ଆଜି ମଧ୍ୟ ହୋଇପାରିଲାନି ଦିଲ୍ଲୀ ମେୟର ନିର୍ବାଚନ !


ପ୍ରସାଦ ରାଓ
ଫେବୃଆରୀ ୦୬/୨୩
ଦୁଇ ମାସ ତଳୁ ଦିଲ୍ଲୀ ମୁନସିପାଲ କର୍ପୋରେସନ (ଏମସିଡି)ର ନିର୍ବାଚନ ସରିଲାଣି ସିନା ଆଜି ସୁଦ୍ଧା ମେୟର ନିର୍ବାଚନ ହୋଇପାରୁନି । ୨୦୨୨ ଡିସେମ୍ବର ୪ ତାରିଖରେ ଏହି ନିର୍ବାଚନ ହୋଇଥିଲା । ଦିଲ୍ଲୀବାସୀ ପନ୍ଦର ବର୍ଷ ଧରି ଦିଲ୍ଲୀ ମୁନସିପାଲ କର୍ପୋରେସନରେ କ୍ଷମତାରେ ଥିବା ବିଜେପି କାଉନସିଲକୁ ହଟାଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଆମ୍ ଆଦମୀ ପାର୍ଟି ବା ‘ଆପ୍’କୁ ବହୁମତ ଦେଇଥିଲେ । ୨୫୦ ଆସନ ବିଶିଷ୍ଟ ଏମସିଡିରେ ‘ଆପ୍’କୁ ସର୍ବାଧିକ ୧୩୪ ଆସନ ମିଳିଥିବା ବେଳେ ବିଜେପିକୁ ୧୦୪ ଆସନ ଓ କଂଗ୍ରେସକୁ ମାତ୍ର ୯ଟି ଆସନ ମିଳିଛି । ଅନ୍ୟମାନେ ୩ଟି ଆସନରେ ବିଜୟୀ ହୋଇଛନ୍ତି । ବହୁମତ ପାଇଥିବା ଦୃଷ୍ଟିରୁ ‘ଆପ୍’ ଏମସିଡିରେ ନିଜର ମେୟର, ଡେପୁଟୀ ମେୟର ଓ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କୁ ନିର୍ବାଚିତ କରାଇ ମହାନଗର ନିଗମର ପରିଚାଳନା ଦାୟିତ୍ୱ ହାତକୁ ନେବା କଥା । କିନ୍ତୁ, ବହୁମତ ପାଇ ନଥିବା ବିଜେପି ଏଥିରେ ବାଟ ଓଗାଳି ବସିଛି । ଦଳର କାଉନସିଲରଙ୍କ ସଂଖ୍ୟା ୧୦୪ ଥିଲେ ସୁଦ୍ଧା ଗଳାବାଟରେ ମେୟର, ଡେପୁଟୀ ମେୟର ଓ ଷ୍ଟାଣ୍ଡିଂ କମିଟିକୁ ନିଜ ଦଳର ସଦସ୍ୟଙ୍କୁ ନିର୍ବାଚିତ କରାଇବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଲ୍ୟୁଟିନାଂଟ୍ ଜେନେରାଲ (ଏଲଜି) ଜରିଆରେ ଗୋଟିଚଳାନା କରୁଛି । ଫଳରେ, ଏମସିଡିର ମେୟର, ଡେପୁଟୀ ମେୟର ଓ ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନ ଗଡି ଗଡି ଚାଲିଛି । ଦୁଇ ଦୁଇ ଥର କାଉନସିଲ୍ ବୈଠକ ଡକା ଯାଇଥିଲେ ମଧ୍ୟ ଏଲଜିଙ୍କ ଚାଲବାଜୀ ଯୋଗୁଁ ବିଜେପି ଓ ‘ଆପ୍’ କାଉନସିଲରଙ୍କ ମଧ୍ୟରେ ହଟ୍ଟଗୋଳ ହୋଇ ମେୟର, ଡେପୁଟୀ ମେୟର ଓ ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନ ସ୍ଥଗିତ ହୋଇଛି । ଆଜି ମଧ୍ୟ ସେହି ଏକା ଅବସ୍ଥା ଦେଖିବାକୁ ମିଳିଛି । ଏଲଜିଙ୍କ ଦ୍ୱାରା ମନୋନୀତ ୧୦ ଜଣ କାଉନସଲରଙ୍କୁ ପ୍ରିଜାଇଡିଂ ଅଫିସର ମତଦାନ କରିବା ଅଧିକାର ଦେବାରୁ ‘ଆପ୍’ ତାହାର ଦୃଢ ବିରୋଧ କରିଥିଲା । ଫଳରେ, ବିଜେପି ଓ ‘ଆପ୍’ ସଦସ୍ୟଙ୍କ ମଧ୍ୟରେ ପ୍ରବଳ ହଟ୍ଟଗୋଳ ହୋଇ ମେୟର ନିର୍ବାଚନ ସ୍ଥଗିତ ରହିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ଏମସିଡି ଆଇନରେ ଏଲଜିଙ୍କ ଦ୍ୱାରା ମନୋନୀତ ସଦସ୍ୟମାନେ ମତଦାନରୁ ଦୂରେଇ ରହିବା କଥା । କିନ୍ତୁ, ଏଲଜି ବିଜୟ କୁମାର ସାକ୍ସେନାଙ୍କ ଦ୍ୱାରା ମନୋନୀତ କାଉନସିଲରଙ୍କୁ ପ୍ରଜାଇଡିଂ ଅଫିସର ମତଦାନ କରିବାକୁ ଅନୁମତି ଦେବାରୁ ‘ଆପ୍’ ପକ୍ଷରୁ ବିରୋଧ ହୋଇଥିଲା । ବିଜେପି ଏଲଜିଙ୍କ ମାଧ୍ୟମରେ ଅଗଣତାନ୍ତ୍ରିକ ଉପାୟରେ ନିଜର ମେୟର, ଡେପୁଟୀ ମେୟର ଓ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କୁ ନିର୍ବାଚିତ କରାଇବାକୁ ଚାହୁଁଥିବା ଅଭିଯୋଗ କରି ‘ଆପ୍’ ସୁପ୍ରିମ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମେୟର ନିର୍ବାଚନ କରାଯାଉ ବୋଲି ଆବେଦନ କରିବାକୁ ସ୍ଥିର କରିଥିବା ଆଜି ସୂଚନା ମିଳିଛି । ପୂର୍ବରୁ ଏକା ପରିସ୍ଥିତିରେ ଜାନୁୟାରୀ ୬ ତାରିଖରେ ହେବାକୁ ଥିବା ମେୟର, ଡେପୁଟୀ ମେୟର ନିର୍ବାଚନ ସ୍ଥଗିତ ରହି ଥିଲା । ଏଲଜିଙ୍କ ଦ୍ୱାରା ମନୋନୀତ କାଉନସିଲରଙ୍କୁ ମତଦାନ ଅନୁମତି ଦିଆନଯିବାକୁ ଆବେଦନ କରି ‘ଆପ୍’ର ମେୟର ପ୍ରାର୍ଥୀ ଡକ୍ଟର ଶେଲି ଓବରଏ ସୁପ୍ରିମ କୋର୍ଟରେ ପିଟିସନ ଦାଖଲ କରିଥିଲେ । ତେବେ, ଏଲଜି ସାକ୍ସେନା ଫେବୃଆରୀ ୬ ତାରିଖରେ ମେୟର ନିର୍ବାଚନ କରାଇବାକୁ ତାରିଖ ଧାର୍ଯ୍ୟ କରି କାଉନସିଲ ବୈଠକ ଡକାଇ ଥିବାରୁ ଆବେଦନ ଉପରେ ବିସ୍ତୃତ ଶୁଣାଣୀ ହେଲେ ୬ ତାରିଖ ହେବାକୁ ଥିବା ବୈଠକ ବାଧାପ୍ରାପ୍ତ ହେବ ବୋଲି ସୁପ୍ରିମ କୋର୍ଟ କହିଥିଲେ । ଏହାପରେ, ‘ଆପ୍’ର ମେୟର ପ୍ରାର୍ଥୀ ଶେଲି ଓବରଏ ସୁପ୍ରିମ କୋର୍ଟରୁ ତାଙ୍କ ଆବେଦନ ପ୍ରତ୍ୟାହାର କରି ନେଇଥିଲେ । ପୂର୍ବରୁ ଜାନୁୟାରୀ ୬ ତାରିଖରେ ହୋଇଥିବା ବୈଠକରେ ମେୟର ନିର୍ବାଚନ ହେବାର ଥିଲା । ତେବେ, ବୈଠକ ଆରମ୍ଭରେ ପ୍ରିଜାଇଡିଂ ଅଫିସର ଏଲଜିଙ୍କ ଦ୍ୱାରା ମନୋନୀତ କାଉନସିଲରଙ୍କୁ ଶପଥ ପାଠ କରାଇବାରୁ ‘ଆପ୍’ ସଦସ୍ୟମାନେ ତାହାର ଦୃଢ ବିରୋଧ କରିଥିଲେ । ବିଜେପି ତାହାର ମେୟର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଏହି ଗୋଟି ଚଳାିଛି ବୋଲି ‘ଆପ୍’ ପକ୍ଷରୁ ଅଭିଯୋଗ ହେବାରୁ ବୈଠକରେ ଦୁଇ ପକ୍ଷ ମଧ୍ୟରେ ମାରପିଟ୍, ମୁଥ ମରାମରି ଓ ଟେବୁଲ, ଚଉକି ଫିଙ୍ଗା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଲଜି ଭି.କେ.ସାକ୍ସେନା ଦିଲ୍ଲୀ ସରକାରଙ୍କ ସହ କୌଣସି ପରାମର୍ଶ ନକରି ୧୦ ଜଣଙ୍କୁ ମନୋନୀତ ସଦସ୍ୟ ଭାବେ ଚୟନ କରି ଥିବାରୁ ‘ଆପ୍’ ପ୍ରାରମ୍ଭରୁ ବିରୋଧ କରିଆସୁଛି । ଦିଲ୍ଲୀ ସରକାର ‘ଆପ୍’ର ବରିଷ୍ଠ କାଉନସିଲର୍ ମୁକେଶ ଗୋୟେଲଙ୍କୁ ଗୃହର ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତି ଦିଆଯିବା ଚାହୁଁଥିଲେ ମଧ୍ୟ ଏଲଜି ସାକ୍ସେନା ବିଜେପିର ସତ୍ୟ ଶର୍ମାଙ୍କୁ ନିଯୁକ୍ତି ଦେଇଥିଲେ । ମେୟର, ଡେପୁଟୀ ମେୟର ନିର୍ବାଚରେ ଏମସିଡିର ନିର୍ବାଚିତ କାଉନସିଲରଙ୍କ ବ୍ୟତୀତ ବିଜେପିର ସାତ ଜଣ ଲୋକସଭା ସଦସ୍ୟ (ସମସ୍ତେ ଦିଲ୍ଲୀର), ‘ଆପ୍’ର ତିନି ଜଣ ରାଜ୍ୟସଭା ସାଂସଦ ଓ ରାଜ୍ୟ ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ମନୋନୀତ ୧୪ ଜଣ ବିଧାୟକ ଭୋଟ ଦେବାର ଅଧିକାର ରଖିଛନ୍ତି । ଏଲଜିଙ୍କ ଦ୍ୱାରା ମନୋନୀତ ସଦସ୍ୟମାନେ ଆଇନ ଅନୁସାରେ ଭୋଟ ଦେବାର ଅଧିକାର ରଖି ନଥିଲେ ମଧ୍ୟ ପ୍ରିଜାଇଡିଂ ଅଫିସର ସେମାନଙ୍କୁ ଭୋଟଦାନ ଅନୁମତି ଦେଇଥିବାରୁ ସେମାନେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବା ନିଶ୍ଚିତ । ଗୋଟିଏ ପଟେ କଂଗ୍ରେସ ତାହାର ୯ ଜଣ କାଉନସିଲର ମେୟର, ଡେପୁଟୀ ମେୟର ନିର୍ବାଚନରେ ଭୋଟଦାନରୁ ବିରତ ରହିବେ ବୋଲି କହିଛି । ଅନ୍ୟପଟେ, ମେୟର, ଡେପୁଟୀ ମେୟର ଓ ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନ ଗୋପନ ବ୍ୟାଲେଟ୍ ମାଧ୍ୟମରେ ହେବାକୁ ଥିବାରୁ ଏବଂ ଏମସିଡି ମେୟର ନିର୍ବାଚନରେ ଦଳବଦଳ ଆଇନ ଲାଗୁ ନଥିବାରୁ ବିଜେପି ବ୍ୟାପକ କ୍ରସ୍ ଭୋଟିଂ କରାଇ ଓ ଏଲଜିଙ୍କ ଦ୍ୱାରା ମନୋନୀତ କାଉନସିଲରଙ୍କୁ ମତଦାନ ଅଧିକାର ଦେଇ ନିର୍ବାଚନ ନିଜ ସପକ୍ଷରେ ନେବାକୁ ଚାଲ୍ କରୁଥିବା ‘ଆପ୍’ ଆଶଙ୍କା କରୁଛି । କଂଗ୍ରେସ କାଉନସିଲରମାନେ ମତଦାନରୁ ବିରତ ରହିବେ ବୋଲି ଯାହା କୁହାଯାଉଛି ତାହା ବିଜେପି ଓ କଂଗ୍ରେସ ମଧ୍ୟରେ ଭିତିରି ବୁଝାମଣା ବୋଲି ମଧ୍ୟ ‘ଆପ୍’ ଅଭିଯୋଗ କରିଛି । ଆମେ ଦିଲ୍ଲୀ ଏମସିଡିକୁ ଜଣେ ମେୟର ମିଳିବା ଓ ଏଥିପାଇଁ ନିର୍ବାଚନ ହେବା ଚାହୁଁଛୁ । ତେବେ, ବିଜେପି ଜାଣିଶୁଣି ଏଥିରେ ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି ବିଜେପିର ଜଣେ ଜାତୀୟ ମୁଖପାତ୍ର ଆଜି ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । ଭାରତୀୟ ଗଣତନ୍ତ୍ର ବିଶ୍ୱର ସର୍ବୋତ୍ତମ ଗଣତନ୍ତ୍ର ଭାବେ ପରିଚିତ । ତେବେ, ଦୁଇ ମାସ ହେଲା ଦିଲ୍ଲୀ ମୁନସିପାଲ କର୍ପୋରେସନ (ଏମସିଡି)ର ନିର୍ବାଚନ ସରି ମଧ୍ୟ ଦିଲ୍ଲୀବାସୀ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଜଣେ ନିର୍ବାଚିତ ମେୟର ଓ ଡେପୁଟୀ ମେୟରଙ୍କୁ ପାଇପାରୁ ନାହାନ୍ତି । ସର୍ବୋପରି, କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ବରିଷ୍ଠ ଅଧିକାରୀ (ଏଲଜି) ଗଣତାନ୍ତ୍ରିକ ଉପାୟରେ ହେବାକୁ ଥିବା ନିର୍ବାଚନରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି । ଏମସିଡି ଆଇନ ଅନୁଯାୟୀ ମନୋନୀତ ସଦସ୍ୟଙ୍କୁ ମତଦାନରୁ ବିରତ ରଖିବା ଏବଂ ସମୟ ଭିତ୍ତିକ ମେୟର, ଡେପୁଟି ମେୟର ନିର୍ବାଚନ କରାଇବାକୁ ‘ଆପ୍’ ସୁପ୍ରିମ କୋର୍ଟରେ ପୁନଃ ଆବେଦନ କରିବ ବୋଲି କହୁଥିବାରୁ ଆଗାମୀ ଦିନରେ କୋର୍ଟଙ୍କ ଆଦେଶ କଣ ହେବ – ତାହା ଉପରେ ସବୁ କିଛି ନିର୍ଭର କରୁଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS