ଦିଲ୍ଲୀ, ମୁମ୍ବାଇ ବିବିସି କାର୍ଯ୍ୟାଳୟରେ ଆଇଟି ଯାଂଚ୍ !
ପ୍ରସାଦ ରାଓ
ଫେବୃଆରୀ ୧୪/୨୩
୨୦୦୨ ଗୁଜରାଟ ଦଂଗାକୁ ନେଇ ଦୁଇ ପର୍ଯ୍ୟାୟ ବିଶିଷ୍ଟ ଡକୁମେଂଟାରୀ ଫିଲ୍ମ ପ୍ରସ୍ତୁତ କରି ବିବାଦରେ ଥିବା ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍ (ବିବିସି)ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଆଜି ଆୟକର ବିଭାଗର ଚଢାଉ ହୋଇଥିବା ସୂଚନା ମିଳିଛି । ଏହା ‘ଚଢାଉ’ ନୁହେଁ, କିଛି ନିର୍ଦ୍ଧିଷ୍ଟ ଟିକସ ଫାଙ୍କିର ସୁରାକ ମିଳିବା ପରେ ଆୟକର ବିଭାଗ ଅଧିକାରୀମାନେ ‘ସର୍ଭେ’ କରୁଛନ୍ତି ବୋଲି କେନ୍ଦ୍ର ସରକାର କହିଛନ୍ତି । ବିବିସି ନ୍ୟୁଜ୍ ପକ୍ଷରୁ ଟ୍ୱିଟରରେ କୁହାଯାଇଛି, ବିବିସିର ମୁମ୍ବାଇ ଓ ଦିଲ୍ଲୀ ଅଫିସରେ ଆଜି ଚାଲିଥିବା ଆୟକର ବିଭାଗ ସର୍ଭେରେ ସଂପୂର୍ଣ୍ଣ ସହଯୋଗ କରାଯାଉଛି । ଯଥାଶୀଘ୍ର ସମ୍ଭବ ସମସ୍ୟାର ସମାଧାନ ହୋଇଯିବ ବୋଲି ବିବିସି ଆଶା ପ୍ରକାଶ କରିଛି । ‘ଇଣ୍ଡିଆ: ଦି ମୋଦୀ କ୍ୱଶ୍ଚିନ୍’ ନାମକ ଏହି ବିବିସି ଡକୁମେଂଟାରୀ ଗତ ଜାନୁୟାରୀ ମାସରେ ମୁକ୍ତିଲାଭ କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାହାର ଦୃଢ ବିରୋଧ କରାଯାଇଥିଲା । ଏହି ଏକ ‘ପ୍ରଚାର ସର୍ବସ୍ୱ’ ଡକୁମେଂଟାରୀ ଏବଂ ଭାରତରେ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଥିବା ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣକୁ ନଷ୍ଟ କରିବା ପାଇଁ ଏକ ଷଡଯନ୍ତ୍ର ବୋଲି ଭାରତ ସରକାର ପ୍ରତିକ୍ରିୟା ବ୍ୟକ୍ତ କରି ଡକୁମେଂଟାରୀର ସ୍କ୍ରିନିଂ ଉପରେ ରୋକ୍ ଲଗାଇ ଥିଲେ । ଜାନୁୟାରୀ ୨୦ ତାରିଖ ଦିନ କେନ୍ଦ୍ର ସରକାର ଆଇଟି ଆଇନ, ୨୦୨୧ରେ ଥିବା ଜରୁରୀ କ୍ଷମତାକୁ ପ୍ରୟୋଗ କରି ୟୁଟ୍ୟୁବ୍ ଓ ଟ୍ୱିଟରକୁ ବିବିସି ଡକୁମେଂଟାରୀ ସମସ୍ତ ପୋଷ୍ଟିଂ ଓ ସେୟାରିଂ ଲିଂକ୍ ଅକାମୀ କରିଦେବାକୁ ନିର୍ଦେଶ ଦେଇଥିଲେ । ବିରୋଧୀ ଏହାକୁ ‘ସେନସରସିପ୍’ ବୋଲି ଆକ୍ଷେପ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ବିବିସି ଡକୁମେଂଟାରୀର ପ୍ରଦର୍ଶନ ଉପରେ ସରକାର ରୋକ୍ ଲଗାଇବା ଅଗଣତାନ୍ତ୍ରିକ ଦର୍ଶାଇ ସୁପ୍ରିମ କୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । ଦେଶର ବରିଷ୍ଠ ସାମ୍ବାଦିକ ଏନ.ରାମ, ସାମାଜିକ କାର୍ଯ୍ୟକର୍ତ୍ତା (ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ) ପ୍ରଶାନ୍ତ ଭୂଷଣ, ଟିଏମସି ସାଂସଦ ମହୁଆ ମୈତ୍ର ଗୋଟିଏ ମାମଲା ଦାଏର କରିଥିବା ବେଳେ ଆଇନଜୀବୀ ଏମ.ଏଲ.ଶର୍ମା ଅନ୍ୟ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । କେନ୍ଦ୍ର ସରକାର ବିବିସି ଡକୁମେଂଟାରୀର ପ୍ରଦର୍ଶନ ଉପରେ ରୋକ୍ ଲଗାଇ ଥିଲେ ମଧ୍ୟ ୪୮ ଘଂଟା ମଧ୍ୟରେ ଯେଉଁ ନିଷେଧାଦେଶ ବିଜ୍ଞପ୍ତି ଜାରି କରିବା କଥା ତାହା କରି ନାହାନ୍ତି । ତେଣୁ, ଡକୁମେଂଟାରୀର ସ୍କ୍ରିନିଂ ଉପରେ ରୋକ୍ ଲଗାଇବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ଆଇନଜୀବୀ ଶର୍ମା ତାହା ଆବେଦନରେ ଦର୍ଶାଇଛନ୍ତି । ଅପରପକ୍ଷରେ, ହିନ୍ଦୁ ସେନା ମୁଖ୍ୟ ବିଷ୍ଣୁ ଗାପ୍ତାଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ଏକ ଆବେଦନ କରାଯାଇ ବିବିସି ଏହି ଡକୁମେଂଟାରୀ ମାଧ୍ୟମରେ ବିଶ୍ୱ ଦରବାରରେ ଭାରତର ଛବି ଖରାପ କରିବାକୁ ଜାଣିଶୁଣି ଷଡଯନ୍ତ୍ର କରିଛି ବୋଲି ଅଭିଯୋଗ କରି ଭାରତରେ ବିବିସିକୁ ନିଷିଦ୍ଧ କରିବାକୁ ଓ ଏନଆଇଏ (ଜାତୀୟ ତଦନ୍ତକାରୀ ଏଜେନ୍ସୀ) ଦ୍ୱାରା ବିବିସି ଷଡଯନ୍ତ୍ରର ତଦନ୍ତ କରାଯିବାକୁ ଆବେଦନ କରିଥିଲେ । ହିନ୍ଦୁ ସେନା ପକ୍ଷରୁ ଗତ ୧୦ ତାରିଖ ଦିନ ବରିଷ୍ଠ ଆଇନଜୀବୀ ପିଙ୍କି ଆନନ୍ଦ ସୁପ୍ରିମ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ପିଟିସନରେ ଦର୍ଶାଯାଇଥିଲା ଯେ, ବିଶ୍ୱରେ ଭାରତର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତିର ଉତ୍ଥାନକୁ ଦେଖି ବିବିସି ଦେଶ ତଥା ପ୍ରଧାନମନ୍ତ୍ରୀଙ୍କୁ ନିନ୍ଦିତ କରିବା ସକାଶେ ଏହି ଡକୁମେଂଟାରୀ ପ୍ରସ୍ତୁତ କରିଛି, ଯେଉଁଥିରେ କି ୨୦୦୨ ଗୁଜରାଟ ଦଙ୍ଗା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଂଶ୍ଳିଷ୍ଟ କରାଯାଇଛି । ଏହା କେବଳ ମୋଦୀ-ବିରୋଧୀ ପ୍ରଚାର ନୁହେଁ, ହିନ୍ଦୁତ୍ୱ ବିରୋଧୀ ପ୍ରଚାର ଏବଂ ଦେଶରେ ସାମାଜିକ ସୌହାର୍ଦ୍ଧ୍ୟକୁ ନଷ୍ଟ କରିବା ପାଇଁ ବିବିସିର ଏହା ଏକ ହୀନ ଉଦ୍ୟମ । ସୁପ୍ରିମ କୋର୍ଟର ଏକ ଦୁଇ ଜଣିଆ ଖଣ୍ଡପୀଠ ହିନ୍ଦୁ ସେନାର ଆବେଦନ ଉପରେ ଶୁଣାଣୀ କରି ବିବିସି ଡକୁମେଂଟାରୀ ‘ଦେଶକୁ କିଭଳି ଭାବେ ପ୍ରଭାବିତ କରିବ’ (?) ବୋଲି ପ୍ରଶ୍ନ କରିବା ସହ ଆବେଦନକାରୀଙ୍କ ଏହା ଏକ ‘ଭ୍ରାନ୍ତ ଧାରଣା’ ଦର୍ଶାଇ ତାହାକୁ ଖାରଜ କରି ଦେଇଥିଲେ । ବିବିସି ଡକୁମେଂଟାରୀର ଯେପରି ଦେଶବ୍ୟାପୀ ପ୍ରଦର୍ଶନ ହୋଇନପାରିବ ତାହା ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମାଜିକ ଗଣମାଧ୍ୟମରେ ଥିବା ଏହାର ସମସ୍ତ ଲିଂକ୍ କୁ ଅଚଳ କରି ଦେଇଥିଲେ ମଧ୍ୟ ବିରୋଧୀ କଂଗ୍ରେସ ଓ ବାମପନ୍ଥୀ ଦଳର ଯୁବ ଓ ଛାତ୍ର ସଂଗଠନମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାଂପସରେ ତାହାର ସ୍କ୍ରିନିଂ ବ୍ୟବସ୍ଥା କରିବା ଦ୍ୱାରା ସରକାର ଓ ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଜି କେନ୍ଦ୍ର ସରକାରଙ୍କ ଆୟକର ବିଭାଗ ଟିକସ ଫାଂକିର ତଦନ୍ତ ଆଳରେ ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ପ୍ରବେଶ କରିବା ନୂଆ ବିବାଦର ସୂତ୍ରପାତ କରିଛି । ସିବିଡିଟି (ସେଂଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ୍ ଟ୍ୟାକ୍ସେସ୍)ର ଜଣେ ଅଧିକାରୀ ଗଣାମାଧ୍ୟମକୁ କହିଛନ୍ତି, ବିବିସି କାର୍ଯ୍ୟାଳୟରେ ଯାହା ଚାଲିଛି ତାହା ‘ଚଢାଉ’ ନୁହେଁ, କେବଳ ଏକ ‘ସର୍ଭେ’ । ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ବିବିସିରେ କିଛି ଅର୍ଥନୈତିକ ଅନିୟମିତତାର ନିର୍ଦ୍ଧିଷ୍ଟ ସୂଚନା ମିଳିବା ପରେ ଆଜି ଏହି ସର୍ଭେ କରାଯାଉଛି । ସର୍ଭେ ସରିଲେ ଜଣାପଡିବ ଏଥିରେ ଜାଣିଶୁଣି କିଛି ଅନିୟମିତତା କରାଯାଇଛି କି ନାହିଁ । ଦିଲ୍ଲୀରେ ଆୟକର ବିଭାଗ ଅଧିକାରୀମାନେ ଦିଲ୍ଲୀ ପୁଲିସର ସପ୍ତମ ବାଟାଲିୟନର ସହାୟତା ନେଇ ମଧ୍ୟାହ୍ନରୁ ସେମାନଙ୍କ ସର୍ଭେ ଜାରି ରଖିଥିବା ବେଳେ ମୁମ୍ବାଇରେ ପୂର୍ବାହ୍ନ ସାଢେ ୧୧ଟାରୁ ବାନ୍ଦ୍ରା କୁର୍ଲା କଂପ୍ଲେକ୍ସରେ ଥିବା ବିବିସି ଷ୍ଟୁଡିଓରେ ଯାଂଚ ଚାଲିଛି । ବାନ୍ଦ୍ରା (ୱେଷ୍ଟ୍)ରେ ବିବିସିର ଭାରତସ୍ଥିତି ମୁଖ୍ୟ କାର୍ଯ୍ୟାଳୟ ରହିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS