ଓଡ଼ିଶା: ବର୍ଷ ବର୍ଷ ଧରି ବାବୁଙ୍କ ହାତରେ କ୍ଷମତାର ଡୋର !


ପ୍ରସାଦ ରାଓ
ଫେବୃଆରୀ ୧୮/୨୩
ଓଡ଼ିଶାରେ କିଏ ସରକାର ଚଳାଉଛି ? ନିର୍ବାଚିତ ପ୍ରତିନିଧି ନା ବାବୁମାନେ ? ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଏହି ପ୍ରଶ୍ନ ଉଠାଇ ଥିଲେ । ବିଭିନ୍ନ ସମୟରେ ବିରୋଧୀ ଏହି ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଚ୍ୟାଲେଂଜ କରୁଛନ୍ତି । ରାଜ୍ୟରେ ଶାସକ ଦଳ ଓ ସରକାର ତୃତୀୟ ମହଲାରୁ ଅଫିସରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବା ଅଭିଯୋଗ ଆଜି ନୂଆ ନୁହେଁ । ୨୦୦୦ ମସିହାରେ ରାଜ୍ୟରେ ବିଜେଡ଼ି ସରକାର ପ୍ରତିଷ୍ଠା ହେବା ଦିନରୁ ଏହି ପ୍ରଶ୍ନ ହେଉଛି । ନବୀନଙ୍କ ଶାସନରେ ପୂର୍ବତନ ପ୍ରଶାସକ ପ୍ୟାରିମୋହନ ମହାପାତ୍ର ମାତ୍ରାଧିକ କ୍ଷମତା ଉପଭୋଗ କରି ଶାସନକୁ ନିୟନ୍ତ୍ରଣ କରିବା ସମୟରୁ ବିରୋଧୀ ଅଫିସର ସର୍ବସ୍ୱ ଶାସନକୁ ନେଇ ସରକାରଙ୍କୁ ଘେରି ଆସୁଛନ୍ତି । ପ୍ୟାରିବାବୁ ସକ୍ରୀୟ ରାଜନୀତିରେ ପ୍ରବେଶ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭୁମିକାରେ ଥିଲେ । ତାଙ୍କ ପ୍ରତି ଶାସକ ଦଳ ମନ୍ତ୍ରୀ, ବିଧାୟକମାନଙ୍କ ଆଶାତୀତ ଆନୁଗତ୍ୟ ରହିଥିଲା । ଦଳ ଓ ସରକାରରେ ପ୍ୟାରିବାବୁ ଥିଲେ ଦ୍ୱିତୀୟ କ୍ଷମତା କେନ୍ଦ୍ର । ରାଜ୍ୟରେ ନଅ ବର୍ଷ ଧରି ବିଜେଡ଼ି-ବିଜେପି ମେଂଟ ଶାସନ ଚାଲିବା ପରେ ୨୦୦୯ରେ ବିଜେଡ଼ି ମେଂଟରୁ ଓହରି ଏକାକୀ ନିର୍ବାଚନ ଲଢିବା ନିଷ୍ପତ୍ତି ପଛରେ ପ୍ୟାରିବାବୁଙ୍କ ବିଶେଷ ଭୂମିକାକୁ ଅଗ୍ରାହ୍ୟ କରିହେବ ନାହିଁ । ଏକାକୀ ନିର୍ବାଚନ ଲଢିବା ନିଷ୍ପତ୍ତି ନେଇ ବିଜେଡ଼ି ସଫଳ ହେବା ପରେ ପଛକୁ ଫେରି ଚାହିଁନି ।
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ପ୍ୟାରିବାବୁ ବିଜେଡ଼ିରେ ନିଜକୁ ଏତେଦୂର ପ୍ରଭାବଶାଳୀ କରିଥିଲେ ଯେ ଦଳର ମନ୍ତ୍ରୀ, ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ତାଙ୍କର ଅଧିକ ଅନୁଗତ ଥିବା ଅନୁମାନ କରି ୨୦୧୨ରେ କିଛି ବିଧାୟକଙ୍କ ସହଯୋଗରେ କ୍ଷମତା ହଡପ ଷଡଯନ୍ତ୍ର କରିଥିଲେ । ଏହି ଷଡଯନ୍ତ୍ର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଥିଲେ । ପ୍ୟାରିବାବୁ ତାଙ୍କ ଅନୁପସ୍ଥିତିରେ କିଛି ବିଧାୟକଙ୍କୁ ଏକାଠି କରି କ୍ଷମତା ଦଖଲ ଉଦ୍ୟମ କରୁଥିବା ସୂଚନା ପାଇବା ପରେ ନବୀନ ବିଦେଶ ମାଟିରୁ ତାହା ଅକାମୀ କରିବାକୁ ଗୋଟିଚଳାନା କରିଥିଲେ ଏବଂ ବିଦେଶ ଗସ୍ତକୁ କାଟଛାଂଟ କରି ଓଡ଼ିଶା ଫେରିବା ସହ ପ୍ରଥମେ ପ୍ୟାରିବାବୁ ଓ ତାଙ୍କୁ ସମର୍ଥନ ଦେଇଥିବା ଦଳର ମନ୍ତ୍ରୀ ଓ ବିଧାୟକଙ୍କ ପକ୍ଷଛେଦନ କରିଥିଲେ । ନବୀନ ପଟ୍ଟନାୟକଙ୍କୁ କ୍ଷମତାଚ୍ୟୁତ କରିବା ଷଡଯନ୍ତ୍ର ବିଫଳ ହେବା ପରେ ପ୍ୟାରି ବିଜେଡ଼ିରୁ ତଡା ଖାଇ ନିଜର ରାଜନୈତିକ ଦଳ ‘ଓଡ଼ିଶା ଜନ ମୋର୍ଚ୍ଚା’ ଗଠନ କରିଥିଲେ ମଧ୍ୟ ସଫଳତା ପାଇନଥିଲେ ।
ପ୍ୟାରିବାବୁଙ୍କ ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପ୍ରଶାସକଙ୍କ ନିୟନ୍ତ୍ରଣରେ ରହି ଆସିଛି । କେତେବେଳେ କେଉଁ ପ୍ରଶାସକଙ୍କ ଭାଗ୍ୟ ଚକମକ କରିଛି ତାହାର କିଛି ହିସାବ ନାହିଁ । ଏବେ, ବାବୁ ଭି.କାର୍ତ୍ତିକେୟନ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ତୃତୀୟ ମହଲାରୁ ବିଜେଡ଼ି ଓ ରାଜ୍ୟ ସରକାରଙ୍କୁ ନିୟନ୍ତ୍ରଣ କରୁଥିବା ଆଲୋଚନାରେ ରହିଛି । ପାଣ୍ଡିଆନ କେବଳ ମୁଖ୍ୟମନ୍ତ୍ରୀଙ୍କ ସଚିବ ନୁହନ୍ତି, ୫-ଟି ସଚିବ ଭାବେ ଏତେଦୂର କ୍ଷମତାଶାଳୀ ରହିଛନ୍ତି ଯେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ କ୍ଷମତା ମଧ୍ୟ ତାଙ୍କ ନିକଟରେ ମଳିନ ପଡି ଯାଉଛି । ପ୍ରଥମେ ପ୍ରଥମେ ପାଣ୍ଡିଆନ ପ୍ରଚ୍ଛଦପଟରେ ରହି ଗୋଟିଚାଳନା କରୁଥିଲେ । ବିରୋଧୀ ତାହାକୁ ସମାଲୋଚନା କରୁଥିଲେ ମଧ୍ୟ ସିଧାସଳଖ ଆଂଗୁଠି ଦେଖାଇପାରୁ ନଥିଲେ । ଏବେ, ସବୁ କିଛି ଖୋଲାରେ ଚାଲିଛି । ନବୀନ ନିବାସ ହେଉ ବା ଲୋକସେବା ଭବନ, ସବୁଠି ମୁଖ୍ୟମନ୍ତ୍ରୀଙ୍କ ପାଖେପାଖେ ପାଣ୍ଡିଆନଙ୍କ ଉପସ୍ଥିତି ଏବଂ ସବୁ ସରକାରୀ ନିଷ୍ପତ୍ତିରେ ତାଙ୍କ ଭାଗିଦାରୀ ଅନ୍ୟ ବରିଷ୍ଠ ଆଇଏଏସଙ୍କୁ ଇର୍ଷନ୍ୱିତ କରୁଥିଲେ ମଧ୍ୟ ବିରୋଧ କରିବାକୁ କାହାରି ସାହାସ ନାହିଁ ।
୫-ଟି ସଚିବ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ମଧ୍ୟ ବିଜେଡ଼ିରେ କମ୍ ଶକ୍ତିଶାଳୀ ନୁହନ୍ତି । ବିଜେଡ଼ି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୋଟବ୍ୟାଙ୍କ ହୋଇଥିବା ‘ମହିଳା ମିଶନ ଶକ୍ତି’ର ମୁଖ୍ୟ ଭାବେ ସୁଜାତାଙ୍କୁ ଦାୟିତ୍ୱ ମିଳିଛି । ରାଜ୍ୟରେ ଛଅ ଲକ୍ଷରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଗଠନ କରାଯାଇ ସେଥିରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ସେମାନଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବା ପାଇଁ କମ୍ ସୁଧରେ ଋଣ ଦେବା ବ୍ୟବସ୍ଥା ହୋଇଛି । ସରକାରଙ୍କ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ମହିଳା ସ୍ୱୟଂ ସହାୟକଙ୍କ ଗୋଷ୍ଠୀଙ୍କୁ ବିଶେଷ ଗୁରୁତ୍ୱ ଦିଆଯିବା କାରଣରୁ ସେମାନେ ବିଜେଡ଼ିର ଏକ ବଳିଷ୍ଠ ଭୋଟଗୋଟାଇବା ମେସିନରେ ପରିଣତ ହୋଇଛନ୍ତି । ଦଳରେ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ପ୍ରଶ୍ନ ଉପରେ ଯେତେବେଳେ ବି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ପୁତୁରା ଅରୁଣ ପଟ୍ଟନାୟକଙ୍କ ନାମ ଆଉ ଚର୍ଚ୍ଚାକୁ ନ ଆସି ଯେଉଁ କେତେ ଜଣଙ୍କ ନାମ ଆଗକୁ ଆସୁଛି ସେଥିରେ ସୁଜାତା କାର୍ତ୍ତିକେୟନଙ୍କ ନାମ ମଧ୍ୟ ରହୁଥିବା ଦେଖିବାକୁ ମିଳୁଛି ।
ଓଡ଼ିଶା ରାଜନୀତିରେ ପ୍ରଶାସକଙ୍କ ପ୍ରବେଶ ଓ ରାଜନୀତିକୁ ନିୟନ୍ତ୍ରଣ କରିବା ଉଦ୍ୟମ କେବଳ ବିଜେଡ଼ିରେ ସୀମିତ ନାହିଁ ଅନ୍ୟ ଦୁଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟ ଧୀରେ ଧୀରେ ସେହି ରୋଗରେ ପୀଡିତ ହେଉଥିବା ଦେଖାବାକୁ ମିଳୁଛି । ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟତର ଥିବା ଓ ତାଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରି ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଅବସର ନେଇଥିବା ଆଇଏଏସ୍ ବିଜୟ କୁମାର ପଟ୍ଟନାୟକ ନିକଟରେ କଂଗ୍ରେସରେ ଯୋଗଦେଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି । ସେ ବିଜେଡ଼ିକୁ ନବାଛି କଂଗ୍ରେସକୁ କାହିଁକି ବାଛିଲେ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ । ତେବେ, ବିଜୟଙ୍କ କଂଗ୍ରେସରେ ଯୋଗଦାନ ଦୀର୍ଘ ୨୩ ବର୍ଷ ହେଲା କ୍ଷମତାରୁ ଦୂରରେ ରହି ନିଷ୍କ୍ରିୟ ହୋଇଯାଇଥିବା କଂଗ୍ରେସ ଦଳରେ ପ୍ରଣର ସଂଚାର କରିଛି । ବିଜୟ ସିଧା ନୂଆଦିଲ୍ଲୀରୁ କଂଗ୍ରେସର ହାତ ଧରିଛନ୍ତି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କ ଉପସ୍ଥିତିରେ ତାଙ୍କୁ କଂଗ୍ରେସରେ ନିଆଯାଇଛି । ଏହାର ପ୍ରଭାବ ଓଡ଼ିଶା କଂଗ୍ରେସ ରାଜନୀତିରେ ଦେଖିବାକୁ ମିଳିଛି ।
ବିଜୟଙ୍କ କଂଗ୍ରେସରେ ଯୋଗଦାନକୁ ନେଇ ପ୍ରଥମେ ପ୍ରଥମେ ଗୁରୁତ୍ୱହୀନ ମନ୍ତବ୍ୟ ରଖିଥିବା ନେତାମାନେ ସେ ଓଡ଼ିଶା ଫେରିବା ପରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଂଚିବା ପରେ ବିଜୟଙ୍କୁ ବିମାନ ବନ୍ଦରରୁ ବିରାଟ ପଟୁଆରରେ ପାଛୋଟି ଅଣାଯିବା ଏବଂ ରାଜଧାନୀରେ ଥିବା ଓଡ଼ିଶା କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସମେତ ତିନି ଜଣ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ ଏବଂ ଅନ୍ୟ ବରିଷ୍ଠ ନେତାମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ରାଜ୍ୟ କଂଗ୍ରେସରେ ଏକ ବିରଳ ଘଟଣା ଭାବେ ବିଚାର କରାଯାଉଛି । ବିଜୟ ପଟ୍ଟନାୟକ ମଧ୍ୟ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ୨୦୨୪ ନିର୍ବାଚନରେ ସେ ପ୍ରାର୍ଥୀ ହେବାକୁ ମନ ବଳାଇଥିବା କହିଛନ୍ତି । ବିଜୟ କଂଗ୍ରେସ ହାତ ଧରୁ ଧରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ପାଣ୍ଡିଆନଙ୍କୁ ଙ୍କୁ ସିଧାସଳଖ ନିଶାଣ କରିବା କଂଗ୍ରେସର ଉତ୍ସାହ ବଢାଇଛି ।
ବିଜୟଙ୍କ ଭାଷାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତି ମଧ୍ୟରେ ଅନେକ ବଦଳି ଯାଇଛନ୍ତି । ତାଙ୍କ ପାଖରେ ପୂର୍ବର ସ୍ୱଚ୍ଛତା ଓ ଦୁର୍ନୀତି ପ୍ରତି ‘ଶୂନ୍ୟ ସହନଶୀଳତା’ ଆଉ ନାହିଁ । ତଳୁ ଉପର ପର୍ଯ୍ୟନ୍ତ ଦୁର୍ନୀତି ଚେର ମାଡି ଯାଇଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାରେ । ବହୁ ମାତ୍ରାର ପୁଂଜି ରାଜ୍ୟକୁ ଆସୁଥିଲେ ମଧ୍ୟ କର୍ମନିଯୁକ୍ତି ସୃଷ୍ଟି ହେଉନଥିବା କାରଣରୁ ରାଜ୍ୟର ଯୁବକ, ଯୁବତୀ କର୍ମ ସଂଧାନରେ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଛି । ଓଡ଼ିଶାର ଠିକାଦାରଙ୍କୁ କାମ ମିଳୁଛି । ସବୁ କାମ ଓଡ଼ିଶା ବାହାର ଠିକାଦାରଙ୍କ ହାତକୁ ଯାଉଛି । ଛୋଟମୋଟ ଠିକା କାମ ମଧ୍ୟ ଓଡ଼ିଆଙ୍କୁ ମିଳୁ ନାହିଁ । ଓଡ଼ିଶାରେ ଓଡ଼ିଆ ଅବହେଳିତ ଅବସ୍ଥାରେ ଅଛନ୍ତି । ରାଜ୍ୟର ପଅଶାସକ ସର୍ବସ୍ୱ ଶାସନ ଚାଲି ଥିବାରୁ ଶାସକ ଦଳ ମନ୍ତ୍ରୀ, ବିଧାୟକଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଅପହଂଚ ରହିଛନ୍ତି । ସାଧାରଣ ଲୋକଙ୍କ କଥା କିଏ ପଚାରେ ! ବିଜୟଙ୍କ ଏଭଳି କଟାକ୍ଷ ପଛରେ ଜଣେ ରାଜନେତାର ସ୍ୱର ଛପି ରହିଥିବା ବେଳେ ଶାସକ ଦଳ ପାଇଁ ତାହା ଛାତିକୁ ଭେଦିଲା ଭଳି ହୋଇଛି ।
ଏହାକୁ ନେଇ ବିଜେଡ଼ି ମୁଖ୍ୟପାତ୍ରମାନଙ୍କ ପ୍ରତିକ୍ରିୟା ହେଉଛି, ପ୍ରଶାସକରୁ ନେତା ବନି ଥିବା ବିଜୟ ପଟ୍ଟନାୟକ ବିଜେଡ଼ିରେ ଯୋଗ ଦେବାକୁ ଚାହୁଁଥିଲେ ମଧ୍ୟ ରାଜ୍ୟସଭା ଟିକଟ ନ ମିଳିବାରୁ କଂଗ୍ରେସର ହାତ ଧରିଛନ୍ତି । କଂଗ୍ରେସରେ ତାଙ୍କ ଯୋଗଦାନ ରାଜ୍ୟ ରାଜନୀତିକୁ କୌଣସି ଭାବେ ପ୍ରଭାବିତ କରିବ ନାହିଁ । ଦଳର ଜଣେ ବରିଷ୍ଠ ନେତା ତଥା ଉପ ସଭାପତି କହିଛନ୍ତି, ମୁଖ୍ୟମନ୍ତ୍ରୀ କାହା ପାଇଁ ଅପହଂଚ ନାହାନ୍ତି । ଯେକେହି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁଛନ୍ତି । ମନ୍ତ୍ରୀ, ବିଧାୟକମାନେ ସବୁ ବେଳେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଉଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ହିଁ ସବୁ କାର୍ଯ୍ୟ ହେଉଛି । ନିକଟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଓଡ଼ିଶା ଆସି ଏକ ସଭାରେ ରାଜ୍ୟକୁ କିଏ ଚଳାଉଛି ଜଣାପଡୁନି ବୋଲି ମନ୍ତବ୍ୟ ଦେବା ବେଳେ ଶାସକ ବିଜେଡ଼ି ତାହାକୁ ଏକ ରାଜନୈତିକ ବକ୍ତବ୍ୟ କହି ଟାଳି ଦେଇଥିଲା । ନଡ୍ଡା ରାଜ୍ୟ ବିଜେପି ନେତା ଓ କର୍ମୀଙ୍କ ମନୋବଳ ବଢାଇବା ସାକଶେ ଏଭଳି ବକ୍ତବ୍ୟ ରଖିଲେ ବୋଲି ବିଜେଡ଼ି ମୁଖପାତ୍ରମାନେ ମତ ରଖିଥିଲେ ।
ଏଠାରେ ଉଲ୍ଲେଖନୀୟ ଯେ, ୨୦୧୯ ନିର୍ବାଚନ ପରରୁ କଂଗ୍ରେସ ଓଡ଼ିଶାରେ ତୃତୀୟ ସ୍ଥାନକୁ ଖସି ଥିବା ବେଳେ ବିଜେପି ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଉଠି ୨୦୨୪ରେ ନବୀନ-ମୁକ୍ତ ଓଡ଼ିଶାର ସ୍ୱପ୍ନ ଦେଖୁଛି । ୨୦୧୯ ନିର୍ବାଚନ ସମୟରେ ବିଜେପି ଚାଣକ୍ୟ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ରାଜ୍ୟର ୧୪୭ ବିଧାନସଭା ଆସନରୁ ୧୨୦ରେ ବିଜେପିର ବିଜୟ ହେବ ବୋଲି ଲକ୍ଷଧାର୍ଯ୍ୟ କରିଥିଲେ ମଧ୍ୟ ଦଳର ବିଦାୟକ ସଂଖ୍ୟା ୨୨ରେ ସୀମତ ରହି ଥିଲା । ବିଜେଡ଼ି ୧୧୨ଟି ଆସନରେ ବିଜୟୀ ହୋଇ ଲଗାତର ପଂଚମ ଥର ନିରଂକୁଶ ସରକାର ପ୍ରତିଷ୍ଠା କରିଛି । ତେବେ, ରାଜ୍ୟର ୨୧ ଲୋକସଭା ଆସନରୁ ୮ଟିରେ ବିଜେପି ବିଜୟୀ ହୋଇଥିବାରୁ ୨୦୨୪ରେ ତାହାର ସଂଖ୍ୟା ବଢାଇବା ଯୋଜନାରେ ଥିବା ସୂଚନା ମିଳୁଛି । ୨୦୨୪ ନିର୍ବାଚନ ୨୦୧୯ଠାରୁ ଭିନ୍ନ ହେବ ଏବଂ ଫଳାଫଳ ମଧ୍ୟ ଭିନ୍ନ ରହିବ ବୋଲି ଅଣ-ବିଜେଡ଼ି ରାଜନୈତିକ ଦଳମାନେ ଦାବି କରୁଛନ୍ତି ।
୨୦୧୯ ନିର୍ବାଚନରେ ବିଜେପିର ବଡ ସଫଳତା ଥିଲା ସମ୍ମାନଜନକ ଭୁବନେଶ୍ୱର ଲୋକସଭା ଆସନରୁ ବିଜୟ । ଆଇଏଏସ୍ ଅପରାଜିତା ଷଡଙ୍ଗୀ ଠିକ୍ ନିର୍ବାଚନ ପୂର୍ବରୁ ଚାକିରୀ ଛାଡି ବିଜେପିରେ ଯୋଗଦେଇ ଥିଲେ ଏବଂ ଦଳ ତାଙ୍କୁ ଭୁବନେଶ୍ୱର ଆସନରୁ ଲୋକସଭାକୁ ପ୍ରାର୍ଥୀ କରିଥିଲା । ତାଙ୍କ ବିପକ୍ଷରେ ବିଜେଡ଼ି ପ୍ରାର୍ଥୀ ହୋଇଥିଲେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକ । ଅପରାଜିତା ଓଡ଼ିଶାର ବିଭିନ୍ନ ଅଂଚଳରେ ଉଚ୍ଚ ପଦବୀରେ କାର୍ଯ୍ୟ କରିଥିଲେ ଏବଂ ଭୁବନେଶ୍ୱର ମହାନଗର ନିଗମର କମିସନର ଭାବେ ବେଶ ଲୋକପ୍ରିୟତା ସାଉଁଟି ଥିଲେ । ଅପରପକ୍ଷରେ, ଅରୂପ ପଟ୍ଟନାୟକ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ନୂଆଁ ଥିଲେ । ତେଣୁ, ନିର୍ବାଚନରେ ଅପରାଜିତାଙ୍କ ବିଜୟ ହେଲା । ୨୦୨୪ରେ ଅପରାଜିତାଙ୍କୁ ଦଳ ପୁଣି ଥରେ ଲେକସଭାକୁ ପଠାଇବାକୁ ଚାହିଁବ କି ବିଧାନସଭାକୁ ପ୍ରାର୍ଥୀ କରିବ ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ ।
ତେବେ, ସେ ମଧ୍ୟ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକଙ୍କ ଭଳି ବିଜେପିର ସର୍ବୋଚ୍ଚସ୍ତର ନେତୃତ୍ୱର ଆଶୀର୍ବାଦରେ ଦିଲ୍ଲୀରୁ ଟପକି ଥିଲେ । ଭୁବନେଶ୍ୱର ସାଂସଦ ହେବା ପରେ ଓଡ଼ିଶାରେ ‘ମୁଖ୍ୟମନ୍ତ୍ରୀ ମୁହଁ’ ହେବାକୁ ମନ ବଳାଇଛନ୍ତି । ଗଲା ଚାରି ବର୍ଷ ହେଲା ସେ ନିଜର ସମାନ୍ତରାଳ ସଂଗଠନ ତିଆରି କରି ବିଜେପି ଓଡ଼ିଶା ଶାଖାରେ ଜଣେ ବିବାଦୀୟ ନେତ୍ରୀ ହୋଇ ରହିଛନ୍ତି । ଏଥିରେ କୌଣସି ସଂଦେହ ନାହିଁ ଯେ, ସଂଗଠନ ଓ ଲୋକପ୍ରିୟତା ଦୃଷ୍ଟିରୁ ସେ ରାଜ୍ୟର ଅନ୍ୟ ବିଜେପି ନେତାଙ୍କଠାରୁ ବହୁ ଆଗରେ । ଦୈବାତ ରାଜ୍ୟରେ ବିଜେପି କ୍ଷମତା ଆସିଲେ ଅପରାଜିତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ତାଙ୍କ ସମର୍ଥକମାନେ ଆଶାବାଦୀ ଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ନିର୍ବାଚନରେ ଓଡ଼ିଶାରୁ ପ୍ରାର୍ଥୀ ହେଉଥିବା ଘୋଷଣା କରି ଚଡକ ପକାିଛନ୍ତି । ତେବେ, କେଉଁ ଆସନରୁ ଲଢିବେ, ଲୋକସଭା ପାଇଁ ନା ବିଧାନସଭା ପ୍ରାର୍ଥୀ ହେବେ – ତାହା ଧର୍ମେନ୍ଦ୍ର ସ୍ପଷ୍ଟ କରି ନାହାନ୍ତି । ‘ଦଳ ଯାହା ନିଷ୍ପତ୍ତି ନେବ’ କହି ସମସ୍ତଙ୍କୁ ସେ ଦ୍ୱନ୍ଦ୍ୱରେ ରଖିଛନ୍ତି । ‘ମୁଖ୍ୟମନ୍ତ୍ରୀ ମୁହଁ’କୁ ନେଇ ରାଜ୍ୟ ବିଜେପିରେ ଯେଉଁ ଛାୟାଯୁଦ୍ଧ ଚାଲିଛି ସେନେଇ ଦଳର କେନ୍ଦ୍ରୀୟ ନେତୃତ୍ୱ ପୂର୍ଣ୍ଣ ଅବଗତ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିରବ ଥିବା ତଥ୍ୟାଭିଜ୍ଞ ମହଲକୁ ବିସ୍ମିତ କରିଛି ।
୨୦୦୦ ମସିହାରେ ଓଡ଼ିଶାରେ ବିଜେଡ଼ି ସରକାର ପ୍ରତିଷ୍ଠା ହେବା ପରେ ହିଁ ବାବୁଙ୍କ ଶାସନ ଆସିଲା କହିବା ଭୁଲ ହେବ । ଅତୀତରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନରେ ମଧ୍ୟ ବାବୁମାନେ ପରାକ୍ରମୀ ଥିଲେ । ସରକାର ଚଳାଇବାକୁ ହେଲେ ବାବୁଙ୍କୁ ସନ୍ତୁଷ୍ଟ ରଖିବାକୁ ପଡୁଥିଲା । ତେବେ, ମନ୍ତ୍ରୀ, ବିଧାୟକଙ୍କ କ୍ଷମତା ମଧ୍ୟ ଗୌଣ ନଥିଲା । ଆଜିର ପରିସ୍ଥିତି ପ୍ରାୟତଃ ଭିନ୍ନ । ବିରୋଧୀ ଅଭିଯୋଗ କଲା ଭଳି ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଠାରୁ ଅପହଂଚ ଦୂରରେ ରହୁଥିବା ବେଳେ ଅଳ୍ପ କିଛି ପ୍ରଶାସକ ରାଜ୍ୟର ଶାସନ ଡୋରୀ ଧରିଛନ୍ତି । ସେମାନେ ସରକାର ଚଳାଇବାର ଉପକ୍ରମ କରୁଥିବାରୁ ଶାସନ କାହା ହାତରେ ରହିଛି ଜଣାପଡୁନାହିଁ । କେବଳ ବିରୋଧୀ ନୁହନ୍ତି, ଶାସକ ଦଳର ନେତାମାନେ ମଧ୍ୟ ଏହା ଅନୁଭବ କରୁଛନ୍ତି ସିନା ମୁହଁ ଖୋଲିବା ଅବସ୍ଥାରେ ନାହାନ୍ତି । ରାଜ୍ୟରେ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ‘ରାଜ୍ୟରେ ସରକାର କିଏ ଚଳାଉଛି’ ପ୍ରସଙ୍ଗ ବାରମ୍ବାର ଉଠିବ । ତେବେ, ରାଜ୍ୟର ସଂଖ୍ୟାଗରିଷ୍ଠ ମତଦାତା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଉପକୃତ ହେଉଥିବା ଦୃଷ୍ଟରୁ ଏହା ଜନପ୍ରସଙ୍ଗ ନହୋଇ ବିରୋଧୀଙ୍କ ପ୍ରସଙ୍ଗରେ ରହିଯିବ, ଏଥିରେ କୌଣସି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS