ପିଏସଓଙ୍କୁ ନେଇ ବୋବାଲ୍, ଶାସକ-ବିରୋଧୀ ସବୁ ଛାନିଆ !
ପ୍ରସାଦ ରାଓ
ଫେବୃଆରୀ ୦୪/୨୩
ଜାନୁୟାରୀ ୨୯ ତାରିଖ ଦିନ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଥିବା ତତ୍କାଳୀନ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଜଣେ ପୁଲିସ ଏଏସଆଇଙ୍କ ଗୁଳିରେ ପ୍ରାଣ ହରାଇବା ପରେ ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମନ୍ତ୍ରୀ, ବିଧାୟକଙ୍କୁ ଯୋଗାଇ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲାଗିଛି । ସେଦିନ ବ୍ରଜରାଜନଗର ଗାନ୍ଧୀ ଛକରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ସମୟରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ) ପଛ ଗାଡିରେ ଥିଲେ । ମନ୍ତ୍ରୀ ସମର୍ଥକଙ୍କଠାରୁ ଫୁଲମାଳ ନେବାକୁ ଗାଡି ଡୋର୍ ଖୋଲି ଓହ୍ଲାଇବା ସମୟରେ ଆତତାୟୀର ଗୁଳି ତାଙ୍କୁ ଛାତିକୁ ଭେଦି ଥିଲା । ଅନ୍ୟ ଗାଡିରେ ଥିବା ମନ୍ତ୍ରୀଙ୍କ ପିଏସଓ ଧାଇଁ ଆସିବା ବେଳକୁ ସବୁ କିଛି ସରି ଥିଲା । ମନ୍ତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିଜ ଗାଡିର ଆଗ ସିଟ୍ ରେ ଅଚେତ ପଡି ରହି ଥିଲେ । ପ୍ରେଟୋକଲ୍ ଅନୁସାରେ ପିଏସଓ ଗାଡିରେ ମନ୍ତ୍ରୀଙ୍କ ଛାଇ ଭଳି ରହିବା କଥା ଏବଂ ଯେକୌଣସି ବିପଦ ଆସିଲେ ତାହାକୁ ସାମ୍ନା କରିବା କଥା । କିନ୍ତୁ, ଏକ୍ଷେତ୍ରରେ ତାହା ହୋଇ ନାହିଁ । କେଉଁ ପରିସ୍ଥିତିରେ ପିଏସଓ ମନ୍ତ୍ରୀଙ୍କ ଗାଡିରେ ନବସି ପଛେ ପଛେ ଆସୁଥିବା ଅନ୍ୟ ଏକ ଗାଡିରେ ଆସୁଥିଲେ ଜଣାପଡିନାହିଁ । ସେହିଭଳି, ମନ୍ତ୍ରୀ ରାସ୍ତାରେ ଗାଡି ରଖି ଫୁଲ ମାଳ ନେବାକୁ ବାହାରକୁ ବାହାରିବା ସମୟରେ ପିଏସଓ ଧାଇଁ ଆସି ଡୋର୍ ଖୋଲି ଥିଲେ ବୋଧହୁଏ ପରିସ୍ଥିତି କିଛି ଭିନ୍ନ ହୋଇଥା’ନ୍ତା । ଆତତାୟୀ ମନ୍ତ୍ରୀଙ୍କୁ ହତ୍ୟା କରିବାର ଏକମାତ୍ର ଉଦ୍ଦେଶ୍ୟ ନେଇ ଗାନ୍ଧୀ ଛକରେ ଉପସ୍ଥିତ ଥିଲା । ପିଏସଓ ଧାଇଁ ଆସି ଡୋର୍ ଖୋଲି ଥିଲେ ବୋଧହୁଏ ସେ ଗୁଳି କରିବାକୁ ପଛାଇ ଥା’ନ୍ତା କିମ୍ବା ପୁର୍ବ ପ୍ରସ୍ତୁତି ଅନୁସାରେ ଗୁଳି ଚଳାଇ ଥିଲେ ତାହା ପିଏସଓ ନିଜ ଉପରକୁ ନେଇ ମନ୍ତ୍ରୀଙ୍କ ଜୀବନ ରକ୍ଷା କରିଥା’ନ୍ତେ । କିନ୍ତୁ, ମନ୍ତ୍ରୀ ନବ ଦାସଙ୍କ କ୍ଷେତ୍ରରେ ତାହା ହେଲା ନାହିଁ । ପଛ ଗାଡିରେ ବସି ଥିବା ପିଏସଓ ମନ୍ତ୍ରୀଙ୍କ ନିକଟରେ ପହଂଚିବା ପୂର୍ବରୁ ମନ୍ତ୍ରୀ ଗାଡି ଡୋର୍ ଖୋଲି ବାହାରି ସାରିଥିଲେ ଏବଂ ଆତତାୟୀ ବିନା ପ୍ରତିବନ୍ଧକରେ ମନ୍ତ୍ରୀଙ୍କ ଛାତିକୁ ଗୁଳି କରି ତାହାର ଉଦ୍ଦେଶ୍ୟ ସାଧନ କରିଥିଲା । ଏହି ଗୋଟିଏ ଘଟଣା ଆଜି ବ୍ୟକ୍ତଗତ ସୁରକ୍ଷା ଅଧିକାରୀଙ୍କୁ (ପିଏସଓଙ୍କୁ) ସମାଲୋଚନାର ବଳୟକୁ ଟାଣି ଆଣିଛି । ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ଉପରେ ଅନାସ୍ଥା ଭାବ ପ୍ରକାଶ କରି ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ତାଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ଫେରାଇ ଦେଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି । ରାଜ୍ୟ ବିଜେପି ମଧ୍ୟ ଦିବଂଗତ ମନ୍ତ୍ରୀଙ୍କୁ ଦିଆଯାଇଥିବା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇ ରାଜ୍ୟ ପୁଲିସ ଉପରେ ଦଳର ଭରସା ନଥିବା କହିଛି ଓ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରିଛି । ମନ୍ତ୍ରୀ ନବ ଦାସଙ୍କୁ ତାଙ୍କରି ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟରତ ଜଣେ ପୁଲିସ ଏଏସଆଇ ପଏଂଟ୍ ବ୍ଲାଂକ୍ ରେଂଜରୁ ଗୁଳି କରି ହତ୍ୟା କରିବା ନିଶ୍ଚିତ ଭାବେ ଉଦ୍ବେଗର ବିଷୟ । ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ମଧ୍ୟ କିଛି ଅସ୍ୱାଭାବିକ ନୁହେଁ । ବିରୋଧୀ ଦଳ ନେତା ମିଶ୍ର ତାଙ୍କୁ ମିଳିଥିବା ବ୍ୟକ୍ତିଗତ ସୁରକ୍ଷା ବ୍ୟବସ୍ଥାକୁ ଫେରାଇ ଦେବା ସହ ରାଜ୍ୟ ପୁଲିସ ପ୍ରତି ଯେଉଁ ଅନାସ୍ଥା ଭାବ ପ୍ରକାଶ କରିଛନ୍ତି ତାହା କେବଳ ରାଜନୈତିକ ଗୋଟିଚାଳନା ନା ବିଭିନ୍ନ କାରଣରୁ ପୁଲିସ ପ୍ରତି ତାଙ୍କ ମନରେ ଥିବା ଘୃଣା ଭାବର ପରିପ୍ରକାଶ (?) ବୋଲି ତଥ୍ୟାଭିଜ୍ଞ ମହଲରେ ପ୍ରଶ୍ନ ହେଉଛି । ଜୟନାରାୟଣଙ୍କ ବିବୃତି ଓ କାର୍ଯ୍ୟକୁ ନେଇ ସରକାରୀ ଦଳ ଓ ପୁଲିସ କ୍ଷୁବ୍ଧ । ଶାସକ ବିଜେଡ଼ିର ଅଭିଯୋଗ ହେଉଛି, ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ଥିବା ମିଶ୍ରଙ୍କ ହତ୍ୟା ଅଭିଯୋଗ ସମତେ ବହୁ ଗୁରୁତର ଅଭିଯୋଗରେ ଅଭିଯୁକ୍ତ ଏବଂ ତାଙ୍କ ବିରୋଧରେ ଅଦାଲତରେ ବହୁ ମାମଲା ବିଚାରାଧୀନ ରହିଛି । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ତାଙ୍କ ଆଡୁ ଯେଉଁ ପ୍ରହସନ ଚାଲିଛି ତାହା ଗ୍ରହଣୀୟ ନୁହେଁ । ଅପରପକ୍ଷରେ ବିଜେପି ନେତାଙ୍କ କହିବା କଥା ହେଉଛି, ଅତୀତରେ ରାଜ୍ୟରେ ବିଭିନ୍ନ ଗୁରୁତର ଆପରାଧିକ ମାମଲାର ତଦନ୍ତ ଦାୟିତ୍ୱ ସରକାର ରାଜ୍ୟ କ୍ରାଇମ ବ୍ରାଂଚ ହାତରେ ନ୍ୟସ୍ତ କରିଥିଲେ । ତଦନ୍ତରୁ ଯାହା ଫଳାଫଳ ମିଳିଲା ରାଜ୍ୟବାସୀ ଭଲରେ ଜାଣନ୍ତି । ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ତଦନ୍ତ ମଧ୍ୟ ଏକାଭଳି ହେବ । କେନ୍ଦ୍ରୀୟ ଅପରାଧ ତଦନ୍ତକାରୀ ଏଜେନ୍ସୀଙ୍କ ଦ୍ୱାରା ତଦନ୍ତ ହେଲେ ହିଁ ନିରପେକ୍ଷ ହୋଇ ପାରିବ । ମନ୍ତ୍ରୀଙ୍କ ହତ୍ୟାର ସାତ ଦିନ ବିତିଲାଣି, ଓଡ଼ିଶା କ୍ରାଇମ୍ ବ୍ରାଂଚ ଅଭିଯୁକ୍ତ ପୁଲିସ କର୍ମଚାରୀ ଗୋପାଳ ଦାସଙ୍କ ମନକୁ ପଢି ପାରୁ ନାହିଁ । ମନ୍ତ୍ରୀଙ୍କୁ ହତ୍ୟା କରିଥିବା ଗୋପାଳ ପ୍ରଥମ ଦିନରୁ ମାନୁଥିଲେ ମଧ୍ୟ ହତ୍ୟାର ଉଦ୍ଦେଶ କଣ, ତାହା ଓଗାଳି ପାରି ନାହିଁ । ବ୍ରଜରାଜନଗରରୁ ଆରମ୍ଭ କରି ବ୍ରହ୍ମପୁର ଜଳେଶ୍ୱରଖଣ୍ଡୀ ପର୍ଯ୍ୟନ୍ତ କ୍ରାଇମ୍ ବ୍ରାଂଚ ଓଲଟ ପାଲଟ କଲେଣି ସିନା ଗୋପାଳଙ୍କୁ ଦୋଷୀ ସାବ୍ୟସ୍ତ କଲା ଭଳି ତଥ୍ୟ, ପ୍ରମାଣ ହାତେଇ ପାରି ନାହାନ୍ତି । ଅଭିଯୁକ୍ତ ଗୋପାଳ ଦାସ ଜେଲରେ ହେଉ ବା ପୁଲିସ ହେପାଜତରେ, ଅବିଚଳିତ ରହି ଜେରାର ସାମ୍ନା କରୁଥିବା ସୂଚନା ମିଳିଛି । ତା’ର ପ୍ରଥମ ଗୁଳି ନା ଦ୍ୱିତୀୟ ଗୁଳି ମନ୍ତ୍ରୀଙ୍କ ଛାତି ଭେଦିଲା ଏବଂ ମନ୍ତ୍ରୀ ଘଟଣା ସ୍ଥଳରେ ପ୍ରାଣ ହରାଇଲେ ନା ହସ୍ପିଟାଲରେ (?) ବୋଲି ଅଭିଯୁକ୍ତ ଗୋପାଳ ଦାସ କ୍ରାଇମ ବ୍ରାଂଚ ଅଧିକାରୀଙ୍କ ଜେରା ସମୟରେ ଜାଣିବାକୁ ଉତ୍ସୁକତା ପ୍ରକାଶ କରିଥିବା କୌଣସି ସୂତ୍ରକୁ ଆଧାର କରି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି । ଏଥିରୁ ଗୋପାଳ ନବ ଦାସଙ୍କ ହତ୍ୟାକୁ ନେଇ ମୋଟେ ବିବ୍ରତ ନଥିବା ସ୍ପଷ୍ଟ ହେଉଛି । ଏଭଳି ସ୍ଥିତିରେ ହତ୍ୟା ରହସ୍ୟ ଭେଦିବାକୁ କ୍ରାଇମ୍ ବ୍ରାଂଚକୁ କେତେଦିନ ଲାଗିବ କହିବା ସମ୍ଭବ ନୁହେଁ । ଏବେ ରାଜନୈତିକ ମାଡ ପଡୁଛି ପିଏସଓଙ୍କ ଉପରେ । ରାଜ୍ୟ ପୁଲିସ ଉପରେ ତାଙ୍କର ଆସ୍ଥା ନଥିବା ଦର୍ଶାଇ ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ତାଙ୍କୁ ଯୋଗାଇ ଦିଆଯାଇଥିବା ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ଫେରାଇ ଦେଇଥିବା କଥାକୁ ବିରୋଧୀ ରାଜନୀତି କୁହାଯାଇପାରେ । ତେବେ, ମୁଖ୍ୟସ୍ରୋତ ଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେଉଥିବା ଶାସକ ଦଳ (ବିଜେଡ଼ି)ର ଜଣେ ବିଧାୟକଙ୍କ ମନ୍ତବ୍ୟକୁ କଣ କୁହାଯିବ ? ରାଜ୍ୟ ପୁଲିସ ଉପରେ ଅନାସ୍ଥା ଭାବ ଦେଖାଇ ବିରୋଧୀ ଦଳ ନେତା ମିଶ୍ର ତାଙ୍କୁ ମିଳି ଥିବା ସୁରକ୍ଷା ବ୍ୟବସ୍ଥା ଫେରାଇ ଦେଇଥିବା ଘଟଣାରେ ଗଣମାଧ୍ୟମ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ ବିଜେଡି ବିଧାୟକ ଜଣକ କହିଛନ୍ତି, ଜୟନାରାୟଣଙ୍କ ସଂପର୍କରେ ସେ କିଛି ମନ୍ତବ୍ୟରଖିବାକୁ ଚାହୁଁ ନାହାନ୍ତି, ତେବେ, ବିଧାୟକ ଭାବେ ତାଙ୍କୁ ମଧ୍ୟ ଜଣେ ପିଏସଓଙ୍କୁ ଯୋଗାଇ ଦିଆଯାଇଛି । ଜଣେ ପୁଲିସ କର୍ମଚାରୀଙ୍କ ଗୁଳିରେ ମନ୍ତ୍ରୀ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟିବା ପରେ ସେ ମଧ୍ୟ ନିଜ ଗାଡିରେ ପିଏସଓ (ବ୍ୟକ୍ତଗତ ସୁରକ୍ଷା ଅଧିକାରୀ)ଙ୍କ ସହ ଯିବା ସମୟରେ ଶଙ୍କାରେ ରହୁଛନ୍ତି – ପିଏସଓ ଜଣକ ତାଙ୍କ ଉପରେ ଗୁଳି ଚଳାଇ ଦେବେନି ତ ? ଏହାକୁ ହାଲକା ଭାବରେ ନନେଇ ଗୁରୁତ୍ୱର ସହ ନେବାକୁ ଶାସକ ଦଳ ବିଧାୟକ ଜଣକ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଉଭୟ ଶାସକ ଓ ବିରୋଧୀ ବିଧାୟକଙ୍କ ମନରେ ବ୍ୟକ୍ତିଗତ ସୁରକ୍ଷା ନେଇ ଭୟ ପଶି ଗଲାଣି । ରାଜ୍ୟ ସରକାର ଏହାକୁ ଦୂର କରିବାରେ କେତେମାତ୍ରାରେ ସକ୍ଷମ ହେବେ ତାହା ସମୟ କହିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS