‘ଆପ୍’ର ଶେଲି ଓବରଏ ଦିଲ୍ଲୀ ମେୟର ନିର୍ବାଚିତ


ପ୍ରସାଦ ରାଓ
ନୂଆଦିଲ୍ଲୀ
ଫେବୃଆରୀ ୨୨/୨୩
ଆଜି ହୋଇଥିବା ଦିଲ୍ଲୀ ମୁନିସିପାଲ କର୍ପୋରେସନ (ଏମସିଡି) ମେୟର ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍)ର ଶେଲି ଓବରଏ ନିର୍ବାଚିତ ହୋଇଛନ୍ତି । ବିଜେପିର ରେଖା ଗୁପ୍ତାଙ୍କୁ ସେ ପରାଜିତ କରିଛନ୍ତି । ମୋଟ ୨୬୬ ଭୋଟରୁ ଶେଲିଙ୍କୁ ୧୫୦ଟି ଭୋଟ ମିଳି ଥିବା ବେଳେ ରେଖା ଗୁପ୍ତାଙ୍କୁ ୧୧୬ ଭୋଟ ମିଳିଛି । ଡିମ୍ବେର ୪ ତାରିଖରେ ଏମସିଡି ନିର୍ବାଚନ ହୋଇଥିଲା । ୨୫୦ ଆସନ ବିଶିଷ୍ଟ ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ୧୩୪ ଆସନ ମିଳିଥିବା ବେଳେ ବିଜେପିକୁ ୧୦୪, କଂଗ୍ରେସକୁ ୦୯ ଓ ଅନ୍ୟମାନଙ୍କୁ ୦୩ଟି ଆସନ ମିଳିଥିଲା । ଦିଲ୍ଲୀବାସୀ ଆମ୍ ଆଦମୀ ପାର୍ଟିକୁ ବହୁମତ ଦେଇଥିବାରୁ ବିଜେପି ମେୟର ନିର୍ବାଚନ ଲଢିବ ନାହିଁ ବୋଲି ପ୍ରଥମେ ଘୋଷଣା କରିଥିଲେ ମଧ୍ୟ ପରେ ମେୟର, ଡେପୁଟୀ ମେୟର ଓ ଛଅ ଜଣ ଷ୍ଟାଣ୍ଡିଂ କମିଟି ସଦସ୍ୟ ପାଇଁ ପ୍ରାର୍ଥୀ ଦେଇଥିଲା । ଜାନୁୟାରୀ ମାସରେ ହୋଇଥିବା ଏମସିଡି ବୈଠକରେ ଦିଲ୍ଲୀର ଲ୍ୟୁଟିନାଂଟ ଜେନେରାଲ ବି.କେ.ସାକ୍ସେନା ତାଙ୍କ ଦ୍ୱାରା ମନୋନୀତ ୧୦ ଜଣ ସଦସ୍ୟଙ୍କୁ ପ୍ରଥମେ ଶପଥ ପାଠ କରାଇ ବିବାଦର ସୂତ୍ରପାତ କରିଥିଲେ । ଏମସିଡି ଆଇନ ଅନୁଯାୟୀ ମନୋନୀତ ସଦସ୍ୟଙ୍କ ଭୋଟଦାନ କ୍ଷମତା ନଥିଲେ ମଧ୍ୟ ସେମାନଙ୍କୁ ଏହି ଅଧିକାର ଦେଇ ମେୟର ନିର୍ବାଚନକୁ ବିଜେପି ସପକ୍ଷରେ ନେବାକୁ ଏଲଜି ଉଦ୍ୟମ କରିବାରୁ ଆମ୍ ଆଦମୀ ପାର୍ଟି ତାହାର ଦୃଢ ବିରୋଧ କରିଥିଲା । ଫଳରେ, ତିନି ଥର ଏମସିଡି କାଉନସିଲ ବୈଠକ ହୋଇ ମଧ୍ୟ ବିଜେପି ଓ ଆମ୍ ଆଦମୀ ପାର୍ଟି କାଉନସିଲରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରୁ ମେୟର ନିର୍ବାଚନ ହୋଇପାରି ନଥିଲା । ‘ଆପ୍’ର ମେୟର ପ୍ରାର୍ଥୀ ଶେଲି ଓବରଏ ତୁରନ୍ତ ମେୟର ନିର୍ବାଚନ କରାଯିବା ଓ ମନୋନୀତ ସଦସ୍ୟଙ୍କୁ ଭୋଟଦାନରୁ ବିରତ ରଖାଯିବା ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରିବାରୁ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ତାହାର ଶୁଣାଣୀ କରି ଏମସିଡି ଆଇନ ଅନୁସାରେ ମେୟର ନିର୍ବାଚନରେ ମନୋନୀତ ସଦସ୍ୟ ଭୋଟ ଦେଇ ପାରିବେ ନାହିଁ ବୋଲି ରାୟ ଦେବା ସହ ତୁରନ୍ତ ନିର୍ବାଚନ କରାଇବାକୁ ସରକାରଙ୍କୁ ନିର୍ଦେଶ ଦେଇଥିଲେ । ‘ଆପ୍’ ସୁପ୍ରିମ କୋର୍ଟରେ ବିଜୟ ପରେ ଆଜି ମେୟର ନିର୍ବାଚନରେ ବିଜୟୀ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଓ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ନବ ନିର୍ବାଚିତ ଦିଲ୍ଲୀ ମେୟରଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି । ଏମସିଡି ମେୟର ନିର୍ବାଚନରେ ‘ଗୁଣ୍ଡାମୀ’ର ପରାଜୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କେଜରୀୱାଲ କହିଛନ୍ତି । ମେୟର ନିର୍ବାଚନ ସରିଥିବାରୁ ଏବେ ଡେପୁଟୀ ମେୟର ଓ ଛଅ ଜଣ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କୁ ନିର୍ବାଚିତ କରିବା ପାଇଁ ନିର୍ବାଚନ ହେବ । ସଂଖ୍ୟା ଦୃଷ୍ଟିରୁ ଡେପୁଟୀ ମେୟର ନିର୍ବାଚନ ‘ଆପ୍’ ଓ ଛଅ ଷ୍ଟାଣ୍ଡିଂ କମିଟି ସଦସ୍ୟ ପାଇଁ ହେବାକୁ ଥିବା ନିର୍ବାଚନରେ ‘ଆପ୍’କୁ ୩ଟି, ବିଜେପିକୁ ୨ଟି ମିଳିବା ଆଶା କରାଯାଉଛି । ଷଷ୍ଠ ଷ୍ଟାଣ୍ଡିଂ କମିଟି ସଦସ୍ୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ । ମେୟର ନିର୍ବାଚନରେ ମନୋନୀତ ସଦସ୍ୟଙ୍କୁ ଭୋଟ ଦାନ ଅଧିକାର ମିଳି ଥିଲେ ଦିଲ୍ଲୀର ଉଭୟ ଦଳର ସାଂସଦ ଓ ମନୋନୀତ ସଦସ୍ୟଙ୍କୁ ମିଶାଇ ୨୭୪ ଜଣଙ୍କୁ ଭୋଟ ଦେଇଥା’ନ୍ତେ । ମେୟର ନିର୍ବାଚନରେ ବିଜୟ ପାଇର୍ ବେଂଚ ମାର୍କ ୧୩୮ ରହି ଥା’ନ୍ତା । ବିଜେପିର ମତଦାତା ସଂଖ୍ୟା ୧୧୩ରୁ ୧୨୩କୁ ଓ ‘ଆପ୍’ର ମତଦାତା ସଂଖ୍ୟା ୧୫୦କୁ ବୃଦ୍ଧି ପାଇଥା’ନ୍ତା । ‘ଆପ୍’ କାଉନସିଲରଙ୍କ ମଧ୍ୟରୁ କିଛି କ୍ରସ୍ ଭୋଟିଂ କଲେ ବିଜେପିର ମେୟର ପ୍ରାର୍ଥୀ ବିଜୟୀ ହୋଇଥା’ନ୍ତେ । ଏଲଜିଙ୍କ ଏହି ଯୋଜନା ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ଫଳରେ ବିଫଳ ହୋଇଛି । ଗତ ଡିସେମ୍ବର ୪ ତାରିଖରେ ହୋଇଥିବା ନିର୍ବାଚନରେ ‘ଆପ୍’ ସଂଖ୍ୟାଗରିଷ୍ଠତା ପାଇବା ପୂର୍ବରୁ ଦୀର୍ଘ ୧୫ ବର୍ଷ ଧରି ବିଜେପି ଏମସିଡିରେ କ୍ଷମତାରେ ଥିଲା । ଏମସିଡି ନିର୍ବାଚିତ ପରିଷଦର ପାଂଚ ବର୍ଷ କାର୍ଯ୍ୟକାଳ ମଧ୍ୟରେ ପାଂଚ ଜଣ ମେୟର ନିର୍ବାଚିତ ହେବା ବ୍ୟବସ୍ଥା ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS