ହତ୍ୟାର ଦଶ ଦିନ ପରେ ମଧ୍ୟ ହାତ ଖାଲି !


ପ୍ରସାଦ ରାଓ
ଫେବୃଆରୀ ୦୮/୨୩
ପୁଲିସ ଚାକିରୀରୁ ବରଖାସ୍ତ ହୋଇଥିବା ଏଏସଆଇ ଗୋପାଳକୃଷ୍ଣ ଦାସ ଜାନୁୟାରୀ ୨୯ ତାରିଖ ମଧ୍ୟାହ୍ନରେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଥିବା ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ସ୍ୱୀକାର କରୁଛନ୍ତି । ସେଦିନ ସେ କିଭଳି ଭାବେ ଏହି ହତ୍ୟାକାଣ୍ଡ ସଂଗଠିତ କରିଥିଲେ ତାହା ମଧ୍ୟ ମଙ୍ଗଳବାର ଦିନ କ୍ରାଇମ ବ୍ରାଂଚ ଅଧିକାରୀଙ୍କୁ ଡେମୋ କରି ଦେଖାଇଛନ୍ତି । ମନ୍ତ୍ରୀଙ୍କ ହତ୍ୟା ପାଇଁ ଦୁଇ ଦିନ ପୂର୍ବରୁ ସେ କ୍ରାଇମ ସ୍ପଟ୍ ରେ ରେକି କରିଥିବା ମଧ୍ୟ ତଦନ୍ତକାରୀ ଅଧିକାରୀମାନେ ଖବର ସଂଗ୍ରହ କରିଛନ୍ତି । ତେବେ, ଏହି ହତ୍ୟା ପଛରେ ଗୋପାଳଙ୍କ ଉଦ୍ଦେଶ୍ୟ କଣ ଥିଲା ତାହା ଘଟଣାର ୧୦ ଦିନ ପରେ ମଧ୍ୟ ଅସ୍ପଷ୍ଟ ରହିଛି । ଓଡ଼ିଶା କ୍ରାଇମ ବ୍ରାଂଚ ଅଧିକାରୀମାନେ ଏହି ରହସ୍ୟର ସମାଧାନ କରିବାରେ ଏପର୍ଯ୍ୟନ୍ତ ସଫଳ ହୋଇନଥିବା ବେଳେ ଏହା ପଛରେ କୌଣସି ରାଜନୈତିକ, ବ୍ୟବସାୟିକ ବା ବ୍ୟକ୍ତିଗତ ଆକ୍ରୋଶ ନଥିଲା ବୋଲି ଅଭିଯୁକ୍ତ ଗୋପାଳ ଦାସଙ୍କ ବୟାନକୁ ବିରୋଧୀ ହଜମ କରିପାରୁ ନାହାନ୍ତି । ଗୋପାଳଙ୍କୁ ଜଣେ ସୁଟର୍ ଭାବେ ବ୍ୟବହାର କରାଯାଇଥିଲେ ମଧ୍ୟ ହତ୍ୟା ପଛରେ ଅନ୍ୟ କାହା ହାତ ରହିଛି । ହତ୍ୟା ରହସ୍ୟ ଭେଦିପାରୁ ନଥିବା କ୍ରାଇମ ବ୍ରାଂଚ କେବଳ ନାଟକବାଜୀ ଚଳାଇଛି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି ।
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧିଛକରେ ଜାନୁୟାରୀ ୨୯ ତାରିଖ ଏହି ଚାଂଚଲ୍ୟକର ହତ୍ୟାକାଣ୍ଡ ଘଟି ଥିଲା । ଖବର ପାଇବା ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମ୍ ବ୍ରାଂଚ ତଦନ୍ତ ଆଦେଶ ଦେଇ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇ ଥିଲେ । କ୍ରାଇମ ବ୍ରାଂଚ ଏଡ଼ିଜି ଅରୁଣ ବୋଥ୍ରା ତଦନ୍ତର ନେତୃତ୍ୱ ନେବା ସହ ସେହି ଦିନ ସନ୍ଧ୍ୟାରେ ବ୍ରଜରାଜନଗରରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ରବିବାର ଘଟଣା ଘଟିଥିବା ବେଳେ ଅଭିଯୁକ୍ତକୁ ସେହି ଦିନ ରାତି ସାରା ଜେରା କରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଥିଲା । ଗଲା ୧୦ ଦିନ ମଧ୍ୟରେ ଓଡ଼ିଶା କ୍ରାଇମ ବ୍ରାଂଚ ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କୁ ଦୁଇଟି ପର୍ଯ୍ୟାୟରେ ଚାରି ଦିନ ଲେଖାଏଁ ଆଠ ଦିନ ରିମାଣ୍ଡରେ ଆଣିଛି । ଘନ ଘନ ଜେରା ସତ୍ତ୍ୱେ ହତ୍ୟାର ଉଦ୍ଦେଶ କଣ ଜାଣିବାରେ କ୍ରାଇମ ବ୍ରାଂଚ ସଫଳ ହୋଇନଥିବାରୁ ଅଭିଯୁକ୍ତଙ୍କୁ ପୁଣି ଥରେ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ ଡିଜି ସୁନିଲ ବଂଶଲ ଗଣମାଧ୍ୟମକୁ କହିଛନ୍ତି ।
ଗତକାଲି ରାଜ୍ୟ ପୁଲିସ ଡିଜି ବଂଶଲ ରାଜ୍ୟ ଗୁଇନ୍ଦା ବିଭାଗ ନିର୍ଦେଶକ ସଂଜୀବ ପଣ୍ଡା ଓ ଏଡିଜି (ଆଇନ ଶୃଙ୍ଖଳା) ଆର.କେ.ଶର୍ମାଙ୍କ ସହ ଝାରସୁଗୁଡାରେ ପହଂଚି ଥିଲେ । ଆଜି ଉତ୍ତରାଂଚଳ ରେଂଜ୍ ପୁଲିସ ଆଇଜି ଦୀପକ କୁମାରଙ୍କ ସହ ବ୍ରଜରାଜନଗର ଗାନ୍ଧିଛକକୁ ଯାଇ ଡିଜିପି ବଂଶଲ ଅପରାଧ ସ୍ଥଳ ପରିଦର୍ଶନ କରିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି.ଦାସ ନବ ଦାସ ହତ୍ୟା ଘଟଣାରେ ଚାଲିଥିବା କ୍ରାଇମ ବ୍ରାଂଚ ତଦନ୍ତର ତଦାରଖ କରୁଛନ୍ତି । ଜଷ୍ଟିସ ଦାସ ମଧ୍ୟ ଗତକାଲି ଝାରସୁଗୁଡା ଯିବା ସହ ଆଜି କ୍ରାଇମ୍ ସ୍ପଟ୍ ବୁଲି ଦେଖିଥିବା ସୂଚନା ମିଳିଛି । ଅଭିଯୁକ୍ତ ଗୋପାଳ ଦାସ ହତ୍ୟାକାଣ୍ଡ ଘଟାଇବା ପରେ ତୁରନ୍ତ ଘଟଣାସ୍ଥଳରୁ ଗିରଫ ହୋଇଥିଲେ । ତାହା ପରଠାରୁ ତଦନ୍ତ ଅଧିକାରୀଙ୍କ ନିକଟରେ ଯେଉଁ ବୟାନ ଦେଇ ଆସୁଛନ୍ତି ସେଥିରେ ଆଜି ସୁଦ୍ଧା କାଏମ ଅଛନ୍ତି । ଗତକାଲି ତାଙ୍କୁ କ୍ରାଇମ ବ୍ରାଂଚ ହେପାଜତରେ ବ୍ରଜରାଜନଗର ଗାନ୍ଧିଛକକୁ ନିଆଯାଇ ହତ୍ୟାକାଣ୍ଡ ସିନ୍ ରିକ୍ରିଏସନ୍ କରାଯାଇଥିଲା ।
ଗୋପାଳଙ୍କ ବୟାନ ଓ ସଂପୂର୍ଣ୍ଣ ହତ୍ୟା ଘଟଣାର ସିନ୍ ରିକ୍ରିଏସନ୍ ପରେ ଆଉ କଣ ବାକି ରହିଲା ଯେ ଅଭିଯୁକ୍ତଙ୍କୁ ପୁନର୍ବାର ରିମାଣ୍ଡରେ ଆଣି ଅଧିକ ଜେରା କରାଯିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ପୁଲିସ ଡିଜି ଅନୁଭବ କରୁଛନ୍ତି ? ଆଜି ଦିନରେ ଏହା ବଡ ପ୍ରଶ୍ନ ହୋଇଛି । ଗୋପାଳ ବାଇପୋଲାର୍ ରୋଗ (ମାନସିକ ରୋଗ)ରେ ଆକ୍ରାନ୍ତ ଥିବା ତାଙ୍କ ପରିବାର ଆରମ୍ଭରୁ କହୁଛନ୍ତି । ମାନସିକ ରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ପସନ୍ଦ କରୁନଥିବା ବ୍ୟକ୍ତିଙ୍କୁ ଦେଖିଲେ ଚିଡି ଉଠନ୍ତି ଏବଂ ସୁଯୋଗ ମିଳିଲେ ଜୀବନରେ ଶେଷ କରି ଦେବାକୁ ଚାହିଁ ଥା’ନ୍ତି । ଯେହେତୁ ଗୋପାଳ ଦାସ ମାନସିକ ରୋଗୀ ଥିଲେ ଏବଂ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲର ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ୨୦୧୪ରୁ ଚିକିତ୍ସିତ ହେଉଥିଲେ । ମନ୍ତ୍ରୀ ନବ ଦାସଙ୍କୁ ଦେଖିଲେ ତାଙ୍କ ମନରେ ଆକ୍ରୋଶ ଜାତ ହେଉଥିଲା ଏବଂ ସେ ତାଙ୍କୁ ହତ୍ୟା କରିବାକୁ ବହୁ ଦିନ ହେଲା ଇଚ୍ଛା କରୁଥିଲେ ବୋଲି ଅଭିଯୁକ୍ତ ଗୋପାଳ ଦାସ କ୍ରାଇମ ବ୍ରାଂଚ ଜେରା ସମୟରେ କହିଥିବା ଚର୍ଚ୍ଚାକୁ ଆସିଛି । ଗୋପାଳଙ୍କ ଏହି ବକ୍ତବ୍ୟର ସତ୍ୟତା କେତେ, ତାହା ଏବେ ଯାଂଚର ବିଷୟ ହୋଇଛି ।
ମନ୍ତ୍ରୀଙ୍କ ହତ୍ୟା ପରେ ମଧ୍ୟ ଗୋପାଳ ଦାସ ବିବ୍ରତ ବା ଅନୁତପ୍ତ ନୁହନ୍ତି । ଜେରା ସମୟରେ ସେ ସ୍ୱାଭାବିକ ରହୁଥିବାରୁ ତାଙ୍କ ମାନସିକ ଅବସ୍ଥାକୁ ଯାଂଚ କରିବାକୁ ସ୍ୱତନ୍ତ୍ର ମେଡିକାଲ ବୋର୍ଡକୁ ନିୟୋଜିତ କରାଯାଇଛି ।ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ମେଂଟାଲ ହେଲ୍ଥ ଏଣ୍ଡ ନ୍ୟୁରୋ ସାଇନ୍ସ (ନିମହାନ୍ସ)ର ନ୍ୟୁରୋ-ସାଇକ୍ରିଆଟିଷ୍ଟ ଟିମ୍ ଅତିଶୀଘ୍ର ଯାଂଚ କାର୍ଯ୍ୟରେ ସାମିଲ ହୋଇଥିବା ବେଳେ ସେଂଟ୍ରାଲ ଫେରେନ୍ସିକ ସାଇନ୍ସ ଲାବୋରୋଟୋରୀ (ସିଏଫଏସଏଲ) ନିର୍ଦେଶକ ଅଶୋକ ଶ୍ରୀବାସ୍ତବଙ୍କ ଟିମ୍ ଗୋପାଳଙ୍କ ଲେୟାର୍ଡ ଭଏସ୍ ଆନାଲିସିସ୍ (ଏଲଭିଏ) କରି ହତ୍ୟା ଉଦ୍ଦେଶ୍ୟ ଜାଣିବାକୁ ଉଦ୍ୟମ କରୁଥିବା ଜଣାପଡିଛି । ତଥାପି, କ୍ରାଇମ ବ୍ରାଂଚ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ଥିବା ଉଦ୍ଦେଶ୍ୟକୁ ଠଉରାଇବାରେ ସଫଳ ହୋଇ ନାହାନ୍ତି । ଓଡ଼ିଶା କ୍ରାଇମ ବ୍ରାଂଚ ଏଡିଜି ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତ ଠିକ୍ ବାଟରେ ଚାଲିଛି ଏବଂ ହତ୍ୟା ରହସ୍ୟକୁ ଉନ୍ମୋଚନ କରିବାକୁ ସମୟ ଲାଗିବ ବୋଲି ରାଜ୍ୟ ପୁଲିସ ଡିଜି ବଂଶଲ ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ବିରୋଧୀ ବୁଝିବା ସ୍ଥିତିରେ ନାହାନ୍ତି ।
ଏଭଳି ଏକ ସ୍ପର୍ଶକାତର ଘଟଣାର ରହସ୍ୟ ଭେଦିବାରେ ରାଜ୍ୟ ପୁଲିସ ସକ୍ଷମ ନୁହେଁ । ତେଣୁ, ମାମଲା ସିବିଆଇକୁ ହସ୍ତାନ୍ତର କରାଯିବାକୁ ବିଜେପି ଦାବି କରୁଥିବା ବେଳେ କଂଗ୍ରେସ ଏସଆଇଟି ତଦନ୍ତ କଥା କହୁଛି । ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ଜଣେ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ଘଟଣାର କ୍ରାଇମ ବ୍ରାଂଚ ତଦନ୍ତ କରାଉ ଥିଲେ ମଧ୍ୟ ବିରୋଧୀଙ୍କ ବିଶ୍ୱାସଭାଜନ ହୋଇପାରୁ ନାହାନ୍ତି । ଏହାର କାରଣ ହେଉଛି, ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଘଟିଥିବା ବିଭିନ୍ନ ଆପରାଧିକ ଘଟଣାରେ ରାଜ୍ୟ ସରକାର କ୍ରାଇମ ବ୍ରାଂଚ ତଦନ୍ତ ନିର୍ଦେଶ ଦେଇଥିଲେ ମଧ୍ୟ ଫଳାଫଳ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ଜଣେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀ ସ୍ପଷ୍ଟ ଦିବାଲୋକରେ ହତ୍ୟା କରୁଥିବା ବେଳେ ସାଧାରଣ ଜନତାଙ୍କୁ କିଭଳି ସୁରକ୍ଷା ମିଳୁଥିବ (?) ବୋଲି ବିରୋଧୀ ପ୍ରଶ୍ନ କରୁଛନ୍ତି । ରାଜ୍ୟରେ ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ସରକାରଙ୍କୁ ଘେରିବା ପାଇଁ ଏହା ବଡ ମୌକା ହୋଇଛି ।
କଂଗ୍ରେସ ଅପେକ୍ଷା ବିଜେପି ଅଧିକ ଆକ୍ରମଣାତ୍ମକ ଥିବା ଦେଖିବାକୁ ମିଳୁଛି । କେବଳ ରାଜ୍ୟସ୍ତର ନେତା ନୁହନ୍ତି, ବିଜେପିର ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅର୍ଜୁନ ମୁଣ୍ଡା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଗୃହ ମନ୍ତ୍ରଣାଳୟ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବାରୁ ନବ ଦାସଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଥିବା ସେମାନେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି । ଶାସକ ଦଳରେ ଶୀର୍ଷସ୍ତରରେ ଥିବା ରାଜନୈତିକ ଶତୃତା କିମ୍ବା ବ୍ୟବସାୟିକ କାରଣରୁ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ଓଡ଼ିଶା କ୍ରାଇମ ବ୍ରାଂଚ ନୁହେଁ, ସିବିଆଇ ତଦନ୍ତ ହେଲେ ହିଁ ହତ୍ୟା ରହସ୍ୟ ଉନ୍ମୋଚନ ହୋଇ ପାରିବ ବୋଲି ଦୁଇ କେନ୍ଦ୍ର ମନ୍ତ୍ରୀ ଯୁକ୍ତି ବାଢିଛନ୍ତି । ଘଟଣା ଘଟିବାର ସପ୍ତାହକ ପର୍ଯ୍ୟନ୍ତ ରାଜ୍ୟ ପୁଲିସ ଡିିଜି ନିରବ ରହିବା ଏବଂ ପରେ ପ୍ରଭୁ ଜଗନ୍ନାଥ ହିଁ ରହସ୍ୟ ଭେଦି ପାରିବେ ବୋଲି ମନ୍ତବ୍ୟ ରଖିବା ସରକାରଙ୍କ ଅସହାୟତାକୁ ପଦାରେ ପକାଇଛି ।
ବିଜେପି ପକ୍ଷରୁ ମନ୍ତ୍ରୀ ନବ ଦାସ ହତ୍ୟାର ସିବିଆଇ ତଦନ୍ତ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ପଛରେ ରହିଥିବା ରାଜନୈତିକ ଉଦ୍ଦେଶ୍ୟ ଓଡ଼ିଶାବାସୀଙ୍କୁ ଅଛପା ନାହିଁ । ୨୦୨୪ରେ ଓଡ଼ିଶା ଦଖଲ ପାଇଁ ବିଜେପି ରୋଡମ୍ୟାପ୍ ପ୍ରସ୍ତୁତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ପ୍ରଧାନ ଚବିଶିରେ ଓଡ଼ିଶାରୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ସୂଚନା ମିଳୁଛି । ତେଣୁ, ନବ ଦାସ ହତ୍ୟାର ତଦନ୍ତ ଯେତେ ଲମ୍ବିବ ବିଜେପି ସେଥିରୁ ସେତେ ଫାଇଦା ନେଇ ପାରିବ ବୋଲି ଦଳର ନେତମାନେ ଭାବୁଛନ୍ତି । ତେଣୁ, ରାଜ୍ୟ ବିଜେପି ନେତାମାନେ ପ୍ରତି ଦିନ ନୂଆ ନୂଆ ଅଭିଯୋଗ ଆଣି ତାତି ବଜାୟ ରଖିବାକୁ ଉଦ୍ୟମ କରୁଛନ୍ତି । ଯେଭଳି ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି.ଦାସଙ୍କୁ ତଦାରଖରେ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ତଦନ୍ତର ଆଇନଗତ ବୈଧତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେଭଳି ବିଜେପି ନେତା (ରାଜ୍ୟ ବିରୋଧୀ ଦଳ ନେତା) ଜୟନାରାୟଣ ମିଶ୍ର ନବ ଦାସଙ୍କ ହତ୍ୟା ପଛରେ ବଡବଡିଆଙ୍କ ହାତ ଥିବା ଅଭିଯୋଗ କରି ଗୋପାଳ କେବଳ ସାର୍ପ-ସୁଟର୍ ଥିଲା, ତା’ ପଛରେ କେଉଁମାନଙ୍କ ହାତ ଅଛି (?) ବୋଲି ପ୍ରଶ୍ନ କରିଛନ୍ତି । ସରକାରଙ୍କବିରୋଧରେ ଅଭିଯୋଗ କରିବାରେ କଂଗ୍ରେସ ପଛରେ ନାହିଁ । ତେବେ, ବିଜେପି ଭଳି ଆକ୍ରମାକ ହୋଇପାରୁନି ।
ଶାସକ ଦଳ ମୁଖପାତ୍ରମାନେ ସରକାରଙ୍କୁ ସୁରକ୍ଷା ଦେବାକୁ ରକ୍ଷଣାତ୍ମକ ବିବୃତି ଦେଉଥିଲେ ମଧ୍ୟ କ୍ରାଇମ ବ୍ରାଂଚ ତଦନ୍ତରେ ଶିଥିଳତା ବରୋଧୀଙ୍କୁ ମୁହଁଖୋର କରିଛି । କ୍ରାଇମ ବ୍ରାଂଚ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ରାଜନୈତିକ ବା ବ୍ୟବସାୟିକ ଷଡଯନ୍ତ୍ରର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ପାଇନଥିବା ବେଳେ ଗୋପଳଙ୍କ ମାନସିକ ରୋଗ ଓ ମନ୍ତ୍ରୀଙ୍କ ପ୍ରତି ତାଙ୍କ ମନରେ ଥିବା ଘୃଣାଭାବ ବ୍ୟାଖ୍ୟାକୁ ନେଇ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି । ୨୦୧୪ରୁ ଗୋପାଳ ମାନସିକ ରୋଗୀ ଥିଲେ ଓ ରୋଗରୁ ମୁକ୍ତି ପାଇବାକୁ ଔଷଧ ସେବନ କରୁଥିଲେ । ବ୍ରଜରାଜନଗର ବଦଳି ହେବା ପରେ ବ୍ରହ୍ମପୁରରୁ ତାଙ୍କ ପାଇଁ ଔଷଧ ଯାଉଥିଲା । ମଝିରେ ସେ ଔଷଧ ଖାଇବା ବନ୍ଦ କରି ଦେଇଥିଲେ । ଔଷଧ ନ ଖାଇଲେ ବି କିଛି ଅସୁବିଧା ହେବ ନାହିଁ ବୋଲି ତାଙ୍କର ଧାରଣା ଥିଲା । ତେବେ, ପରିବାର ସଦସ୍ୟଙ୍କ ଚାପରେ ପୁନର୍ବାର ଔଷଧ ଖାଇବା ଆରମ୍ଭ କରିଥିଲେ ବୋଲି ନିଜେ ଗୋପାଳ କ୍ରାଇମ ବ୍ରାଂଚ ଜେରା ବେଳେ କହିଥିବା ଜଣାପଡିଛି ।
ମାନସିକ ରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ ବାଇପୋଲାର ରୋଗୀଙ୍କ ଲକ୍ଷଣ ତାଙ୍କ ସହ ଅତି ନିକଟରେ ଅବସ୍ଥାନ କରୁଥିବା ଲୋକ ହିଁ ସହଜରେ ଚିହ୍ନି ପାରିବେ । ଯେହେତୁ, ଗୋପାଳ ବ୍ରଜରାଜନଗରରେ ଏକୁଟିଆ ରହୁଥିଲେ ବିଭିନ୍ନ ସମୟରେ ତାଙ୍କ ବ୍ୟବହାରରେ ହେଉଥିବା ପରିବର୍ତ୍ତନକୁ ଜାଣିବା ଏତେ ସହଜ ନୁହେଁ । ତଥାପି, ‘ନିମହାନ୍ସ’ ବିଶେଷଜ୍ଞମାନେ ଅତ୍ୟାଧୁନିକ ବିଶ୍ଲେଷଣ ପଦ୍ଧତିରେ ଗୋପାଳଙ୍କ ମାନସିକ ଅବସ୍ଥାକୁ ନେଇ କୌଣସି ନିଷ୍କର୍ଷରେ ପହଂଚି ପାରିବେ ବୋଲି ଆଶା କରାଯାୁଛି । ମନ୍ତ୍ରୀଙ୍କ ପ୍ରତି ଗୋପାଳଙ୍କ ମନରେ କେବେଠୁ ଅସହିଷ୍ଣୁ ଭାବ ସୃଷ୍ଟି ହେଲା ଏବଂ ତାହାର ଠୋସ୍ କାରଣ କଣ ନିରୁପଣ ହେଲେ ହିଁ ହତ୍ୟାର ରହସ୍ୟ ଉନ୍ମୋଚିତ ହୋଇପାରିବ । ତେବେ, ସେପର୍ଯ୍ୟନ୍ତ ଅପେକ୍ଷା କରିବାକୁ ରାଜ୍ୟବାସୀଙ୍କ ଧୈର୍ଯ୍ୟ ଥିଲେ ହେଲା ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS