ବିବିସିକୁ ନିଷିଦ୍ଧ କରିବା ଆବେଦନ ସୁପ୍ରିମ କୋର୍ଟରେ ଖାରଜ


ପ୍ରସାଦ ରାଓ
ଫେବୃଆରୀ ୧୦/୨୩
୨୦୦୨ ଗୁଜରାଟ ଦଙ୍ଗା ଉପରେ ଆଧାରିତ ବିବିସି (ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନନ୍) ଡକୁମେଂଟାରୀ ‘ଇଣ୍ଡିଆ:ଦି ମୋଦୀ କ୍ୱଶ୍ଚିନ’ ଦେଶ ତଥା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଶ୍ୱ ଦରବାରରେ ନିନ୍ଦିତ କରିବାକୁ ଏକ ଗଭୀର ଷଡଯନ୍ତ୍ର ହୋଇଥିବାରୁ ଭାରତରେ ବିବିସିକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯିବାକୁ ହିନ୍ଦୁ ସେନା ପକ୍ଷରୁ ହୋଇଥିବା ଏକ ଆବେଦନକୁ ଆଜି ସୁପ୍ରିମ କୋର୍ଟ ଖାରଜ କରିଛନ୍ତି । ସୁପ୍ରିମ କୋର୍ଟର ଏକ ଦୁଇ ଜଣିଆ ବେଂଚ ଆଜି ମାମଲାର ଶୁଣାଣୀ କରି ବିବିସିର ଡକୁମେଂଟାରୀ ‘ଦେଶକୁ କିଭଳି ଭାବେ ପ୍ରଭାବିତ କରିବ’ (?) ବୋଲି ପ୍ରଶ୍ନ କରିବା ସହ ଆବେଦନକାରୀଙ୍କ ଏହା ଏକ ‘ଭ୍ରାନ୍ତ ଧାରଣା’ ବୋଲି କହିଛନ୍ତି । ଆବେଦନକାରୀ ହିନ୍ଦୁ ସେନା ମୁଖ୍ୟ ବିଷ୍ଣୁ ଗାପ୍ତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିଙ୍କି ଆନନ୍ଦ ସୁପ୍ରିମ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ବିଶ୍ୱ ଦରବାରରେ ଭାରତର ଛବିକୁ ଖରାପ କରିବା ପାଇଁ ବିବିସି ଜାଣିଶୁଣି ଏହି ଡକୁମେଂଟାରୀ ମାଧ୍ୟମରେ ଗଭୀର ଷଡଯନ୍ତ୍ର କରିଥିବାରୁ ଏନଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଦ୍ୱାରା ଏହାର ତଦନ୍ତ କରାଯିବାକୁ ହିନ୍ଦୁ ସେନା ଆବେଦନ କରିଥିଲା ।
ପିଟିସନରେ ଦର୍ଶାଯାଇଛି ଯେ, ବିଶ୍ୱରେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତିର ଉତ୍ଥାନକୁ ଦେଖି ବିବିସି ଦେଶ ତଥା ପ୍ରଧାନମନ୍ତ୍ରୀଙ୍କୁ ନିନ୍ଦିତ କରିବା ସକାଶେ ଏହି ଡକୁମେଂଟାରୀ ପ୍ରସ୍ତୁତ କରିଛି, ଯେଉଁଥିରେ କି ୨୦୦୨ ଗୁଜରାଟ ଦଙ୍ଗା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଂଶ୍ଳିଷ୍ଟ କରାଯାଇଛି । ଏହା କେବଳ ବିଶ୍ୱରେ ମୋଦୀ-ବିରୋଧୀ ପ୍ରଚାର ନୁହେଁ, ହିନ୍ଦୁତ୍ୱ ବିରୋଧୀ ପ୍ରଚାର । ଦେଶରେ ସାମାଜିକ ସୌହାର୍ଦ୍ଧ୍ୟକୁ ନଷ୍ଟ କରିବା ପାଇଁ ବିବିସିର ଏହା ଏକ ହୀନ ଉଦ୍ୟମ ବୋଲି ଅଭିଯୋଗ ହୋଇଛି । ଭାରତରେ ବିବିସିକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯିବାକୁ ଆବେଦନକାରୀଙ୍କ ନିବେଦନକୁ ଦୁଇ ଜଣିଆ ଖଣ୍ଡପୀଠ ‘ସଂପୂର୍ଣ୍ଣ ଭ୍ରମାତ୍ମକ’ ବୋଲି କହିବା ସହ ଏଭଳି କେମିତି ଯୁକ୍ତି ଉପସ୍ଥାପନ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ । ‘ଆପଣମାନେ ଚାହୁଁଛନ୍ତି କି ଆମେ ସଂପୂର୍ଣ୍ଣ ସେନସରସିପ୍ ଲଗାଇ ଦେବୁ ? ଏହା କଣ?’ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି, ‘ଆମେ ଏବାବଦରେ ଅଧିକ ସମୟ ନଷ୍ଟ କରିବାକୁ ଚାହୁଁନୁ । ଅଦାଲତରେ ଦାଖଲ ରିଟ୍ ପିଟିସନ ସଂପୂର୍ଣ୍ଣ ଭ୍ରାନ୍ତ ଧାରଣା ଉପରେ ଆଧାରିତଏବଂ ସେଥିରେ କିଛି ମେରିଟ୍ ନାହିଁ । ତେଣୁ, ଆମେ ପିଟିସନକୁ ଖାରଜ କରୁଛୁ ।’
ଏଠାରେ ସୂଚନାଯୋଗ୍ୟ କି, କେନ୍ଦ୍ର ସରକାର ଆଇଟି ଆଇନ, ୨୦୨୧ରେ ମିଳିଥିବା ଜରୁରୀକାଳୀନ କ୍ଷମତା ପ୍ରୟୋଗ କରି ଦେଶରେ ବିବିସି ଡକୁମେଂଟାରୀ ‘ଇଣ୍ଡିଆ:ଦି ମୋଦୀ କ୍ୱଶ୍ଚିନ’ର ପ୍ରସାରଣ ଉପରେ ଜାନୁୟାରୀ ୨୧ ତାରିଖ ଦିନ ରୋକ୍ ଲଗାଇ ଦେଇଥିଲେ । ଏହି ବିବଦମାନ ଡକୁମେଂଟାରୀ ପୋଷ୍ଟ୍ ଓ ସେୟାର କରିବା ସବୁ ଲିଂକ୍ ହଟାଇ ନେବାକୁ ମଧ୍ୟ ୟୁଟ୍ୟୁବ୍, ଟ୍ୱିଟର୍ ସମେତ ଅନ୍ୟ ସମସ୍ତ ସାମାଜିକ ଗଣମାଧ୍ୟମକୁ ନିର୍ଦେଶ ଦିଆଯାଇଥିଲା । ତେବେ, ବିରୋଧୀ ଦଳ ଏବଂ ସେମାନଙ୍କ ଯୁବ ଓ ଛାତ୍ର ସଂଗଠନ ସବୁ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରି ‘ଇଣ୍ଡିଆ:ଦି ମୋଦୀ କ୍ୱଶ୍ଚିନ’ର ସ୍କ୍ରିନିଂ କରାଇବାରୁ ଏକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାଂପସରେ ମଧ୍ୟ ଡକୁମେଂଟାରୀର ସ୍କ୍ରିନିଂକୁ ନେଇ ଉତ୍ତେଜନାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । କେନ୍ଦ୍ର ସରକାର ବିବିସି ଡକୁମେଂଟାରୀ ପ୍ରଦର୍ଶନ ଉପରେ ଯେଉଁ ଭଳି ରୋକ୍ ଲଗାଇଛନ୍ତି ତାହା ଅଗଣତାନ୍ତ୍ରିକ ଦର୍ଶାଇ ଏଥିରୁ ସରକାରଙ୍କୁ ନିବୃତ୍ତ କରିବାକୁ ବରିଷ୍ଠ ସାମ୍ବାଦିକ ଏନ.ରାମ୍, ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ତଥା ସାମାଜିକ କାର୍ଯ୍ୟକର୍ତ୍ତା ପ୍ରଶାନ୍ତ ଭୂଷଣ ଓ ତୃଣମୂଳ କଂଗ୍ରେସ ପାର୍ଟି ସାଂସଦ ମହୁଆ ମୈତ୍ର ସୁପ୍ରିମ କୋର୍ଟରେ ଏକ ପିଟିସନ ମାଧ୍ୟମରେ ଆବେଦନ କରିଥିଲେ ।
ସୁପ୍ରିମ କୋର୍ଟ ଏହାକୁ ନେଇ ଚଳିତ ମାସ ପ୍ରାରମ୍ଭରେ କେନ୍ଦ୍ର ସରକାରଙ୍କୁ ଓ ଆବେଦନକାରୀଙ୍କୁ ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଥିଲେ । ଆଇନଜୀବୀ ଏମ.ଏଲ.ଶର୍ମା ମଧ୍ୟ ସୁପ୍ରିମ କୋର୍ଟରେ ଅନ୍ୟ ଏକ ପିଟିସନ ଦାଖଲ କରି ବିବିସିର ଦୁଇଟି ଧାରାବାହିକ ବିଶିଷ୍ଟ ଡକୁମେଂଟାରୀ ‘ଇଣ୍ଡିଆ: ଦି ମୋଦୀ କ୍ୱଶ୍ଚିନ୍’କୁ କେନ୍ଦ୍ର ସରକାର ନିଷିଦ୍ଧ କରିବା ଉଦ୍ଦେଶ୍ୟମୂଳକ, ଏକପାଖିଆ ଓ ଅଗଣତାନ୍ତ୍ରିକ ବୋଲି ଦର୍ଶାଇ ଥିଲେ । କେନ୍ଦ୍ର ସରକାର ନିଜର ସ୍ୱତନ୍ତ୍ର କ୍ଷମତା ପ୍ରୟୋଗ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରୁ ଏହି ଡକୁମେଂଟାରୀର ପ୍ରଦର୍ଶନ ଓ ପ୍ରସାରଣର ଲିଙ୍କ୍ ହଟାଇ ଦେଇଥିଲେ ମଧ୍ୟ ଆଇଟି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ୪୮ ଘଂଟା ମଧ୍ୟରେ ଯେଉଁ ନିଷେଧାଦେଶ ବିଜ୍ଞପ୍ତି ପ୍ରକାଶ କରିବା କଥା ତାହା କରି ନାହାନ୍ତି ବୋଲି ଆଇଜୀବୀ ଶର୍ମା ତାଙ୍କ ଆବେଦନରେ ଦର୍ଶାଇଛନ୍ତି । ବିବିସିର ଏହି ଡକୁମେଂଟାରୀ ଦେଶବ୍ୟାପୀ ସ୍କ୍ରିନିଂ କରାଯିବାକୁ ବିରୋଧୀ ଅଡି ବସିଥିବା ବେଳେ ସରକାର ଏହି ଡକୁମେଂଟାରୀକୁ କେବଳ ‘ଅପପ୍ରଚାର ପାଇଁ ଉଦ୍ଦିଷ୍ଟ’ କହି ଟାଳି ଆସୁଛନ୍ତି । ସରକାର ଡକୁମେଂଟାରୀର ପ୍ରସାରଣକୁ ରୋକିବା ପରେ ତାହାକୁ ଦେଖିବା ପାଇଁ ବିଭିନ୍ନ ମହଲରେ ଉତ୍ସୁକତା ବଢିଛି । ଏହି ଡକୁମେଂଟାରୀ ପ୍ରଦର୍ଶନ ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଣ ଏମିତି କ୍ଷତି ହୋଇଯିବ (?) ବୋଲି ବିରୋଧୀ ପ୍ରଶ୍ନ କରୁଛନ୍ତି ।
୨୦୦୨ରେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗୋଧ୍ରା ଟ୍ରେନ୍ ପୋଡି ଘଟଣା ଘଟିଥିଲା ଏବଂ ସେଥିରେ ବହୁ ସଂଖ୍ୟକ କରସେବକଙ୍କ ମୃତ୍ୟୁ ହୋଇଥିଲା । ଏହାର ତୁରନ୍ତ ପ୍ରତିକ୍ରିୟା ସ୍ୱରୂପ ୨୦୦୨ ଫେବୃୟାରୀରେ ଗୁଜରାଟ ରାଜ୍ୟବ୍ୟାପୀ ଦଂଗା ହୋଇ ବ୍ୟାପକ ନରସଂହାର ଘଟିଥିଲା । ସୁପ୍ରିମ କୋର୍ଟ ଗୁଜରାଟ ଦଂଗାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)କୁ ନିଯୁକ୍ତ କରିଥିଲେ । ଦୀର୍ଘ ବର୍ଷ ତଦନ୍ତ ଚାଲିଥିଲା । ଏସଆଇଟି ଗୁଜରାଟ ଦଂଗା ଓ ନରସଂହାର ସହ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୋଦୀଙ୍କ ସଂପୃକ୍ତିକୁ ନେଇ କୌଣସି ଠୋସ୍ ପ୍ରମାଣ ପାଇନଥିବା ଦର୍ଶାଇ ଚୂଡାନ୍ତ ଚାର୍ଜସିଟ୍ ଦାଖଲ କରିବା ପରେ ସୁପ୍ରିମ କୋର୍ଟ ମୋଦୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଥିଲେ । ତେବେ, ବିବିସି ଏହି ଦଂଗାକୁ ନେଇ ସ୍ୱତନ୍ତ୍ର ଅନୁସଂଧାନ କରିବା ସହ ମିଳିଥିବା ଅଧିକ ତଥ୍ୟ ଆଧାରରେ ଏହି ଦୁଇ ଧାରାବାହିକ ବିଶିଷ୍ଟ ଡକୁମେଂଟାରୀ ପ୍ରସ୍ତୁତ କରିଥିବା ଦାବି କରୁଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS