ପଛକୁ ହଟିଲା ବିଜେପି, ରେଖା ଗୁପ୍ତା ହେଲେ ଦଳର ମେୟର ପ୍ରାର୍ଥୀ


ପ୍ରସାଦ ରାଓ
ଡିସେମ୍ବର ୨୭
ଜାନୁୟାରୀ ୬ ତାରିଖରେ ହେବାକୁ ଥିବା ଦିଲ୍ଲୀ ମହାନଗର ନିଗମ (ଏମସିଡି) ମେୟର ନିର୍ବାଚନରେ ବିଜେପି ଦେବ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲା । ତେବେ, ସେଥିରୁ ପଛକୁ ହଟିଛି । ଦିଲ୍ଲୀର ସାଲିମାର ବାଗ କାଉନସିଲର୍ ରେଖା ଗୁପ୍ତା ଦଳର ମେୟର ପ୍ରାର୍ଥୀ ହେଉଥିବା ଆଜି ଘୋଷଣା କରାଯାଇଛି । ଦିଲ୍ଲୀ ବିଜେପି ଆଇଟି ସେଲ୍ ମୁଖ୍ୟ ହରିଶ ଖୁରାନା ଏହି ଘୋଷଣା କରିଛନ୍ତି । ବିଜେପିର ଅନ୍ୟତମ କାଉନସିଲର୍ କମଲ ବାଗ୍ରୀଙ୍କ ନାମ ଡ଼େପୁଟୀ ମେୟର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଡିସେମ୍ବର ୪ ତାରିଖରେ ହୋଇଥିବା ୨୫୦ ୱାର୍ଡ ବିଶିଷ୍ଟ ଦିଲ୍ଲୀ ଏମସିଡି (ମହାନଗର ନିଗମ) ନିର୍ବାଚନରେ ମତାଦାତ ‘ଆମ୍ ଆଦମୀ ପାର୍ଟି’କୁ ସର୍ବାଧିକ ୧୩୪ ଆସନରେ ବିଜୟର କରାଇ ୧୫ ବର୍ଷର ବିଜେପି କାଉନସିଲକୁ କ୍ଷମତାଚ୍ୟୁତ କରିଥିଲେ । ତଥାପି, ବିଜେପି ୧୦୪ଟି ଆସନରେ ବିଜୟ ହାସଲ କରି ‘ଆପ୍’ପଛକୁ ଦ୍ୱିତୀୟ ବୃହତ୍ ଦଳ ରହିଛି । ନିର୍ବାଚନରେ କଂଗ୍ରେସକୁ ମାତ୍ର ୯ଟି ଆସନ ମିଳିଛି । ମୁଣ୍ଡକାର ନିର୍ଦ୍ଦଳୀୟ କାଉନସିଲର ଗଜେନ୍ଦ୍ର ଦରାଲଙ୍କୁ ବିଜେପି ଗତକାଲି ଦଳରେ ସାମିଲ କରାଇ ଏମସିଡିରେ ତାହାର ସଂଖ୍ୟା ୧୦୫କୁ ବୃଦ୍ଧି କରିବା ପରେ ମେୟର ନିର୍ବାଚନରେ ଭାଗ ନେବାର ସମ୍ଭାବନା ସୃଷ୍ଟି ହୋଇଥିଲା । ପୂର୍ବରୁ ବିଜେପି କହିଥିଲା, ଯେହେତୁ ଦିଲ୍ଲୀ ଏମସିଡି ଅଧିବାସୀ ‘ଆମ୍ ଆଦମୀ ପାର୍ଟି’ (ଆପ୍)କୁ ବହୁମତ ଦେଇଛନ୍ତି ବିଜେପି ତାହାକୁ ସମ୍ମାନ ଜଣାଇ ମେୟର ନିର୍ବାଚନରୁ ଦୂରେଇ ରହିବ । କିନ୍ତୁ, କ୍ଷମତା ଲୋଭ ବିଜେପିକୁ ମେୟର ନିର୍ବାଚନକୁ ଟାଣି ଆଣିଛି । ‘ଆପ୍’ର ମେୟର ପ୍ରାର୍ଥୀ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ପୂର୍ବତନ ସହକାରୀ ପ୍ରଫେସର ଶେଲ୍ଲୀ ଓବେରଏ ଓ ଡେପୁଟୀ ମେୟର ପ୍ରାର୍ଥୀ ଆଲେ ମହମ୍ମଦ ଇକବଲ ନିମାଙ୍କନପତ୍ର ଦାଖଲ କରି ସାରିବା ପରେ ବିଜେପି ତାହାର ତାସମୁଠା ଖୋଲିଛି । ପ୍ରଥମେ ଅନୁମାନ କରାଯାଉଥିଲା, ବିଜେପି ମେୟର ନିର୍ବାଚନରେ ଭାଗ ନେବ ନାହିଁ କହି ଥିବାରୁ ପ୍ରତ୍ୟକ୍ଷ ଭାବେ ନିର୍ବାଚନ ମଇଦାନରେ ନ ରହିଲେ ସୁଦ୍ଧା ନିର୍ଦ୍ଦଳୀୟ କାଉନସିଲରଙ୍କ ମଧ୍ୟରୁ କାହାରିକୁ ଛାୟାପ୍ରାର୍ଥୀ କରି ନିର୍ବାଚନ ଦୈଡରେ ସାମିଲ କରିବ । ଗତକାଲି ଯାଏଁ ଏଭଳି କଳ୍ପନାଜଳ୍ପନା ଚାଲି ଥିଲା । ଆଜି କିନ୍ତୁ ସସ୍ପେନ୍ସ ଦୂର ହୋଇଛି । ବିଜେପି ତାହାର ପୂର୍ବ ଘୋଷଣାରୁ ଓହରି ଦଳର ମେୟର, ଡେପୁଟୀ ମେୟର ଓ ଷ୍ଟାଣ୍ଡିଂ କମିଟି ସଦସ୍ୟ ପ୍ରାର୍ଥୀଙ୍କ ନାମ ଆଜି ଘୋଷଣା କରିଛି । ରେଖା ଗୁପ୍ତା ଓ କମଲ ବାଗ୍ରୀ ଦଳର ମେୟର, ଡେପୁଟୀ ମେୟର ପ୍ରାର୍ଥୀ ହୋଇଥିବା ବେଳେ କମଲଜିତ ଶେରାୱତ, ଗଜେନ୍ଦ୍ର ଦରାଲ ଓ ପଂକଜ ଲୁଥରା ଷ୍ଟାଣ୍ଡିଂ କମିଟି ସଦସ୍ୟ ପ୍ରାର୍ଥୀ ହୋଇଛନ୍ତି । ସମସ୍ତ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିବା ବିଜେପି ଆଇଟି ସେଲ୍ ରୁ ସୂଚନା ମିଳିଛି । ଦିଲ୍ଲୀ ମହାନଗର ନିଗମର ମେୟର, ଡେପୁଟୀ ମେୟର ନିର୍ବାଚନ ଗୋପନ (ସିକ୍ରେଟ୍) ବ୍ୟାଲଟ୍ ମାଧ୍ୟମରେ ହେବ । ସେହିଭଳି, ଏମସିଡି ମେୟର, ଡେପୁଟୀ ମେୟର ନିର୍ବାଚନ ଦଳବଦଳ ଆଇନ ପରିସରକୁ ଆସୁ ନାହିଁ । ଏହି ନିର୍ବାଚନରେ ଏମସିଡିର ୨୫୦ ଜଣ ନବନିର୍ବାଚିତ କାଉନସିଲର୍, ଦିଲ୍ଲୀର ସାତ ଜଣ ଲୋକସଭା ଓ ତିନି ଜଣ ରାଜ୍ୟସଭା ସାଂସଦ, ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ମନୋନୀତ ୧୪ ଜଣ ବିଧାୟକ ଭୋଟ ଦେବେ । ଭୋଟର ଯାହାକୁ ଚାହିଁବେ ଭୋଟ ଦେବାର ସୁଯୋଗ ଥିବାରୁ ମେୟର ନିର୍ବାଚନରେ ବ୍ୟାପକ କ୍ରସ୍ ଭୋଟିଂର ସମ୍ଭାବନା ରହିଛି । ଗଲା ୧୫ ବର୍ଷ ଧରି ଦିଲ୍ଲୀ ମହାନଗର ନିଗମରେ (ତିନି ଭାଗରେ ବିଭକ୍ତ ଥିବା) ବିଜେପି କାଉନସିଲ ଥିଲା । ତେବେ, ଦିଲ୍ଲୀର ପରିମଳ ଅବ୍ୟବସ୍ଥାକୁ ନେଇ ଦିଲ୍ଲୀବାସୀ ଅସନ୍ତୁଷ୍ଟ ଥିଲେ । ଚଳିତ ବର୍ଷ ତିନି ଏମସିଡିର ମିଶ୍ରଣ କରାଯାଇ ଗୋଟିଏ ଏମସିଡି କରାଯିବା ପରେ ଡ଼ିସେମ୍ବରରେ ନିର୍ବାଚନ ହୋଇଥିଲା । ଦିଲ୍ଲୀ ମତଦାତା ବିଜେପିକୁ ପୁନର୍ବାର କ୍ଷମତାକୁ ଫେରିବାକୁ ନଦେଇ ଦିଲ୍ଲୀ ରାଜ୍ୟ ଶାସନରେ ଥିବା ‘ଆପ୍’କୁ ଚୟନ କରିଥିଲେ । କିନ୍ତୁ, ବିଜେପିକୁ ୨୫୦ରୁ ୧୦୪ଟି ୱାର୍ଡରେ ବିଜୟ ମିଳିବା ପରେ ମେୟର ପଦକୁ ଆଖେଇଛି । ଚଣ୍ଡିଗଡ଼ ଭଳି ଦିଲ୍ଲୀ ଏମସିଡିରେ ସଂଖ୍ୟା କମ୍ ଥିଲେ ମଧ୍ୟ କ୍ରସ୍ ଭୋଟିଂ ମାଧ୍ୟମରେ ମେୟର ପଦ ହାତେଇବାକୁ ରଣନୀତି କରିଥିବା କୁହାଯାଉଛି । ‘ଆପ୍’ ୧୩୪ ୱାଡରେ ବଜୟୀ ହୋଇଥିବାରୁ ଦଳର ମେୟର, ଡେପୁଟୀ ମେୟର ପ୍ରାର୍ଥୀ ବିଜୟ ହେବା ନିଶ୍ଚିତ ଥିଲେ ମଧ୍ୟ ବିଜେପି ଭୋଟ ବିଭାଜନ ମାଧ୍ୟମରେ ‘ଆପ୍’କୁ ଅଡୁଆରେ ପକାଇବ ବୋଲି ଆଲୋଚନା ହେଉଛି । ‘ଆପ୍’ର ୧୩୪ଟି ଭୋଟରୁ ଗୋଟିଏ ବି କମିଲେ ଦଳ ପାଇଁ ଆତ୍ମଘାତୀ ହେବ । ତେଣୁ, ‘ଆପ୍’ ମୁଖ୍ୟଙ୍କ ରଣନୀତି କଣ ହେବ ଦେଖିବା ସମୟ ଆସିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS