ଉଡନ୍ତା ବିମାନରେ ନିଶାଗ୍ରସ୍ତଙ୍କ ଉତ୍ପାତ !


ପ୍ରସାଦ ରାଓ
ଜାନୁଆରୀ ୦୬/୨୩
୨୦୨୨ ନଭେମ୍ବର ୨୬ ତାରିଖ ଘଟଣା । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ଏଆଇ-୧୦୨ ଯାତ୍ରୀବାହୀ ବିମାନରେ ଘଟି ଥିଲା ଏକ ଅଭବନୀୟ ଘଟଣା । ବିମାନରେ ଯାତ୍ରା ଜଣେ ଅତ୍ୟଧିକ ନିଶାଗ୍ରସ୍ତ ବ୍ୟକ୍ତି ଏତେଦୂର ନିଶାଶକ୍ତ ଥିଲେ ଯେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏହି ବିମାନରେ ଯାତ୍ରା କରୁଥିବା ଜଣେ ବୟସ୍କା ମହିଳାଙ୍କ ପ୍ରତି ଅଶ୍ଳୀଳ ଓ ଅଶାଳୀନ ବ୍ୟବହାର କରିବାକୁ ପଛାଇ ନଥିଲେ । ବ୍ୟକ୍ତି ଜଣକ ସିଧାସଳଖ ମହିଳାଙ୍କ ସିଟ୍ ନିକଟକୁ ଯାଇ ତାଙ୍କ ପୋଷାକ, ବ୍ୟାଗପତ୍ର, ଘୋଡାଇ ହେବା ପାଇଁ ଥିବା କମ୍ବଳ ଓ ଯୋତାକୁ ପରିଶ୍ରାରେ ଭିଜାଇ ଦେଇଥିଲେ । କେବଳ ସେତିକି ନୁହେଁ, ପୁରୁଷ ଯାତ୍ରୀ ଜଣକ ସଂପୃକ୍ତ ମହିଳାଙ୍କ ସମ୍ମୁଖରେ କିଛି ସମୟ ପାଇଁ ନିଜ ପୁରୁଷାଙ୍ଗ ଦେଖାଇ ଠିଆ ରହି ଥିଲେ । ପ୍ୟାଂଟର ଜିପ୍ ଖୋଲା ରଖି ଠିଆ ହୋଇଥିବା ବ୍ୟକ୍ତିଙ୍କ ଅନ୍ୟ ଯାତ୍ରୀମାନେ ଘଉଡାଇ ଥିଲେ ସିନା ସେଦିନ ସଂପୃକ୍ତ ଏୟାର ଇଣ୍ଡିଆ ବିମାନରେ ଥିବା କର୍ମଚାରୀଙ୍କ ଆଚରଣ ଥିଲା ସଂପୂର୍ଣ୍ଣ ଅଣ-ପୋଶାଦାର, ଅତ୍ୟନ୍ତ ଗର୍ହିତ ଓ ଲଜ୍ୟାଜନକ ।
କଥା ସରି ନଥିଲା ପୁରୁଷ ଯାତ୍ରୀଙ୍କ ଅସଭ୍ୟ ବ୍ୟବହାରରେ । ପୀଡ଼ିତା ମହିଳା ତୁରନ୍ତ ବିମାନ ପରିଚାରିକାଙ୍କୁ ଘଟଣା ସଂପର୍କରେ ଅବଗତ କରାଇ ଥିଲେ ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କିଛି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ବିମାନ କର୍ମଚାରୀ ମହିଳାଙ୍କୁ ଶାନ୍ତ କରିବା ପାଇଁ ତାଙ୍କ ପୋଷାକ, ବ୍ୟାଗ୍, ଯୋତା ପ୍ରଭୃତିରେ ଡିସଇନ୍ଫେକ୍ଟାଂଟ ସ୍ପ୍ରେ କରି କାମ ସାରିଥିଲେ । ପରିଶ୍ରା ଭିଜା ସିଟ୍, ଲୁଗାପଟା, ଯୋତାରୁ ବାହାରୁ ଥିବା ଦୁର୍ଗନ୍ଧ ଅସହ୍ୟ ହେବାରୁ ମହିଳା ଜଣକ ତାଙ୍କ ସିଟ୍ ବଦଳାଇ ଅନ୍ୟ ଛୋଟ ଆସନଟିଏ ହେଲେ ଦେବାକୁ ବିମାନ ପରିଚାରିକାଙ୍କୁ ନିବେଦନ କରିଥିଲେ । କିନ୍ତୁ, ତାଙ୍କ ଅନୁରୋଧକୁ ଅଣଦେଖା କରାଯାଇ ଦୁର୍ଗନ୍ଧ ହେଉଥିବା ଆସନରେ ବସି ଦିଲ୍ଲୀ ଆସିବାକୁ ଏକପ୍ରକାର ବାଧ୍ୟ କରାଯାଇଥିଲେ । କେବଳ ବଦଳାଇବା ପାଇଁ ପୋଷାକ ଦିଆଯାଇଥିଲା ବୋଲି ମହିଳା ଜଣକ କହିଛନ୍ତି । ସେଇମିତି ପରିଶ୍ରା ଗନ୍ଧରେ ଫାଟି ପଡୁଥିବା ଆସନରେ ବସି ସେ ଦିଲ୍ଲୀରେ ପହଂଚି ଥିଲେ । ବିମାନ କର୍ମଚାରୀ ଘଟଣା ସଂପର୍କରେ ପୁଲିସକୁ ସୂଚିତ ନକରି ରଫାଦଫା ଉଦ୍ୟମ କରିଥିଲେ । ତେଣୁ, ପୁରୁଷ ବିମାନ ଯାତ୍ରୀ ଜଣକ ଦିଲ୍ଲୀରେ ପହଂଚି ବୀରଦର୍ପରେ ବିମାନରୁ ଅବତରଣ କରିବା ସହ ବିମାନ ବନ୍ଦର ଛାଡି ଥିଲେ ।
ସେଦିନ ଏୟାର ଇଣ୍ଡିଆ ବିମାନରେ ଘଟି ଥିବା ସଂବେଦନଶୀଳ ଘଟଣା ସଂପର୍କରେ ପୀଡ଼ିତା ମହିଳାଙ୍କ ପକ୍ଷରୁ ପରଦିନ ଏୟାର ଇଣ୍ଡିଆର ମାଲିକ ‘ଟାଟା ସନ୍ସ’ ଗୃପ୍ ଅଧ୍ୟକ୍ଷ ଏନ.ଚନ୍ଦ୍ରଶେଖରନଙ୍କୁ ଇ-ମେଲ୍ ମାଧ୍ୟମରେ ଅବଗତ କରାଯିବା ପରେ ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଏୟାର ଇଣ୍ଡିଆ ପକ୍ଷରୁ ଡିସେମ୍ବର ୨୮ ତାରିଖ ଦିଲ୍ଲୀ ପୁଲିସରେ ଏତଲା ଦିଆଯିବା ପରେ ପୁଲିସ ଖୋଳତାଡ କରୁଛନ୍ତି । ବିମାନ ଭିତରେ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା କରିଥିବା ବ୍ୟକ୍ତି ଜଣକ ମୁମ୍ବାଇ ବାସିନ୍ଦା ଓ ତାଙ୍କ ନାମ ଶଙ୍କର ମିଶ୍ର ବୋଲି ପୁଲିସ କହୁଛି । ମିଶ୍ର ‘ୱେଲ୍ସ୍ ଫାରଗୋ’ ନାମକ କାଲିଫର୍ଣ୍ଣିଆ (ୟୁଏସ) ଭିତ୍ତିକ ଏକ ବହୁରାଷ୍ଟ୍ରୀୟ ଫାଇନାନ୍ସିଆଲ୍ ସର୍ଭିସେସ୍ କର୍ପୋରେସନର ଭାରତରେ ଥିବା ଭାଇସ୍ ପ୍ରେସିଡେଂଟ୍ ବୋଲି ଜଣାପଡିଛି । ମିଶ୍ର କାର୍ଯ୍ୟ କରୁଥିବା ସଂସ୍ଥାର ମୁଖ୍ୟାଳୟ କାଲିଫର୍ଣ୍ଣିଆରେ ରହିିଛି । ଏୟାର ଇଣ୍ଡିଆର ଏତଲା ଭିତ୍ତିରେ ଦିଲ୍ଲୀ ପୁଲିସ ତଦନ୍ତ କରି ଅଭିଯୁକ୍ତ ମିଶ୍ରଙ୍କୁ ଚିହ୍ନଟ କରିବା ସହ ତାଙ୍କ ବିରୋଧରେ ଜଣେ ବୟସ୍କା ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେବା ଓ ଅଶ୍ଲୀଳ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଆଇପିସିର ୩୫୪, ୫୦୯ ଓ ୫୧୦ ଦଫା ଏବଂ ଇଣ୍ଡିଆନ୍ ଏୟାରକ୍ରାଫ୍ଟ୍ ଆକ୍ଟର ୨୩ ଧାରାରେ ମାମଲା ରୁଜୁ କରିଛନ୍ତି ।
ମିଶ୍ରଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ କରୁଥିବା ବେଳେଗିରଫ ଭୟରେ ସେ ଫେରାର ଥିବା କୁହାଯାଉଛି । ପୁଲିସ ପକ୍ଷରୁ ବୁଧବାର ଦିନ ମାମଲା ରୁଜୁ ହେବା ପରେ ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ମିଶ୍ରଙ୍କ ବିମାନ ଉଡାଣ ଉପରେ ନିଷେଧାଦେଶ ଲାଗିଛି । ବିନା ଅନୁମତିରେ ସେ ଦେଶ ବାହାରକୁ ଯାଇ ପାରିବେ ନାହିଁ ବୋଲି ମଧ୍ୟ କଟକଣା ଜାରି ହୋଇଛି । ମିଶ୍ରଙ୍କ ବିରୋଧରେ ଦିଲ୍ଲୀର ପାଲାମ ପୁଲିସ ଥାନାରେ ମଧ୍ୟ ଅନ୍ୟ ଏକ ଏତଲା ରୁଜୁ ହୋଇଛି । ତାଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଏକ ଟିମ୍ ଗଠନ ହୋଇଥିବା ସୂଚନା ମିଳିଛି । ୨୦୨୩ ଜାନୁୟାରୀ ୪ ତାରିଖରେ ଡିଜିସିଏ (ଡ଼ାଇରେକ୍ଟର ଜେନେରାଲ ଅଫ୍ ସିଭିଲ ଆଭିଏସନ୍) ଘଟଣା ସଂପର୍କରେ ଅବଗତ ହେବା ପରେ ଏୟାର ଇଣ୍ଡିଆକୁ କୈଫିୟତ ମାଗି ଥିଲେ । ଏୟାର ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ଉତ୍ତର ଓ ପ୍ରାଥମିକ ତଦନ୍ତରୁ ମିଳିଥିବା ପ୍ରମାଣ ଭିତ୍ତିରେ ଡିଜିସିଏ ନଭେମ୍ବର ୨୬ ତାରିଖ ଘଟଣା ପାଇଁ ବିମାନ କର୍ମଚାରୀଙ୍କ ପରିସ୍ଥିତିକୁ ନିୟନ୍ତ୍ରଣରେ ବିଫଳତା ଓ ‘ଅଣ-ପେଶାଦାର’ ମନୋଭାବକୁ ଦାୟି କରିଛି ।
ନଭେମ୍ବର ୨୬ ତାରିଖ ଘଟଣାକୁ ନେଇ ପୀଡ଼ିତା ମହିଳା ଯେଉଁ ଅଭିଯୋଗ କରିଛନ୍ତି ସେଥିରୁ ଜଣାପଡିଛି, ସେ ଖାଦ୍ୟପେୟ ସାରି ଶୋଇବାକୁ ଯାଉଥିବା ବେଳେ ସଂପୃକ୍ତ ବ୍ୟକ୍ତି ଜଣକ ତାଙ୍କ ସିଟ୍ ପାଖକୁ ଆସି ଏଭଳି ଅଶୋଭନୀୟ ଘଟଣା ଘଟାଇ ଥିଲେ । ବିମାନ କର୍ମଚାରୀ ଘଟଣା ସଂପର୍କରେ ଅବଗତ ହେବା ପରେ ମଧ୍ୟ ପୁଲିସକୁ ସୂଚିତ ନକରି ମାମଲା ରଫାଦଫା କରିବାକୁ ଉଦ୍ୟମ କରିଥିଲେ । ଅଭିଯୁକ୍ତ ଜଣକ କ୍ଷମା ମାଗିବାକୁ ଚାହୁଁଛନ୍ତି ବୋଲି ସେମାନେ ପୀଡ଼ିତାଙ୍କୁ କହିଥିଲେ । ଅଭିଯୁକ୍ତ ଜଣକ ମଧ୍ୟ କନ୍ଦକଟା କରି କ୍ଷମା ପ୍ରାର୍ଥନା କରିଥିଲେ । ତେବେ, ତାଙ୍କୁ ଅପମାନିତ କରିଥିବା ବ୍ୟକ୍ତିଙ୍କ ମୁହଁ ସେ ଦେଖିବାକୁ ଚାହୁଁ ନାହାନ୍ତି, ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୁଲିସକୁ ଏତଲା ଦିଆଯାଇ ବିମାନରୁ ଅବତରଣ ପରେ ତାଙ୍କୁ ଗିରଫ କରାଯାଉ ବୋଲି ସେ କହିଥିଲେ ମଧ୍ୟ ତାଙ୍କ କଥାକୁ ଗୁରୁତ୍ୱ ଦିଆଯାଇନଥିଲା ।
ନଭେମ୍ବର ୨୭ ତାରିଖ ଦିନ ତାଙ୍କ ଜ୍ୱାଇଁ ଘଟଣା ସଂପର୍କରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବିଳମ୍ବିତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଅଭିଯୋଗ ପାଇବା ପରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ତାଙ୍କୁ ଟିକଟ ବାବଦ ସଂପୂର୍ଣ୍ଣ ମୂଲ୍ୟ ଫେରସ୍ତ କରିବାକୁ ରାଜି ହୋଇଥିଲେ ମଧ୍ୟ ଆଂଶିକ ମୂଲ୍ୟ ଫେରସ୍ତ ଦେଇଛନ୍ତି, ଯାହାକି ବିମାନ ଯାତ୍ରା ସମୟରେ ସେ ଭୋଗିଥିବା ପରିସ୍ଥିତିର କ୍ଷତିପୂରଣ ପାଇଁ ଯଥେଷ୍ଟ କୁହାଯାଇନପାରେ ବୋଲି ସେ କହିଛନ୍ତି । ଏହି ଘଟଣା ପରେ ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ୟାମ୍ପବେଲ୍ ୱିଲସନ୍ ବିମାନ କର୍ମଚାରୀଙ୍କୁ ଏକ ନିର୍ଦେଶନାମା ଜାରି କରି, ଉଡନ୍ତ ବିମାନ ଭିତରେ ଏଭଳି ଘଟଣା ଘଟିଲେ ଆପୋଷ ସମାଧାନ ହୋଇଥିଲେ ମଧ୍ୟ ତାହା ଏୟାର ଇଣ୍ଡିଆ କତ୍ ର୍ତୃପକ୍ଷଙ୍କୁ ଅବିଳମ୍ବେ ସୂଚିତ କରିବାକୁ ନିର୍ଦେଶ ଦେଇଛନ୍ତି । ଏକ ଇ-ମେଲ ମାଧ୍ୟମରେ ସେ ଏଭଳି ନିର୍ଦେଶ ଦେଇଥିବା ଜଣାପଡିଛି ।
ନଭେମ୍ବର ୨୬ ତାରିଖ ଘଟଣାର ଦଶ ଦିନ ପରେ ଏୟାର ଇଣ୍ଡିଆର ପ୍ୟାରିସରୁ ଦିଲ୍ଲୀ ଆସୁଥିବା ଏକଭଳି ଏକ ଘଟଣା ଘଟିଛି । ଜଣେ ନିଶାଗ୍ରସ୍ତ ପୁରୁଷ ଯାତ୍ରୀ ବିମାନରେ ଆସୁଥିବା ମହିଳାଙ୍କ କମ୍ବଳକୁ ପରିଶ୍ରାରେ ଭିଜାଇ ଦେଇଥିଲେ । ତେବେ, ସେ ଲିଖିତ ଭାବରେ କ୍ଷମା ମାଗିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ବୋଲି ସୂଚନା ମିଳିଛି । ଡିସେମ୍ବର ୬ ତାରିଖ ସକାଳେ ବିମାନଟି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ ବିମାନ କର୍ମଚାରୀମାନେ ଏହାରପୋର୍ଟ ସୁରକ୍ଷା ବଳକୁ ଘଟଣା ସଂପର୍କରେ ଅବଗତ କରାଇ ଥିଲେ । ତେବେ, ପ୍ରଥମେ ଲିଖିତ ଅଭିଯୋଗ ଦେଇଥିବା ମହିଳା ଜଣକ ବିମାନ ବନ୍ଦରରେ ଅବତରଣ କରିବା ପରେ ପୁଲିସରେ ଏତଲା ଦେବାକୁ ମନା କରିବାରୁ ସଂପୃକ୍ତ ବ୍ୟକ୍ତିଙ୍କୁ ଇମିଗ୍ରେସନ ଯାଂଚ ପରେ ବିମାନ ବନ୍ଦର ବାହାରକୁ ଯିବାକୁ ଅନୁମତି ଦିଆଯାଇଥିଲା ।
ନିକଟରେ, ଗୋଟିଏ ଉଡନ୍ତା ବିମାନରେ ଜଣେ ଯାତ୍ରୀଙ୍କୁ ସିଟ୍ ବେଲ୍ଟ୍ ଟାଇଟ୍ କରିବାକୁ ବିମାନ କର୍ମଚାରୀ ନିର୍ଦେଶ ଦେବା ସତ୍ତ୍ୱେ ସେ ତାହାର ଅବମାନନା କରିବାରୁ ଦୁଇ ଗୋଷ୍ଠୀ ବିମାନ ଯାତ୍ରୀ ହାତାହାତି ହେବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚିତ ଖବର ଥିଲା । ତେବେ, ଏୟାର ଇଣ୍ଡିଆ ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା କରାଯିବାର ଦୁଇଟି ଘଟଣା ପଛରେ ମାତ୍ରାଧିକ ମଦ୍ୟପାନ ମୁଖ୍ୟ କାରଣ ଥିବାରୁ ଆର୍ନ୍ତଜାତିକ ବିମାନରେ ମଦ ପରସିବା ବନ୍ଦ ହେଲେ ହିଁ ଏଭଳି ଘଟଣାକୁ ରୋକି ହେବ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS