’ ସଦସ୍ୟଙ୍କୁ ‘ଅଭିଯୋଗ ବହି’ ମାଗିବାରୁ ତାଙ୍କୁ ଲିଖିତ ଅଭିଯୋଗ ଦେବା ସକାଶେ ସାଦା କାଗଜଟିଏ ଧରାଇ ଦିଆଯାଇଥିଲା । ସେ ଲିଖିତ ଅଭିଯୋଗ ଦେଇଥିଲେ ସୁଦ୍ଧା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ପ୍ରାପ୍ତିସ୍ୱୀକାର କରି ନାହାନ୍ତି ବୋଲି ଡାକ୍ତରାଣୀ ଜଣକ କହିଛନ୍ତି । ୩୪ ବର୍ଷ ବୟସ୍କ ଅଭିଯୁକ୍ତ ମିଶ୍ରଙ୍କୁ ଦିଲ୍ଲୀ ପୁଲିସ ଗତକାଲି ରାତିରେ ବେଂଗାଲୁରୁରୁ ଗିରଫ କରିବା ପରେ ଦିଲ୍ଲୀ ଅଣି ଅଧିକ ତଦନ୍ତ ଚଳାଇ ଥିବା ଦିଲ୍ଲୀ ପୁଲିସର ଡେପୁଟୀ କମିଶନର (ବିମାନ ବନ୍ଦର) ରବି କୁମାର ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଇତିମଧ୍ୟରେ, ନଭେମ୍ବର ୨୬ ତାରିଖ ଘଟଣାରେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ଚାରି ଜଣ କ୍ରୁ ସଦସ୍ୟ (ବିମାନର କ୍ୟାବିନ କର୍ମଚାରୀ) ଓ ଦୁଇ ଜଣ ପାଇଲଟଙ୍କ ମଧ୍ୟରୁ ଜଣକୁ ବିମାନରୁ ଓହ୍ଲାଇ ଦିଆଯିବା ସହ ଏୟାର ଇଣ୍ଡିଆ ପକ୍ଷରୁ କୈଫିୟତ ମଗା ଯାଇଥିବା ଜଣାପଡିଛି । ଅଧିକ ବିମାନ କର୍ମଚାରୀ ଏହି ଅବହେଳାରେ ସାମିଲ ଅଛନ୍ତି କି ନାହିଁ ଜାଣିବା ସକାଶେ ଏଆଇ ପକ୍ଷରୁ ଆଭ୍ୟନ୍ତରୀଣ ତଦନ୍ତ ଚାଲିଛି ବୋଲି ଏୟାର ଇଣ୍ଡିଆ ଏମଡି ତଥା ସିଇଓ କାଂପବେଲ୍ ୱିଲସନ୍ ଆଜି କହିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS