ଯୋଗୀଙ୍କୁ ଝଟକା, ପୌର ନିର୍ବାଚନରେ ଓବିସିଙ୍କ ପାଇଁ ସଂରକ୍ଷଣ ବିଜ୍ଞପ୍ତି ହାଇକୋର୍ଟରେ ଖାରଜ
ପ୍ରସାଦ ରାଓ
ଡିସେମ୍ବର ୨୭
ଉତ୍ତର ପ୍ରଦେଶ ପୌର ନିର୍ବାଚନରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନରଖି ନିର୍ବାଚନ କରାଇବାକୁ ଆଲହାବାଦ ହାଇକୋର୍ଟ ଲକ୍ଷ୍ନୌ ବେଂଚ୍ ର ଏକ ଡିଭିଜନ ବେଂଚ ଆଜି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ପୌର ନିର୍ବାଚନରେ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଡିସେମ୍ବର ୫ ତାରିଖ ଦିନ ଯେଉଁ ଚିଠା ବିଜ୍ଞପ୍ତି ପ୍ରକାଶ କରିଛନ୍ତି ତାହାକୁ କୋର୍ଟ ଖାରଜ କରିଦେଇଛନ୍ତି । ଆଲହାବାଦ ହାଇକୋର୍ଟ ଲକ୍ଷ୍ନୌ ବେଂଚ୍ ବିଚାରପତି ଜଷ୍ଟିସ ଡ଼ି.କେ.ଉପାଧ୍ୟାୟ ଓ ଜଷ୍ଟିସ ସୌରଭ ଲାବାନିଆଙ୍କୁ ନେଇ ଗଠିତ ଡ଼ିଭିଜନ ବେଂଚ୍ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଚିଠା ବିଜ୍ଞପ୍ତିକୁ ବିରୋଧ କରି ଅଦାଲତରେ ହୋଇଥିବା ଜନସ୍ୱାର୍ଥ ମାମଲାଗୁଡିକର ବିଚାର କରି ଆଜି ଏଭଳି ନିର୍ଦେଶ ଦେଇଥିବା ଜଣାପଡିଛି । ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନରଖି ରାଜ୍ୟ ସରକାର ସହରାଂଚଳ ନିର୍ବାଚନ କରାଇବାକୁ ଡିଭିଜନ ବେଂଚ୍ ନିର୍ଦେଶ ଦେଇଛନ୍ତି । ଡିସେମ୍ବର ୫ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ପୌରାଂଚଳ ନିର୍ବାଚନ ସଂପର୍କିତ ଚିଠା ବିଜ୍ଞପ୍ତିରେ ସୁପ୍ରିମ କୋର୍ଟଙ୍କ ତିନି ଥାକିଆ ଯାଂଚ ଫର୍ମୁଲାକୁ ଅଣଦେଖା କରାଯାଇଥିବା ଆବେଦନକାରୀମାନେ ଅଭିଯୋଗ କରିଥିଲେ । ପୌର ନିର୍ବାଚନରେ ଓବିସି (ଅନ୍ୟ ପଛୁଆ ବର୍ଗ)ଙ୍କ ପାଇଁ ସ୍ଥାନ ସଂରକ୍ଷଣ ପୂର୍ବରୁ ସେମାନେ ରାଜନୈତିକ ଦୃଷ୍ଟିରୁ କେତେଦୂର ପଛୁଆ ଅନୁଧ୍ୟାନ କରିବାକୁ ଏକ ଉତ୍ସର୍ଗିକୃତ କମିଶନ ଗଠନ କରାଯିବା ସୁପ୍ରିମ କୋର୍ଟଙ୍କ ଫର୍ମୁଲା ବା ନିର୍ଦେଶ ଥିଲା । କିନ୍ତୁ, ଯୋଗୀ ଆଦିତ୍ୟନାଥ ସରକାର ଏହି ଫର୍ମୁଲାକୁ ଅନୁସରଣ ନକରି ମନମୁଖୀ ଭାବେ ଚିଠା ବିଜ୍ଞପ୍ତି ପ୍ରକାଶ କରିଛନ୍ତି ବୋଲି ଆବେଦନକାରୀମାନେ ଦର୍ଶାଇ ଥିଲେ । ରାଜ୍ୟ ସରକାରଙ୍କ ଯୁକ୍ତି ଥିଲା, ପୌର ନିର୍ବାଚନରେ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ପାଇଁ ସରକାର ଚିଠା ବିଜ୍ଞପ୍ତି ପ୍ରକାଶ କରିବା ପୂର୍ବରୁ ଏହି ପ୍ରସଙ୍ଗରେ ବ୍ୟାପକ ସର୍ବେକ୍ଷଣ କରାଇଛନ୍ତି, ଯହାକି ସୁପ୍ରିମ କୋର୍ଟଙ୍କ ତ୍ରିପଲ ଟେଷ୍ଟ ଫର୍ମୁଲା ସହ ପ୍ରାୟତଃ ମେଳ ଖାଉଛି । ଆଲହାବାଦ ହାଇକୋର୍ଟ ଲକ୍ଷ୍ନୌ ବେଂଚ୍ ଶନିବାର ଦିନ ଏହା ଉପରେ ଶୁଣାଣୀ ଶେଷ କରିଥିଲେ । ରାଜ୍ୟ ସରକାର ଚଳିତ ମାସ ପ୍ରାରମ୍ଭରେ ୧୭ଟି ମୁନସିପାଲ କର୍ପୋରେସନର ମେୟର, ୨୦୦ ମୁନିସପାଲ କାଉନସିଲ୍ ଓ ୫୪୫ଟି ନଗର ପଂଚାୟତର ଅଧ୍ୟକ୍ଷ ପଦ ସଂରକ୍ଷିତ ରଖି ଏକ ପ୍ରାଥମିକ ଚିଠା ତାଲିକା ପ୍ରକାଶ କରିଥିଲେ । କାହାର କିଛି ଅଭିଯୋଗ ଥିଲେ ସାତ ଦିନ ମଧ୍ୟରେ ତାହା ଦାଖଲ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଡିସେମ୍ବର ୫ ତାରିଖ ପ୍ରକାଶିତ ଚିଠା ବିଜ୍ଞପ୍ତିରେ ୪ଟି ମେୟର ପଦବୀ (ଆଲିଗଡ଼, ମଥୁରା-ବୃନ୍ଦାବନ, ମିରଟ ଓ ପ୍ରୟାଗରାଜ) ଓବିସି ପାଇଁ ସଂରକ୍ଷିତ ଥିଲା । ଏହାଛଡା, ୨୦୦ ମୁନସିପାଲ କାଉନସିଲରୁ ୫୪ଟି ଓ ୫୪୫ଟି ନଗର ପଂଚାୟତରୁ ୧୪୭ଟିର ଅଧ୍ୟକ୍ଷ ପଦ ଓବିସି ବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଥିଲା । ଆଲହାବାଦ ହାଇକୋର୍ଟ ଲକ୍ଷ୍ନୌ ବେଂଚ୍ ଆଜି ଓବିସିଙ୍କ ସରକାର ଜାରି କରିଥିବା ସଂରକ୍ଷଣକୁ ଖାରଜ କରି ଦେବା ପରେ ୟୁପିରେ ରାଜନୀତି ଜୋର ଧରିଛି । ଅନ୍ୟ ପଛୁଆ ବର୍ଗଙ୍କୁ ସଂରକ୍ଷରୁ ବଂଚିତ କରିବା ପାଇଁ ରାଜ୍ୟ ବିଜେପି ସରକାରଙ୍କ ଏହା ଏକ ଷଡଯନ୍ତ୍ର ବୋଲି ସମାଜବାଦୀ ପାର୍ଟିର ମୁଖପାତ୍ର ସୁନିଲ ସିଂହ ସାଜନ ଅଭିଯୋଗ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS