ସିବିଆଇ ତଦନ୍ତ ଅବେଦନ ହାଇକୋର୍ଟରେ ଖାରଜ


ପ୍ରସାଦ ରାଓ
ଫେବୃଆରୀ ୦୯/୨୩
ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟରେ ହୋଇଥିବା ଆବେଦନ ଆଜି ଖାରଜ ହୋଇଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ମାଧ୍ୟମରେ ହାଇକୋର୍ଟରେ ଏହି ଆବେଦନ ହୋଇଥିଲା । ରାଜ୍ୟ କ୍ରାଇମ ବ୍ରାଂଚ ଏହି ହାଇଫ୍ରୋଫାଇଲ୍ ହତ୍ୟାକାଣ୍ଡର ତଦନ୍ତ କରୁଛନ୍ତି । ଏତେଶୀଘ୍ର ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ‘ତରବରିଆ’ ହେବ ବୋଲି ହାଇକୋର୍ଟ କହିଛନ୍ତି । ମାମଲାର ସିବିଆଇ ତଦନ୍ତ ଆଦେଶ ପାଇଁ ଭାରତୀୟ ବିକାଶ ପରିଷଦ ହାଇକୋର୍ଟରେ ଆବେଦନ କରିବା ସହ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶାସନ ସଚିବ, ରାଜ୍ୟ ପୁଲିସ ମହାନିର୍ଦେଶକ, ସିବିଆଇ ଏବଂ ଓଡ଼ିଶା କ୍ରାଇମ ବ୍ରାଂଚକୁ ଏଥିରେ ପକ୍ଷଭୁକ୍ତ କରିଥିଲେ । ଗତ ୬ ତାରିଖ ଦିନ ଓଡ଼ିଶା ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା । ଏଠାରେ ଉଲ୍ଲେଖନୀୟ ଯେ, ମନ୍ତ୍ରୀ ନବ ଦାସ ଏକ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗତ ଜାନୁୟାରୀ ୨୯ ତାରିଖ ଦିନ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ଯାଇଥିବା ବେଳେ ମଧ୍ୟାହ୍ନରେ ଗାନ୍ଧୀ ଛକରେ ଟ୍ରାଫିକ ପରିଚାଳନା ଦାୟିତ୍ୱରେ ଥିବା ଗୋପାଳକୃଷ୍ଣ ଦାସ ନାମକ ଜଣେ ପୁଲିସ ଏଏସଆଇ ନିଜ ସର୍ଭିସ ରିଭଲଭରରୁ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଛାତିରେ ଗୁଳି ବାଜିବାରୁ ମନ୍ତ୍ରୀ ସଂଜ୍ଞାହୀନ ହୋଇ ନିଜ କାରରେ ଟଳି ପଡିଥିଲେ । ତାଙ୍କୁ ଝାରସୁଗୁଡା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ସଂକଟାପନ୍ନ ଅବସ୍ଥାରେ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱର ଅଣାଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଚିକିତ୍ସାଧିନ ଅବସ୍ଥାରେ ହସ୍ପିଟାଲରେ ମନ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଅଭିଯୁକ୍ତ ଗୋପାଳ ଦାସ ସେଦିନ ଘଟଣାସ୍ଥଳରୁ ଗିରଫ ହୋଇସାରିଛି । ଗୁଳିକାଣ୍ଡ ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମ ବ୍ରାଂଚ ତଦନ୍ତ ଆଦେଶ ଦେଇଥିଲେ ଏବଂ କ୍ରାଇମ ବ୍ରାଂଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି.ଦାସଙ୍କ ପ୍ରତ୍ୟକ୍ଷ ତଦାରଖରେ ଏହି ତଦନ୍ତ ଚାଲିଥିବା ବେଳେ ବିଜେପି ଏହାର ସିବିଆଇ ତଦନ୍ତ ଓ କଂଗ୍ରେସ ଏସଆଇଟି ତଦନ୍ତ ଦାବି କରୁଛି । ହତ୍ୟାକାଣ୍ଡ ଘଟିବା ପରଠୁ କ୍ରାଇମ ବ୍ରାଂଚ ଏହାର ତଦନ୍ତ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟା ଉଦ୍ଦେଶ୍ୟ କଣ ଥିଲା ଜାଣିବାକୁ ସକ୍ଷମ ହୋଇନଥିବାରୁ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦିଆଯିବାକୁ ଭାରତୀୟ ବିକାଶ ପରିଷଦ ଓଡ଼ିଶା ହାଇକୋର୍ଟରେ ଆବେଦନ କରିଥିଲା । ଇତିମଧ୍ୟରେ କ୍ରାଇମ ବ୍ରାଂଚ ହତ୍ୟା ଅଭିଯୁକ୍ତ ଗୋପାଳକୁ ଅଧିକ ପାଂଚ ଦିନ ପାଇଁ ରିମାଣ୍ଡରେ ନେଇ ନାର୍କୋ ଆନାଲିସିସ୍ ଟେଷ୍ଟ୍ ପାଇଁ ଗୁଜରାଟର ଗାନ୍ଧିନଗରକୁ ନେଇଛି । ଝାରସୁଗୁଡା ଜେଏମଏଫସି କୋର୍ଟ ଗୋପାଳଙ୍କ ସହମତି ଥାଇ କ୍ରାଇମ ବ୍ରାଂଚକୁ ନାର୍କୋ ଆନାଲିସିସ୍ ଟେଷ୍ଟ ଓ ପଲିଗ୍ରାଫ୍ ଟେଷ୍ଟ ପାଇଁ ଅନୁମତି ଦେଇଛନ୍ତି । ଗୋପାଳର ନାର୍କୋ ଆନାଲିସିସ୍ ଟେଷ୍ଟରୁ ମନ୍ତ୍ରୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଯିବ ବୋଲି କ୍ରାଇମ ବ୍ରାଂଚ ଆଶା କରୁଛି । ନାର୍କୋ ଟେଷ୍ଟ୍ ସମୟରେ ଅଭିଯୁକ୍ତକୁ ନିଶା ଦିଆଯାଇ ଅବଚେତନ ଅବସ୍ଥାରେ ସତ ଆଦାୟ କରାଯାଏ । ପ୍ରାୟତଃ ଅବଚେତନ ଅବସ୍ଥାରେ ଥିବା ଅଭିଯୁକ୍ତ ସତ ଓଗାଳି ଦିଅନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS