ବାଇଡେନଙ୍କ କିଭ୍ ଗସ୍ତକୁ ନେଇ ପୁଟିନଙ୍କ ପ୍ରତିକ୍ରିୟା, ଉଚିତ ସମୟରେ ଜବାବ ଦେବାକୁ ଚେତାବନୀ


ଫେବୃଆରୀ ୨୧/୨୩
ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲି ଥିବା ଲଢେଇ ଇତିମଧ୍ୟରେ ବର୍ଷ ପୂର୍ତ୍ତି କରିଛି । ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗତକାଲି ଅଚାନକ ୟୁକ୍ରେନ୍ ରାଜଧାନୀ କିଭ୍ ରେ ପହଂଚି ୟୁକ୍ରେନ୍ ସେନାର ମନୋବଳ ବଢାଇବା ସହ ସାହାସର ସହ ରୁଷ ସୈନିକଙ୍କୁ ସାମ୍ନା କରୁଥିବାରୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର ଜେଲେନେସ୍କି ଓ ୟୁକ୍ରେନବାସୀଙ୍କୁ ପ୍ରଶଂସା କରିଛନ୍ତି । ରୁଷିଆ ପକ୍ଷରୁ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନର ମୁକାବିଲା ପାଇଁ ୟୁକ୍ରେନକୁ ଅଧିକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ୫୦୦ ନିୟୁତ ଡଲାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ବାଇଡେନ ଘୋଷଣା କରିବା ମାଧ୍ୟମରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ମନୋବଳ ବଢାଇଛନ୍ତି । ଅପରପକ୍ଷରେ, ରୁଷିଆ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ ୟୁକ୍ରେନରେ ସାମରିକ କାର୍ଯ୍ୟାନୁଷ୍ଠାନର ବର୍ଷ ପୂର୍ତ୍ତି ଉପଲକ୍ଷେ ମସ୍କୋଠାରେ ରୁଷିଆର ପଦସ୍ଥ ଅଧିକାରୀ ଓ ରାଜନୈତିକ ନେତୃବର୍ଗଙ୍କୁ ଉଦବୋଧନ ଦେଇ ରୁଷ ପର୍ଯ୍ୟାୟକ୍ରମେ, ସତର୍କତାର ସହ ଏବଂ ବ୍ୟବସ୍ଥିତ ଭାବରେ ପରିସ୍ଥିତିର ମୁକାବିଲା କରିବ ବୋଲି କହିଛନ୍ତି । ରାଷ୍ଟ୍ରପତି ପୁଟିନ ୟୁକ୍ରେନରେ ସୃଷ୍ଟି ହୋଇଥିବା ବିଷ୍ଫୋରକ ପରିସ୍ଥିତି ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ ଦାୟି କରିଛନ୍ତି । ଆମେରିକା ସମେତ ନାଟୋ ରାଷ୍ଟ୍ରମାନେ ୟୁକ୍ରୋନକୁ ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ସହାୟତା ଦେଇ ପରିସ୍ଥିତିକୁ ଅଧିକ ଗମ୍ବୀର କରିଛନ୍ତି ବୋଲି ପୁଟିନ ଅଭିଯୋଗ କରିଛନ୍ତି । ରୁଷିଆ-ୟୁକ୍ରେନ୍ ବିବାଦ ସଂପୂର୍ଣ୍ଣ ‘ଆଂଚଳିକ’ ଥିଲେ ମଧ୍ୟ ଆମେରିକା ଓ ନାଟୋ ଗୋଷ୍ଠୀ ସଦସ୍ୟମାନେ ସେଥିରେ ସାମିଲ ହୋଇ ତାହାକୁ ଏକ ବିଶ୍ୱସ୍ତର ବିବାଦରେ ପରିଣତ କରିଛନ୍ତି । ‘ଆମେ ରୁଷିଆର ସ୍ଥିତାବାସ୍ଥା କଥା କହୁଛୁ, ଠିକ୍ ସମୟରେ ସେମାନଙ୍କୁ ତାହାର ଜବାବ ଦେବୁ’ ବୋଲି ପୁଟିନ କହିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗତକାଲିର କିଭ୍ ଗସ୍ତ ସଂପୂର୍ଣ୍ଣ ଗୋପନୀୟ ଥିଲା ଏବଂ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେ କିଭ୍ ରେ ପହଂଚି ୟୁକ୍ରେନ୍ ସେନାର ମନୋବଳ ବଢାଇବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ୟୁକ୍ରେନ୍ ସାହାସର ସହ ରୁଷିଆକୁ ସାମ୍ନା କରୁଥିବାରୁ ପ୍ରଶଂସା କରିଥିଲେ । ବାଇଡେନଙ୍କ ଗସ୍ତର ପରଦିନ ପୁଟିନଙ୍କ ପ୍ରତିକ୍ରିୟା ଆସିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS