ସମସ୍ତଙ୍କ ନଜର ଏବେ ୟୁପି ଉପରେ…
ପ୍ରସାଦ ରାଓ
ଡିସେମ୍ବର ୨୯
ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ’ ପୁନର୍ବାର ଜାନୁୟାରୀ ୩ ତାରିଖରୁ ଆରମ୍ଭ ହୋଉଛି । ୨୦୨୨ ସେପ୍ଟେମ୍ବର ୭ ତାରିଖ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ପଦଯାତ୍ରା ଜାନୁୟାରୀ ୩ରେ ୟୁପିରେ ପ୍ରବେଶ କରିବ । ପଦଯାତ୍ରା ଇତିମଧ୍ୟରେ ତାମିଲନାଡୁ, କେରଳ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତେଲେଂଗାନା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ହରିୟାଣା ପ୍ରଭୃତି ରାଜ୍ୟ ଅତିକ୍ରମ କରି ଡ଼ିସେମ୍ବର ୨୪ରେ ଦିଲ୍ଲୀରେ ପହଂଚି ଥିଲା । ଜାନୁୟାର ୩ରୁ ୟୁପି, ହରିୟାଣା ଓ ପଂଜାବ ଦେଇ ଜମ୍ମୁ-କଶ୍ମୀର ଯିବ । ପଦଯାତ୍ରୀ ଦଳ ୧୦ଟି ରାଜ୍ୟର ୨,୮୦୦ କିମିରୁ ଅଧିକ ରାସ୍ତା ଅତିକ୍ରମ କରି ଦିଲ୍ଲୀରେ ପହଂଚିବା ପରେ ବିଶ୍ରାମରେ ଅଛନ୍ତି ।
ପରିବାର ସଦସ୍ୟଙ୍କ ସହ ବଡଦିନ (ଖ୍ରୀଷ୍ଟମାସ) କଟାଇବାକୁ ହେଉ ବା ରାହୁଲଙ୍କ ଯାତ୍ରାରେ ଭାଗ ନେଇଥିବା କଂଗ୍ରେସ ନେତା ଓ କର୍ମୀଙ୍କୁ ବିଶ୍ରାମ ଦେବାକୁ ହେଉ, ଡିସେମ୍ବର ୨୫ରୁ ନଅ ଦିନ ଯାତ୍ରା ସ୍ଥଗିତ ରହିବା ପରେ ଜାନୁୟାରୀ ୩ରୁ ଆରମ୍ଭ ହେବ । ପଦଯାତ୍ରୀ ଦିଲ୍ଲୀରୁ ବାହାରି ୟୁପିରେ ପ୍ରବେଶ କରିବା ପରେ ସେଠାରୁ ହରିୟାଣା, ପଂଜାବ ଦେଇ ଜମ୍ମୁ-କଶ୍ମୀର ଯିବେ । ଏଭଳି ଏକ ଲମ୍ବା ପଦଯାତ୍ରା ଦିଲ୍ଲୀରେ ପହଂଚିବା ଯାଉଁ ନିର୍ବିବାଦୀୟ ଥିଲା । ପଦଯାତ୍ରା ସରି ଥିବା ରାଜ୍ୟମାନଙ୍କରେ ରାହୁଲଙ୍କ ସହ ବହୁ ସଂଖ୍ୟାରେ ସାଧାରଣ ଜନତା ଓ ଦଳୀୟ କର୍ମୀ ସାମିଲ ହୋଇଥିଲେ । ବିଭିନ୍ନ କ୍ଷେତ୍ର ଓ ବର୍ଗର ସେଲିବ୍ରିଟିମାନେ ମଧ୍ୟ ରାହୁଲଙ୍କ ପାଦରେ ପାଦ ମିଳାଇ ଚାଲିବା ଦୃଶ୍ୟ, ବିଶେଷକରି ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଲୋକପ୍ରିୟ କଳାକାରମାନେ ପଦଯାତ୍ରାରେ ସାମିଲ ହେବା ବିରୋଧୀଙ୍କୁ ଆଚମ୍ବିତ କରିଥିଲା । ଡିସେମ୍ବର ୨୪ ପୂର୍ବରୁ କିଛି କିଛି ସ୍ଥାନରେ ବା ରାଜ୍ୟରେ ରାହୁଲ ଦେଇଥିବା ରାଜନୈତିକ ମନ୍ତବ୍ୟ ବିବାଦର ଝଡ ସୃଷ୍ଟି କରିଥିଲା ସିନା ମୋଟାମୋଟି ଭାବେ ରାହୁଲଙ୍କ ପଦଯାତ୍ରା ତାଙ୍କ ବ୍ୟକ୍ତିତ୍ୱକୁ ନେଇ ଜନସାଧାରଣରେ ଥିବା ଭ୍ରମକୁ ଦୂର କରିବାରେ ଅନେକାଂଶରେ ସଫଳ ହୋଇଥିବା ଆଲୋଚନା ହେଉଛି ।
ଏହାଥିଲା ପ୍ରଥମ ପର୍ଯ୍ୟାୟ ‘ଭାରତ ଯୋଡୋ’ଯାତ୍ରା କଥା । ଜାନୁୟାରୀ ୩ରୁ ଆରମ୍ଭ ହେଉଥିବା ଯାତ୍ରାକୁ ନେଇ ରାଜନୈତିକ ଛକାପଂଝା ଆରମ୍ଭ ହୋଇସାରିଛି ଏବଂ ଅଣ-ବିଜେପି ବିରୋଧୀ ଦଳ ନେତାମାନେ ଏଥିରେ କେତେଦୂର ସାମିଲ ହେବେ ତାହା ଉପରେ ଦେଶବାସୀଙ୍କ ନଜର ରହିଛି । ବିଶେଷକରି, ବିଜେପିର କଟ୍ଟର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି (ସପା) ନେତା ଅଖିଳେଶ ଯାଦବଙ୍କ ଉପରେ ଦେଶବାସୀଙ୍କ ନଜର ରହିଛି । ରାହୁଲ ଗାନ୍ଧୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଯାୟୀ, ୩ ତାରିଖ ପଦଯାତ୍ରା ଦିଲ୍ଲୀରୁ ବାହାରି ଲୋନୀ ସୀମା ଦେଇ ଯୁପିର ଗାଜିଆବାଦ ଜିଲ୍ଲାରେ ପ୍ରବେଶ କରିବ । ରାହୁଲ ୪ ତାରିଖ ବାଗପାତ, ୫ ତାରିଖ ସାମଲି ଓ ୬ ତାରିଖ କାଇରନ ଜିଲ୍ଲାରେ ‘ଭାରତ ଯୋଡୋ’ ଯାତ୍ରା କରିବେ । ୟୁପିରେ ୪ ଦିନ ଧରି ପଦଯାତ୍ରା ଚାଲିବ । ରାହୁଲ ତିନିଟି ଜିଲ୍ଲାର ୧୧୦ କିମି ପଦଯାତ୍ରା କରିବା ପରେ ସୋନେପତ ଦେଇ ପୁନଃ ହରିୟାଣାର ପ୍ରବେଶ କରିବେ ଏବଂ ସେଠାରୁ ପଂଜାବ ଦେଇ ଜମ୍ମୁ-କଶ୍ମୀରରେ ଯାତ୍ରା ଶେଷ କରିବେ ।
ୟୁପି ପଦଯାତ୍ରା ପାଇଁ ଦିଲ୍ଲୀରେ ଗୁରୁବାର ଦିନ କଂଗ୍ରେସ ସମନ୍ୱୟ କମିଟି ବୈଠକ ବସି ରୂପରେଖ ପ୍ରସ୍ତୁତ ହୋଇଛି । ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ସମନ୍ୱୟ କମିଟି ଅଧ୍ୟକ୍ଷ ଅଛନ୍ତି । ତାଙ୍କ ନେତୃତ୍ୱରେ ‘ଆକ୍ସନ ପ୍ଲାନ’ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । କଂଗ୍ରେସ ପାଇଁ ଅନ୍ୟ ରାଜ୍ୟ ତୁଳନାରେ ୟୁପି ଅଧିକ ଗୁରୁତ୍ୱ ରଖୁଥିଲେ ମଧ୍ୟ ରାହୁଲ ରାଜ୍ୟରେ ମାତ୍ର ୪ ଦିନ ପଦଯାତ୍ରା କରିବାକୁ କାର୍ଯ୍ୟକ୍ରମ ରଖି ଥିବା ଅନେକଙ୍କୁ ବିସ୍ମିତ କରିଛି । ବିରୋଧୀଙ୍କ କହିବା ଅନୁଯାୟୀ, ରାଜ୍ୟରେ କଂଗ୍ରେସ ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ଥିବା ବେଳେ ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଗାତର ଦ୍ୱିତୀୟ ଥର ପାଇଁ ରାଜ୍ୟରେ କ୍ଷମତାକୁ ଫେରିଛନ୍ତି । ୟୁପିର ୮୦ଟି ଲୋକସଭା ଆସନରୁ ୬୨ଟି ବିଜେପି ହାତରେ ରହିଛି । ୨୦୧୯ ନିର୍ବାଚନରେ କଂଗ୍ରେସ ମାତ୍ର ଗୋଟିଏ ଲୋକସଭା ଆସନରେ ବିଜୟୀ ହୋଇଛି । ତାହା ମଧ୍ୟ ରାଏବରେଲିରୁ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଏବରେଲିରୁ ସାଂସଦ ଅଛନ୍ତି । ରାହୁଲ ଗାନ୍ଧୀ ନିଜେ ୨୦୧୯ ସାଧାରଣ ନିର୍ବାଚନରେ ୟୁପିର ଆମେଥି ଆସନରୁ ନିର୍ବାଚନ ଲଢି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କଠାରୁ ପରାଜିତ ହୋଇଥିଲେ ।
ରାହୁଲ ତାଙ୍କ ଦ୍ୱିତୀୟ ଆସନ କେରଳର ୱାଇନାଡରୁ ଏବେ ସାଂସଦ ଅଛନ୍ତି । ଭଉଣୀ ତଥା ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପି ଦାୟିତ୍ୱରେ ରହିଛନ୍ତି । ଗତ ବିଧାନସଭା ନିର୍ବାଚନରେ ପ୍ରିୟଙ୍କା କଂଗ୍ରେସରୁ ପ୍ରାର୍ଥୀ ନଥିଲେ ମଧ୍ୟ ୟୁପିରେ ଦଳର ପ୍ରଚାରର ମଂଗ ଧରି ଥିଲେ । କିନ୍ତୁ, ସଫଳତା ମିଳି ନାହିଁ । ୨୦୨୨ ବିଧାନସଭା ନିର୍ବାଚନରେ ରାଜ୍ୟର ୪୦୩ ଆସନରୁ ବିଜେପିକୁ ୨୫୫ ଆସନ ମିଳି ଥିବା ସମୟରେ ସମାଜବାଦୀ ପାର୍ଟି (ସପା)କୁ ୧୧୧ ଆସନ ଓ କଂଗ୍ରେସକୁ ମାତ୍ର ଦୁଇଟି ଆସନ ମିଳିଛି । ଦେଶର ସର୍ବାଧିକ ଲୋକସଭା ଆସନ ଥିବା ରାଜ୍ୟ (ୟୁପି)ରେ କଂଗ୍ରେସ ଚିନ୍ତାଜନକ ସ୍ଥିତିରେ ଥିଲେ ମଧ୍ୟ ରାହୁଲ ଗାନ୍ଧୀ ୭୫ଟି ଜିଲ୍ଲା ମଧ୍ୟରୁ ମାତ୍ର ତିନିଟି ଜିଲ୍ଲାରେ ତାହା ପଦଯାତ୍ରା ସୀମିତ ରଖିବା ରାଜନୈତିକ ବିଶ୍ଲେଷକଙ୍କୁ ଆଚମ୍ବିତ କରିଛି । ରାହୁଲ କେରଳରେ ୧୮ ଦିନ, କର୍ଣ୍ଣାଟକରେ ୨୧ ଦିନ, ମହାରାଷ୍ଟ୍ରରେ ୧୪ ଦିନ, ମଧ୍ୟ ପ୍ରଦେଶରେ ୧୬ ଦିନ, ରାଜସ୍ଥାନରେ ୧୮ ଦିନ ପଦଯାତ୍ରା କରିଥିଲେ ।
ୟୁପିରେ କଂଗ୍ରେସର ଅସ୍ତିତ୍ୱ ନଥିବାରୁ ପଦଯାତ୍ରାକୁ ଜନସମର୍ଥନ ମିଳିବନି । ସେହି ଭୟରେ ରାହୁଲ ତାଙ୍କ ପଦଯାତ୍ରାକୁ ୟୁପିର ୩ଟି ଜିଲ୍ଲାରେ ମାତ୍ର ଚାରି ଦିନ ମଧ୍ୟରେ ସୀମିତ ରଖି ଥିବା ବିଜେପି କହିଛି । ତେବେ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ରରେ ବିଜେପି ଶାସନ ଥାଇ ରାହୁଲଙ୍କ ପଦଯାତ୍ରାକୁ ଯଥେଷ୍ଟ ସମର୍ଥନ ମିଳିଛି । ତେଣୁ, ୟୁପିରେ ମଧ୍ୟ ସମର୍ଥନ ମିଳିବ । ପୂର୍ବ ପ୍ରସ୍ତୁତ ‘ରୁଟଚାଟ୍’ରେ ୟୁପି ପାଇଁ ମାତ୍ର ୪ ଦିନ ରହିଛି । ସେଥିରେ ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି କଂଗ୍ରେସ କହିଛି । ଏଠାରେ ସୂଚନାଯୋଗ୍ୟ ଯେ, ଦେଶର ୭ଟି ଦକ୍ଷିଣ ଭାରତୀୟ ରାଜ୍ୟ (ତାମିଲନାଡୁ, କର୍ଣ୍ଣାଟକ, କେରଳ, ଗୋଆ, ଆନ୍ଧ୍ର ପ୍ରଦେଶ, ତେଲେଂଗାନା ଓ ମହାରାଷ୍ଟ୍ର) ମଧ୍ୟରୁ ତିନିଟି ରାଜ୍ୟ (କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ର)ରେ ବିଜେପି ଶାସନ ରହିଛି । କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ରାହୁଲଙ୍କ ପଦଯାତ୍ରକୁ ବିଶେଷ ସମର୍ଥନ ମିଳିଛି । ୟୁପିରେ ମାତ୍ର ୪ ଦିନିଆ ପଦଯାତ୍ରା କାର୍ଯ୍ୟକ୍ରମ ଥିଲେ ମଧ୍ୟ କଂଗ୍ରେସ ବିଭିନ୍ନ ବିରୋଧୀ ରାଜନୈତିକ ଦଳ ନେତାଙ୍କୁ ସେଥିରେ ସାମିଲ କରିବାକୁ ଆମନ୍ତ୍ରଣ କରି ବିରୋଧୀ ଶିବିରରେ ହଇଚଇ ସୃଷ୍ଟି କରିଛି ।
ନିମନ୍ତ୍ରିତ ବିରୋଧୀ ନେତାଙ୍କ ମଧ୍ୟରେ ଅଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ, ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ, ସୁହେଲଦେବ ଭାରତ ସମାଜ ପାର୍ଟି (ଏସବିଏସପି) ମୁଖ୍ୟ ଓମ୍ ପ୍ରକାଶ ରାଜଭର, ଆରଏଲଡ଼ି (ରାଷ୍ଟ୍ରୀୟ ଲୋକଦଳ) ନେତା ଜୟନ୍ତ ଚୌଧୁରୀ, ସିପିଏମ ନେତା ସୀତାରାମ ୟେଚୁରୀ ପ୍ରମୁଖ । ଏହି ସବୁ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିବା କଂଗ୍ରେସ କହୁଥିବା ବେଳେ ସେଥିରୁ କିଛି ନିମନ୍ତ୍ରଣପତ୍ର ପାଇ ଥିବା ଏବଂ ଆଉ କିଛି ପାଇ ନଥିବା କହି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି । ଆରଏଲଡ଼ି ନେତା ଜୟନ୍ତ ଚୌଧୁରୀ ନିମନ୍ତ୍ରଣପତ୍ର ପାଇ ଥିଲେ ସୁଦ୍ଧା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଦୃଷ୍ଟିରୁ ପଦଯାତ୍ରାରେ ସାମିଲ ହେଉନଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ‘ସପା’ ମୁଖ୍ୟ ଅଖିଳେଶ ଯାଦବଙ୍କ ବୟାନ ବିଜେପି-ବିରୋଧୀ ମେଂଟ ଗଠନରେ ବଡ ପ୍ରତିବନ୍ଧକ ହେବା ଅନୁମାନ କରାଯାଉଛି ।
ଅଖିଳେଶ କହିଛନ୍ତି, ତାଙ୍କୁ ନିମନ୍ତ୍ରଣପତ୍ର ମିଳି ନାହିଁ । ମିଳିଲେ ସେ ବିଚାର କରିବେ । ତେବେ, କଂଗ୍ରେସ ଓ ବିଜେପିର ନୀତିରେ କିଛି ଫରକ ନାହିଁ କହି ସେ ରାହୁଲଙ୍କ ପଦଯାତ୍ରାରୁ ‘ସପା’ ଦୂରେଇ ରହିବାର ସୂଚନା ଦେଇଛନ୍ତି । ‘ସପା’ ହେଉଛି ରାଜ୍ୟର ମୁଖ ବିରୋଧୀ ଦଳ । ୟୁପି ବିଧାନସଭାରେ ‘ସପା’ର ୧୧୧ ବିଧାୟକ ଓ ସଂସଦରେ ୫ ସାଂସଦ ଅଛନ୍ତି । ବିଏଲଡି ନେତା ଜୟନ୍ତ ଚୌଧୁରୀ ୟୁପିରେ ‘ସପା’ ସହ ମେଂଟରେ ରହିଛନ୍ତି । ତେଣୁ, ଅଖିଳେଶ ଓ ଜୟନ୍ତ ଚୌଧୁରୀ ଏହି ପଦଯାତ୍ରାରେ ସାମିଲ ହେବା ସମ୍ଭାବନା କ୍ଷୀଣ । ବିଏସପି ନେତ୍ରୀ ମାୟାବତୀଙ୍କ ରାଜନୀତି ସର୍ବଦା ରହସ୍ୟମୟ । ତେଣୁ, ସେ ରାହୁଲଙ୍କ ପଦଯାତ୍ରାକୁ ନେଇ କଣ ବିଚାର କରୁଛନ୍ତି କହିବା କଠିନ । ବିଭିନ୍ନ ବିରୋଧୀ ରାଜନୈତିକ ଦଳ ବିଭିନ୍ନ କାରଣ ଦର୍ଶାଇ ରାହୁଲଙ୍କ ପଦଯାତ୍ରାରୁ ଦୂରେଇ ରହିବାର ସୂଚନା ଦେଉଥିଲେ ମଧ୍ୟ କଂଗ୍ରେସ ଆଶା ଛାଡି ନାହିଁ ।
‘ଏତେଶୀଘ୍ର କୌଣସି ସିଦ୍ଧାନ୍ତରେ ପହଂଚିବା ଉଚିତ ନୁହେଁ । ଦେଖିବା କେଉଁମାନେ ପଦଯାତ୍ରାରେ ଯୋଗ ଦେବେ ଓ କେଉଁମାନେ ନାହିଁ’ । ଏହା ହେଉଛି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କ ମନ୍ତବ୍ୟ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗତକାଲି ସେ ଏହା କହିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ମେଂଟ ଗଠନ ହେଲେ ରାହୁଲ ତାହାର ନେତୃତ୍ୱ ନେବାକୁ ଏଭଳି କସରତ ଚଳାଇଛନ୍ତି ବୋଲି ବିରୋଧୀ ଦଳମାନେ ସନ୍ଦେହ କରୁଥିବା ବେଳେ ଜୟରାମ ରମେଶ କହିଛନ୍ତି, ୨୦୨୪ରେ ପ୍ରସ୍ତାବିତ ବିରୋଧୀ ମେଂଟ ନେତୃତ୍ୱ ସହ ରାହୁଲଙ୍କ ‘ଭାରତ ଯୋଡୋ’ର କିଛି ସଂପର୍କ ନାହିଁ । କଂଗ୍ରେସ ୨୦୨୪ ନିର୍ବାଚନ ପାଇଁ ରାହୁଲଙ୍କୁ ବିରୋଧୀ ମେଂଟର ମୁହଁ ଭାବେ ଉପସ୍ଥାପନ କରିବାକୁ କଂଗ୍ରେସ ଚାହୁଁନି । ‘ଆମେ ହଠାତ୍ ୨୦୨୪କୁ ଡ଼ିଆଁ ମାରିବାକୁ ଚହୁଁନୁ, କିନ୍ତୁ ଏକ ଦୁର୍ବଳ କଂଗ୍ରେସ ବିରୋଧୀ ଏକତାର ମେରୁଦଣ୍ଡ ହେବା ସମ୍ଭବ ନୁହେଁ । ତେଣୁ, ଆମେ ଦଳକୁ ସୁଦୃଢ କରିବାକୁ ଚାହୁଁଛୁ’ ବୋଲି ସେ ଗଣାମଧ୍ୟମରେ ବିବୃତି ରଖିଛନ୍ତି ।
ତେବେ, ଅଣ-ବିଜେପି ରାଜନୈତିକ ଦଳ ନେତାମାନେ ଏହାକୁ ବିଶ୍ୱାସକୁ ନେଉ ନାହାନ୍ତି । ‘ଭାରତ ଯୋଡୋ’ ଯାତ୍ରାରେ ରାହୁଲଙ୍କ ସହ ସାମିଲ ହେବା ଅର୍ଥ ୨୦୨୪ରେ ପ୍ରସ୍ତାବିତ ବିରୋଧୀ ମେଂଟର ନେତା ଭାବେ ତାଙ୍କୁ ମାନି ନେବା । ଅଧିକାଂଶ ଅଣ-ବିଜେପି ନେତା ଏଭଳି ଭାବୁ ଥିବାରୁ ୟୁପିରେ ରାହୁଲଙ୍କ ପଦଯାତ୍ରାରେ ସାମିଲ ହେବାକୁ କଂଗ୍ରେସର ନିମନ୍ତ୍ରଣକୁ ସେମାନେ ପ୍ରତ୍ୟାଖାନ କରୁଥିବା ଅନୁମାନ କରାଯାଉଛି । ୟୁପି ପଦଯାତ୍ରାରେ ସାମିଲ ହେବାକୁ କଂଗ୍ରେସ ୫ ଲକ୍ଷରୁ ଅଧିକ ନିମନ୍ତ୍ରଣପତ୍ର ୟୁପିର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା (ବିଜେପି)ଙ୍କୁ ମଧ୍ୟ ନିମନ୍ତ୍ରଣପତ୍ର ଯାଇଛି । ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବେ ସେ ନିମନ୍ତ୍ରଣ ପାଇଥିଲେ ମଧ୍ୟ ୨୭ ତାରିଖ ଦିନ ତାହାକୁ ପ୍ରତ୍ୟାଖାନ କରିଛନ୍ତି । ଓଲଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶକୁ ଯୋଡିବା ଯାତ୍ରାରେ ରାହୁଲ ନିଜକୁ ସାମିଲ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।
ଜାନୁୟାରୀ ୩ରୁ ଆରମ୍ଭ ହେବାକୁ ଥିବା ରାହୁଲଙ୍କ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରାରେ କେଉଁମାନେ ଯୋଗ ଦେବେ, କେଉଁମାନେ ନାହିଁ – ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ । ତେବେ, ୟୁପି, ପଂଜାବ ଓ ଜମ୍ମୁ-କଶ୍ମୀର ଅତ୍ୟନ୍ତ ସ୍ପର୍ଶକାତର ରାଜ୍ୟ ହୋଇ ଥିବାରୁ ରାହୁଲଙ୍କ ସୁରକ୍ଷା ନେଇ କଂଗ୍ରେସ ଚିନ୍ତିତ ଥିବା ଜଣାପଡିଛି । ରାହୁଲଙ୍କ ପଦଯାତ୍ରା ଡିସେମ୍ବର ୨୪ରେ ଦିଲ୍ଲୀରେ ପହଂଚିବା ପରେ ବ୍ୟାପକ ସୁରକ୍ଷା ତୃଟି ହୋଇଥିବା କଂଗ୍ରେସ ସାଧାରଣ ସଂପାଦକ କେ.ସି.ବେଣୁଗୋପାଳ ବୁଧବାର ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି । ଜେଡ଼-ପ୍ଲସ୍ ସୁରକ୍ଷା ବଳୟରେ ଥିବା ରାହୁଲଙ୍କ ପ୍ରତି ଦିଲ୍ଲୀ ପୁଲିସର ଉଦାସୀନ ପାଇଁ ସେ ସରକାରଙ୍କୁ ଦାୟୀ କରିଛନ୍ତି ।
ଦେଶର ଏକତା ଓ ଅଖଣ୍ଡତା ପାଇଁ କଂଗ୍ରେସର ଦୁଇ ଜଣ ପ୍ରଧାନମନ୍ତ୍ରୀ ଇନ୍ଦିରା ଓ ରାଜୀବ ଗାନ୍ଧୀ ଜୀବନ ଉତ୍ସର୍ଗ କରିଥିବା ଦର୍ଶାଇ କେନ୍ଦ୍ର ସରକାର ଆକ୍ରୋଶ ରାଜନୀତିରୁ ଦୂରେଇ ରାହୁଲଙ୍କୁ ସୁରକ୍ଷା ଦେବାକୁ ଏବଂ ‘ଭାରତ ଯୋଡୋ’ ଯାତ୍ରାରେ ସ୍ୱତଃ ସାମିଲ ହେଉଥିବା ପ୍ରତିଷ୍ଠିତ ଲୋକଙ୍କ ଗୁଇନ୍ଦାଗିରି ନ କରିବାକୁ ବେଣୁଗୋପାଳ ଅନୁରୋଧ କରିଛନ୍ତି । ଆଇବି (ଗୁଇନ୍ଦା ବିଭାଗ) କର୍ମଚାରୀ ଏଭଳି ଗୁଇନ୍ଦାଗିରି କରୁଥିବା କଂଗ୍ରେସ ପକ୍ଷରୁ ଗତ ୨୩ ତାରିଖ ଦିନ ହରିୟାଣାର ସୋହନା ସିଟି ଥାନାରେ ଏତଲା ହୋଇଛି । ୟୁପି, ପଂଜାବ ଓ ଜମ୍ମୁ-କଶ୍ମୀରରେ ଗୃହ ମନ୍ତ୍ରଣାଳୟ କି ପଦକ୍ଷେପ ନେବ ତାହା ଦେଖିବା ସମୟ ଆସିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS