୨୦୨୩ ହେବାକୁ ଯାଉଛି ବିରୋଧୀଙ୍କ ପରୀକ୍ଷାର ବର୍ଷ
ପ୍ରସାଦ ରାଓ
ଜାନୁଆରୀ ୦୨/୨୩
ପୁରୁଣା ବର୍ଷ ବିଦାୟ ପରେ ନୂଆ ବର୍ଷ ଆସିଛି, ନୂଆ ସମ୍ଭାବନା ନେଇ । ବିଶେଷକରି, ଭାରତୀୟ ରାଜନୀତି ଓ ରାଜନୈତିକ ଦଳଙ୍କ ପାଇଁ ଏହା ପରୀକ୍ଷାର ବର୍ଷ ହେବାକୁ ଯାଉଛି । ବିଜେପିର ମନ୍ଦିର, ମସଜିଦ୍, ଲଭ୍ ଜିହାଦ୍ ରାଜନୀତି ୨୦୨୨ରେ ଛାଇ ରହିଥିଲା ଏବଂ ଦେଶରେ ଏକପ୍ରକାର ଅସୁରକ୍ଷାର ମାହୋଲ ସୃଷ୍ଟି କରିଥିଲା । ୨୦୨୩ ନିର୍ବାଚନ ବର୍ଷ ହୋଇଥିବାରୁ ଏହି ରାଜନୀତି ଅଧିକ ଗତିଶୀଳ ହୋଇ ଦେଶରେ ଦ୍ୱନ୍ଦ୍ୱ ବଢାଇବ, ଏଥିରେ କିଛି ସନ୍ଦେହ ନାହିଁ । ବିରୋଧୀ ଏହାର କିଭଳି ମୁକାବିଲା କରିବେ, ତାହା ବଡ ପ୍ରଶ୍ନ ହୋଇଛି । ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ବିରୋଧୀ ଏପର୍ଯ୍ୟନ୍ତ ଗୋଟିଏ ଛାତ ତଳେ ଏକାଠି ହୋଇ ନାହାନ୍ତି । ଏକାଠି ନହେଲେ ବିଜେପି ରଣନୀତିର ମୁକାବିଲା କରିବା ସମ୍ଭବ ନଥିବା ଜାଣି ମଧ୍ୟ ସେମାନେ ନିଜ ନିଜ ଭିତରେ ଲଢୁଛନ୍ତି । ସେମାନେ ଗୋଟିଏ ଛାତ ତଳେ ଏକାଠି ହୋଇନପାରିଲେ ମଧ୍ୟ ୨୦୨୪ରେ ଗୋଟିଏ ଆସନରେ ବିଜେପି ବିରୋଧରେ ଜଣେ ପ୍ରାର୍ଥୀ (ୱନ୍ ଟୁ ୱାନ୍) ଦେଲେ ବିଜେପିର ଧ୍ରୁବୀକରଣ ରାଜନୀତିରେ ଲଗାମ ଲାଗି ପାରିବ ବୋଲି ବିଶ୍ୱାସ କରାଯାଉଛି । କିନ୍ତୁ, କଂଗ୍ରେସକୁ ଛାଡି ଯେକୌଣସି ରଣନୀତି ଫଳପ୍ରଦ ହେବ ନାହିଁ, ତାହା ମଧ୍ୟ ଏକ ବାସ୍ତବିକତା ।
ବିରୋଧୀ ଏସଂପର୍କରେ ଅଜ୍ଞ ନୁହନ୍ତି । କିନ୍ତୁ, ବିରୋଧୀ ମେଂଟର ନେତା କିଏ ହେବ ସେନେଇ କଥା ଆଗେଇ ପାରୁନଥିବା ମେଂଟ ଗଠନରେ ମୁଖ୍ୟ ପ୍ରତିବନ୍ଧକ ହୋଇଛି । ଜାତୀୟ ଗଣମାଧ୍ୟମରେ ଏନେଇ ବିସ୍ତୃତ ଚର୍ଚ୍ଚା ହେଉଥିବା ବେଳେ ବିିଭିନ୍ନ ବିରୋଧୀ ଦଳର ମୁଖପାତ୍ର ପରସ୍ପରକୁ ଆକ୍ଷେପ କରି ବିଜେପିର ବ୍ୟାଖ୍ୟା ବା ନ୍ୟାରେଟିଭକୁ ଅଧିକ ଶକ୍ତି ଦେଉଥିବା ଦେଖିବାକୁ ମିଳୁଛି । କଂଗ୍ରେସ ଓ ବିଜେପି ହେଉଛନ୍ତି ଭାରତୀୟ ରାଜନୀତିରେ ଦୁଇ ପ୍ରମୁଖ ଜାତୀୟ ରାଜନୈତିକ ଦଳ । ଏହି ଦୁଇ ଦଳକୁ ନେଇ ଜାତୀୟ ରାଜନୀତି ଘୂର୍ଣ୍ଣାୟମାନ ରହିଛି । ଏହି ଦୁଇ ଜାତୀୟ ଦଳକୁ ନେଇ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ) ଓ ମିଳିତ ବିରୋଧୀ ମେଂଟ (ୟୁପିଏ) ଗତିଶୀଳ । ତଥାପି, ମହାରାଷ୍ଟ୍ରର ଏନସିପି (ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି) ଏବଂ ଶିବସେନା, ୟୁପିର ସପା (ସମାଜବାଦୀ ପାର୍ଟି) ଓ ବସପା (ବହୁଜନ ସମାଜ ପାର୍ଟି), ବିହାରରେ ଆରଜେଡ଼ି (ରାଷ୍ଟ୍ରୀୟ ଜନତା ଦଳ) ଓ ଜେଡ଼ିୟୁ (ଜନତା ଦଳ-ୟୁନାଇଟେଡ଼େ), କର୍ଣ୍ଣାଟକର ଜେଡ଼ିଏସ୍ (ଜନତା ଦଳ-ଧର୍ମନିରପେକ୍ଷ), ପଶ୍ଚିମ ବଂଗର ଟିଏମସି (ତୃଣମୂଳ କଂଗ୍ରେସ ପାର୍ଟି), ଦିଲ୍ଲୀ ଓ ପଂଜାବରେ କ୍ଷମତାରେ ଥିବା ‘ଆପ୍’ (ଆମ୍ ଆଦମୀ ପାର୍ଟି), ତେଲେଂଗାନାର ବିଆରଏସ୍ (ଭାରତୀୟ ରାଷ୍ଟ୍ରୀୟ ସମିତି), ଓଡ଼ିଶାର ବିଜେଡ଼ି (ବିଜୁ ଜନତା ଦଳ), ଆନ୍ଧ୍ରର ୱାଇଏସଆରସିପି, ତାମିଲନାଡୁର ଡ଼ିଏମକେ ଏବଂ ଏଆଇଏଡ଼ିଏମକେ ଜାତୀୟ ରାଜନୀତିରେ ଗୁରୁତ୍ୱ ରଖନ୍ତି ।
ବିଜେପିର ଗୋଟିଚାଳନାରେ ମହାରାଷ୍ଟ୍ରର ଶିବସେନା ଧ୍ୱସ୍ତ ବିଧ୍ୱସ୍ତ । ଶିବସେନାର ଉଦ୍ଧବ ଠାକରେ ଓ ଏକନାଥ ସିନ୍ଧେ ଗୋଷ୍ଠୀ ମଧ୍ୟରେ ଚାଲି ଥିବା ବିବାଦରୁ ଫାଇଦା ନେଇ ବିଜେପି ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ସିନ୍ଧେଙ୍କ ସହ ମେଂଟ ସରକାର କରିଛି । ଅନ୍ୟ ଅଣ-ବିଜେପି ଶାସିତ ରାଜ୍ୟରେ ମଧ୍ୟ ବିଜେପି ଏକାପ୍ରକାର ଗୋଟିଚାଳନାରେ ବ୍ୟସ୍ତ । ନିର୍ବାଚିତ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ବିଜେପି ବିଭିନ୍ନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ କାମରେ ଲଗାଇ ଅସ୍ଥିରତା ସୃଷ୍ଟି କରୁଥିବା ଅଭିଯୋଗ ହୋଇ ଆସୁଛି । ଓଡ଼ିଶାର ବିଜେଡ଼ି ଏବେ ବିଜେପିର ଟାର୍ଗେଟରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ସମୟରେ ବିଜେପି ଓ କେନ୍ଦ୍ର ସରକାର ସମର୍ଥନ ଦେଇ ଆସୁଥିଲେ ମଧ୍ୟ ୨୦୨୪ରେ ଓଡ଼ିଶା ଦଖଲ ବିଜେପିର ପ୍ରାଥମିକତା ଥିବା ଦଳ କହି ଆସୁଛି । ଅଣ-ବିଜେପି ରାଜନୈତିକ ଦଳମାନେ ବିଜେପିର ଏହି କୌଶଳ ସଂପର୍କରେ ଅବଗତ ଓ ପ୍ରତିକ୍ରିୟାଶୀଳ । କିନ୍ତୁ, ଏହାର ମୁକାବିଲା ପାଇଁ ଏକାଠି ହେଉ ନଥିବା କାରଣରୁ ବିଜେପି ଫାଇଦାରେ ରହୁଛି ।
ଏହା ସତ୍ୟ ଯେ, ବିଭିନ୍ନ ରାଜ୍ୟରେ କ୍ଷମତାରେ ରହିଥିବା ଆଂଚଳିକ ଦଳମାନେ ନିଜ ନିଜ ସ୍ତରରେ ବିଜେପିର ମୁକାବିଲା କରୁଛନ୍ତି । ବିଜେପିକୁ କ୍ଷମତାରୁ ଦୂରେଇ ରଖିବାରେ ସଫଳ ହେଉଛନ୍ତି । କିନ୍ତୁ, ଜାତୀୟ ରାଜନୀତିରେ କଥା ଆସିଲେ ପକ୍ଷଭୁକ୍ତ ହୋଇଯାଉଛନ୍ତି । ବିଜେଡ଼ି ଭଳି କିଛି ଆଂଚଳିକ ଦଳର ମୂଳଦୁଆ କଂଗ୍ରେସ ବିରୋଧୀ ରାଜନୀତିରୁ ପଡିଛି । ତେଣୁ, ଜାତୀୟ ରାଜନୀତିରେ ସେମାନେ ବିଜେପି ପ୍ରତି ଅନୁରକ୍ତ । ସେହିଭଳି, ବିଜେପି ବିରୋଧୀ ରାଜନୀତି କରୁଥିବା ଦଳମାନେ କଂଗ୍ରେସ ସହ ଅଛନ୍ତି ବା ନିଜର ସ୍ୱତନ୍ତ୍ର ସତ୍ତ ରଖିଛନ୍ତି । ତେଣୁ, ଜାତୀୟସ୍ତରରେ ଦୁଇଟି ମେଂଟ ଏନଡ଼ିଏ ଓ ୟୁପିଏ ପ୍ରମୁଖ ଭୂମିକାରେ ରହି ଆସିଛି । ଏନଡ଼ିଏ ବିଜେପି ଦ୍ୱାରା ପରିଚାଳିତ ହେଉଥିବା ବେଳେ ୟୁପିଏ କଂଗ୍ରେସଦ୍ୱାରା ପରିଚାଳିତ ହେଉଛି । ଏହି ଦୁଇ ମେଂଟ ବାହାରେ ଥିବା ରାଜନୈତିକ ଦଳମାନେ ଅନେକ ସମୟରେ ନିର୍ଣ୍ଣାୟକ ଭୂମିକାରେ ରହୁଛନ୍ତି । ୨୦୧୪ ନିର୍ବାଚନରେ କଂଗ୍ରେସର ପତନ ପରେ ୟୁପିଏ ମେଂଟ ଦୁର୍ବଳ ଥିବା ବେଳେ ଗତ ଆଠ ବର୍ଷ ମଧ୍ୟରେ ବିଜେପି ମଧ୍ୟ ନିଜର ଅଧିକାଂଶ ସହଯୋଗୀ ଦଳଙ୍କୁ ହରାଇ ଏକୁଟିଆ ହେଲାଣି । ତଥାପି, ଲୋକସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେପି ଏତେ ଆଗୁଆ ରହିଛି ଯେ ଏନଡ଼ିଏ ଅଂଶୀଦାରମାନେ ମେଂଟ ଛାଡିଲେ ମଧ୍ୟ ବିଜେପି ଭୟଭୀତ ନୁହେଁ । ୨୦୨୪ରେ ଆହୁରି ଅଧିକ ସଂଖ୍ୟା ନେଇ କ୍ଷମତାକୁ ଫେରିବ ବୋଲି ଦଳ ଦମ୍ଭୋକ୍ତି ପ୍ରକାଶ କରୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି ସରକାର ପ୍ରତିଷ୍ଠା ହେବା ପରଠାରୁ କଂଗ୍ରେସ ଜାତୀୟସ୍ତରରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସବୁଠି ଦୁର୍ବଳ ହୋଇପଡିବା ଦ୍ୱାରା ଅଣ-ବିଜେପି ରାଜନୈତିକ ଦଳମାନେ ଏବେ କଂଗ୍ରେସକୁ ସାଥିରେ ନେଇ କ୍ଷମାତାକୁ ଫେରିବେ ବୋଲି ବିଶ୍ୱାସ କରିପାରୁ ନାହାନ୍ତି । ତେଣୁ, ସେମାନେ କଂଗ୍ରେସକୁ ଦୂରେଇ ଏକ ତୃତୀୟ ମେଂଟ ଗଠନ କଥା ଚିନ୍ତା କରୁଛନ୍ତି । ସେମାନଙ୍କ ଯୁକ୍ତି ହେଉଛି, ଗାନ୍ଧୀ ପରିବାର ଦୁର୍ବଳ ନେତୃତ୍ୱ ଯୋଗୁଁ ଆଜି କଂଗ୍ରେସ ଦୟନୀୟ ସ୍ଥିତିରେ ରହିଛି । ଯେଉଁ ଦଳ ନିଜକୁ ସୁରକ୍ଷିତ କରିପାରୁନି ସିଏ ଅନ୍ୟମାନଙ୍କୁ କି ନେତୃତ୍ୱ ଦେବେ ? ବିଶେଷକରି, ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ବିରୋଧୀ ଭରସି ପାରୁ ନାହାନ୍ତି । ବିଜେପି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ କହି ସେମାନେ ତୃତୀୟ ମେଂଟ ଗଠନ ପ୍ରୟାସରେ ଅଛନ୍ତି । ତାହା ମଧ୍ୟ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୨୧ ରାଜ୍ୟ ବିଧାନସଭା ନିର୍ବାଚନ ପରେ ଦେଶରେ କ୍ଷମତାରେ ଥିବା ଆଂଚଳିକ ଦଳମାନଙ୍କୁ ନେଇ ତୃତୀୟ ମେଂଟ ଗଠନ ପ୍ରୟାସ ଆରମ୍ଭ କରିଥିଲେ । ଆଂଚଳିକ ଦଳ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ସମ୍ଭାବ୍ୟ ମେଂଟରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ । ତେବେ, ଏପର୍ଯ୍ୟନ୍ତ ସେ ସଫଳ ହୋଇ ନାହାନ୍ତି ।
ମମତାଙ୍କ ଦୂତ ମୁମ୍ବାଇ ଯାଇ ଏନସିପି ମୁଖ୍ୟ ଶରଦ ପାୱାର, ଶିବସେନା ନେତା ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିବା ପରେ ବିଭିନ୍ନ ରାଜ୍ୟର ବହୁ ବିରୋଧୀ ଦଳ ନେତାଙ୍କୁ ଭେଟି ଥିଲେ । ମମତାଙ୍କ ପରେ ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ମୋର୍ଚ୍ଚା ସମ୍ଭାଳି ପାୱାର, ଉଦ୍ଧବ ଓ ଅନ୍ୟ ଅଣ-ବିଜେପି ରାଜନୈତିକ ଦଳ ନେତାଙ୍କ ସହ ଆଲୋଚନା କରିଥିଲେ । ବିଜେଡ଼ିକୁ ମଧ୍ୟ ନିମନ୍ତ୍ରଣ ମିଳିଥିଲା । କିନ୍ତୁ, ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକ ନିରବ ରହିଲେ । ବିଜେଡ଼ି ଜାତୀୟ ସ୍ତରରେ ବିଜେପି ଓ କଂଗ୍ରେସଠାରୁ ସମଦୂରତା କଥା କହି ଆସୁଛି । ହଠାତ ନବୀନ ପକ୍ଷଭୁକ୍ତ ହୋଇ କିଛି ନିଷ୍ପତ୍ତି ନେବାକୁ ଚାହୁଁ ନଥିବା ତାଙ୍କ ହାବଭାବରୁ ଜଣାପଡୁଛି । ଅନ୍ୟପକ୍ଷରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ତୃତୀୟ ମେଂଟ ଗଠନ ପ୍ରସ୍ତାବକୁ ସମର୍ଥନ ଦେଇ ଆଗକୁ ଆସିଥିବା ଦେଖିବାକୁ ମିଳିଛି । ୟୁପି ବିଧାନସଭା ନିର୍ବାଚନରେ ମମତା ସମାଜବାଦୀ ପାର୍ଟି ସପକ୍ଷରେ ପ୍ରଚାର କରି ତୃତୀୟ ମେଂଟ ଗଠନ ଉଦ୍ୟମକୁ ସକାରାତ୍ମକ ରୂପ ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନାହାନ୍ତି ।
ୟୁପିରେ ସପାର ପରାଜୟ ପରେ ତୃତୀୟ ମେଂଟ ଗଠନ ଉଦ୍ୟମ ଧିମେଇ ଯାଇଛି । ଅନ୍ତତଃ, ଗୁଜରାଟ ବିଧାନସଭା ନିର୍ବାଚନରେ ବିରୋଧୀ ଏକାଠି ହୋଇ ବିଜେପିର ମୁକାବିଲା କରିବେ ବୋଲି ଯେଉଁ ସମ୍ଭାବନା ଥିଲା ତାହା ମଧ୍ୟ ଦେଖିବାକୁ ମିଳି ନାହିଁ । ଫଳରେ, ବିଜେପିର ରେକର୍ଡ ବିଜୟ ହୋଇଛି ଏବଂ ଏହି ବିଜୟକୁ ବିଜେପି ଉତ୍ସବ ଆକାରରେ ପାଳନ କରି ନିଜ ଦଳର ନେତା ଓ କର୍ମୀଙ୍କ ମନୋବଳ ବଢାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁଜରାଟର ମୂଳ ବାସିନ୍ଦା ହୋଇଥିବା ଏବଂ କଂଗ୍ରେସ ନିର୍ବାଚନ ପ୍ରଚାରରୁ ଗାଏବ ରହିବା କାରଣରୁ ବିଜେପିର ଏତେବଡ ସଫଳତା ହାସଲ କଲା ବୋଲି ବିରୋଧୀ ଗ୍ରହଣ କରି ନେଇଛନ୍ତି । ଅପରପକ୍ଷରେ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ରାଜ୍ୟ ହିମାଚଳ ପ୍ରଦେଶରେ କଂଗ୍ରେସର ବିଜୟ ଗୁଜରାଟ ବିଜୟ ସାମ୍ନାରେ ଗୌଣ ହୋଇଯାଇଛି । ରାଜନୈତିକ ବିଶ୍ଲେଷକଙ୍କ ମତରେ ୟୁପି ଓ ଗୁଜରାଟ ବିଧାନସଭା ନିର୍ବାଚନରେ ବିରୋଧୀ ଏକତ୍ରୀତ ହୋଇ ଲଢି ଥିଲେ ବିଜେପି ଅଡୁଆରେ ପଡିଥା’ନ୍ତା । କିନ୍ତୁ, ବିଭିନ୍ନ ବିଜେପି ବିରୋଧୀ ରାଜନୈତିକ ଦଳର ଉଚ୍ଚାଭିଳାଷ ଯୋଗୁଁ ତାହା ସମ୍ଭବ ହେଲା ନାହିଁ । ୟୁପି ଓ ଗୁଜରାଟରେ ବଡ ଧକ୍କା ପରେ ମଧ୍ୟ ବିରୋଧୀଙ୍କ ଚୈତନ୍ୟ ଉଦୟ ନହେବା ୨୦୨୪ରେ ବିରୋଧୀ ଏକତା ସମ୍ଭାବନାକୁ କ୍ଷୀଣ କରି ଦେଇଛି ।
ଚବିଶିରେ ବିଜେପିକୁ କ୍ଷମତାଚ୍ୟୁତ କରି କେନ୍ଦ୍ରରେ ଅଣ-ବିଜେପି ସରକାର ପ୍ରତିଷ୍ଠା କରୁଥିବା ରାଜନୈତିକ ଦଳମାନେ କାହାକୁ ନେତା କରିବେ ସ୍ଥିର କରିପାରୁ ନଥିବା ବଡ ସମସ୍ୟା ହୋଇଛି । ସବୁ ବିରୋଧୀ ନେତା ପ୍ରଧାନମନ୍ତ୍ରୀ ଦୌଡରେ ଅଛନ୍ତି । ତେଣୁ, ମିଳିତ କାର୍ଯ୍ୟକ୍ରମ ଭିତ୍ତିରେ ଏକ ଫଳପ୍ରଦ ବିରୋଧୀ ମେଂଟ ଗଠନ ଦିବାସ୍ୱପ୍ନ ହୋଇଛି । ୨୦୨୩ରେ ନଅଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିରୋଧୀ ଏକାଠି ହୋଇ ଲଢିବେ କି ଭିନ୍ନ ଭିନ୍ନ ଭାବେ ଲଢି ବିଜେପିକୁ ବାଟ ଛାଡି ଦେବେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ । ତଥାପି, ରାହୁଲ ଗାନ୍ଧୀଙ୍କ କନ୍ୟାକୁମାରୀରୁ କଶ୍ମୀର ‘ଭାରତ ଯୋଡୋ’ ଯାତ୍ରା ଏକ ନୂଆ ସମ୍ଭାବନା ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ସେପ୍ଟେମ୍ବର ୭ରୁ ଆରମ୍ କରିଥିବା ‘ଭାରତ ଯୋଡୋ’ ଯାତ୍ରା ଇତିମଧ୍ୟରେ ଶହେ ଦିନ ସମାପ୍ତ କଲାଣି । ୧୦ଟି ରାଜ୍ୟରେ ପଦଯାତ୍ରା ସାରିଛି ଓ ୨୪ ତାରିଖ ଦିଲ୍ଲୀରେ ପହଂଚିବା ପରେ ବିଶ୍ରାମ ଚାଲିଛି । ମଂଗଳବାର (୩ ତାରିଖ) ପୁନଃ ଯାତ୍ରା ଆରମ୍ଭ ହୋଇ ୟୁପିରେ ପ୍ରବେଶ କରିବ ।
ଦକ୍ଷିଣ ଭାରତରେ ରାହୁଲଙ୍କ ପଦଯାତ୍ରାକୁ ଆଶାତୀତ ସମର୍ଥନ ମିଳିଛି । ଡିସେମ୍ବର ୨୪ରେ ରାହୁଲ ଦିଲ୍ଲୀରେ ମଧ୍ୟ ଭଲ ସମର୍ଥନ ପାଇଛନ୍ତି । ‘ଭାରତ ଯୋଡୋ’ ପଦଯାତ୍ରା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ପରିଚୟ ଥିଲା ଜଣେ ‘ସୌଖୀନ ରାଜନେତା’ର । ଅଣ-ବିଜେପି ବିରୋଧୀ ଦଳମାନେ ରାହୁଲଙ୍କୁ ସେହି ଦୃଷ୍ଟିରେ ଦେଖୁଥିଲେ ଏବଂ ତାଙ୍କ ନେତୃତ୍ୱକୁ ଭରସି ପାରୁ ନଥିଲେ । ‘ଭାରତ ଯୋଡୋ’ ଯାତ୍ରାର ଶହେ ଦିନ ପରେ ରାହୁଲଙ୍କ ଭାବମୂର୍ତ୍ତୀରେ ପରିବର୍ତ୍ତନ ଆସିଛି । ବିରୋଧୀ ଦଳମାନେ ରାହୁଲଙ୍କୁୁ ଜଣେ ଗମ୍ଭୀର ରାଜନେତା ଭାବେ ସ୍ୱୀକାର କରିବା ଆରମ୍ଭ କଲେଣି । ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଶିବସେନା (ଉଦ୍ଧବ ଗୋଷ୍ଠୀ)ର ରାଜ୍ୟସଭା ସାଂସଦ ସଂଜୟ ରାଉତ ରାହୁଲଙ୍କୁ ନେଇ ରଖି ଥିବା ମନ୍ତବ୍ୟ ରାଜନୈତିକ ହଟ୍ଟଚମଟ ସୃଷ୍ଟି କରିନଥିଲେ ମଧ୍ୟ ଅନେକ ସମ୍ଭାବନାର ସୂଚନା ଦେଉଛି । ଶନିବାର ଦିନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାରେ କହିଛନ୍ତି, ରାହୁଲ ସମ୍ଭାବ୍ୟ ବିରୋଧୀ ମେଂଟର ପ୍ରଧାନମନ୍ତ୍ରୀ ମୁହଁ ହେଲେ ତାଙ୍କର କିଛି ଆପତ୍ତି ନାହିଁ । ସେ ଏହି ଦୌଡରେ ନାହାନ୍ତି । ଚବିଶି ନିର୍ବାଚନରେ ବିଜେପିକୁ ପରାଜିତ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ଥିବାରୁ ସେ ବିରୋଧୀ ଦଳଙ୍କୁ ଗୋଟିଏ ମଂଚରେ ଏକାଠି କରିବା ପ୍ରୟାସ ଜାରି ରଖିବେ ।
ସେହିଭଳି, ଶିବସେନା (ଉଦ୍ଧବ ଠାକରେ) ସାଂସଦ ସଂଜୟ ରାଉତ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ’ ଯାତ୍ରାକୁ ଉଚ୍ଚପ୍ରଶଂସା କରିବା ସହ ୨୦୨୩ରେ ମଧ୍ୟ ସେ ଏଭଳି ଅଭିଯାନ ଚାଲୁ ରଖିଲେ ୨୦୨୪ରେ ଦେଶରେ ଏକ ବଡ ଧରଣର ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି କହିଛନ୍ତି । ଶିବସେନା ମୁଖପତ୍ର ‘ସାମନା’ରେ ତାଙ୍କ ସାପ୍ତାହିକ ସ୍ତମ୍ବ ‘ରୋକଠୋକ’ରେ ରାଉତ ଏହି ମନ୍ତବ୍ୟ ଦେଇଛନ୍ତି । ପରୋକ୍ଷରେ ରାହୁଲ ୨୦୨୪ ନିର୍ବାଚନରେ ବିରୋଧୀ ମେଂଟର ପ୍ରଧାନମନ୍ତ୍ରୀ ମୁହଁ ହୋଇପାରନ୍ତି ବୋଲି ସେ ଇଂଗିତ କରିଛନ୍ତି । ମହାରାଷ୍ଟ୍ରରେ ଉଦ୍ଧବଙ୍କ ଶାସନର ଅବସାନ ଘଟିବା ପରେ ମଧ୍ୟ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ’ ଯାତ୍ରାକୁ ବିଶେଷ ଜନସମର୍ଥନ ମିଳିବା ତାଙ୍କ ପରିବର୍ତ୍ତିତ ରାଜନୈତିକ ସ୍ୱରୂପର ଆଭାସ ଦେଉଛି । ୨୦୨୪ ନିର୍ବାଚନରେ ରାହୁଲ ବିରୋଧୀ ମେଂଟର ପ୍ରଧାନମନ୍ତ୍ରୀ ମୁହଁ ହେବେ ବୋଲି ବରିଷ୍ଠ କଂଗ୍ରେସ ନେତା କମଳନାଥ ପୂର୍ବରୁ ମନ୍ତବ୍ୟ ଦେଇ ଏହି ପ୍ରସଙ୍ଗକୁ ଆଲୋଚନା ପରିସରକୁ ଆଣିଥିଲେ । ଏବେ ସଂଜୟ ରାଉତଙ୍କ ଲେଖା ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ରାଜନୈତିକ ମନ୍ତବ୍ୟ ସମ୍ଭାବନାକୁ ଅଧିକ ବଳିଷ୍ଠ କରିଛି ।
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହ ସଂପର୍କ ତୁଟାଇ ଆରଜେଡ଼ି ସହ ମେଂଟରେ ମହାଗଠବନ୍ଧନ ସରକାର କରିବା ପରେ ୨୦୨୪ରେ ସେ ବିରୋଧୀ ମେଂଟର ପ୍ରଧାନମନ୍ତ୍ରୀ ମୁହଁ ହେବେ ବୋଲି ଯେଉଁ ଚର୍ଚ୍ଚା ଚାଲି ଥିଲା ନୀତୀଶଙ୍କ ମନ୍ତବ୍ୟ ପରେ ସେଥିରେ ସାମୟିକ ବିରାମ ଲାଗିଛି । କଂଗ୍ରେସକୁ ସାଥିରେ ନେଇ ଏକ ବିଜେପି-ବିରୋଧୀ ମେଂଟ ଗଠନ କରାଯିବା ସେ ଚାହୁଁଛନ୍ତି । ରାହୁଲ ପ୍ରଦାନମନ୍ତ୍ରୀ ମୁହଁ ହେଲେ ତାଙ୍କ କୌଣସି ଆପତ୍ତି ନାହିଁ କହି ନୀତୀଶ କଂଗ୍ରେକୁ ନେଇ ବିରୋଧୀ ମେଂଟ ଗଠନ ସମ୍ଭାବନାକୁ ଦୃଢ କରିଛନ୍ତି । ତେବେ, ଟିଏମସି ମୁଖ୍ୟ ମମତା ବାନାର୍ଜୀ ଓ ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ ଏହାକୁ କେତେଦୂର ଗ୍ରହଣ କରିବେ, ତାହା ବଡ ପ୍ରଶ୍ନ ହେଇଛି । ଯଦିବା ବିରୋଧୀ ମେଂଟ ହୁଏ କିଏ ତାହାର ନେତୃତ୍ୱ ନେବ – ସେହି ପ୍ରଶ୍ନ ଆଜିବି ଅସମାଧିତ ରହିଛି । ଗୋଟିଏ କଥା ସ୍ପଷ୍ଟ ଯେ, ୨୦୨୪ ନିର୍ବାଚନରେ ବିଜେପିକୁ ହରାଇବାକୁ ହେଲେ ଏକ ଶକ୍ତିଶାଳୀ ବିରୋଧୀ ମେଂଟ ଅବିର୍ଭାବ ହେବାର ଆବଶ୍ୟକତା ରହିଛି । କାରଣ, ଆଜି ଦିନରେ ଦେଶରେ ଏଭଳି କୌଣସି ବିରୋଧୀ ରାଜନୈତିକ ଦଳ ନାହାନ୍ତି ଯିଏକି ୨୦୨୪ ନିର୍ବାଚନରେ ଏକାକୀ ବିଜେପିକୁ ପରାଜିତ କରି ପାରିବେ ।
ଆଂଚଳିକ ଦଳମାନେ ନିଜ ନିଜ ରାଜ୍ୟ ରାଜନୀତିରେ ବ୍ୟସ୍ତ । ଜାତୀୟ ରାଜନୀତିରେ ସେମାନେ ବିଜେପିର ବିକଳ୍ପ ହେବା ସମ୍ଭାବନା ନାହିଁ । କିନ୍ତୁ, ସେମାନଙ୍କୁ ନେଇ ହିଁ ୨୦୨୪ କଥା ଚିନ୍ତା କରାଯାଇପାରିବ । ବିରୋଧୀ ଦଳମାନେ ଜାତୀୟସ୍ତରରେ ଏକାଠି ହୋଇ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀକୁ ବାଛି ବିଜେପି ବିରୋଧରେ ମିଳିତ ପ୍ରାର୍ଥୀ ଦେଲେ ଓ ରାଜ୍ୟମାନଙ୍କରେ ମଧ୍ୟ ସେହି କୌଶଳ ପ୍ରୟୋଗ ହେଲେ ବିଜେପିକୁ ପରାଜିତ କରି ହେବ । ଜାତୀୟସ୍ତରରେ ଗଣମାଧ୍ୟମ ବିତର୍କରେ ଏନେଇ ଆଲୋଚନା ହେଉଛି । ଦେଶର ବହୁ ବରିଷ୍ଠ ରାଜନେତା ମଧ୍ୟ ଏଥିରେ ଏକମତ ଥିବା ଆଲୋଚନା ବେଳେ ଦେଖିବାକୁ ମିଳୁଛି । କିନ୍ତୁ, ଏହା କେତେଦୂର ବାସ୍ତବ ରୂପ ନେବ, ତାହା ଅସ୍ପଷ୍ଟ । କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲେଂଗାନା ଭଳି ବଡ ରାଜ୍ୟରେ ୨୦୨୩ରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିରୋଧୀ ତାହା ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ କି ଏସବୁ ନିର୍ବାଚନର ଫଳାଫଳ ଦେଖିବା ପରେ ମେଂଟ କଥା ଚିନ୍ତା କରିବେ, ତାହା ସମୟ ହିଁ କହିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS