ଭାରତୀୟ କ୍ରିକେଟର୍ ରିଷଭ ପନ୍ଥ ଗୁରୁତର


ପ୍ରସାଦ ରାଓ
ଡିସେମ୍ବର ୩୦
ଭାରତୀୟ କ୍ରିକେଟ ଟିମର ଷ୍ଟାର୍ ୱିକେଟ-କିପର ଓ ବ୍ୟାଟର୍ ରିଷଭ ପନ୍ଥ ଆଜି ଭୋର ସମୟରେ ଡେହେରାଡୁନରୁ ପ୍ରାୟ ୯୦ କିମି ଦୂର ହରିଦ୍ୱାର ଜିଲ୍ଲା ନରସାନ ନିକଟରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖିନ ହୋଇ ଗୁରୁତର ଭାବେ ଆହତ ହୋଇଛନ୍ତି । ସେ ତାଙ୍କ ମର୍ସିିଡିଜ୍ ଜିଏଲଇ କାର୍ ନିଜେ ଚଳାଉ ଥିଲେ ଏବଂ ଦିଲ୍ଲୀରୁ ଉତ୍ତରାଖଣ୍ଡର ରୁରକିରେ ଥିବା ଘରକୁ ଫେରୁଥିଲେ । ଦିଲ୍ଲୀ-ହରିଦ୍ୱାର ହାଇୱେରେ ଏହି ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଗାଡିରେ ସେ ଏକୁଟିଆ ଥିଲେ ଏବଂ ଗାଡି ଚଳାଇବା ବେଳେ ଆଖି ପଡି ଯିବାରୁ ଗାଡି ହାଇୱେରେ ଗୋଟିଏ ଡ଼ିଭାଇଡର ରେଲିଂରେ ପିଟି ହୋଇ ବହୁ ଗଡା ଖାଇବା ପରେ ସେଥିରେ ନିଆଁ ଲାଗିଯାଇ ଥିଲା । ରିଷଭଙ୍କ କାର୍ ସଂପୂର୍ଣ୍ଣ ଜଳି ଯାଇଛି । ଦୁର୍ଘଟଣାର ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଅଂଚଳବାସୀ ଓ ପୁଲିସ ଘଟଣାସ୍ଥଳରେ ପହଂଚି ରିଷଭଙ୍କୁ ଗାଡିରୁ ଉଦ୍ଧାର କରିବା ସହ ନିକଟସ୍ଥ ହସପିଟାଲରେ ପହଂଚାଇ ଥିଲେ । ପରେ ତାଙ୍କୁ ଡେହେରାଡୁନର ଏକ ବଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ହରିଦ୍ୱାର (ଗ୍ରାମାଂଚଳ) ଏସପି ସ୍ୱପ୍ନ କିଶୋର ସିଂହ ଅନ୍ୟ ପୁଲିସ କର୍ମଚାରୀଙ୍କ ଘଟଣା ସ୍ଥଳରେ ପହଂଚି ଥଲେ । ପରେ, ଗଣମାଧ୍ୟମକୁ ସେ ଏହି ସୂଚନା ଦେଇଛନ୍ତି । ରିଷଭଙ୍କ ମଥା, ହାତ ଓ ଡାହାଣ ଗୋଡରେ ଗୁରୁତର ଆଘାତ ଲାଗିଛି । ଦୁର୍ଘଟଣାରେ ତାଙ୍କ କାର୍ ସଂପୂର୍ଣ୍ଣ ଜଳି ଯାଇଥିଲେ ମଧ୍ୟ ରିଷଭ ଭାଗ୍ୟବଶତଃ ବଂଚି ଯାଇଛନ୍ତି ଏବଂ କଥା କହି ପାରୁଛନ୍ତି ବୋଲି ପୁଲିସ କହିଛନ୍ତି । ଦୁର୍ଘଟଣା ଘଟିବା ବେଳେ ଜାତୀୟ ରାଜପଥରେ ମୋଟେ କୁହୁଡି ନଥିଲା । ଭୋର ସମୟ ହୋଇଥିବାରୁ ରିଷଭଙ୍କ ଆଖି ଲାଗି ଯିବାରୁ ଏହି ଦୁର୍ଘଟଣା ଘଟିଲା ବୋଲି ପୁଲିସ ଅନୁମାନ କରୁଥିବା ଜଣାପଡିଛି । ଜଳି ଯାଇଥିବା ଗାଡିକୁ ପୁଲିସ ଜବତ କରି ତଦନ୍ତ ଚଳାଇଛନ୍ତି । ଗାଡିର ସବୁ କିଛି ଜଳି ଯାଇଥିବାରୁ ଦୁର୍ଘଟଣା ବେଳେ ଗାଡିର ଏୟାରବ୍ୟାଗଗୁଡିକ ଖୋଲିଲା କି ନାହିଁ, ତାହା ଜାଣିବା ସମ୍ଭବ ହୋଇନାହିଁ । ଡେହେରାଡୁନର ମାକ୍ସ୍ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଳିଛି । ଶରୀରର ଆଭ୍ୟନ୍ତରୀଣରେ କିଛି କ୍ଷତି ହୋଇଛି କି ନାହିଁ ତାହାର ଯାଂଚ ଚାଲି ଥିବା ହସି୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ୨୫ ବର୍ଷ ବୟସ୍କ ରିଷଭଙ୍କ ମଥାରେ ଦୁଇଟି କ୍ଷତ ହୋଇଥିବା, ଡାହାଣ ଗୋଡର ଆଂଠୁ ଲିଗାମେଂଟ ଛିଡି ଥିବା ଏବଂ ଡାହାଣ ହାତ କଚଟି, କହୁଣି ଓ ପାଦରେ ଆଘାତ ଲାଗି ଥିବା ବିସିସିଆଇ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁୟାୟୀ ଦୃତବେଗରେ ଥିବା ରିଷଭଙ୍କ ମର୍ସିଡିଜ୍ କାର୍ ପ୍ରାୟ ୨୦୦ମିଟର ପର୍ଯ୍ୟନ୍ତ ଡିଭାଇଡର ରେଲିଂକୁ ଉଖାଡି ଦେଇ ଅପର ପଟକୁ ଓଲଟି ପଡିଥିଲା । ଦୁର୍ଘଟଣା ସମୟରେ ହରିୟାଣା ରୋଡେଓଜର ଏକ ବସ୍ ସେହି ରାସ୍ତରେ ଯାଉଥିଲା । ବସ୍ ଚାଳକ ସୁଶିଲ କୁମାର ଗାଡିକୁ ରୋକି ଅନ୍ୟମାନଙ୍କ ସହ ଦୁର୍ଘଟଣା ସ୍ଥଳକୁ ଯାଇଥିଲେ ଓ ରିଷଭଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇ ଥିଲେ । ସେ କ୍ରିକେଟ୍ ଦେଖୁ ନଥିବାରୁ ରିଷଭଙ୍କୁ ଉଦ୍ଧାର ସମୟରେ ଚିହ୍ନି ପାରି ନଥିଲେ ବୋଲି ସୁଶିଲ କୁମାର ଗଣମାଧ୍ୟମକୁ କହିଛନ୍ତି । ଦୁର୍ଘଟଣା ସମୟରେ ନିକଟରେ ଥିବା ଏକ ଡାଏରୀ ଫାର୍ମର ସଂଚାଳକ କୁଶଲବୀର ସିଂହ ମଧ୍ୟ ନିଜ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ରିଷଭ ଜଳନ୍ତା କାର ଭିତରୁ କୌଣସି ପ୍ରକାର ବାହାରି ଆସି ରାସ୍ତାରେ ପଡି ଯିବା ପରେ ଜଳନ୍ତା ଗାଡିରେ ବଡ ବିସ୍ଫୋରଣ ହୋଇଥିଲା ବୋଲି କୁହାଯାଉଛି । ରିଷଭ ତାଙ୍କ ମା’ଙ୍କୁ ଭେଟିବାକୁ ରୁରକି ଯାଉଥିଲେ । ଭୋର ଭୋର ଘରେ ପହଂଚି ମା’ଙ୍କୁ ସରପ୍ରାଇଜ୍ (ଚକିତ କରିବାକୁ) ଦେବାକୁ ଚାହୁଁ ଥିଲେ ମଧ୍ୟ ଦୁର୍ଘଟଣା ଯୋଗୁଁ ସେଥିରେ ସଫଳ ହୋଇ ନାହାନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS