ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କ ଦେହାନ୍ତ
ପ୍ରସାଦ ରାଓ
ଫେବୃଆରୀ ୦୫/୨୩
ଦୀର୍ଘ ଆଠ ବର୍ଷ ହେଲା ୟୁଏଇରେ ଆତ୍ମନିର୍ବାସନରେ ଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁସାରଫଙ୍କ ଆଜି ୭୯ ବର୍ଷ ବୟସରେ ଦୁବାଇର ଆମେରିକାନ୍ ହସ୍ପିଟାଲରେ ଦେହାନ୍ତ ହୋଇଛି । ୨୦୧୬ରୁ ସେ ଆମିଲୋୟଡୋସିସ୍ ରୋଗରେ ଆକ୍ରାନ୍ତ ଥାଇ ଦୁବାଇରେ ଚିକିତ୍ସିତ ହେଉଥିଲେ । ଜେନେରାଲ ମୁସାରଫ ପାକିସ୍ତାନର ସେନା ମୁଖ୍ୟ ବା ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ଥିବା ସମୟରେ ଏକ ସାମରିକ ବିଦ୍ରୋହ ସଂଗଠିତ କରି ୧୯୯୯ରେ ବିନା ରକ୍ତପାତରେ କ୍ଷମତା ଦଖଲ କରିଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ କ୍ଷମତାଚ୍ୟୁତ କରି ସେ ସେନା ସହାୟତାରେ ନିଜକୁ ପାକିସ୍ତାନର ରାଷ୍ଟ୍ରପତି ଭାବେ ଘୋଷଣା କରିବା ସହ ଦୀର୍ଘ ବର୍ଷ ଧରି ସାମରିକ ଶାସନ ଚଳାଇ ଥିଲେ । ସେ ପାକିସ୍ତାନର ସେନା ମୁଖ୍ୟ ଥିବା ସମୟରେ କାର୍ଗିଲ ଯୁଦ୍ଧର ସଂରଚନା କରି ଥିଲେ । ଜମ୍ମୁ-କଶ୍ମୀର ରାଜଧାନୀ ଶ୍ରୀନଗର ସହ ଲେହକୁ ବିଚ୍ଛିନ୍ନ କରି ଦେବା ପାଇଁ ସେ ପାକ୍ ସେନାକୁ ନିର୍ଦେଶ ଦେଇ କାର୍ଗିଲ ପଠାଇ ଥିଲେ । କାର୍ଗିଲର ସୁଉଚ୍ଚ ପର୍ବତାମାଳାରେ ଆତ୍ମଗୋପନ କରି ପାକ୍ ସେନା ତାହାର ଉଦ୍ଦେଶ୍ୟ ସାଧନ କରିବାକୁ ଉଦ୍ୟମ କଲା ବେଳେ ଭାରତୀୟ ସେନା ଆଡୁ ପ୍ରଚଣ୍ଡ ଆକ୍ରମଣର ସମ୍ମୁଖୀନ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ଭାରତୀୟ ଯବାନ ଓ ଅଧିକାରୀଙ୍କ ମୃତ୍ୟୁ ଘଟିଲା ସତ, କିନ୍ତୁ ପାକ୍ ସେନାକୁ କାର୍ଗିଲରୁ ଘଉଡାଇ ଭାରତୀୟ ସେନା ବଡ ବିଜୟ ହାସଲ କଲା । ୧୯୯୯ରେ କାର୍ଗିଲ ଯୁଦ୍ଧ ସମୟରେ ନୱାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ । ତେବେ, ସେନା ମୁଖ୍ୟ ଥିବା ମୁସାରଫ ତାଙ୍କୁ ଅନ୍ଧାରରେ ରଖି ତାଙ୍କର ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଥିଲେ । ଅବିଶ୍ୱସନୀୟ ଭାବେ କାର୍ଗିଲ ଯୁଦ୍ଧ ପରେ ଜେନେରାଲ ମୁସାରଫ ଏତେ ଶକ୍ତିଶାଳୀ ହୋଇଥିଲେ ଯେ ଶ୍ରୀଲଙ୍କାକୁ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ନିଜ ଦେଶକୁ ଫେରିବାକୁ ରୋକି ଥିଲେ ଏବଂ ପ୍ରଧାନମନ୍ତ୍ରୀ ସରିଫ ଦେଶକୁ ଫେରିବା ପରେ ବିମାନ ବନ୍ଦରରୁ ତାଙ୍କୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଥିଲା । ପରେ, ପ୍ରଧାନମନ୍ତ୍ରୀ ସରିଫ ଦେଶରୁ ନିର୍ବାସିତ ହୋଇଥିଲେ । ଜେନେରାଲ ମୁସାରଫଙ୍କ ଶାସନରେ ପାକିସ୍ତାନ ଉଭୟ ଗଣତନ୍ତ୍ର ଓ ସାମରିକ ଶାସନର ମିଶ୍ର ରୂପ ଦେଖିଛି । ଜେନେରାଲ ମୁସାରଫ ପାକିସ୍ତାନର ରାଷ୍ଟ୍ରପତି ଭାବେ ୨୦୦୧ ଜୁଲାଇରେ ଭାରତ ଆସି ଥିଲେ ଏବଂ ସେତେବେଳ ପ୍ରଧାନମନ୍ତ୍ରୀ ଥିବା ଅଟଳ ବିହାରୀ ବାଜପେୟୀଙ୍କ ସହ ତାଙ୍କି ଦ୍ୱାପାକ୍ଷୀକ ସଂପର୍କ ବୃଦ୍ଧି ନେଇ ଆଲୋଚନା ହୋଇଥିଲା । ୨୦୦୭ ମାର୍ଚ୍ଚ ୯ ତାରିଖରେ ରାଷ୍ଟ୍ରପତି ମୁସାରଫ ପାକିସ୍ତାନର ତତ୍କାଳୀନ ମୁଖ୍ୟ ବିଚାରପତି ଇଫତିକାର ମୁହମ୍ମଦ ଚୌଧୁରୀଙ୍କୁ ନିଲମ୍ବିତ କରି ରାଜନୈତିକ ଦଳଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଥିଲେ । ମୁଖ୍ୟ ବିଚାରପତିଙ୍କ ନିଲମ୍ବନ ଅସାମ୍ବିଧାନିକ ଥିଲା ବୋଲି ଅଭିଯୋଗ ହୋଇ ଯେଉଁ ବିଦ୍ରୋହର ସୂତ୍ରପାତ ହୋଇଥିଲା ତାହା ସାମରିକ ଶାସନକୁ ଦୁର୍ବଳ କରିଥିଲା । ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଜେନେରାଲ ମୁସାରଫ ରାଷ୍ଟ୍ରପତି ପଦ ତ୍ୟାଗ କରିବାକୁ ୨୦୦୮ ଅଗଷ୍ଟରେ ରାଜନୈତିକ ଦଳମାନେ ତାଙ୍କ ଉପରେ ଚାପ ସୃଷ୍ଟି କରିଥିଲେ । ପରେ, ବିଚାରପତିମାନଙ୍କୁ ଗିରଫ କରାଯିବା ଅଭିଯୋଗରେ ଜେନରୋଲ ମୁସାରଫଙ୍କୁ ଗିରଫ କରାଯାଇ ଗୃହବନ୍ଦୀ ରଖା ଯାଇଥିଲା । ରାଷ୍ଟ୍ରପତି ଥିବା ସମୟରେ ସେ ଦେଶରେ ବହୁ ଅସାମ୍ବିଧାନିକ କାର୍ଯ୍ୟ କରିଥିବା ଅଭିଯୋଗର ବିଚାରଣା ଚାଲି ଥିଲା । ମୁସାରଫ ଦେଶ ଛାଡି ଚାଲି ଯିବାକୁ ଚାହିଁ ଥିଲେ ମଧ୍ୟ ତାଙ୍କୁ ଅନୁମତି ମିଳିନଥିଲା । ତେବେ, ମାର୍ଚ୍ଚ ୨୦୧୬ରେ ଭ୍ରମଣ ଉଦ୍ଦେଶ୍ୟରେ ଦୁବାଇ ଯିବାକୁ ସେ ଅନୁମତି ପାଇଥିଲେ ଓ ମୃତ୍ୟୁ ପର୍ଯ୍ୟନ୍ତ ସ୍ୱଦେଶକୁ ଫେରିବାକୁ ସକ୍ଷମ ହୋଇନଥିଲେ । ୨୦୦୭ରେ ସମ୍ବିଧାନକୁ ପଦାନତ କରିଥିବା ଅଭିଯୋଗରେ ପାକିସ୍ତାନରେ ତାଙ୍କ ବିରୋଧରେ ହୋଇଥିବା ମାମଲାର ବିଚାର ଚାଲି ଥିଲା । ଜେନେରାଲ ମୁସାରଫ ଦୁବାଇରେ ଅବସ୍ଥାନ କରୁଥିବା ସମୟରେ ୨୦୧୯ ଡିସେମ୍ବରରେ ଏକ ସ୍ୱତନ୍ତ୍ର ଅଦାଲତ ଏହି ମାମଲାର ରାୟ ପ୍ରକାଶ କରି ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ, ୟୁଏଇ ସହ ପାକିସ୍ତାନର ପ୍ରତ୍ୟାର୍ପଣ ଚୁକ୍ତି ନଥିବାରୁ ଦଣ୍ଡାଦେଶ କାର୍ଯ୍ୟକାରୀ ହୋଇପାରି ନଥିଲା । ଦଣ୍ଡାଦେଶ କେବଳ ପ୍ରତିକାତ୍ମକ ଥିଲା । ଜେନେରାଲ ମୁସାରଫ ଏହି ଦଣ୍ଡାଦେଶକୁ ଚ୍ୟାଲେଂଜ କରିଥିଲେ । ୨୦୨୦ ଜାନୁୟାରୀରେ ଲାହୋର ହାଇକୋର୍ଟ ମୁସାରଫଙ୍କ ବିରୋଧରେ ଯେଉଁ ବିଚାରଣା ହୋଇଥିଲା ତାହା ଅଗଣତାନ୍ତ୍ରିକ ଥିଲା ଦର୍ଶାଇ ମୃତ୍ୟୁଦଣ୍ଡ ଆଦେଶକୁ ରଦ୍ଦ କରି ଦେଇଥିଲେ । ଏହାପରେ ଜେନେରାଲ ମୁସାରଫଙ୍କୁ ଦେଶକୁ ଫେରାଇ ଆଣିବାକୁ ତାଙ୍କ ପରିବାର ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ଜେନେରାଲ ମୁସାରଫ ୧୯୪୩ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ୧୯୪୭ ଭାରତ ବିଭାଜନ ସମୟରେ ପରିବାର ସହ ନବଗଠିତ ପାକିସ୍ତାନକୁ ପଳାଇ ଥିଲେ । ତାଙ୍କ ପିତା ପାକିସ୍ତାନ ବିଦେଶ ମନ୍ତ୍ରଣାଳୟରେ ଓ ମାତା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ୧୮ ବର୍ଷ ବୟସରେ ମୁସାରଫ ପାକିସ୍ତାନ ସେନାରେ ଯୋଗଦେଇ ରାଷ୍ଟ୍ରପତି ପଦରେ ପହଂଚିବାକୁ ସକ୍ଷମ ହୋଇଥିଲେ । ୨୦୦୭ରେ ଜେନେରାଲ ମୁସାରଫଙ୍କ ଇଂଗିତରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେନାଜିର ଭୁଟ୍ଟୋଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ପାକ୍ ଅଦାଲତରେ ବିଚାରାଧୀନ ରହିଛି । ବେନାଜିର ଭୁଟ୍ଟୋ ତାଙ୍କ ଦଳ ପାଇଁ ନିର୍ବାଚନ ପ୍ରଚାର କରୁଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା । ୨୦୦୮ ନଭେମ୍ବର ୨୬/୧୧ ଅକ୍ରମଣ ମଧ୍ୟ ଜେନେରାଲ ମୁସାରଫଙ୍କ ଇଂଗିତରେ ହୋଇଥିବା କୁହାଯାଉଛି । ଏହି ଘଟଣା ପରେ ପାକିସ୍ତାନ ସହ ଭାରତର ସଂପର୍କ ଅଧିକ ତୀକ୍ତ ହୋଇଛି, ଯାହାକି ଆଜି ଯାଏଁ ସୁଧୁରି ପାରୁନି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS