ହକି ‘ବାଇଆ’ ପ୍ରଶାସନ ମଶା କଥା କେବେ ଚିନ୍ତା କରିବ ?
ପ୍ରସାଦ ରାଓ
ଭୁବନେଶ୍ୱର
ଡିସେମ୍ବର ୨୪
ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ନବନିର୍ମିତ ବିର୍ଶା ମୁଣ୍ଡା ଷ୍ଟାଡିୟମରେ ଜାନୁୟାର ୧୩ରୁ ୨୯ ତାରିଖ ଯାଏଁ ୨୦୨୩ ପୁରୁଷ ବିଶ୍ୱ କପ୍ ହକି ହେବାକୁ ଯାଉଛି । ଆନ୍ତର୍ଜାତିକ ହକି ଫେଡେରେସନ (ଏଫଆଇଏଚ) ପକ୍ଷରୁ ପୁରୁଷ ବିଶ୍ୱ କପ୍ ହକିର ଏହି ପଂଚଦଶତମ ସଂସ୍କରଣ ଓଡ଼ିଶାରେ ଆୟୋଜନ ହେଉଥିବା ବେଳେ ଓଡ଼ିଶା ସରକାର ଭାରତୀୟ ହକିର ପୃଷ୍ଠପୋଷକ ଭାବେ ଆୟୋଜନର ସଂପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି । ଶହ ଶହ କୋଟି ଟଙ୍କା ବ୍ୟୟରେ ସରକାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ବିକାଶ କରୁଥିବା ବେଳେ ରାଉରକେଲାରେ ବିର୍ଶା ମୁଣ୍ଡା ଷ୍ଟାଡିୟମର ନିର୍ମାଣ କରାଇଛନ୍ତି, ଯେଉଁଠିକି ୨୦ ହଜାର ଦର୍ଶକ ଏକସମୟରେ ଗ୍ୟାଲେରୀରେ ବସି ବିଶ୍ୱ କପ୍ ହକିକୁ ଉପଭୋଗ କରିପାରିବେ । ୧୭ ଦିନିଆ ଏହି ହକି ମହାକୁମ୍ଭରେ ଭାରତ ସମେତ ୧୬ଟି ରାଷ୍ଟ୍ରର ହକି ଦଳ ଭାଗ ନେଉଥିବା ଜଣପଡିଛି । ‘ପୁଲ-ଏ’ରେ ଅଷ୍ଟ୍ରେଲିଆ, ଆର୍ଜେଂଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ‘ପୁଲ-ବି’ରେ ବେଲଜିଅମ, ଜର୍ମାନୀ, କୋରିଆ, ଜାପାନ, ‘ପୁଲ-ସି’ରେ ନେଦରଲାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ମାଲେସିଆ, ଚିଲି ଏବଂ ‘ପୁଲ-ଡି’ରେ ଭାରତ, ଇଂଲଣ୍ଡ, ସ୍ପେନ ଓ ୱେଲ୍ସ ଅଛନ୍ତି ।
ଓଡ଼ିଶାରେ ବିଶ୍ୱ କପ୍ ହକି ଆୟୋଜନ କିଛି ନୂଆ ନୁହେଁ । ୨୦୧୮ରେ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ଆନ୍ତର୍ଜାତିକ ହକି ଫେଡେରେସନର ପୁରୁଷ ବିଶ୍ୱ କପ୍ ହକିର ଆୟୋଜନ ହୋଇଥିଲା । ଓଡ଼ିଶା ସରକାରଙ୍କ ଆୟୋଜନ ଓ ଆତିଥ୍ୟରେ ଆୟୋଜକ ଏଫଆଇଏଚ ସମେତ ବିିଭିନ୍ନ ଦେଶର ଖୋଳାଳୀ ଓ ପର୍ଯ୍ୟଟକମାନେ ଏତେଦୂର ଅଭିଭୂତ ହୋଇଥିଲେ ଯେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଓ ରାଜ୍ୟ ପ୍ରଶାସନକୁ ପ୍ରଶଂସାରେ ପୋତି ପକାଇ ଥିଲେ । ୨୦୨୨ରେ ମଧ୍ୟ ସରକାର ସେହିଭଳି ପ୍ରଶଂସାର ଆଶା କରୁଛନ୍ତି ଏବଂ ଆୟୋଜନକୁ ସଂପୂର୍ଣ୍ଣ ତୃଟିଶୂନ୍ୟ କରିବାକୁ ଧ୍ୟାନ ଦେଉଛନ୍ତି । ଏହା ହେବା ମଧ୍ୟ ସ୍ୱାଭାବିକ । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନିଜେ ଯେତେବେଳେ ପ୍ରତ୍ୟକ୍ଷ ଭାବେ ଆୟୋଜନର ତଦାରଖ କରୁଛନ୍ତି ନିର୍ବାଚିତ ପ୍ରତିନିଧି ଓ ପ୍ରଶାସକମାନେ କୋଉ ଗାଈର ଗୋବର !
ବିଦେଶରୁ ଆସିବାକୁ ଥିବା ହକି ଦଳ ଓ ପର୍ଯ୍ୟଟକଙ୍କ ମିଜାଜକୁ ଖୁସ୍ କରିବା ପାଇଁ ରାଜଧାନୀର ପ୍ରମୁଖ ଅଂଚଳରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି । ରାସ୍ତାଘାଟରୁ ଜବରଦଖଲ ଉଚ୍ଛେଦ କରିବା ସହ କାନ୍ଥବାଡକୁ ଓଡ଼ିଶାର କଳା, ଐତିହ୍ୟକୁ ନେଇ ସୁନ୍ଦର ଚିତ୍ରରେ ସଜା ଯାଉଛି । ବିମାନ ବନ୍ଦରରୁ ଷ୍ଟାଡିୟମ ଓ ଆଖପାଖ ଅଂଚଳ ରାସ୍ତାଘାଟ ଚିକ୍ ଚିକ୍ ହେବାରେ ଲାଗିଛି । ଅତିଥିମାନଙ୍କ ସହ କିଭଳି ବ୍ୟବହାର କରାଯିବା ଆବଶ୍ୟକ ସେନେଇ ସରକାରୀ ଅଧିକାରୀମାନେ ବ୍ୟବସାୟୀ ସଂଘକୁ ଡାକି ପରାମର୍ଶ ଦେଉଛନ୍ତି । ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଭୁବନେଶ୍ୱର ମହାନଗର ନିଗମ ସଫେଇ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଆୟୋଜନରେ ବ୍ୟସ୍ତ । ତେଣୁ, ରାଜ୍ୟ ସରକାରଙ୍କ ଅନ୍ୟ ସମସ୍ତ କାର୍ଯ୍ୟ ଏକପ୍ରକାର ଠପ୍ ହୋଇଯାଇଛି ।
୨୦୧୮ରେ ପୁରୁଷ ବିଶ୍ୱ କପ୍ ଆୟୋଜନ ସମୟରେ ଭୁବନେଶ୍ୱର ମହାନଗର ନିଗମରେ ନିର୍ବାଚିତ ପରିଷଦ ନଥିଲା । ସରକାରୀ ଅଧିକାରୀମାନେ ସବୁ କାର୍ଯ୍ୟ ପରିଚାଳନା କରୁଥିଲେ । ୨୦୨୩ ପୁରୁଷ ବିଶ୍ୱ କପ୍ ହକି ଆୟୋଜନରେ ବ୍ୟତିକ୍ରମ ହେଉଛି, ଭୁବନେଶ୍ୱର ମହାନଗର ନିଗମରେ ନିର୍ବାଚିତ ପରିଷଦ ରହିଛି ଏବଂ ସହରବାସୀଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ମେୟର ବିଶ୍ୱ କପ୍ ଆୟୋଜନର ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି । ନିର୍ବାଚିତ ପରିଷଦ ଖେଳ ଆୟୋଜନରେ ଏତେ ବ୍ୟସ୍ତ ଯେ ମହାନଗର ନିଗମରେ ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ବିବାହ ରେଜିଷ୍ଟ୍ରେସନ ପାଇଁ ଆବେଦନ କରିଥିବା ଦଂପତ୍ତିମାନେ ମଧ୍ୟ ମାଜିଷ୍ଟ୍ରଟ୍ ଅଭାବରୁ ବିଶ୍ୱ କପ୍ ହକି ସରିବା ଯାଏଁ ଅପେକ୍ଷା କରିବାକୁ କୁହାଯାଉଛି । ମାଜିଷ୍ଟ୍ରେଟମାନେ ବୁଲଡୋଜର ନେଇ ବେଆଇନ ଉଚ୍ଛେଦ କାର୍ଯ୍ୟରେ ଯାଇଥିବାରୁ ନିଗମ ବାକି କାମ କରିପାରୁ ନଥିବା ସଫେଇ ଦିଆଯାଉଛି । ବିଏମସି ଅଧିକାରୀମାନେ ସହରବାସୀଙ୍କ ଦୈନନ୍ଦିନ ସମସ୍ୟାକୁ ଅଣଦେଖା କରି ବିଶ୍ୱ କପ୍ ହକି ଆୟୋଜନରେ ସଂପୂର୍ଣ୍ଣ ବ୍ୟସ୍ତ ରହିବା କେତେଦୂର ଗ୍ରହଣୀୟ, ତାହା ଚିନ୍ତା କରିବାକୁ ସରକାରଙ୍କ ସମୟ ନାହିଁ ।
ବିଏମସି ମେୟର, ଡେପୁଟୀ ମେୟର, ନିର୍ବାଚିତ କାଉନସିଲ୍, ଯନ୍ତ୍ରୀ, ମାଜିଷ୍ଟ୍ରେଟଙ୍କଠାରୁ ଆରମ୍ଭ କରି ତଳିଆ ଅଧିକାରୀ, କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଏତେଦୂର ବ୍ୟସ୍ତ ଯେ ରାଜଧାନୀ ରାସ୍ତାଘାଟରୁ ଆରମ୍ଭ କରି କୋଠାଘର ପର୍ଯ୍ୟନ୍ତ ସବୁଠି ମଶାଙ୍କ ଉପଦ୍ରବ ଅସହ୍ୟ ହୋଇଥିବା ବେଳେ ପ୍ରଶାସନ ନିରବ ଦ୍ରଷ୍ଟା ରହିଛି । କୋଟି କୋଟି ସଂଖ୍ୟାରେ ମଶା ଦିନ, ରାତି ରାଜଧାନୀବାସୀଙ୍କ ରକ୍ତ ଶୋଷୁଛନ୍ତି । ରାଜଧାନୀରେ ମଶା ଉପଦ୍ରବକୁ ନେଇ ଖବରକାଗଜରେ ପୃଷ୍ଠା ପୃଷ୍ଠା ଖବର ପ୍ରକାଶ ପାଇବା ପରେ ନିର୍ବାଚିତ ମେୟର ମହାଶୟା ସଜାଗ ହୋଇ ମଶା ନିବାରଣ ପାଇଁ କଲିକତାରୁ ଡ୍ରୋନ୍ ଆଣିଛନ୍ତି । ଡ୍ରୋନ୍ ତା’ ବାଟରେ ଉଚ୍ଚ ଆକାଶରେ ଉଡୁଛି ସିନା ଔଷଧ କେଉଁଠି ବିଂଚୁଛି କାହାକୁ ଜଣା ନାହିଁ । ତଳେ ନାଳନର୍ଦ୍ଦମା, ହାଟ ବଜାର ଓ ଘରମାନଙ୍କରେ ଅସଂଖ୍ୟ ମଶାଙ୍କ ଉତ୍ପାତ ପୂର୍ବ ଭଳି ଚାଲିଛି । ଟିଫା ମେସିନ୍ ସାହି ସାହିରେ ଔଷଧ ସ୍ପ୍ରେ କରିବା ଆରମ୍ଭ କରିଥିଲେ ମଧ୍ୟ ଅବସ୍ଥା ବଦଳି ନାହିଁ । ମଶା ଉପଦ୍ରବରେ ଫରକ ଆସୁ ନଥିବାରୁ ରାଜଧାନୀବାସୀଙ୍କ ଚିନ୍ତା ବଢିଛି ।
ବିଦେଶରୁ ଆସିବାକୁ ଥିବା ହକି ଦଳ ଓ ପର୍ଯ୍ୟଟକଙ୍କୁ ଖୁସି କରିବା ପାଇଁ ଦିନ ରାତି ଏକତ୍ରିତ କରିଥିବା ଭୁବନେଶ୍ୱର ମହାନଗର ନିଗମ ରାସ୍ତାଘାଟ ଓ କାନ୍ଥବାଡକୁ ଯେଭଳି ଚକାଚକ୍ କରିବାରେ ଲାଗିଛି ସହରର ନାଳନର୍ଦ୍ଦମାରେ ମଧ୍ୟ ସେଭଳି ମଶା ତେଲ ପକାଇ ମଶା ନିପାତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଆବଶ୍ୟକ । ତାହା ହୋଇ ପାରିଲେ ଦେଶୀ ଓ ବିଦେଶୀ ପର୍ଯ୍ୟଟକ, ଖେଳାଳୀ ଓ ରାଜଧାନୀ ବାସିନ୍ଦା ଖୁସି ହୁଅନ୍ତେ । କିନ୍ତୁ, ସେଥିପ୍ରତି ନିର୍ବାଚିତ ପରିଷଦର ନିଘା ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବାଇ ଥିବାରୁ ତାଙ୍କୁ ଅସନ୍ତୁଷ୍ଟ କରିବାକୁ ନେତା, ଅଧିକାରୀ ଚାହୁଁ ନାହାନ୍ତି । ତେଣୁ, ସାଧାରଣ ଓ ମହାନଗର ନିଗମ ପରିଷଦ ହକି ବାଇ ହେବାକୁ ବାଧ୍ୟ ହୋଇ ଅନ୍ୟ ସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପଛରେ ପାକଇ ପୁରୁଷ ବିଶ୍ୱ କପ୍ ହକି ଆୟୋଜନରେ ମାତିଛନ୍ତି । ହକି ନସରିବା ଯାଏଁ ସେମାନଙ୍କ ପାଇଁ ସେହି ଗୋଟିଏ କାମ ନ୍ୟାୟରେ ସରକାରୀ କଳ ଚାଲିଛି ।
ସାଧାରଣ ନିର୍ବାଚନ ହେଉ ବା ମହାନଗର ନିଗମ ନିର୍ବାଚନ; ରାସ୍ତା କଡରେ ଉଠା ଦୋକାନଟିଏ କରି ପରିବାର ପ୍ରତିପୋଷଣ କରି ଆସୁଥିବା ଗରୀବ ଭୋଟର ନିକଟକୁ ଦାନ୍ତ ନିକୁଟି ଯାଉଥିବା ନେତାମାନେ କ୍ଷମତାକୁ ଆସି ଯିବା ପରେ କିଭଳି ସେଇମାନଙ୍କ ଦୋକାନରେ ବୁଲଡୋଜର ଚଳାଇ ସର୍ବସ୍ୱାନ୍ତ କରୁଛନ୍ତି ତାହା ଏହି ବିଶ୍ୱ କପ୍ ହକି ଆୟୋଜନରେ ଦେଖିବାକୁ ମିଳିଛି । ଉଚ୍ଛେଦର ଶିକାର ହୋଇଥିବା କ୍ଷୁଦ୍ର ବ୍ୟବସାୟୀମାନେ ଶୋଭାଯାତ୍ରା କରି ସେମାନଙ୍କୁ ଖେଳ ନୁହେଁ, ପେଟକୁ ଦାନା ଆବଶ୍ୟକ କହୁଥିଲେ ମଧ୍ୟ ସରକାର ନିରବ । ସବୁ ଆନ୍ଦୋଳନ ଓ ଶୋଭାଯାତ୍ରା ଭଳି କ୍ଷୁଦ୍ର ବ୍ୟବସାୟୀଙ୍କ ଏହି ଶୋଭାଯାତ୍ରା ଓ ସ୍ଲୋଗାନ ମୁଖିଆଙ୍କ କାନରେ ପହଂଚିଛି କି ନାହିଁ ସନ୍ଦେହରେ । ରାଜ୍ୟର ମନ୍ତ୍ରୀ, ସରକାରୀ ଅଧିକାରୀରୁ ଆରମ୍ଭ କରି ସମସ୍ତ ନିର୍ବାଚିତ ପ୍ରତିନିଧି ଏବେ ପୁରୁଷ ବିଶ୍ୱ କପ୍ ହକି ମହାକୁମ୍ଭ ନିମନ୍ତ୍ରଣପତ୍ର ଧରି କେନ୍ଦ୍ର ମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦୁଆରକୁ ବୁଲୁ ଥିବା ବେଳେ କାହାର ସମୟ ଅଛି ଗରୀବ ବ୍ୟବସାୟୀଙ୍କକଥା ଶୁଣିବାକୁ ? ବିରୋଧୀ ଦଳ ବିଧାୟକ, ନେତାମାନେ ମଧ୍ୟ ମହାକୁମ୍ଭ ଆୟୋଜନରେ ସାମିଲ । ମୁଖ୍ୟମନ୍ତ୍ରୀଙ୍କ ସହ ହକି ଫଟୋସୁଟ୍ ଚାଲିଛି ।
୨୦୨୦ ଓ ୨୦୨୧ କୋଭିଡ଼ ପରିସ୍ଥିତିରେ ସର୍ବସ୍ୱାନ୍ତ ହୋଇଥିବା ନିମ୍ନ ମଧ୍ୟମ ବର୍ଗ ଲୋକମାନେ ୨୦୨୨ରେ କଷ୍ଟେମଷ୍ଟେ ନିଜର ସ୍ଥିତି ସୁଧାରୁ ଥିଲେ । ହକି ଆୟୋଜନ ନାମରେ ସେମାନେ ପୁନର୍ବାର ସର୍ବସ୍ୱାନ୍ତ ହେବାକୁ ଯାଉଛନ୍ତି । ଚୀନରେ ଉତ୍ପାତ ମଚାଇ ଥିବା କୋଭିଡ଼ ଓମିକ୍ରମ ପ୍ରଜାତିର ଉପ ପ୍ରଜାତି ବିଏଫ.୭ ୨୦୨୩ ଆରମ୍ଭ ହେବା ପୂର୍ବରୁ ଭାରତରେ ପହଂଚିଲାଣି । କେନ୍ଦ୍ର ଓ ରାଜ୍ୟ ସରକାର ଏନେଇ ଚିନ୍ତାରେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜନସାଧାରଣଙ୍କୁ ଚେତାଇବା ଆରମ୍ଭ କଲେଣି । ତେବେ, ଏଯାବତ୍ ବାଧ୍ୟତାମୂଳକ କୋଭିଡ଼ ପ୍ରୋଟୋକଲ୍ ଜାରି ହୋଇନାହିଁ । ତେଣୁ, ସରକାରଙ୍କ ଚେତାବନୀକୁ କେହି ଗୁରୁତ୍ୱ ଦେଉ ନାହାନ୍ତି । ବିଶ୍ୱ କପ୍ ହକି ନସରିବା ଯାଏଁ ରାଜ୍ୟ ସରକାର କିଛି ପଦକ୍ଷେପ ନେବେ ନାହିଁ, ଏକଥା ସମସ୍ତେ ଜାଣନ୍ତି । ତେଣୁ, ଗାଲୋଉଛନ୍ତି ।
କୋଭିଡ଼ର ନୂଆ ଚେତାବନୀକୁ ନେଇ ଜଣେ କ୍ଷୁଦ୍ର ବ୍ୟବସାୟୀଙ୍କ ମନ୍ତବ୍ୟ ହେଉଛି, କୋଭିଡ଼ କହିଲେ ଛିଙ୍କ, କାଶ – ଏକଥା ସମସ୍ତେ ଜାଣି ଗଲେଣି । ସେଭଳି କିଛି ହେଲେ ସାଧାରଣ ଟାବଲେଟରେ କାମ ଚଳି ଯାଉଛି । ସରକାର ପୁଣି ଥରେ କୋଭିଡ଼ କଥା କହି ଲୋକଙ୍କୁ ଆତଙ୍କିତ କରିବାର କିଛି କାରଣ ନାହିଁ । ଥଣ୍ଡା, କାଶ ବଟିକାରେ କାମ ଚଳି ଯାଉଛି । ପୁନର୍ବାର ବିଭିନ୍ନ ପ୍ରକାର ଟେଷ୍ଟ୍ ପାଇଁ ଲୋକଙ୍କୁ ଡାକ୍ତରଖାନା ପଠାଇବା ବଦଳରେ ସରକାର ଚଳନ୍ତି ସମସ୍ୟା ମଶା ଉପଦ୍ରବ ରୋକିବାକୁ ପଦକ୍ଷେପ ନେବା ଉଚିତ । ସତ କଥା କହିବାକୁ ଗଲେ ଏବର୍ଷ ରାଜଧାନୀ ରାସ୍ତାଘାଟରେ ଯେଭଳି ମଶା ଉପଦ୍ରବ ଦେଖିବାକୁ ମିଳୁଛି ପୂର୍ବ ବର୍ଷମାନଙ୍କରେ କେବେ ଦେଖିବାକୁ ମିଳି ନଥିଲା । ଘରେ, ବାହାରେ ମଶା ହିଁ ମଶା । ରାଜଧାନୀବାସୀ ଅସ୍ତବ୍ୟସ୍ତ । ବିଏଫ.୭ କେବେ କେଉଁ ରୂପରେ ଆସିବ ଭିନ୍ନ କଥା । ରାଜଧାନୀରେ ଡେଙ୍ଗୁ, ମ୍ୟାଲେରିଆ ଘର ଦୂଆର ମୁହଁରେ ବସିଛି । ସରକାର ହକି ଆୟୋଜନ ସହ ମଶା ନିରାକରଣକୁ ପ୍ରାଥମିକତା ଦେବା ଆବଶ୍ୟକ । ନହେଲେ ଡାକ୍ତରଖାନା ସବୁ ଡେଙ୍ଗୁ, ମ୍ୟାଲେରିଆ ରୋଗୀରେ ଭରି ଯିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS