ଛଅ ବର୍ଷ ପରେ ‘ନୋଟବନ୍ଦୀ’ ଦୁଃଖ ଲାଘବ ହୋଇଗଲା !
ପ୍ରସାଦ ରାଓ
ଭୁବନେଶ୍ୱର
ଜାନୁଆରୀ ୦୩/୨୩
୨୦୧୬ ନଭେମ୍ବର ୮ ତାରିଖ ରାତି ପ୍ରାୟ ସାଢେ ୮ଟା । ରସୁଲଗଡରେ ଥିବା ମା’ କୋଚିଲେଇ ହାଟରୁ ପରିବା କିଣୁଥାଏ । ହଠାତ୍ ଚାପା ଗୁଂଜରଣ ଶୁଣିବାକୁ ମିଳିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତି ୮ଟା୧୫ ମିନିଟରେ ଦେଶକୁ ସମ୍ବୋଧିତ କରି ‘ନୋଟବନ୍ଦୀ’ ଘୋଷଣା କରିଛନ୍ତି । ଆରବିଆଇ (ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ) ଦ୍ୱାରା ପ୍ରଚଳିତ ଥିବା ପାଂଚ ଶହ ଓ ହଜାର ଟଙ୍କିଆ ନୋଟର ଟେଣ୍ଡର ବାତିଲ ହୋଇଛି । ୯ ତାରିଖ ସକାଳୁ ଏହି କାଗଜ ଟଙ୍କା (ନୋଟ୍) ସବୁ ଅଚଳ ହୋଇଯିବ । ଖବର ଏତେ ଦୃତ ଗତିରେ ବ୍ୟାପିଲା ଯେ ଅନ୍ୟ ସବୁ ଆଲୋଚନା ଗୌଣ ହୋଇଗଲା । ଯେଉଁଠି ଦେଖିଲେ ଗୋଟିଏ ଆଲୋଚନା – ପାଖରେ ଥିବା ପାଂଚ ଶହ ଓ ହଜାର ଟଙ୍କିଆ ନୋଟ ସକାଳୁ ଅଚଳ ହୋଇଗଲେ ମଣିଷ କଣ କରିବ ?
ଖବରର ସତ୍ୟାସତ୍ୟ ପରଖିବା ପାଇଁ ଧାଇଁଲୁ ଘରକୁ । ଟିଭିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମୁଦ୍ରୀକରଣ ଘୋଷଣା ହିଁ ପ୍ରମୁଖ ଖବର ରହିଛି । ସନ୍ଦେହ କରିବାର କିଛି ନଥିଲା । ରାତାରାତି ପାଖରେ ଥିବା ପାଂଚ ଶହ ଓ ହଜାର ଟଙ୍କିଆ ନୋଟ ସବୁ ଖର୍ଚ୍ଚ କରିବା ବା ବଦଳାଇବା ସମ୍ଭବ ନୁହେଁ । ସକାଳେ ବ୍ୟାଙ୍କ ଖୋଲିଲେ ହିଁ ଯାହା କିଛି ଚିନ୍ତା କରି ହେବ ! ସମଗ୍ର ଦେଶ ପାଇଁ ଏହି ଖବର ଥିଲା ଚିନ୍ତାଜନକ । ଘରେ ପୁଳା ପୁଳା ପାଂଚ ଶହ ଓ ହଜାର ଟଙ୍କିଆ ନୋଟ୍ ଗଚ୍ଛିତ ରଖି ଥିବା ବିତ୍ତଶାଳୀ ଲୋକଙ୍କ ଆଖିରୁ ନିଦ ହଜି ଗଲା । ସକାଳେ ନୋଟବନ୍ଦୀ ଲାଗୁ ହେବା ପୂର୍ବରୁ ସେହି ଟଙ୍କାକୁ ବଦଳାଇବା ପାଇଁ ସୁନା ଦୋକାନରେ ଭିଡ ଜମି ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଲା । ଦଲାଲ ମଧ୍ୟ ସକ୍ରୀୟ ହୋଇଗଲେ । ଅଚଳ ହେବାକୁ ଥିବା ପାଂଚ ଶହ ଓ ହଜାର ଟଙ୍କିଆ ନୋଟ ଶସ୍ତାରେ କିଣିବା ଆରମ୍ଭ କରି ଦେଲେ ।
ପରଦିନ ସକାଳେ ବ୍ୟାଙ୍କ ସବୁ ଖୋଲିଲେ ଅଚଳ ନୋଟ୍ ଜମା ଦେବା ପାଇଁ ବିଭିନ୍ନ ବ୍ୟାଙ୍କରେ ଲୋକଙ୍କ ପ୍ରବଳ ଭିଡ ହେବ । ସେଥିରୁ ରକ୍ଷା ପାଇବା ସକାଶେ ଧନୀ ଦଲାଲଙ୍କୁ ମାଧ୍ୟମ କରିଥିଲେ । ସାଧାରଣ ଜନତା, ଯେଉଁମାନଙ୍କ ପାଖରେ ଘର ଚଳାଇଲା ଭଳି ଉପାର୍ଜନ ଥିଲା ସେମାନେ ପରଦିନ ବ୍ୟାଙ୍କ ଖୋଲିବା ଯାଏଁ ଅପେକ୍ଷା କଲେ । ୨୦୧୬ ନଭେମ୍ବର ୯ ତାରିଖ ପର କଥା ସମସ୍ତେ ଅଂଗେ ନିଭାଇଛନ୍ତି । ବ୍ୟାଙ୍କମାନଙ୍କରେ କିଲୋମିଟିର, କିଲୋମିଟର ଲମ୍ବା ଧାଡି, ଏଟିଏମଗୁଡିକରୁ ଏକ ନିର୍ଦ୍ଧିଷ୍ଟ ପରିମାଣର ଶହେ ଟଙ୍କିଆ ନୋଟ୍ ବାହାରିବା, ଘଂଟା ଘଂଟା ଧରି ଧାଡିରେ ରହିବା ପରେ ଏଟିଏମରେ ଟଙ୍କା ସରି ଯିବା ଶୁଣି ହତାଶାରେ ଘରକୁ ଫେରିବା ଅନୁଭୁତି ମଧ୍ୟ ଅନେକଙ୍କର ରହିଛି । ପୁରୁଣା ପାଂଚ ଶହ ଟଙ୍କିଆ ଓ ହଜାର ଟଙ୍କିଆ ନୋଟ ବ୍ୟାଙ୍କରେ ଜମା କରିବା ପାଇଁ ଲୋକ କିଭଳି ହିନସ୍ତା ହୋଇଥିଲେ, ତାହା ମଧ୍ୟ ଅଧିକାଂଶ ଭୁଲି ନଥିବେ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ରାତି ୮ଟା ୧୫ ମିନିଟରେ ଟେଲିଭିଜନ ମାଧ୍ୟମରେ ‘ନୋଟବନ୍ଦୀ’ ଘୋଷଣା ପୂର୍ବରୁ ସେହି ଦିନ ସନ୍ଧ୍ୟା ସାଢେ ୫ଟାରେ ଆରବିଆଇ ପରିଚାଳନା ପରିଷଦ ବୈଠକ ବସି ଥିଲା । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ୨୦୧୧-୨୦୧୬ ମଧ୍ୟରେ ଭାରତୀୟ ଅର୍ଥନୀତିରେ ମାତ୍ର ୩୦ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ବେଳେ ଦେଶରେ ପ୍ରଚଳିତ ପାଂଚ ଶହ ଟଙ୍କିଆ ନୋଟ୍ ଯୋଗାଣ ୭୬ ପ୍ରତିଶତ ଓ ହଜାର ଟଙ୍କା ନୋଟ୍ ଯୋଗାଣ ୧୦୮ ପ୍ରତିଶତ ବୃଦ୍ଧି ପାଇ ଥିବାରୁ ବିପୁଳ ପରିମାଣର ‘କଳାଧନ’ ଗଚ୍ଛିତ ରହିଥିବା କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଆଶଙ୍କା ବ୍ୟକ୍ତ କରିଥିଲେ ଏବଂ କଳାଧନକୁ ଖୋଳି ବାହାର କରିବା ଓ ଆତଙ୍କବାଦୀଙ୍କୁ ମିଳୁଥିବା ବିପୁଳ ପରିମାଣର ଆର୍ଥିକ ପ୍ରୋତ୍ସାହନକୁ ରୋକିବା ପାଇଁ ନୋଟବନ୍ଦୀ ଜରୁରୀ ବୋଲି ଆରବିଆଇକୁ ସୂଚିତ କରିଥିଲେ ।
ଆରବିଆଇ ପରିଚାଳନା ପରିଷଦ ‘ନୋଟବନ୍ଦୀ’ ପାଇଁ ସହମତି ପ୍ରକାଶ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ ଡାକି ଆଲୋଚନା କରିବା ପରେ ୮ ତାରିଖ ରାତି ୮ଟାରେ ଟେଲିଭିଜନ ମାଧ୍ୟମରେ ୮ ତାରିଖ ମଧ୍ୟରାତ୍ରୀରୁ ଦେଶରେ ପ୍ରଚଳିତ ପାଂଚ ଶହ ଟଙ୍କିଆ ଓ ହଜାର ଟଙ୍କିଆ ନୋଟ ଅଚଳ ହେଉଥିବା ଘୋଷଣା କରିଥିଲେ । ଏହା ବଦଳରେ ନୂଆ ୫୦୦ ଟଙ୍କିଆ ଓ ଦୁଇ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କ ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ମଧ୍ୟ ଘୋଷଣା ହୋଇଥିଲା । କେନ୍ଦ୍ର ସରକାର ନୋଟବନ୍ଦୀ ଲାଗୁ କରିବା ପରେ ପୁରୁଣା ନୋଟ୍ ବଦଳାଇ ନୂଆ ନୋଟ୍ ସଂଗ୍ରହ କରିବା ସକାଶେ ଯେଭଳି ଲମ୍ବା ଧାଡି ଲାଗିଲା ଓ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଲା ସେଥିରେ ବହୁ ଲୋକଙ୍କ ମୃତ୍ୟୁ ଘଟି ଥିବା ମଧ୍ୟ ସାମ୍ନାକୁ ଆସିଛି । ତେବେ, କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ‘କଳାଧନ’ ପରିମାଣକୁ ନେଇ ଯେଭଳି ଚିତ୍ର ରଖିଥିଲେ ବାସ୍ତବତା ସେଭଳି ନଥିଲା ବୋଲି ଆରବିଆଇର ୨୦୧୮ ରିପୋର୍ଟରୁ ଜଣାପଡିଛି ।
କେନ୍ଦ୍ର ସରକାର ୨୦୧୬ ନଭେମ୍ବର ୮ ତାରିଖ ମଧ୍ୟରାତ୍ରୀରୁ ‘ନୋଟବନ୍ଦୀ’ ଲାଗୁ କରି ପ୍ରଚଳିତ ପାଂଚ ଶହ ଓ ହଜାର ଟଙ୍କିଆ ନୋଟ୍ ଅଚଳ କରିବା ପରେ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ପୁରୁଣା ନୋଟ୍ ସଂଗ୍ରହ କରିଥିଲେ । ସେହି ସମୟ ସୁଦ୍ଧା ଦେଶରେ ପ୍ରଚଳିତ ଥିବା ୧୫.୪୧ ଟ୍ରିଲିୟନ ଟଙ୍କା (ପାଂଚ ଶହ ଓ ହଜାର ଟଙ୍କିଆ)ରୁ ୧୫.୩ ଟ୍ରିଲିୟନ ଟଙ୍କା ବ୍ୟାଙ୍କଗୁଡିକ ମାଧ୍ୟମରେ ଆରବିଆଇକୁ ଫେରିଛି । ଅର୍ଥାତ, ଅଚଳ ଟଙ୍କାର ୯୯.୩ ପ୍ରତିଶତ ବିଭିନ୍ନ ବ୍ୟାଙ୍କରେ ଜମା ହୋଇଛି । ୨୦୧୮ର ଆରବିଆଇ ରିପୋର୍ଟରୁ ଏହା ଜଣାପଡିବା ପରେ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି । ସରକାର ନୋଟବନ୍ଦୀ ମାଧ୍ୟମରେ କେତେ ପରିମାଣର ‘କଳାଧନ’ ଉଦ୍ଧାର କରିଛନ୍ତି ବୋଲି ପ୍ରଶ୍ନ କରିବା ସହ ‘କଳାଧନ’ ଉଦ୍ଧାର ହେଲେ ଦେଶର ପ୍ରତ୍ୟେକ ବ୍ୟାଙ୍କ ଜମାକାରୀଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଲେଖାଁଏ ଜମା କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ସେହି ଟଙ୍କା କୁଆଡେ ଗଲା (?)ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।
ନୋଟବନ୍ଦୀ ପରେ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପରେ ମଧ୍ୟ ସେଭଳି କିଛି କମି ଆସିନି । ‘ଟେରର୍ ଫଣ୍ଡି’ ଉପରେ ରୋକ୍ ଲଗା ଯାଇଥିବା ବେଳେ ଆତଙ୍କବାଦ କମୁନି କାହିଁକି ବୋଲି ମଧ୍ୟ ବିରୋଧୀ ପ୍ରଶ୍ନ କରୁଥିବାରୁ ସରକାରଙ୍କ ‘ନୋଟବନ୍ଦୀ’ ନିଷ୍ପତ୍ତି ବିବାଦୀୟ ହୋଇ ରହିଛି । ନୋଟ୍ବନ୍ଦୀ ପରେ ଦେଶରେ ଲକ୍ଷ ଲକ୍ଷ ଲୋକ ବେରୋଜଗାର ହୋଇଥିଲେ ଏବଂ ବାଣିଜ୍ୟ ବ୍ୟବସାୟ ଉପରେ ମଧ୍ୟ ତାହାର ଗୁରୁତର ପ୍ରଭାବ ପଡିଥିଲା । ନୋଟବନ୍ଦୀ ପରେ କେନ୍ଦ୍ର ସରକାର ଜିଏସଟି ଲାଗୁ କରି ଦେଶର ଅର୍ଥନୀତିକୁ ଆଉ ଏକ ଝଟକା ଦେଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ବିରୋଧୀ ‘ନୋଟବନ୍ଦୀ’ ଓ ଜିଏସଟିକୁ ମୋଦୀ ସରକାରଙ୍କ ବିରୋଧରେ ବଡ ପ୍ରସଙ୍ଗ କରିଥିଲେ ମଧ୍ୟ ଠିକ୍ ନିର୍ବାଚନ ଫେବୃଆରୀ ମାସରେ ପୂର୍ବରୁ ଜମ୍ମୁ-କଶ୍ମୀରର ପୁଲୱାମାରେ ଭାରତୀୟ ଅର୍ଦ୍ଧ ସାମରିକ ବାହିନୀ ଯବାନଙ୍କ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣ ଏବଂ ଭାରତୀୟ ସେନା ପକ୍ଷରୁ ପାକିସ୍ତାନର ବାଲକୋଟରେ ହୋଇଥିବା ଜବାବୀ କାର୍ଯ୍ୟାନୁଷ୍ଠାନ ମୋଦୀ ସରକାରଙ୍କ ବିପୁଳ ବିଜୟର କାରଣ ହେଲା । ୨୦୧୯ ପରେ ମଧ୍ୟ ଅନେକ ନିର୍ବାଚନରେ ବିଜେପିର ବିଜୟ ହୋଇଛି । ୨୦୨୨ରେ ୟୁପି ଓ ଗୁଜରାଟରେ ବିଜେପିର ବିପୁଳ ବିଜୟ ଏହାର ଉଦାହରଣ । ତେଣୁ, ନୋଟବନ୍ଦୀ, ଜିଏସଟି, ଦେଶରେ ବୃଦ୍ଧି ପାଉଥିବା ବେକାରୀ ଓ ମୁଦ୍ରାସ୍ଫୀତି ଭଳି ସମସ୍ୟା ଭାରତୀୟ ଭୋଟରଙ୍କୁ କୌଣସି ମତେ ପ୍ରଭାବିତ କରୁନାହିଁ, ଜାତୀୟତାବାଦ ନାମରେ ବିଜେପିକୁ ଭୋଟ ମିଳୁଛି ବୋଲି ବିଜେପି ନେତୃ ମହଲରେ ଧାରଣା ସୃଷ୍ଟି ହୋଇ ସାରିଛି । ୨୦୨୪ରେ ମଧ୍ୟ ବିଜେପିର ବିଜୟ ସୁନିଶ୍ଚିତ ବୋଲି ସେମାନେ ଦାବି କରୁଛନ୍ତି ।
କେନ୍ଦ୍ର ସରକାରଙ୍କ ୨୦୧୬ ନଭେମ୍ବର ନୋଟବନ୍ଦୀ ନିଷ୍ପତ୍ତିକୁ ଚ୍ୟାଲେଂଜ କରି ସୁପ୍ରିମ କୋର୍ଟରେ ୫୮ଟି ପିଟିସନ୍ ଦାଖଲ ହୋଇଥିଲା । ଦୀର୍ଘ ଛଅ ବର୍ଷ ପରେ ୨୦୨୩ ଜାନୁୟାରୀ ୨ ତାରଖରେ ସୁପ୍ରିମ କୋର୍ଟର ଏକ ପାଂଚ ଜଣିଆ ସାମ୍ବିଧାନିକ ବେଂଚ ତାହା ଉପରେ ରାୟ ଦେଇଛନ୍ତି । ୨୦୧୬ରେ ସରକାରଙ୍କ ବିମୁଦ୍ରୀକରଣ ପ୍ରକ୍ରିୟା ଓ ନିଷ୍ପତ୍ତି ଠିକ୍ ଥିଲା, ଏଥିରେ କିଛି ଦୋଷତୃଟି ନାହିଁ ବୋଲି ପାଂଚ ଜଣିଆ ସାମ୍ବିଧାନିକ ବେଂଚର ଚାରି ଜଣ ବିଚାରପତି ଗତକାଲି ରାୟ ଦେଇଥିବା ବେଳେ ମାତ୍ର ଜଣେ ବିଚାରପତି ଭିନ୍ନ ମତ ରଖିଛନ୍ତି । ୪:୧ ରାୟରେ କେନ୍ଦ୍ର ସରକାରଙ୍କ ୨୦୧୬ର ନୋଟବନ୍ଦୀ ବୈଧ ହୋଇଯାଇଛି । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ବି.ଆର.ଗଭାଇ, ଜଷ୍ଟିସ ଏସ.ଏ.ନଜିର, ଜଷ୍ଟିସ ଏ.ଏସ.ବୋପାନ୍ନା, ଜଷ୍ଟିସ ଭି.ରାମସୁବ୍ରମଣ୍ୟନ ଓ ଜଷ୍ଟିସ ବି.ଭି.ନାଗରତ୍ନନଙ୍କୁ ନେଇ ଗଠିତ ପାଂଚ ଜଣିଆ ସାମ୍ବିଧାନିକ ପୀଠରୁ ୪ ଜଣ, ଅର୍ଥାତ ଜଷ୍ଟିସ ବି.ଆର.ଗଭାଇ, ଜଷ୍ଟିସ ଏସ.ଏ.ନଜିର, ଜଷ୍ଟିସ ଏ.ଏସ.ବୋପାନ୍ନା, ଜଷ୍ଟିସ ଭି.ରାମସୁବ୍ରମଣ୍ୟନ ୨୦୧୬ ନୋଟବନ୍ଦୀ ନିଷ୍ପତ୍ତିକୁ ବୈଧ ଓ ତୃଟିଶୂନ୍ୟ କହିଥିବା ବେଳେ ବିଚାରପତି ଜଷ୍ଟିସ ବି.ଭି.ନାଗରତ୍ନନ ଭିନ୍ନମତ ରଖିଛନ୍ତି ।
ଗତକାଲି ଦୁଇଟି ଯାକ ରାୟ ପ୍ରକାଶ ପାଇଛି । ବିଚାରପତି ଜଷ୍ଟିସ ଗଭାଇ ଓ ଅନ୍ୟ ତିନି ସଦସ୍ୟ ଜଷ୍ଟିସ ଏସ.ଏ.ନଜିର, ଜଷ୍ଟିସ ଏ.ଏସ.ବୋପାନ୍ନା, ଜଷ୍ଟିସ ଭି. ରାମସୁବ୍ରମଣ୍ୟନଙ୍କ ରାୟକୁ ଜଷ୍ଟିସ ଗଭାଇ ପଢି ଶୁଣାଇ ଥିବା ବେଳେ ଜଷ୍ଟିସ ବି.ଭି.ନାଗରତ୍ନନ ନିଜ ରାୟ ପଢି ଶୁଣାଇ ଥିଲେ । କେନ୍ଦ୍ର ସରକାରଙ୍କ ନୋଟବନ୍ଦୀ ନିଷ୍ପତ୍ତି ଠିକ୍ ଥିଲା ବୋଲି ସାମ୍ବିଧାନିକ ପୀଠର ସର୍ବାଧିକ ଚାରି ଜଣ ସଦସ୍ୟ ରାୟ ଦେଇ ଥିବାରୁ ଜଷ୍ଟିସ ନାଗରତ୍ନନଙ୍କ ଏକମାତ୍ର ବିରୋଧୀ ମତ ଗୌଣ ହୋଇଯାଇଛି । ଜଷ୍ଟିସ ଗଭାଇ କହିଛନ୍ତି, ସରକାରଙ୍କ ୨୦୧୬ର ନୋଟବନ୍ଦୀ ନିଷ୍ପତ୍ତିର ଉଦ୍ଦେଶ୍ୟ ସାଧିତ ହୋିଛି କି ନାହିଁ ତାହା ପ୍ରାସଙ୍ଗିକ ନୁହେଁ । ଆର୍ଥିକ ନୀତି କ୍ଷେତ୍ରରେ ଯଥେଷ୍ଟ ସଂଯମତା ରକ୍ଷା କରିବାର ଆବଶ୍ୟକତା ରହିଛି । ପ୍ରଶାସନର ଜ୍ଞାନ ଉପରେ ଅଦାଲତର ଜ୍ଞାନ ଲଦି ଦିଆଯିବା ଉଚିତ ନୁହେଁ । ବିମୁଦ୍ରୀକରଣ ନିଷ୍ପତ୍ତି ଆର୍ଥକ ନୀତି ସଂକ୍ରାନ୍ତୀୟ ହୋଇଥିବାରୁ ତାହାକୁ ବଦଳାଯାଇ ପାରିବ ନାହିଁ।
ଏକ୍ଷେତ୍ରରେ ଅଦାଲତଙ୍କ ରିଭ୍ୟୁ କ୍ଷମତା ମଧ୍ୟ ସୀମିତ । ସାଂପ୍ରତିକ ପରିସ୍ଥିିତି ଓ ବିଶେଷଜ୍ଞ ପରାମର୍ଶ ଆଧାରରେ ସରକାର ନିଷ୍ପତ୍ତି ନେଇ ଥିବାରୁ ସେଥିରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଜଷ୍ଟିସ ଗଭାଇ ଓ ଅନ୍ୟ ତିନି ଜଣ ବିଚାରପତି ସହମତି ଭିତ୍ତିରେ ରାୟ ଦେଇଥିବା ବେଳେ ଜଷ୍ଟିସ ନାଗରତ୍ନନ ତାଙ୍କ ରାୟରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ୱାଧୀନ ଭାବରେ ବିମୁଦ୍ରୀକରଣ ନିଷ୍ପତ୍ତି ନେବା ଉଚିତ ହୋଇଥା’ନ୍ତା । କିନ୍ତୁ, କେନ୍ଦ୍ର ସରକାରଙ୍କ ପରାମର୍ଶରେ ତାହା କରାଯାଇଥିବା ଆଇନସମ୍ମତ ନଥିଲା ବୋଲି କହିଛନ୍ତି । ଏହି ନିଷ୍ପତ୍ତି ନେବା ସମୟରେ ଆରବିଆଇ ସ୍ୱାଧୀନ ଭାବେ ନିଜର ବିଚାର ବୁଦ୍ଧିର ପ୍ରୟୋଗ କରିବା ଉଚିତ ଥିଲା ବୋଲି ମତ ଦେବା ସହ ୨୦୧୬ ନଭେମ୍ବର ୮ ତାରିଖ କେନ୍ଦ୍ର ସରକାରଙ୍କ ନୋଟବନ୍ଦୀ ବିଜ୍ଞପ୍ତି ଅବୈଧ ଥିଲା ବୋଲି ସେ ମତ ରଖିଛନ୍ତି ।
ତେବେ, ସୁପ୍ରିମ କୋର୍ଟ ସାମ୍ବିଧାନିକ ବେଂଚର ସର୍ବାଧିକ ମତ କେନ୍ଦ୍ର ସରକାରଙ୍କ ୨୦୧୬ର ‘ନୋଟବନ୍ଦୀ’ ସପକ୍ଷରେ ଥିବାରୁ ଏହା ସରାକରଙ୍କ ବିଜୟ ବୋଲି ବିଜେପି ବିଚାର କରୁଛି ଓ ବିରୋଧୀଙ୍କୁ ସମାଲୋଚନା କରିଛି । ବିରୋଧୀ ଦଳମାନେ ଅଯଥା ଏହାକୁ ପ୍ରସଙ୍ଗ କରି ଦେଶବାସୀଙ୍କୁ ବିଭ୍ରାନ୍ତ କରୁଥିଲେ ବୋଲି ବିଜେପି ଅଭିଯୋଗ କରିଛି । ତେବେ, ବିରୋଧୀ ସାମ୍ବିଧାନିକ ବେଂଚର ଅନ୍ୟତମ ସଦସ୍ୟା ଜଷ୍ଟିସ ନାଗରତ୍ନନଙ୍କ ଭିନ୍ନମତକୁ ଆଧାର କରି ସରକାରଙ୍କୁ ଘେରିଛନ୍ତି । ଗତକାଲି ବିମୁଦ୍ରୀକାରଣ ସଂପ୍ରର୍କୀତ ସୁପ୍ରିମ କୋର୍ଟ ରାୟ ପ୍ରକାଶ ପାଇବା ପରେ ଜାତୀୟ ଗଣମାଧ୍ୟମରେ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷ ରଖୁଥିବା ନେତାଙ୍କ ଦାବି ହେଉଛି, ଦେଶବାସୀ ‘ନୋଟବନ୍ଦୀ’ ଭଳି ନିଷ୍ପତ୍ତି ସବୁକୁ ସମର୍ଥନ କରୁଥିବାରୁ ହିଁ ବିଭିନ୍ନ ନିର୍ବାଚନରେ ବିଜେପିକୁ ବିପୁଳ ସମର୍ଥନ ଦେଇ ଆସିଛନ୍ତି । ଆଗାମୀ ଦିନରେ ମଧ୍ୟ ଦେଶବାସୀଙ୍କ ମୋଦୀ ସରକାରଙ୍କୁ ଏକାଭଳି ସମର୍ଥନ ଜାରି ରଖିବେ ବୋଲି ବିଜେପି ଦମ୍ବୋକ୍ତି ପ୍ରକାଶ କରିଛି ।
ବାସ୍ତବିକତା ଯାହା ହୋଇଥାଉନା କାହିଁକି, ‘ନୋଟବନ୍ଦୀ’ ସମୟ ଦେଶପାଇଁ ଅତ୍ୟନ୍ତ ଦୁଃଖଦାୟକ ଥିଲା ତାହା ଯେଉଁମାନେ ଅଂଗେ ନିଭାଇଛନ୍ତି ସେମାନେ ଜାଣନ୍ତି । ଭବିଷ୍ୟତରେ ଏଭଳି ପରିସ୍ଥିତି କେବେ ସୃଷ୍ଟି ନହେଉ ବୋଲି ସେମାନେ ଆଶ କରନ୍ତି । ସରକାର ‘କଳାଧନ’କୁ ତାଡି ଆଣି ଲୋକଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରି ଦେବେ, ତାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଧୂଆଁବାଣ ଥିଲା । ତଥାପି, ଯେଉଁମାନେ ଆଶା କରୁଥିଲେ ସେମାନେ ନିରାଶ ହୋଇଛନ୍ତି । ୨୦୧୬ ଶେଷ ଭାଗରେ ଦେଶରେ ଲାଗୁ କରାଯାଇଥିବା ‘ନୋଟବନ୍ଦୀ’କୁ ଖାରଜ କରିବା ପାଇଁ ହୋଇଥିବା ଆବେଦନଗୁଡିକ ଉପରେ ବିଚାର କରି ତାହା ବୈଧ ଥିଲା ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଛଅ ବର୍ଷ ପରେ ରାୟ ଦେବା ରାଜନୀତି କ୍ଷେତ୍ରରେ ଗୁରୁତ୍ୱ ରଖୁଥିଲେ ମଧ୍ୟ ଏହି ଦୁଃଖ ସହି ଆଗକୁ ବଢି ଯାଇଥିବା ସାଧାରଣ ଲୋକଙ୍କ ପାଇଁ କୌଣସି ଗୁରୁତ୍ୱ ରଖୁ ନାହିଁ ବା ସେମାନଙ୍କ ଦୁଃଖ ଲାଘବ ହେବାର ନାହିଁ । ୨୦୨୩ ଓ ୨୦୨୪ରେ ହେବାକୁ ଥିବା ନିର୍ବାଚନରେ ଶାସକ ଓ ବିରୋଧୀ ଏହାକୁ ପ୍ରସଙ୍ଗ କରିବା ନିଶ୍ଚିତ । ଦେଶବାସୀ କାହାକୁ ବିଶ୍ୱାସ କରିବେ ଓ କାହାକୁ ନ କରିବେ – ତାହା ସେମାନଙ୍କ ଉପରେ ନିର୍ଭର କରୁଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS