ବିଧାନସଭା ଆରମ୍ଭ, ବିରୋଧୀ ନେତାଙ୍କ ଅଭିଯୋଗ ନବ ଦାସଙ୍କ ହତ୍ୟା ‘ସରକାରୀ ପ୍ରୟୋଜିତ’


ପ୍ରସାଦ ରାଓ
ଭୁବନେଶ୍ୱର
ଫେବୃଆରୀ ୨୧/୨୩
ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ପୂର୍ବତନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଜାନୁଆରୀ ୨୯ ତାରିଖ ଦିନ ଗୁଳି କରି ହତ୍ୟା କରାଯାଇଥିବା ଘଟଣା ପ୍ରଥମ ଦିନର ଅଧିବେଶନ ବେଶ୍ ସରଗରମ କରିଛି । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ସ୍ପଷ୍ଟ ଗୁଳି କରି ହତ୍ୟା କରାଯାଇଥିବା ବେଳେ ସାଧାରଣ ଜନତାର ଧନ ଜୀବନ କେତେଦୂର ସୁରକ୍ଷିତ (?) ବୋଲି ବିରୋଧୀ ପ୍ରଶ୍ନ କରିବା ସହ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ଘେରିଛନ୍ତି । ମନ୍ତ୍ରୀ ନବ ଦାସ ଏକ ପୂର୍ବ ନିର୍ଦ୍ଧାରିତ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେଦିନ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରକୁ ଯାଇଥିବା ବେଳେ ସେଠାକାର ଫାଣ୍ଡି ଅଧିକାରୀ ଥିବା ଜଣେ ପୁଲିସ ଏଏସଆଇ ନିଜ ସର୍ଭିସ ରିଭଲଭରରୁ ଗୁଳି ଚଳାଇ ମନ୍ତ୍ରୀଙ୍କୁ ହତ୍ୟା କରିଥିଲେ । କଂଗ୍ରେସ ବିଧାୟକମାନେ ରାଜ୍ୟପାଳଙ୍କ ଭାଷଣ ସମୟରେ ଗୃହର ମଧ୍ୟଭାଗକୁ ଯାଇ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଦର୍ଶାଇ ହୋହାଲ୍ଲା କରିଥିବା ବେଳେ ଗୃହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହାକୁ ଏକ ‘ସରକାରୀ ପ୍ରୟୋଜିତ’ ହତ୍ୟାକାଣ୍ଡ ବୋଲି ବିଷ୍ଫୋରକ ବୟାନ ଦେଇ ସିଧିସଳଖ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ୫-ଟି ସଚିବ ଭି.କେ.ପାଣ୍ଡିଆନ ଏତିରେ ସାମିଳ ଥିବା ସନ୍ଦେହ ପ୍ରକଟ କରିଥିଲେ । ଜୟନାରାୟଣଙ୍କ ବିଷ୍ଫୋରକ ବୟାନ ସମସ୍ତଙ୍କୁ ଆଚମ୍ବିତ କଲା ଭଳି ହୋଇଛି । ଏହି ହତ୍ୟାକାଣ୍ଡର ଚାରି ଦିନ ଆଗରୁ ବିଜେଡ଼ି ବିଧାୟକ ଦାସ ଓ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ପାଣ୍ଡିଆନଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ ବାର୍ତ୍ତାଳାପକୁ ଯାଂଚ କରାଯିବାକୁ ଓ ତାହାକୁ ତଦନ୍ତ ପରିସରଭୁକ୍ତ କରାଯିବାକୁ ବିରୋଧୀ ଦଳ ନେତା ମିଶ୍ର ଦାବି କରିବା ସହ ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ପୁଲିସର ସାହସ ନଥିବାରୁ ସିବିଆଇ ଦ୍ୱାରା ଘଟଣାର ବିସ୍ତୃତ ତଦନ୍ତ କରାଯିବା ଆବଶ୍ୟକ ବୋଲି ମିଶ୍ର କହିଥିଲେ । ଆଜି ଗୃହର ଅଧିବେଶନ ଆରମ୍ଭ ହେବା କ୍ଷଣି କଂଗ୍ରେସ ବିଧାୟକମାନେ ପୋଡିୟମ ନିକଟକୁ ଚାଲି ଆସି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଭାଷଣ ସମୟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିଥିଲେ । ସେହିପରି, ବିଜେପି ବିଧାୟକମାନେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ପ୍ରତିବାଦ କରି ରାଜ୍ୟପାଳଙ୍କ ଭାଷଣକୁ ବର୍ଜନ କରିବା ସହ ଗୃହତ୍ୟାଗ କରିଥିଲେ ଏବଂ ପରେ ଗୃହର ପ୍ରବେଶ ଦ୍ୱାରରେ ଧାରଣା ଦେଇଥିଲେ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଏପରିକି, ରାଜ୍ୟରେ ସ୍ୱାସ୍ଥ୍ୟ ସେବା ମଧ୍ୟ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ରାଜ୍ୟ ସରକାର ରାଜ୍ୟପାଳଙ୍କ ଅଭିଭାଷଣ ମାଧ୍ୟମରେ ଗୃହରେ ମିଥ୍ୟ ତଥ୍ୟ ଉପସ୍ଥାପନ କରୁ ଥିବାରୁ ବିଜେପି ବିଧାୟକମାନେ ଗୃହତ୍ୟାଗ କରିଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଗଣମାଧ୍ୟମକୁ କହିଛନ୍ତି । କଂଗ୍ରେସ ବିଧାୟକ ସୁର ରାଉତରାୟ ପ୍ରଶ୍ନ କରିଛନ୍ତି, ରାଜ୍ୟ ସରକାର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ପାରିଲେ ନାହିଁ, ରାଜ୍ୟର ସାଧାରଣ ନାଗରିକଙ୍କୁ କି ସୁରକ୍ଷା ଦେବେ ? ଓଡ଼ିଶାରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭାବେ ଭୁଶୁଡି ପଡିଛି ବୋଲି ସେ ଅଭିଯୋଗ କରିଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଧାନସଭା ସଚିବାଳୟ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୁଜାରୀ ଆସନ୍ତା ୨୪ ତାରିଖ ଗୃହରେ ୨୦୨୩-୨୪ ବଜେଟ ଉପସ୍ଥାପନ କରିବେ । ୨୭ ତାରିଖ ବଜେଟ ଉପରେ ଆଲୋଚନା ଆରମ୍ଭ ହେବ ଏବଂ ମାର୍ଚ୍ଚ ୩୧ ତାରିଖରେ ରାଜ୍ୟ ସରକାର ବିଧାନସଭା ଗୃହରେ ଆପ୍ରୋପ୍ରିଏସନ୍ୱିଲ୍ ଉପସ୍ଥାପନ କରିବେ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS