୨୦୨୨ର ଶେଷ କଥା…
ପ୍ରସାଦ ରାଓ
ଭୁବନେଶ୍ୱର
ଡିସେମ୍ବର ୩୧
ଆଜି ୨୦୨୨ର ଶେଷ ଦିନ । ରାତି ପାହିଲେ ୨୦୨୩ । ପୁରୁଣା ବର୍ଷକୁ ବିଦାୟ ଓ ନୂତନ ବର୍ଷକୁ ସ୍ୱାଗତ ପାଇଁ ସବୁଠି ଉତ୍ସାହ । ଇଂରାଜୀ ନବ ବର୍ଷର ଆରମ୍ଭ ଓ ଶେଷ ଦିନ ଉତ୍ସବ ମୁଖର ହେବା କିଛି ନୂଆ ନୁହଁ । ପୁରୁଣା ବର୍ଷର ସ୍ମୃତି ସବୁକୁ ମନେ ପକାଇବା ଓ ନୂଆ ବର୍ଷରେ ନୂଆ କିଛି ହେବାର ଆଶା ଓ ଉତ୍ସାହରେ ତାହାକୁ ସ୍ୱାଗତ କରିବାର ପ୍ରବୃତ୍ତି ସର୍ବଦା ରହି ଆସିଛି । ୨୦୨୨ ଶେଷ ଓ ୨୦୨୩ ଆରମ୍ଭରେ ମଧ୍ୟ ତାହାର ପୁନରାବୃତ୍ତି ଘଟିଛି । ପୁରୁଣା ବର୍ଷର ରାଶିଫଳରେ ନିଜ ନିଜ ରାଶିକୁ ନେଇ କଣ ଗଣନା ହୋଇଥିଲା ଓ ବାସ୍ତବରେ ତାହା କେତେ ସତ ହେଲା, କେହି ସମୀକ୍ଷା କରୁ ନାହାନ୍ତି । ନୂଆ ବର୍ଷର ରାଶିଫଳରେ କଣ ଗଣନା କରାଯାଇଛି ତାହା ଦେଖିବାକୁ ସମସ୍ତେ ବ୍ୟଗ୍ର । ଅବଶ୍ୟ, ସରକାରୀ କ୍ୟାଲେଣ୍ଡରେ ତାହା ସ୍ଥାନ ପାଇ ନଥାଏ । ନୂଆ ବର୍ଷରେ କେବେ କେଉଁ ପାର୍ବଣ ପଡୁଛି, କେତେ ଦିନ ସରକାରୀ ଛୁଟି ରହୁଛି – ତାହା ଜାଣିବା ପାଇଁ ସରକାରୀ କ୍ୟାଲେଣ୍ଡରର ଖୋଜା ପଡେ । ବର୍ଷ ତମାମ ରାଶିଫଳ କଣ କହୁଛି ତାହା ଜାଣିବାକୁ ହେଲେ କୋହିନୂର ପଂଜିକା ଭଳି ପଂଜିକା ସବୁ ଖେଳାଇବାକୁ ପଡେ । ନୂଆ ବର୍ଷ ଖବରକାଗଜ ବିଶେଷ ସଂଖ୍ୟାରେ ମଧ୍ୟ ତାହା ଉପଲବ୍ଧ ହୁଏ । ‘ବାଜୁ ବାଜୁ ବାଜିଗଲା’ ନ୍ୟାୟରେ କେତେବେଳେ କେମିତି ଗଣନା ଅନୁଯାୟୀ ଫଳପ୍ରାପ୍ତି ହୋଇଥାଏ ସିନା ମୋଟାମୋଟି ଭାବେ ମନକୁ ଶନ୍ତ୍ୱନା ଦେବା ପାଇଁ ପ୍ରକାଶିତ ରାଶିଫଳକୁ ପଢିବାକୁ ଆଗ୍ରହ ପ୍ରକାଶ କରନ୍ତି ପାଠକ । ତେଣୁ, ନୂଆ ବର୍ଷର ବିଶେଷ ସଂଖ୍ୟା ପ୍ୟାକେଜରେ ରାଶିଫଳକୁ ସ୍ଥାନିତ କରିବାକୁ କୌଣସି ଖବରକାଗଜ ଭୁଲି ନଥା’ନ୍ତି । ଗଣନାକାରମାନେ ମଧ୍ୟ ସମସ୍ତଙ୍କୁ ସନ୍ତୁଷ୍ଟ କଲା ଭଳି ରାଶିଫଳ ଲେଖି ଥା’ନ୍ତି । ଭଲ ସହ ମନ୍ଦର ଆଶଙ୍କାକୁ ଏଭଳି ଗୋଳାଇ ଥାଆନ୍ତି ଯେ ଜଣେ ବିଶ୍ୱାସ କରିବାକୁ ବାଧ୍ୟ ହୋଇଥାଏ । ଖବରକାଗଜ ସହ ବହୁ ବର୍ଷର ସଂପର୍କରୁ ଗୋଟିଏ କଥା ଜାଣିଛି, ପାଠକଙ୍କ ପାଇଁ ରାଶିଫଳ ପ୍ରସ୍ତୁତ କରୁଥିବା ତଥାକଥିତ ଜ୍ୟୋତିଷମାନେ ଯେଉଁ ଫଳାଫଳ ଲେଖିଥା’ନ୍ତି ତାହା ଅନେକ ସମୟରେ ସତ ହୋଇନଥାଏ । ବେଳେ ବେଳେ ଖବରକାଗଜଗୁଡିକ ରାଶିଫଳ ପାଇଁ ଥିବା ସ୍ଥାନ ପୁରଣ ପାଇଁ ପୁରୁଣା ଗଣନାଗୁଡିକୁ ମଧ୍ୟ ଛାପିବାକୁ ପଛାଇ ନଥା’ନ୍ତି । ତଥାପି, ପାଠକ ରାଶିଫଳ ସ୍ତମ୍ବକୁ ପଢନ୍ତି ଓ କିଛି ସତ ବାଜି ଗଲେ ସଂପୃକ୍ତ ଖବରକାଗଜ ସଂସ୍ଥାକୁ ଫୋନ୍ କରି ସାବାସି ଦିଅନ୍ତି । ବର୍ଷ ବର୍ଷ ଧରି ଏହି ପ୍ରଥା ଚାଲି ଆସିଛି ଓ ଆଗକୁ ମଧ୍ୟ ଚାଲିବ ।
ନବୀନଙ୍କ ପରେ କିଏ ମୁଖ୍ୟମନ୍ତ୍ରୀ ?
ଓଡ଼ିଶାରେ ବାଇଶି ବର୍ଷ ହେଲା ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଚାଲିଛି । ଆଗକୁ ମଧ୍ୟ ଚାଲିବ, ଏଥିରେ କିଛି ସନ୍ଦେହ ନାହିଁ । ନବୀନ ଜିବୀତ ଥିବା ଯାଏଁ ବିଜେଡ଼ି ଅପ୍ରତିଦ୍ୱନ୍ଦ୍ୱୀ ରହିବ । ତେବେ, ନବୀନଙ୍କ ପରେ କିଏ ? ଆଜି ଦିନରେ ତାହା ବଡ ପ୍ରଶ୍ନ ହୋଇଛି । ଅବଶ୍ୟ, ବିଜେଡ଼ିରେ ନେତାଙ୍କ ସଂଖ୍ୟା କିଛି କମ୍ ନାହିଁ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ସଂଖ୍ୟା କର୍ମୀ ସଂଖ୍ୟାରୁ ଅଧିକ । ତେଣୁ, ଜ୍ୟୋତିଷି ଗଣନା ଠିକ୍ ବାଜି ନଥାଏ । ୨୦୨୨ ବର୍ଷ ବିଜେଡ଼ି ପାଇଁ ଠିକ୍ ଥିଲା । ଧାମନଗର ବିଧାନସଭା ଉପ ନିର୍ବାଚନ ବ୍ୟତୀତ ଅନ୍ୟ ନିର୍ବାଚନ ଓ ଉପ ନିର୍ବାଚନରେ ଦଳ ତାହାର ଯାଦୁ ଦେଖାଇ ଥିଲା । ପୌର ଓ ପଂଚାୟତ ନିର୍ବାଚନରେ ଦଳ ବିରୋଧୀଙ୍କୁ ମୂଳପୋଛ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଓଡ଼ିଶାବାସୀଙ୍କ ଶ୍ରଦ୍ଧା ଅତୁଟ ଥିବା ପ୍ରମାଣିତ କରିଛି । ଧାମନଗର ବିଧାନସଭା ଉପ ନିର୍ବାଚନ କଥା ଭିନ୍ନ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ବାଲେଶ୍ୱର ଲୋକସଭା ଆସନ ସହ ଭଦ୍ରକ ଜିଲ୍ଲାର ଧାମନଗର ବିଧାନସଭା ଆସନ ମଧ୍ୟ ହାତଛଡା କରିଥିଲା । ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀ ବାଲେଶ୍ୱରରୁ ସାଂସଦ ଓ ବିଷ୍ଣୁ ସେଠୀ ଧାମନଗରରୁ ବିଧାୟକ ନିର୍ବାଚିତ ହୋଇଥିଲେ । ବିଷ୍ଣୁ ସେଠୀଙ୍କ ବିୟୋଗ କାରଣରୁ ନିକଟରେ ବିଧାନସଭା ଉପ ନିର୍ବାଚନ ହେଲା ଏବଂ ବିଜେପି ବିଷ୍ଣୁଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରି ‘ଅନୁକଂପା’ ଭୋଟ ସହାୟତାରେ ସେହି ଆସନ ହାତରେ ରଖିଲା । ପରବର୍ତ୍ତୀ ପଦ୍ମପୁର ବିଧାନସଭା ଉପ ନିର୍ବାଚନରେ ମଧ୍ୟ ସେହି ଅନୁକଂପା ସ୍ରୋତ ଦେଖିବାକୁ ମିଳିଥିଲା । ବିଜେଡ଼ି ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କ ମୃତ୍ୟୁକୁ ନେଇ ହୋଇଥିବା ପଦ୍ମପୁର ଉପ ନିର୍ବାଚନରେ ବିଜୟ ରଂଜନଙ୍କ କନ୍ୟା ବର୍ଷାରାଣୀ ସିଂହ ବରିହା ବିଜେଡ଼ିରୁ ପ୍ରାର୍ଥୀ ଥିଲେ ଓ ବାପାଙ୍କ ଠାରୁ ଅଧିକ ଭୋଟ ବ୍ୟବଧାନରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପଦ୍ମପୁରରେ ମଧ୍ୟ ‘ଅନୁକଂପା’ର ସ୍ରୋତ ଦେଖିବାକୁ ମିଳି ଥିଲା । ତେବେ, ନିର୍ବାଚନ ପରବିର୍ତ୍ତୀ ସମୟରେ ଦୁଇଟି ଗୁରୁତର ଅଭିଯୋଗ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଛି । ପ୍ରଥମ ଅଭିଯୋଗ ହେଉଛି, ଧାମନଗର ଉପ ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଚୟନରେ କିଛି ବିଜେଡ଼ି ନେତା ଅପରିଣାମଦର୍ଶୀ ନିଷ୍ପତ୍ତି ନେବା ଏବଂ ଦଳର ଅଭିଜ୍ଞ ନେତାଙ୍କୁ ଉପେକ୍ଷା କରି ନିଜ ଶିଂଗରେ ମାଟି ତାଡିବା ପ୍ରୟାସ କରିବା । ଫଳ ହେଲା – ନିର୍ବାଚନ ମଇଦାନରେ ବିଜେଡ଼ିର ବିଦ୍ରୋହୀ ପ୍ରାର୍ଥୀ ରହିଲେ ଏବଂ ବିଜେପି ସେଥିରୁ ଭରପୁର ଫାଇଦା ନେଲା । ତେବେ, ବିଜେଡ଼ି ସଭାପତି ନବୀନ ପଟ୍ଟାନୟକ ପଦ୍ମପୁର ଉପ ନିର୍ବାଚନରେ ତାହା କରାଇ ଦେଲେ ନାହିଁ । ବର୍ଷାରାଣୀଙ୍କୁ ପ୍ରାର୍ଥୀ କରିବା ସହ ଦଳର ଅଭିଜ୍ଞ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦେଲେ ଓ ନିଜେ ଶେଷ ମୁହୂର୍ତ୍ତରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ତିନିଟି ସଭା କରି ବର୍ଷାଙ୍କୁ ବହୁ ଅଧିକ ଭୋଟ ବ୍ୟବଧାନରେ ଜାତାଇ ଆଣିବାରେ ସଫଳ ହେଲେ । ନବୀନଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ବିନା ଦଳ ଚାଲିବ ବୋଲି ଯେଉଁମାନେ ଧାରଣା ସୃଷ୍ଟି କରିବାକୁ ଉଦ୍ୟମ କରୁଥିଲେ ସେମାନେ ଧାମନଗର ପରାଜୟ ଓ ପଦ୍ମପୁର ବିଜୟ ପରେ ନିଜର ପାରିବା ପଣିଆକୁ ନେଇ ସଚେତ ଥିବେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଓଡ଼ିଶାରେ ନବୀନଙ୍କ ବିନା ବିଜେଡ଼ି ଅସ୍ତିତ୍ୱହୀନ । ନବୀନଙ୍କ ଅବର୍ତ୍ତମାନରେ ବିଜେଡ଼ି ନେତାଏ ଏକାଠି ରହି ପାରିବେ କି ନାହିଁ ଏବଂ ଦଳର ଭବିଷ୍ୟତ କଣ ହେବ (?) – ସେ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇ ଆସୁଛି । ଆଜି ଯେଉଁ ନେତାମାନେ ନବୀନଙ୍କୁ ନେଇ ଦଳରେ ଓ ସରକାରରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଛନ୍ତି ସେମାନଙ୍କୁ ନବୀନଙ୍କ ଅବର୍ତ୍ତମାନରେ ଓଡ଼ିଶାବାସୀ କେତେଦୂର ଗ୍ରହଣ କରିବେ, ତାହା ଆଜି ଦିନରେ ବଡ ପ୍ରଶ୍ନ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ବଂଚି ଥିବା ଯାଏଁ ରାଜ୍ୟରେ କଂଗ୍ରେସ ସଂଗଠନ ଦୃଶ୍ୟମାନ ଥିଲା । ଆଜି ଦଳ କେଉଁ ଅବସ୍ଥାରେ ପହଂଚିଛି ସମସ୍ତେ ଦେଖୁଛନ୍ତି । ବିଜେଡ଼ି ନେତାଏ ଏଥିରୁ କିଛି ଶିଖିବା ଉଚିତ । ଆଉ ଅର୍ଥ କାରବାର ଓ ଭୋଟ କିଣା ଅଭିଯୋଗ – ସବୁ ରାଜନୈତିକ ଦଳ ପଛରେ ଏଭଳି ଅଭିଯୋଗ ରହିଛି । ଏସବୁ କାରବାରରେ ବିଜେପି ବିଜେଡ଼ି ଠାରୁ କିଛି କମ୍ ନୁହେଁ – ଏହା ସମସ୍ତେ ଜାଣନ୍ତି । ଆଉ ନବୀନଙ୍କ ପରେ ବିଜେଡ଼ିର ନେତୃତ୍ୱ ପ୍ରସଙ୍ଗ…! କେହି କେହି ଜ୍ୟୋତିଷ ଗଣମାଧ୍ୟମରେ କହିଲେଣି, ଜଣେ ମହିଳା ନବୀନଙ୍କ ଉତ୍ତରାଧିକାରୀ ହେବେ । ସେ ମହିଳା ଜଣକ କିଏ ? ତାହା ନିୟୁତ ଡ଼ଲାର ପ୍ରଶ୍ନ ।
ବିଜେପିର ହୁଂକାର…
ଜାତୀୟ ରାଜନୀତିରେ ବିଜେପି ଗଲା ଆଠ ବର୍ଷ ହେଲା ଅପ୍ରତିଦ୍ୱନ୍ଦ୍ୱୀ ରହି ଆସିଛି । ଦେଶକୁ ‘କଂଗ୍ରେସ ମୁକ୍ତ’ କରିବାକୁ ୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଥିଲା । ମୋଦୀଙ୍କ ଶାସନରେ ଏହି ଲକ୍ଷ୍ୟ ହାସଲରେ ଅନେକ ସଫଳତା ମିଳିଛି । ୨୦୧୯ ସାଧାରଣ ନିର୍ବାଚନ ପରରୁ ଓଡ଼ିଶା ଏକପ୍ରକାର ‘କଂଗ୍ରେସ ମୁକ୍ତ’ ହୋଇ ସାରିଛି । ୧୪୭ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ମାତ୍ର ୯ ଜଣ କଂଗ୍ରେସ ବିଧାୟକ ଅଛନ୍ତି । ଏହି ବିଧାୟକମାନେ ପ୍ରତି କଥାରେ ନିଜ ଭିତରେ କଳିଗୋଳ ଲାଗିବା ସହ ଦଳର ନେତୃତ୍ୱକୁ ସର୍ବସାଧାରଣରେ ଲୋକହସା କରିବାକୁ ପଛାଉ ନାହାନ୍ତି । ବିଭିନ୍ନ ନିର୍ବାଚନ, ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀମାନେ ଯେଭଳି ଅମାନତ ହରାଉଛନ୍ତି ୨୦୨୪ ବେଳକୁ ରାଜ୍ୟରେ କଂଗ୍ରେସର ସ୍ଥିତି କଣ ଥିବ, ସେ ନେଇ ଅନେକଙ୍କ ସନ୍ଦେହ ରହିଛି । ୨୦୧୯ ନିର୍ବାଚନରେ ବିଜେପି ୧୨୦ ଆସନ ଲକ୍ଷ୍ୟ ରଖି ୨୩ଟିରେ ବିଜୟୀ ହୋଇଥିଲା । ବିଧାନସଭାରେ ସଂଖ୍ୟା ନଥିଲେ ମଧ୍ୟ ବିଜେପି ମୁଖ୍ୟ ବିରୋଧୀ ଦଳ ରହିଛି । ଓଡ଼ିଶାକୁ ‘ବିଜେଡ଼ି ମୁକ୍ତ’ କରିବାକୁ ବିଜେପିର ରାଷ୍ଟ୍ରୀୟ ଓ ରାଜ୍ୟ ନେତୃବର୍ଗ ହୁଂକାର ଦେଉଛନ୍ତି ଓ ୨୦୨୪ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ନିକଟରେ ବିଜେପି ରାଷ୍ଟ୍ରୀୟ ସଭାପତି ଡକ୍ଟର ଜେ.ପି.ନଡ୍ଡା ଦିନକ ପାଇଁ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଓ ବିଜେଡ଼ିକୁ ଯେଭଳି ସମାଲୋଚନା କରିଛନ୍ତି ଓ ପ୍ରଶ୍ନବାଣରେ ଛନ୍ଦିଛନ୍ତି ତାହା ସାମୟିକ ଭାବେ ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଥିଲେ ମଧ୍ୟ ୨୦୨୪ ସାଧାରଣ ନିର୍ବାଚନରେ କ୍ଷମତାକୁ ଆସିବା ଭଳି ସାମାନ୍ୟତମ ସମ୍ଭାବନା ସୃଷ୍ଟି କରି ନାହିଁ । ଶ୍ରୀମନ୍ଦିର ରତ୍ନ ଭଂଡାର ଚାବି କୁଆଡେ ଗଲା (?), ନବୀନ ବାବୁ ନକଲି ଚାବି ଧରି ବୁଲୁଛନ୍ତି କି (?) ବୋଲି ନଡ୍ଡାଜୀ ସଭା ମଂଚରୁ ଯେଉଁ ପ୍ରଶ୍ନ କରିଥିଲେ ତାହା ‘ଘୋଷା ପାଠ’ ପରି ଲାଗୁ ଥିଲା । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ପ୍ରହଲ୍ଲାଦ ଯୋଶୀ ମଧ୍ୟ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଓ ବିଜେଡ଼ି ସରକାରକୁ କଠୋର ସମାଲୋଚନା କରି ଦଳ ୨୦୨୪ରେ ‘ଓଡ଼ିଶା ଦଖଲ’ କରିବା ନିଶ୍ଚିତ ବୋଲି ଘୋଷଣା କରିଥିଲେ । ଅନେକ ଏହାକୁ ବିଜେପିର ‘ଦିବାସ୍ୱପ୍ନ’ ବୋଲି କହୁଛନ୍ତି । ନବୀନ ବିଜେଡ଼ି ନେତା ଥିବା ଯାଏଁ ଓଡ଼ିଶା ମାଟିରେ ବିଜେପି ଉଧେଇବା କଷ୍ଟ । ନିକଟରେ ଜଣେ ବଂଧୁଙ୍କ ଲଘୁ ପରିହାସ ଥିଲା – ବିଜେପି ‘କଂଗ୍ରେସ ମୁକ୍ତ’ ଭାରତ ଚାହୁଁ ଥିଲା, ନବୀନ ବାବୁ ଓଡ଼ିଶାକୁ ‘କଂଗ୍ରେସ ମୁକ୍ତ’ କରି ସାରିଛନ୍ତି । ଏବେ, ବିଜେପି କହୁଛି ‘ବିଜେଡ଼ି ମୁକ୍ତ’ ଓଡ଼ିଶା । ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଓଡ଼ିଶାବାସୀ ଚାହିଁଲେ ତ !
୨୦୨୩, ସବୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ …
୨୦୨୦ ଓ ୨୦୨୧ ବର୍ଷ ସମଗ୍ର ବିଶ୍ୱ ସହ ଓଡ଼ିଶାବାସୀ କୋଭିଡ଼ ମହାମାରୀ ବିରୋଧୀ ଲଢେଇରେ ଥିଲେ । ‘ଲକ୍ ଡାଉନ୍’, ‘ସଟ୍ ଡାଉନ୍’ ଏକପ୍ରକାର ଦେହସୁହା ହୋଇଥିଲା । ପୁରୀ ଶ୍ରୀମନ୍ଦିରରୁ ଆରମ୍ଭ କରି ସବୁ ଛୋଟ ବଡ ମନ୍ଦିର ଦୁଆର ସାଧାରଣ ଦର୍ଶନ ପାଇଁ ବନ୍ଦ ରହି ଥିଲା । ଅସଂଖ୍ୟ ଲୋକ ରୋଜଗାର ହରାଇ ହତାଶାରେ ଦିନ କାଟୁଥିଲେ । ୨୦୨୨ ପ୍ରାରମ୍ଭରେ କୋଭିଡ଼ ଟିକା ଆସିଲା । ଦୁଇ ଡୋଜ୍ ଓ ପରେ ବୁଷ୍ଟର ଡୋଜ୍ ଟିକା ଜନସାଧରଣରେ ଆତ୍ମବିଶ୍ୱାସ ସଂଚାର କଲା । କୋଭିଡ଼ ମହାମାରୀର ପ୍ରକୋପ କମିବା ପରେ ମହାମାରୀ କଟକଣା ଉଠିଲା ଏବଂ ଜୀବନଯାତ୍ରା ସ୍ୱାଭାବିକ ହେଲା । ବର୍ଷ ପ୍ରାରମ୍ଭରୁ କୋଭିଡ଼ ଭୟ ଦୂର ହେବା ସହ ସବୁ କିଛି ସ୍ୱାଭାବିକ ହେଉଥିବା ଦେଖି ସମସ୍ତେ ଆଶ୍ୱସ୍ତ ଥିଲେ । କିନ୍ତୁ, ବର୍ଷ ଶେଷ ଆଡକୁ ଚୀନ ସମତେ ବିଭିନ୍ନ ରାଷ୍ଟ୍ରରେ ଯେଭଳି ନୂଆ ରୂପରେ କରୋନା ସଂକ୍ରମଣ ଦେଖା ଦେଇଛି ତାହାର ପ୍ରଭାବ ଭାରତ ବା ଓଡ଼ିଶାରେ ଏପର୍ଯ୍ୟନ୍ତ ଅନୁଭବ ହୋଇ ନଥିଲେ ମଧ୍ୟ ସତର୍କ ଘଂଟି ବାଜିଲାଣି । ୨୦୨୩ ବର୍ଷ ପୁଣି ଥରେ ‘କୋଭିଡ଼ ବର୍ଷ’ ହେବାକୁ ଯାଉନି ତ ? ଏଭଳି ଏକ ଆଶଙ୍କା ଭିତରେ ୨୦୨୨ର ବିଦାୟ ଓ ୨୦୨୩ର ସ୍ୱାଗତ ଉତ୍ସବମାନ ଚାଲିଛି । ଲୋକଙ୍କ ମନରେ ଭୟ ଜାଗ୍ରତ ହେଲାଣି ସତ, କିନ୍ତୁ ବେପରୁଆ ମନୋଭାବ ଯାଇନି । କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ଼ ପ୍ରୋଟୋକଲ୍ ପାଳନ ପାଇଁ ପରାମର୍ଶ ଦେଉଛନ୍ତି ସିନା ସେଭଳି କିଛି କଡା କଟକଣା ଜାରି କରି ନାହାନ୍ତି । କର୍ଣ୍ଣାଟକରେ ଶିକ୍ଷାନୁଷ୍ଠାନ, ପ୍ରେକ୍ଷାଳୟ, ମାର୍କେଟ୍, ମଲ୍ ପ୍ରଭୃତିରେ ମାସ୍କ୍ ବାଧ୍ୟତାମୂଳକ କରାଯାଇଛି । ନୂଆ ବର୍ଷ ଉତ୍ସବକୁ ମଧ୍ୟ ରାତି ଗୋଟାଏ ଭିତରେ ସାରିବାକୁ ନିର୍ଦେଶନାମା ଜାରି ହୋଇଛି । ଓଡ଼ିଶାରେ ସେଭଳି କିଛି ହୋଇ ନାହିଁ । ରାଜ୍ୟରେ ଡିସେମ୍ବର ୩୦ ତାରିଖରୁ ପୁରୁଣା ବର୍ଷର ବିଦାୟ ଓ ନୂଆ ବର୍ଷର ସ୍ୱାଗତ ଆରମ୍ଭ ହୋଇଯାଇଛି । ଡିସେମ୍ବର ୨୫ରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଯେଭଳି ଭିଡ଼ ଲାଗି ରହିଛି ତାହା ଦେଖିଲେ କୋଭିଡ଼କୁ ନେଇ ଜନସାଧାରଣରେ ମୋଟେ ଚିନ୍ତା ନଥିବା ସ୍ପଷ୍ଟ ହେଉଛି । ୨୦୨୩ରେ ରାଜ୍ୟରେ ଆଗୁଆ ନିର୍ବାଚନ ସମ୍ଭାବନାକୁ ଦେଖି ରାଜନୈତିକ ଦଳଙ୍କ ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ ୨୦୨୩ରେ ନଅଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏଭଳି ପରିସ୍ଥିତିରେ କୋଭିଡ଼ ଅଣଦେଖା ହୋଇ ରାଜନୀତି ଜୋର୍ ଧରିବା ସ୍ୱାଭାବିକ । ଓଡ଼ିଶାରେ ଜାନୁୟାରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ହକି ବିଶ୍ୱ କପ୍ (ପୁରୁଷ) ଖେଳ ହେବାକୁ ଯାଉଛି । ରାଜ୍ୟ ସରକାର ନିଜେ ତାହାର ଆୟୋଜନ କରୁଛନ୍ତି । ଖେଳ ନସରିବା ଯାଏଁ କୌଣସି କଟକଣା ଲାଗୁ ହେବାର ନାହିଁ -ଏକଥା ରାଜ୍ୟବାସୀ ଭଲରେ ଜାଣନ୍ତି । ତେଣୁ, ବେପରୁଆପଣ ବଢୁଥିବା ସ୍ପଷ୍ଟ ଦିଶୁଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS