ସିନ୍ଧେଙ୍କୁ ଶିବସେନା, ନିର୍ବାଚନ ଅୟୁକ୍ତଙ୍କ ନିରପେକ୍ଷତା ନେଇ ପ୍ରଶ୍ନ ଉଠିଲାଣି


ପ୍ରସାଦ ରାଓ
ଫେବୃଆରୀ ୨୦/୨୩
ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ (ଇସିଆଇ) ଗୋଟିଏ ନିଷ୍ପତ୍ତି ଗତ ଶୁକ୍ରବାର ଦିନ ମହାରାଷ୍ଟ୍ରର ହିନ୍ଦୁତ୍ୱବାଦୀ ଦଳ ‘ଶିବସେନା’ର ଭାଗ୍ୟ ବଦଳାଇ ଦେଇଛି । ବାଲା ସାହେବ ଠାକରେ ଦ୍ୱାରା ପ୍ରତିଷ୍ଠିତ ଏହି ରାଜନୈତିକ ଦଳ ଗୋଟିଏ ଝଟକାରେ ତାଙ୍କ ପୁଅ ଉଦ୍ଧବ ଠାକରେଙ୍କ ହାତରୁ ଖସି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଗୋଷ୍ଠୀ ହାତକୁ ଚାଲି ଯାଇଛି । କେବଳ ଶିବସେନା ଦଳ ନୁହେଁ, ତାହାର ନିର୍ବାଚନ ଚିହ୍ନ ‘ଧନୁ-ତୀର’କୁ ମଧ୍ୟ ଭାରତୀୟ ନିର୍ବାଚନ ଆୟୁକ୍ତ ସିନ୍ଧେଙ୍କ ଗୋଷ୍ଠୀ ହାତରେ ସମର୍ପି ଦେଇ ଗତ ବର୍ଷ ଜୁନ ମାସରୁ ଚାଲି ଥିବା ବିବାଦର ଅବସାନ ଘଟାଇ ଥିବା କହୁଥିବା ବେଳେ ନିର୍ବାଚନ ଆୟୁକ୍ତଙ୍କ ଏହି ନିଷ୍ପତ୍ତି କେତେଦୂର ନିରପେକ୍ଷ (!)- ତାହାର ତର୍ଜମା ଆରମ୍ଭ ହୋଇଯାଇଛି ।
ଶିବସେନା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୨୦୧୯ରେ ବିଧାନସଭା ନିର୍ବାଚନରେ ବିଜେପି ସହ ଏକାଠି ନିର୍ବାଚନ ଲଢି ଥିଲେ ଏବଂ ମେଂଟ ବହୁମତ ପାଇ ସରକାର ଗଠନ କରିବା ସମୟରେ ବିଜେପି ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଜଣ ଶିବସେନା ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ଦାବି କରିଥିଲେ । ୨୦୧୯ ନିର୍ବାଚନ ସମୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସଙ୍କୁ ବିଜେପି ପୁନର୍ବାର ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁ ଥିବା ବେଳେ ଶିବସେନା ନେତା ଉଦ୍ଧବ ଠାକରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢି ବିଜୟୀ ହୋଇଥିବା ତାଙ୍କ ପୁତ୍ର ଆଦିତ୍ୟ ଠାକରେଙ୍କୁ ମେଂଟ ସରକାରରେ ମୁଖ୍ୟମନ୍ତ୍ରୀ କରାଯିବା ଦାବିରେ ଅଡି ରହିଥିଲେ । ବିଜେପି ଏଥିରେ ରାଜି ନ ହେବାରୁ ମେଂଟରେ ଫାଟ ସୃଷ୍ଟି ହୋଇଥିଲା । ଉଦ୍ଧବ ଠାକରେ ଶରଦ ପାୱାରଙ୍କ ଏନସିପି ଓ କଂଗ୍ରେସ ସହ ମେଂଟ (ମହା ବିକାଶ ଅଘାଡି ଗଠନ ମାଧ୍ୟମରେ) କରି ରାଜ୍ୟରେ ଏକ ମିଳିତ ସରକାର ଗଠନ କରିବା ସହ ନିଜେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ଯେହେତୁ ବାଲା ସାହେବ ଠାକରେଙ୍କ ଦ୍ୱାରା ଗଠିତ ରାଜନୈତିକ ଦଳ ‘ଶିବସେନା’ ଏକ ହିନ୍ଦୁତ୍ୱବାଦୀ ଦଳ ଥିଲା ଏବଂ ବିଜେପି ହିନ୍ଦୁତ୍ୱବାଦୀ ଦଳ ଭାବେ ଏହାର ଏକ ପ୍ରକୃତିକ ମିତ୍ର ଥିଲା, ଉଦ୍ଧବ ଠାକରେ ଶିବସେନା ମୁଖ୍ୟ ଭାବେ ବିଜେପି ସହ ନ ରହି ଏନସିପି ଓ କଂଗ୍ରେସ ସହ ମେଂଟରେ ମହାରାଷ୍ଟ୍ରରେ ସରକାର କରିବା ବିଜେପି ପାଇଁ ଚକ୍ଷୁଶୂଳ ଥିଲା । ‘ମହା ବିକାଶ ଅଘାଡି’ ସରକାରର ପତନ ଘଟାଇ ରାଜ୍ୟରେ ପୁନର୍ବାର ବିଜେପି ନେତୃତ୍ୱରେ ସରକାର ଗଠନ ପାଇଁ କେନ୍ଦ୍ରରେ ଶାସନରେ ଥିବା ବିଜେପି ରାଜ୍ୟ ବିଜେପି ନେତୃବର୍ଗଙ୍କ ମାଧ୍ୟମରେ ୨୦୧୯ରେ ଯେଉଁ ଉଦ୍ୟମ ଆରମ୍ଭ କରିଥିଲା ତାହା ୨୦୨୧ ଜୁନରେ ବାସ୍ତବ ରୂପ ନେଇଥିଲା । ଉଦ୍ଧବ ଠାକରେ ଏନସିପି ଓ କଂଗ୍ରେସ ସହ ମେଂଟରେ ମହାରାଷ୍ଟ୍ରରେ ସରକାର ଗଠନ କରି ବାଲା ସାହେବଙ୍କ ‘ହିନ୍ଦୁତ୍ୱ’ ଆଦର୍ଶ ଠାରୁ ଦୂରେଇ ଯାଇଛନ୍ତି ଏବଂ ‘ହିନ୍ଦୁତ୍ୱବାଦୀ’ଙ୍କ ସହ ବିଶ୍ୱାସଘାତ କରିଛନ୍ତି ବୋଲି ବିଜେପିର ପ୍ରଚାର ଅଭିଯାନ ଦୁଇ ବର୍ଷରୁ ଅଧିକ ସମୟ ପରେ ‘ଶିବସେନା’ରେ ବିଭାଜନର ସୂତ୍ରପାତ କରିଥିଲା ।
ଉଦ୍ଧବ ଠାକରେ ସରକାରରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ମନ୍ତ୍ରୀ ଥିବା ଥାଣେ ଭିତ୍ତିକ ଶିବସେନା ନେତା ଏକନାଥ ସିନ୍ଧେ ଗତ ବର୍ଷ ଜୁନ ମାସରେ ଅଚାନକ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିରୋଧରେ ବିଦ୍ରୋହର ସୂତ୍ରପାତ କରି ପ୍ରଥମେ ୧୬ ଜଣ ଶିବସେନା ବିଧାୟକଙ୍କ ସହ ପ୍ରଥମେ ବିଜେପି ଶାସିତ ଗୁଜରାଟର ସୁରଟକୁ ପଳାଇ ଥିଲେ ଏବଂ ସେଠାରେ ଏକ ତାରକା ହୋଟେଲରେ ରହି ଏନସିପି ଓ କଂଗ୍ରେସ ସହ ମେଂଟରୁ ଓହରି ବିଜେପି ସହ ପୁନଃ ମେଂଟ କରିବା ଉଦ୍ଧବଙ୍କ ଉପରେ ଚାପ ସୃଷ୍ଟି କରିଥିଲେ । ଧୀରେ ଧୀରେ ସିନ୍ଧେଙ୍କ ସମର୍ଥକ ବିଧାୟକଙ୍କ ସଂଖ୍ୟା ୪୦ ପାଖାପାଖି ପହଂଚି ଥିଲା ଏବଂ କିଛି ଶିବସେନା ସାଂସଦ ମଧ୍ୟ ବିଦ୍ରୋହରେ ସାମିଲ ‘ମହା ବିକାଶ ଅଘାଡି’ ସରକାରର ପତନ ପାଇଁ ମିଳିତ ଅଭିଯାନ ଆରମ୍ଭ କରିଥିଲେ ।
ସିନ୍ଧେ ଗୋଷ୍ଠୀ ସୁରଟରୁ ଏହି ଅଭିଯାନ ଚଳାଇବା ପରେ ସେଠାରୁ ଅନ୍ୟତମ ବିଜେପି ଶାସିତ ରାଜ୍ୟ ଆସାମର ଗୌହାଟୀକୁ ପଳାଇ ଥିଲେ ଏବଂ ସେଠାରେ ଉଦ୍ଧବ ବିରୋଧୀ ଅଭିଯାନ ଜାରି ରଖିଥିଲେ । ଗୋଟିଏ ପଟେ ଶିବସେନା ସିନ୍ଧେ ଗୋଷ୍ଠୀର ପ୍ରଭାବ ବୃଦ୍ଧି ଏବଂ ଅନ୍ୟପଟେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ଏମଭିଏ ସରକାର ବିରୋଧୀ ଅଭିଯାନ ଉଦ୍ଧବ ସରକାରଙ୍କ ପତନର ପ୍ରମୁଖ କାରଣ ହୋଇଥିଲା । ଶିବସେନା ବିଦ୍ରୋହୀ ଗୋଷ୍ଠୀ ଗୌହାଟୀରୁ ଆଉ ଏକ ବିଜେପି ଶାସିତ ରାଜ୍ୟ ଗୋଆ ପଳାଇ ଥିଲେ ଏବଂ ସେଠାରୁ ଉଦ୍ଧବ-ବିରୋଧୀ ଅଭିଯାନ ଚାଲୁ ରଖି ଥିଲେ । ମହାରାଷ୍ଟ୍ର ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଠାକରେଙ୍କୁ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ଆହ୍ୱାନ ଦେବାରୁ ତାଙ୍କ ସହ ଆବଶ୍ୟକ ସଂଖ୍ୟକ ଶିବସେନା ବିଧାୟକ ନଥିବା ଦେଖି ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସିନ୍ଧେ ଗୋଆରୁ ଫେରି ବିଜେପି ସହଯୋଗରେ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇଥବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ବିଜେପି ନେତୃତ୍ୱର ଚାପରେ ଉପ ମୁଖ୍ୟମନ୍ତ୍ରୀ ହେବାକୁ ବାଧ୍ୟ ହୋଇଥିଲେ ।
ଗତ ବର୍ଷ ମହାରାଷ୍ଟ୍ରରେ ଏହି ରାଜନୈତିକ ଖେଳ ଚାଲି ଥିବା ବେଳେ ଶିବସେନା ସିନ୍ଧେ ଗୋଷ୍ଠୀ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ତାଙ୍କୁ ଆଇନଗତ କ୍ଷମତାକୁ ଚ୍ୟାଲଂଜ କରିଥିଲେ । ଅପରପକ୍ଷରେ, ଶିବସେନାରେ ବିଭାଜନର କାରଣ ହୋଇଥିବା ସିନ୍ଧେଙ୍କ ସମେତ ୧୬ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଉଦ୍ଧବ ଠାକରେ ଗୋଷ୍ଠୀ ପ୍ରଥମେ ବିଧାନସଭାରେ ଓ ପରେ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି, ଯାହାକି ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି । ଶିବସେନାର ୧୬ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେଲେ ସିନ୍ଧେ ମୁଖ୍ୟମନ୍ତ୍ରୀ ପଦ ହରାଇବେ । ସୁପ୍ରିମ କୋର୍ଟରେ ଏହି ପ୍ରସଙ୍ଗ ବିଚାରାଧୀନ ଥିବା ବେଳେ ଶୁକ୍ରବାର ଦିନ ଭାରତୀୟ ନିର୍ବାଚନ ଆୟୁକ୍ତ ସିନ୍ଧେ ଗୋଷ୍ଠୀ ଶିବସେନାର ପ୍ରକୃତ ହିତାଧିକାରୀ ଦର୍ଶାଇ ଦଳର ନିର୍ବାଚନ ଚିହ୍ନ ‘ଧନୁ-ତୀର’ ଏହି ଗୋଷ୍ଠୀକୁ ସମର୍ପି ଦେବା ଗଣତନ୍ତ୍ରକୁ ହତ୍ୟା କଲା ଭଳି ହୋଇଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଭିଯୋଗ କରିଛନ୍ତି ।
ମୁମ୍ବାଇ ବୃତ୍ତର ମହାନଗର ନିଗମର ନିର୍ବାଚନ ଅତିଶୀଘ୍ର ହେବାକୁ ଥିବା ବେଳେ ର୍ନିବାଚନ ଆୟୁକ୍ତଙ୍କ ଏଭଳି ତରବରିଆ ନିଷ୍ପତ୍ତି ବିଜେପି ଓ ସିନ୍ଧେ ଗୋଷ୍ଠୀକୁ ସୁହାଇଲା ଭଳି ହୋଇଥିବା ଠାକରେ ଅଭିଯୋଗ କରିବା ସହ ମୁମ୍ବାଇରେ କହିଛନ୍ତି, ୧୬ ଜଣ ବିଦ୍ରୋହୀ ଶିବସେନା ବିଧାୟକଙ୍କ ବିରୋଧରେ ଦଳବଦଳ ଆଇନରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ବେଳେ ରାୟ ଆସିବା ପୂର୍ବରୁ ଭାରତୀୟ ନିର୍ବାଚନ ଆୟୁକ୍ତ ବିଦ୍ରୋହୀଙ୍କୁ ଶିବସେନାର ପ୍ରକୃତ ହିତାଧିକାରୀ ଘୋଷଣା କରାଯିବା ଓ ଦଳର ନିର୍ବାଚନ ଚିହ୍ନ ସମର୍ପି ଦିଆଯିବା ଏକ ତରବରିଆ ପଦକ୍ଷେପ । ନିର୍ବାଚନ କମିଶନକୁ ଭାଂଗି ଦିଆଯାଇ କମିଶନ ସଦସ୍ୟଙ୍କୁ ଜନତା ଦ୍ୱାରା ନିର୍ବାଚିତ କରାଯିବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଶିବସେନାର ଜାତୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଏକ ଜାତୀୟ ଗଣମାଧ୍ୟମରେ ଲେଖିଥିବା ନିବନ୍ଧରେ ଉଦ୍ଧବ ଠାକରେଙ୍କ ସମର୍ଥନରେ ଶିବସେନାର ୨୦ ଲକ୍ଷ ପ୍ରାଥମିକ ସଦସ୍ୟ ଓ ୨. ୮୩ ଲକ୍ଷ କାର୍ଯ୍ୟକର୍ତ୍ତା ନିର୍ବାଚନ ଆୟୁକ୍ତଙ୍କ ନିକଟରେ ସତ୍ୟପାଠ ଦାଖଲ କରିଥିବା ବେଳେ ସିନ୍ଧେ ଗୋଷ୍ଠୀ ସପକ୍ଷରେ ୧୨ ଲକ୍ଷ ପ୍ରାଥମିକ ସଦସ୍ୟ ଓ ୭୧୧ କାର୍ଯ୍ୟକର୍ତ୍ତା ସତ୍ୟପାଠ ଦାଖଲ କରିଛନ୍ତି ବୋଲି ଦର୍ଶାଇ ନିର୍ବାଚନ ଆୟୁକ୍ତଙ୍କ ଶୁକ୍ରବାରର ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ଭାରତୀୟ ନିର୍ବାଚନ ଆୟୁକ୍ତ ଏକ ସାମ୍ବିଧାନିକ ସଂସ୍ଥା ହୋଇ ମଧ୍ୟ ବିଭିନ୍ନ ସମୟରେ ବିରୋଧୀଙ୍କ ସମାଲୋଚନାର ଶରବ୍ୟ ହେଉଛନ୍ତି । ନିର୍ବାଚନ ସଂପର୍କିତ ବିଭିନ୍ନ ନିଷ୍ପତ୍ତି କେନ୍ଦ୍ରରେ କ୍ଷମତାରେ ଥିବା ଦଳକୁ ସୁହାଇଲା ଭଳି ହେଉଛି ବୋଲି ବିରୋଧୀ କହୁଛନ୍ତି । ବର୍ତ୍ତମାନ ମହାରାଷ୍ଟ୍ରରେ ଶିବସେନାର ସତ୍ତ୍ୱାଧିକାର ବିବାଦକୁ ନେଇ ନିର୍ବାଚନ ଆୟୁକ୍ତଙ୍କ ଶୁକ୍ରବାରର ରାୟ କେବଳ ଶିବସେନା ଉଦ୍ଧବ ଗୋଷ୍ଠୀକୁ ନୁହେଁ, ଅନ୍ୟ ବିରୋଧୀ ଦଳଙ୍କୁ ମଧ୍ୟ ନିର୍ବାଚନ ଆୟୁକ୍ତଙ୍କୁ ସମାଲୋଚନା କରିବାର ଅବକାଶ ସୃଷ୍ଟି କରିଛି । ସରକାର ବିରୋଧୀଙ୍କୁ ଚାପରେ ରଖିବା ପାଇଁ ସିବିଆଇ, ଇଡି, ଆୟକର ବିଭାଗ ଭଳି କେନ୍ଦ୍ରୀୟ ସଂସ୍ଥାଙ୍କୁ କାମରେ ଲଗାଉ ଥିଲେ । ଏବେ, ସାମ୍ବିଧାନିକ ସଂସ୍ଥାଙ୍କୁ ବ୍ୟବହାର କରାଯାଉଥିବାରୁ ଦେଶର ଗଣତନ୍ତ୍ର ପ୍ରତି ବିପଦ ଘନଉଛି ବୋଲି ଅଭିଯୋଗ ହେଲାଣି । ନିର୍ବାଚନ ଆୟୁକ୍ତ କେଉଁ ଗୋଷ୍ଠୀ ସପକ୍ଷରେ କେତେ ବିଧାୟକ ଓ ସାଂସଦ ଅଛନ୍ତି ଗଣତି କରି ନିଷ୍ପତ୍ତି ନେବା ବଦଳରେ ଶିବସେନାର ତୃଣମୂଳସ୍ତରରେ ଥିବା ସଂଗଠନ ଓ କାର୍ଯ୍ୟକର୍ତ୍ତାଙ୍କ ମତାମତ ଆଧରରେ ନିର୍ଣ୍ଣୟ ନେଇଥିଲେ ରାୟ ସିନ୍ଧେ ଗୋଷ୍ଠୀ ସପକ୍ଷରେ ଯାଇନଥାନ୍ତା ବୋଲି ଉଦ୍ଧବ ଗୋଷ୍ଠୀ କହିଛନ୍ତି । ନିର୍ବାଚନ ଆୟୁକ୍ତଙ୍କ ଶୁକ୍ରବାର ନିଷ୍ପତ୍ତି ବିରୋଧରେ ଉଦ୍ଧବ ସୁପ୍ରିମ କୋର୍ଟରେ ଆବେଦନ କରିବେ ବୋଲି ସୂଚନା ଦେଇ ଥିବାରୁ ଏବେ ଶିବସେନା ବିବାଦ ଅଧିକ ଦିନ ଗଡିବା ନିଶ୍ଚିତ ହୋଇଯାଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS