ଅଂଜଳୀ ସିଂହ ମୃତ୍ୟୁ, ରହସ୍ୟ ବଢୁଛି !


ପ୍ରସାଦ ରାଓ
ଜାନୁଆରୀ ୦୫/୨୩
ନିଶାଗ୍ରସ୍ତ ମଣିଷ କେତେ ଉତ୍ସୃଙ୍ଖଳ ଓ ଅମାନୁଷିକ ହୋଇପାରନ୍ତି, ତାହାର ନମୂନା ଦେଖିବାକୁ ମିଳିଛି ଗତ ଶନିବାର ମଧ୍ୟରାତ୍ରୀ ଓ ରବିବାର ଭୋରରେ ଦିଲ୍ଲୀର ସୁଲତାନପୁରୀ ଥାନା ଅଂଚଳରେ । ପୁରୁଣା ବର୍ଷ (୨୦୨୨)କୁ ବିଦାୟ ଦେଇ ନୂଆ ବର୍ଷ (୨୦୨୩)କୁ ସ୍ୱାଗତ କରିବାରେ ଦିଲ୍ଲୀବାସୀ ବିଭୋର ଥିବା ସମୟରେ ଜଣେ ସାଧାରଣ ପରିବାରର ଯୁବତୀ ରୋହିଣୀ ଅଂଚଳର ଏକ ହୋଟେଲରେ ଜନ୍ମଦିନ ଭୋଟି ଉତ୍ସବରେ ଯୋଗଦେଇ ସ୍କୁଟିରେ ଘରକୁ ଫେରୁଥିଲେ । ବିଳମ୍ବିତ ରାତ୍ରୀରେ ଦିଲ୍ଲୀରେ ନିଶାଶକ୍ତ ଅବସ୍ଥାରେ ଏକ ମାରୁତି ବାଲେନୋ ଗାଡିରେ ଘୁରି ବୁଲୁଥିବା ପାଂଚ ଜଣ ଯୁବକ ଅଚାନକ ଯୁବତୀଙ୍କ ସ୍କୁଟିକୁ ଧକ୍କା ଦେବା ସହ କାର୍ ଚକା ତଳେ ଫସି ରହି ଥିବା ଯୁବତୀଙ୍କୁ ଘୋଷାଡି ନେଇ ଥିଲେ ୧୦ରୁ ୧୨ କିମି ଏକ ଜନଶୂନ୍ୟ ରାସ୍ତାରେ । ଯୁବତୀଙ୍କ ଯନ୍ତ୍ରଣା ଓ ଚିକ୍ରାର ସେମାନଙ୍କୁ ପ୍ରଭାବିତ କରି ନଥିଲା । ମଦ୍ୟପ ଯୁବକମାନେ ନିଛାଟିଆ ସ୍ଥାନ ଦେଖି ମୃତ ଯୁବତୀଙ୍କୁ ସଂପୂର୍ଣ୍ଣ ନଗ୍ନ ଅବସ୍ଥାରେ ରାସ୍ତା ମଝିରେ ଫିଙ୍ଗି ପଳାଇ ଥିଲେ । ରାସ୍ତାରେ ଦୁର୍ଘଟଣା ଘଟାଇବା ପରେ ଗାଡି ଚାଳକମାନେ ଏଭଳି ଦାୟିତ୍ୱହୀନ ହୋଇ କାର୍ଯ୍ୟ କରିବା କିଛି ନୂଆ କଥା ନୁହେଁ । ତେବେ, ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେବାକୁ ହେଉଥିବା ଯୋଜାବଦ୍ଧ ଉଦ୍ୟମ ହିଁ ଘଟଣାକୁ ରହସ୍ୟମୟ କରିଛି ।
ଦୁର୍ଘଟଣା ପରେ ଗାଡି ଚକା ତଳେ ଫସି ରହି ଥିବା ୨୦ ବର୍ଷ ବୟସ୍କା ଯୁବତୀଙ୍କୁ ଯଦି ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସାର ବ୍ୟସ୍ଥା କରାଯାଇଥା’ନ୍ତା ତେବେ ସେ ବଂଚି ଯାଇ ଥା’ନ୍ତେ । କିନ୍ତୁ, ସଂପୃକ୍ତ ମଦ୍ୟପ ଯୁବକମାନେ ଭୟରେ ହେଉ ବା ଅନ୍ୟ କୌଣସି କାରଣରୁ ହେଉ ଯୁବତୀ ଜଣକୁ ବଂଚାଇବାକୁ ଉଦ୍ୟମ ନକରି କାର୍ ତଳେ ଚକାରେ ଲାଖି ରହିଥିବା ଅବସ୍ଥାରେ ୧୦ରୁ ୧୨ କିମି ଘୋଷାଡି ନେଇ ନିର୍ଜନ ସ୍ଥାନରେ ଫିଙ୍ଗି ଦେବାରୁ ଯୁବତୀଙ୍କ ଅକାଳ ମୃତ୍ୟୁ ଘଟିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ଉଦ୍ଭ୍ରାନ୍ତ ଯୁବକଙ୍କ ଏଭଳି ଅମାନୁଷିକ କାଣ୍ଡ ଯୋଗୁଁ ଯୁବତୀଙ୍କ ଶରୀରର ଉପର ଚମ ଛାଲି ହୋଇଯିବା ସହ ୪୦ଟି ଗଭୀର କ୍ଷତ ହେଲା । ଯୁବତୀଙ୍କ ଖପୁରୀ ଉଡିଯାଇ ମସ୍ତିସ୍କ ଗାଏବ ହୋଇଯାଇଛି ଓ ଫୁସଫୁସ ମଧ୍ୟ ବାହାରି ଆସିଛି । ପିନ୍ଧା ପୋଷାକ ଚିରି ନଷ୍ଟ ହୋଇଯିବାରୁ ରାସ୍ତା ମଝିରେ ସଂପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଯୁବତୀଙ୍କ ମୃତଦେହ ମିଳିଛି । ଦିଲ୍ଲୀ ପୁଲିସ ଶବ ଉଦ୍ଧାର କରିବାର ତିନି ଘଂଟା ମଧ୍ୟରେ ସିସିଟିଭି ଫୁଟେଜ୍ ଆଧାରରେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିଛନ୍ତି ଓ ଅଭିଯୁକ୍ତମାନଙ୍କୁ ଗିରଫ କରିଛନ୍ତି ସିନା ୨୦୧୨ ନିର୍ଭୟା ଘଟଣା ପରେ ଦିଲ୍ଲୀ ପୁଲିସର ଖାକି ପୋଷାକରେ ଆଉ ଏକ ବର୍ବର ଘଟଣାର ଦାଗ ଲାଗିଛି ।
ମିଳିଥିବା ସୂଚନା ଅନୁଯାୟୀ, ଘଟଣା ସଂପର୍କରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଫୋନରେ ସୂଚନା ପାଇବା ପରେ ଦିଲ୍ଲୀ ପୁଲିସର ନଅଟି ପିସିଆର୍ ଦୁର୍ଘଟଣା ଘଟାଇ ଥିବା ଗାଡିକୁ ପିଛା କରିଥିଲେ ସିନା ଧରି ପାରି ନଥିଲେ । ଶେଷରେ, ସେମାନେ ଉଲଗ୍ନ ଅବସ୍ଥାରେ ରାସ୍ତା ମଝିରେ ପଡି ରହିଥିବା ଯୁବତୀଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ । ତିନି ଘଂଟା ଭିତରେ ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଗାଡିକୁ ଚିହ୍ନଟ କରିବା ସହ ଘଟଣାରେ ସଂପୃକ୍ତ ପାଂଚ ଜଣ ଯୁବକଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରେ ଦିଲ୍ଲୀର ଜଣେ ବିଜେପି ନେତା ଥିବା କୁହାଯାଉଛି । ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ସଂଗୀନ ଦଫା ଲଗାଇ ମାମଲା ରୁଜୁ କରିଛନ୍ତି ଓ କୋର୍ଟରେ ହାଜର କରାଇବା ପରେ ନିଜ ହେପାଜତକୁ ଆଣି ଜେରା କରୁଛନ୍ତି । ଦୁର୍ଘଟଣା ଆକସ୍ମିକ ଥିଲା ବୋଲି ଅଭିଯୁକ୍ତମାନେ ପୁଲିସକୁ ବୟାନ ଦେଇ ସଂକୀର୍ଣ୍ଣ ରାସ୍ତା ଓ ଯଥେଷ୍ଟ ଆଲୋକ ବ୍ୟବସ୍ଥା ନଥିବା କହୁଥିବା ବେଳେ ପରବର୍ତ୍ତୀ ସମୟରେ ବିଭିନ୍ନ ଜାତୀୟ ଗଣମାଧ୍ୟମର ପ୍ରତିନିଧିମାନେ କରିଥିବା ଯାଂଚରୁ ଏହା ଆକସ୍ମିକ ଦୁର୍ଘଟଣା ନୁହେଁ, ମଦ୍ୟପ ଯୁବକଙ୍କ ବେପରୁଆ ଗାଡି ଚାଳନାଜନିତ ଦୁର୍ଘଟଣା ବୋଲି ସାମ୍ନାକୁ ଆସିଛି ।
ଦିଲ୍ଲୀର ସୁଲତାନପୁରୀ ଥାନା ନିକଟରେ ଏକ ବୁଲାଣିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ୧୦ କିମି ଦୂର ଯାଉଂଟି ନିକଟରୁ ସଂପୃକ୍ତ ଯୁବତୀଙ୍କ ଶବ ଉଦ୍ଧାର କରାଯାଇଥିଲା । ସୁଲତାନପୁରୀରୁ କାଂଝାୱାଲା ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ଥିବାରୁ ଓ ଯଥେଷ୍ଟ ଆଲୋକ ବ୍ୟବସ୍ଥା ନଥିବାରୁ ଅକସ୍ମାତ ଏହି ଦୁର୍ଘଟଣା ଘଟିଲା ବୋଲି ଅଭିଯୁକ୍ତମାନେ କହିଥିବା ବେଳେ ରାସ୍ତାଟି ସଂକୀର୍ଣ୍ଣ ନୁହେଁ, ଏକାସମୟରେ ଦୁଇଟି କାର୍ ଓ ଗୋଟିଏ ବାଇକ ଯିବା ଭଳି ଫର୍ଚ୍ଚା ରହିଛି ଓ ରାସ୍ତା ମଝିରେ ଡିଭାଇଡରରେ ଧାଡି ହୋଇ ରହିଥିବା ବିଦ୍ୟୁତ ଖୁଂଟରେ ଆଲୁଅ ଜଳୁଛି ବୋଲି ସୋମବାର ଦିନ ସେହି ରାସ୍ତାକୁ ପରଖିବାକୁ ଯାଇଥିବା ଜାତୀୟ ଗଣମାଧ୍ୟମ ପ୍ରତିନିଧିମାନେ ରିପୋର୍ଟ କରିଛନ୍ତି । ଥନା ପାଖାପାଖି ଆଲୋକିତ ଅଂଚଳରେ ଏଭଳି ଏକ ଅମାନୁଷିକ ଘଟଣା ଘଟି ଥିବା ବେଳେ ପୁଲିସ ନଜରକୁ କେମିତି ଆସିଲା ନାହିଁ, ଦିଲ୍ଲୀରେ ଆଉ କଣ ରାତ୍ରୀ ପାଟ୍ରୋଲିଂ ହେଉ ନାହିଁ କି (?) ବୋଲି ଗଣମାଧ୍ୟମରେ ପ୍ରଶ୍ନ ହେବା ସହ ପୁଲିସକୁ କଡା ଆକ୍ରମଣ ହେବା ପରେ ଏବେ ସଂପୂର୍ଣ୍ଣ ଘଟଣାକୁ ଭିନ୍ନ ମୋଡ ଦେବାର ପ୍ରୟାସ ଚାଲିଥିବା ଦେଖିବାକୁ ମିଳୁଛି ।
ଦୁର୍ଘଟଣା ସମୟରେ ପୀଡ଼ିତା ଅଂଜଳୀ ସିଂହଙ୍କ ସହ ସ୍କୁଟିରେ ବସିଥିବା ତାଙ୍କ ବାନ୍ଧବୀ ନିଧି ସାମାନ୍ୟ ଆହତ ହୋଇ ଘଟଣା ସ୍ଥଳରୁ ପଳାଇ ଥିବା ବେଳେ ଅଂଜଳୀ ମାରୁତି ବାଲେନୋ ଗାଡିର ଚକାରେ ଫସି ଯାଇ ୧୦/୧୨ କିମି ଘୋଷଡା ଖାଇବା ପରେ ଦୁଃଖଦ ମୃତ୍ୟୁର ଶିକାର ହୋଇଛନ୍ତି । ସାମାନ୍ୟ ଆହତ ଅବସ୍ଥାରେ ଘଟଣା ସ୍ଥଳରୁ ଗାଏବ୍ ହୋଇଯାଇ ଥିବା ନିଧି ୪୫ ମିନିଟ ପରେ ଘରକୁ ଫେରି ଥିଲେ ସୁଦ୍ଧା ଘଟଣା ସଂପର୍କରେ ମଧ୍ୟ ପୁଲିସ କିମ୍ବା ନିଜ ପରିବାରକୁ କିଛି ନଜଣାଇ ଶୋଇ ପଡି ଥିଲେ । ସିସିଟିଭି ଫୁଟେଜ୍ ଆଧାରରେ ଘଟଣା ରାତିରେ ମୃତା ଅଂଜଳୀ ସିଂହଙ୍କ ସହ ତାଙ୍କ ବାନ୍ଧବୀ ନିଧି ଥିବା ଜାଣିବା ପରେ ଦିଲ୍ଲୀ ପୁଲିସ ୪୮ ଘଂଟା ପରେ ନିଧିଙ୍କୁ ଖୋଜି ବାହାର କରିଥିଲେ । ପୁଲିସ ଓ ମାଜିଷ୍ଟ୍ରେଟଙ୍କ ନିକଟରେ ନିଧି ଲିପିବଦ୍ଧ କରାଇ ଥିବା ବୟାନ କାହାକୁ ସୁରକ୍ଷା ଦେବାକୁ ଉଦ୍ଦିଷ୍ଟ ଜଣାପଡୁନାହିଁ । ଶନିବାର ରାତିରେ ଅଂଜଳୀ ରୋହିଣୀ ହୋଟେଲରେ ମଦ୍ୟପାନ କରିଥିଲେ ଓ ନିଶାଶକ୍ତ ଅବସ୍ଥାରେ ସ୍କୁଟି ଚଳାଉ ଥିଲେ ବୋଲି ନିଧି ବୟାନ ଦେଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଅଂଜଳୀ ମଦ ପିଇଥିବା ନେଇ ସାମାନ୍ୟ ଉଲ୍ଲେଖ ମଧ୍ୟ ନାହିଁ ।
ନିଧି ଅଂଜଳୀଙ୍କ ବାନ୍ଧବୀ ହୋଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ନିକଟରେ ଏଭଳି ଏକ କଂଚା ମିଛ ବୟାନ କାହିଁକି ଲିପିବଦ୍ଧ କରାଇଲେ (?) – ତାହା ବଡ ପ୍ରଶ୍ନ ହୋଇଛି । ଏହି ବୟାନ ନିଧିଙ୍କୁ ମଧ୍ୟ ସନ୍ଦେହ ଘେରକୁ ଟାଣି ଆଣିଛି । ଅଂଜଳୀଙ୍କୁ ଦୁଷ୍କର୍ମ କରାଯାଇଥିବା ତାଙ୍କ ପରିବାର ଅଭିଯୋଗ କରିବା ପରେ ପୁଲିସର ଫୋରେନ୍ସିକ୍ ଟିମ୍ ତାହାର ତଦନ୍ତ କରିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦୁଷ୍କର୍ମ ଅଭିଯୋଗୁ ସଂପୂର୍ଣ୍ଣ ଅଗ୍ରାହ୍ୟ କରାଯାଇଥିବା ଫେରେନ୍ସିକ ରିପୋର୍ଟ ମଧ୍ୟ ତାହାକୁ ଅଗ୍ରାହ୍ୟ କରିଛି । ଜବତ ଗାଡି ଭିତରେ ଯୁବତୀଙ୍କ ଉପସ୍ଥିତି ନେଇ ସାମାନ୍ୟତମ ପ୍ରମାଣ ମିଳି ନାହିଁ । ଯାହା ପ୍ରମାଣ ମିଳିଛି ଗାଡି ତଳୁ । ଦୁର୍ଘଟଣା ଘଟାଇ ଥିବା ଗାଡିର ତଳ ଭାଗରେ ରକ୍ତର ଛିଟା ମହଜୁଦ ଥିଲା ବୋଲି ଫେରୋନ୍ସିକ ବିଶେଷଜ୍ଞମାନେ କହିଛନ୍ତି । ମୃତା ଅଂଜଳୀ ସିଂହ (୨୦)ଙ୍କୁ ଦୁର୍ଷ୍କମ କରାଯାଇନଥିବା ଏଥିରୁ ସ୍ପଷ୍ଟ ହୋଇଥିଲେ ମଧ୍ୟ ‘ହିଟ୍ ଏଣ୍ଡ୍ ରନ୍’ ଯୋଜନାବଦ୍ଧ ଥିଲା କି ଆକସ୍ମିକ,ତାହାର ତଦନ୍ତ ଜାରି ରହିଛି ।
ଦୁର୍ଘଟଣା ସହ ସଂପୃକ୍ତ ଯୁବକମାନେ ନିଜର ସୁରକ୍ଷା ପାଇଁ ଗାଡି ଚକା ତଳୁ ଅଂଜଳୀଙ୍କୁ ଉଦ୍ଧାର ନକରି ଶୂନଶାନ କାଂଝାୱାଲା ରାସ୍ତାରେ ୧୦ରୁ ୧୨ କିମି ଘୋଷାଡି ନେଇଥିଲେ ଓ ରାସ୍ତା ମଝିରେ ଶବ ଫିଙ୍ଗି ପଳାଇ ଥିଲେ । ଧରା ପଡିଯିବା ଭୟରେ ସେମାନେ ଏଭଳି ଅମାନୁଷିକ କାର୍ଯ୍ୟ କରିଥିବା କହିପାରନ୍ତି । କିନ୍ତୁ, ଅଂଜଳୀଙ୍କ ବାନ୍ଧବୀ ନିଧି ପୁଲିସ ନିକଟରେ ଦେଇଥିବା ବୟାନ ପଛରେ କାହାରି ପ୍ରରୋଚନା ବା ଚାପ ରହିଛି, ତାହା ଅନୁମାନ କରାଯାଉଛି । ଦେଶର ରାଜଧାନୀ ଦିଲ୍ଲୀରେ ସଂଜ ନଇଁଲେ ନାରୀ ସୁରକ୍ଷିତ ନୁହନ୍ତି, ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଏଭଳି ଆଲୋଚନା ହେଉଥିଲା ଓ ଦେଶବ୍ୟାପୀ ପ୍ରତିବାଦର ସ୍ୱର ଶୁଣାବାକୁ ମିଳିଥିଲା । କେନ୍ଦ୍ର ସରକାର ଚାପଗ୍ରସ୍ତ ହୋଇ କଠୋର ଆଇନ ବ୍ୟବସ୍ଥା କରିଥିଲେ । ପୁଲିସ ପାଟ୍ରୋଲିଂକୁ ମଧ୍ୟ କଡାକଡି କରିବା ସକାଶେ ଆବଶ୍ୟକ ସଂଖ୍ୟକ ଗାଡି ଓ ସଶସ୍ତ୍ର ପୁଲିସ ବଳ ନିୟୋଜିତ ହୋଇଥିଲା । ଇତିମଧ୍ୟରେ ବ୍ୟବସ୍ଥା ପ୍ରତ୍ୟାହୃତ ହୋଇ ସାରିଛି । କିଏ, କାହିଁକି ଏହାକୁ ପ୍ରତ୍ୟାହାର କଲା (?) ବୋଲି ଶନିବାର ରାତି ଘଟଣା ପରେ ଦିଲ୍ଲୀର ପୂର୍ବତନ ପୁଲିସ କମିସନର ତଥା ବରିଷ୍ଠ ସାମାଜିକ କାର୍ଯ୍ୟକର୍ତ୍ତା ଡକ୍ଟର କିରଣ ବେଦୀ ପ୍ରଶ୍ନ କରିଛନ୍ତି ।
ଦିଲ୍ଲୀ ମହିଳା କମିସନ ମୁଖ୍ୟ ସ୍ୱାତୀ ମଲିୱାଲ ମଧ୍ୟ ଅଂଜଳୀ ସିଂହ ମୃତ୍ୟୁ ଘଟଣାରେ ତାଙ୍କ ବାନ୍ଧବୀ ନିଧିଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ନିଧିଙ୍କୁ ତଦନ୍ତ ପରିସରକୁ ଅଣାଯିବାକୁ ସେ ଦାବି କରିଛନ୍ତି । ନିଧି ଦୁର୍ଘଟଣା ପରେ ବାନ୍ଧବୀଙ୍କୁ ବଂଚାଇବା ଉଦ୍ୟମ ନକରି ଘଟଣା ସ୍ଥଳରୁ ଖସି ପଳାଇବା, ଘଟଣାର ୪୮ ଘଂଟା ପର୍ଯ୍ୟନ୍ତ ଆତ୍ମଗୋପନ କରି ରହିବା ଏବଂ ସିସିଟିଭି ଫୁଟେଜ୍ ଦେଖି ପୁଲିସ ତାଙ୍କ ନିକଟରେ ପହଂଚିବା ପରେ ଅଂଜଳୀଙ୍କୁ ନେଇ ବିବଦମାନ ବୟାନ ରଖିବା ପଛରେ ରହସ୍ୟ ରହିଛି । ଏହା ବନ୍ଧୁତାର ପରିଚୟ ନୁହେଁ । ଯିଏ ନିଜ ମୃତା ବନ୍ଧୁଙ୍କ ପ୍ରତି ବିଶ୍ୱସ୍ତ ରହିଲେ ନାହିଁ ତାଙ୍କୁ ବିଶ୍ୱାସକୁ ନେବା ଉଚିତ ନୁହେଁ ବୋଲି ମଲିୱାଲ କହିଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି । ଶନିବାର ବିଳମ୍ବିତ ରାତ୍ରୀରେ ଅଂଜଳୀଙ୍କ ଦୁର୍ଘଟଣାଜନିତ ଯନ୍ତ୍ରଣାଦାୟକ ମୃତ୍ୟୁ ଯେତିକି ହୃଦୟ ବିଦାରକ, ତା’ଠାରୁ ଅଧିକ ହୃଦୟ ବିଦାରକ ହେଉଛି ଅପରାଧକୁ ଗୌଣ କରିବା ସକାଶେ ଚାଲି ଥିବା ଚରିତ୍ର ସଂହାର ଉଦ୍ୟମ ।
ଅଂଜଳୀଙ୍କ ମୃତ୍ୟୁ ପରେ ଦିଲ୍ଲୀ ପୁଲିସ ଯେଭଳି ସମାଲୋଚନାର ଶରବ୍ୟ ହୋଇଛି ସେଥିରୁ ମୁକୁଳିବା ପାଇଁ ନିଧିଙ୍କୁ ବ୍ୟବହାର କରୁନାହିଁ ତ ? ଆଜି ଦିନରେ ଗଣମାଧ୍ୟମରେ ଏଭଳି ଏକ ପ୍ରଶ୍ନ ଉଠିଛି । ଦିଲ୍ଲୀ ପୁଲିସର ରାତ୍ରୀ ପାଟ୍ରୋଲିଂରେ ଶିଥିଳତା ସହରରେ ଅଧିକ ଅସୁରକ୍ଷା ଭାବ ସୃଷ୍ଟି କରିଥିବା, ବିଶେଷକରି ସଂଜ ନଇଁଲେ ସହରର ରାସ୍ତାଘାଟ ନାରୀଙ୍କ ପାଇଁ ଅସୁରକ୍ଷିତ ହୋଇପଡୁ ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା ସହ ୨୦୧୨ ନିର୍ଭୟା ଘଟଣାକୁ ମନେ ପକାଇ ଦେଇଛି । ନିର୍ଭୟା ଘଟଣା ଭଳି ଅଂଜଳୀ ସିଂହଙ୍କ ମୃତ୍ୟୁ ପରେ ମଧ୍ୟ ଦିଲ୍ଲୀରେ ପ୍ରତିବାଦ ଓ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଛି । ତେଣୁ ଚାପରେ ଥିବା ଦିଲ୍ଲୀ ପୁଲିସ ଆତ୍ମରକ୍ଷାର ବାଟ ଖୋଜୁଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଅଂଜଳୀ ମାମଲାର ସ୍ୱତନ୍ତ୍ର ତଦନ୍ତ ନିର୍ଦେଶ ଦେବା ସହ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ତାହାର ଦାୟିତ୍ୱ ଦେଇଛନ୍ତି ଏବଂ ସିଧାସଳଖ ତାଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି । ତେବେ, ଶନିବାର ବିଳମ୍ବିତ ରାତ୍ରୀରେ ଘଟିଥିବା ଘଟଣାରେ ସଂପୃକ୍ତ ଉତ୍ସୃଙ୍ଖଳ ଯୁବକଙ୍କ ମଧ୍ୟରେ ଜଣେ ବିଜେପି ନେତା ଥିବା ସରକାରଙ୍କୁ ଅଡୁଆରେ ପକାଇଛି । ବିଜେପି ଏହାକୁ ଅସ୍ୱୀକାର କରି ନଥିଲେ ମଧ୍ୟ ତଦନ୍ତ ଚାଲିଛି, ଅଭିଯୁକ୍ତ ଯିଏ ହୁଅନ୍ତୁ ନା କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ହେବ କହି ଜନତାଙ୍କ କ୍ରୋଧକୁ ଦବାଇବାକୁ ଉଦ୍ୟମ କରୁଛି ।
ମୃତ ଅଂଜଳୀ ଆଠ, ନଅ ବର୍ଷ ତଳେ ବାପାଙ୍କୁ ହରାଇ ଦଶମ ଶ୍ରେଣୀରୁ ପାଠପଢା ଛାଡି ଥିଲେ । ଅସୁସ୍ଥ ମା’ ଓ ପରିବାରର ଭରଣପୋଷଣ ଦାୟିତ୍ୱ ମୁଣ୍ଡାଇ ଗୋଟିଏ ବ୍ୟୁଟି ସେଲୁନରେ କାମ କରୁଥିଲେ । ବିବାହ ଋତୁରେ କାମ ପିଛା ୫୦୦ରୁ ହଜାରେ ଟଙ୍କା ରୋଜଗାର ହେଉଥିଲା । ମାସରେ ୧୦ରୁ ୧୫ ହଜାର ଟଙ୍କା ରୋଜଗାର ହେଲେ ସେଥିରେ ପରିବାର ଚଳୁଥିଲା ବୋଲି ଅଂଜଳୀଙ୍କ ମା’ ରେଖା ସିଂହ ଗଣମାଧ୍ୟମକୁ କହିଛନ୍ତି । ଅଂଜଳୀ ଯେଉଁ ଟିଭିଏସ୍ ଜୁପିଟର ସ୍କୁଟି ଚଲାୁ ଥିଲେ ତାହାକୁ ସେ ଗତ ବର୍ଷ ଇଏମଆଇରେ କିଣି ଥିଲେ । ସ୍କୁଟି କିଣିବା ପରେ ସେ ଅଧିକ ସ୍ୱାଧୀନ ଓ ରୋଜଗାରକ୍ଷମ ହେବେ ବୋଲି ବିଶ୍ୱାସ ରଖି ଥିଲେ । ତେବେ, ଭଉଣୀଙ୍କ ଶବ ରାସ୍ତା ମଝିରେ ନଗ୍ନ ଅବସ୍ଥାରେ ପଡି ଥିବା ଦେଖିବାକୁ ମିଳାଲା ବୋଲି ଅଂଜଳୀଙ୍କ ଭଉଣୀ ପ୍ରୀତି ସିଂହ କହିଛନ୍ତି । ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ମିଳିବା ଆବଶ୍ୟକ, ଏହା ଥିଲା ପ୍ରୀତିଙ୍କ ପ୍ରତିକ୍ରିୟା ।
ଏହି ହିଟ୍-ଏଣ୍ଡ-ରନ୍ ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମୃତା ଅଂଜଳୀଙ୍କ ମା’ଙ୍କୁ ଭେଟି ଶାନ୍ତ୍ୱନା ଦେବା ସହ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ତାଙ୍କ ପରିବାର ଜଣକୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ମଧ୍ୟ ମିଳିଛି । କେନ୍ଦ୍ର ସରକାର ଏହି ପରିବାରକୁ କିଭଳି ଶନ୍ତ୍ୱନା ଦେଉଛନ୍ତି ତାହା ଦେଖିବା ସମୟ ଆସିଛି । ୨୦୨୧ ଏନସିଆରବି ରିପୋର୍ଟ ଅନୁଯାୟୀ, ୨୦୨୧ରେ ଦେଶରେ ସଡ଼କ ଦୁର୍ଘଟଣାରେ ୧.୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି । ନିଶା ସେବନ କରି ଗାଡି ଚାଳନା ଯୋଗୁଁ ଏଥିରୁ ୧.୯ ପ୍ରତିଶତ ଦୁର୍ଘଟଣା ଘଟିିଥିବା କୁହାଯାଉଛି । ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁରୁ ପ୍ରାୟ ୯୦ ପ୍ରତିଶତ ଦୃତ ଗତିରେ ଗାଡି ଚଳାଇବା, ଓଭରଟେକିଂ ଓ ବିପଜ୍ଜନକ ଡ୍ରାଇଭିଂରୁ ଘଟୁଥିବା ୨୦୧୯ର ବିଶ୍ୱ ବ୍ୟାଙ୍କ ତଥ୍ୟ କହୁଛି । ଅଂଜଳୀ ସିଂହ ହିଟ୍ ଏଣ୍ଡ ରନ୍ ମାମଲା ମଧ୍ୟ ଏହି ଭଳି ଏକ ସଡକ ଦୁର୍ଘଟଣା । ତେବେ, ଦୁର୍ଘଟଣା ଘଟିବା ସମୟ (୨୦୨୨-୨୦୨୩ ସନ୍ଧିକ୍ଷଣ), ଏଥିରେ ସଂପୃକ୍ତ ନିଶାଗ୍ରସ୍ତ ଯୁବକଙ୍କ ଅମାନବୀୟ ଆଚରଣ, ବାନ୍ଧବୀ ନିଧିଙ୍କ ରହସ୍ୟମୟ ବୟାନ ଏବଂ ମାମଲାକୁ ଦବାଇ ଦେବାକୁ ପ୍ରୟାସ ଚାଲି ଥିବା ଅଭିଯୋଗ ଘଟଣାକୁ ଅଧିକ ଖାସ୍ କରି ଦେଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS