ଦୁଇ ସପ୍ତାହ ପରେ ସୁପ୍ରିମ କୋର୍ଟ ଠାକରେଙ୍କ ଆବେଦନର ଶୁଣାଣୀ କରିବେ


ପ୍ରସାଦ ରାଓ
ନୂଆଦିଲ୍ଲୀ
ଫେବୃଆରୀ ୨୨/୨୩
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ହେଉଛି ବାସ୍ତବ ‘ଶିବସେନା’ କହି ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ) ଦଳ ଓ ତାହାର ନିର୍ବାଚନ ଚିହ୍ନ ‘ଧନୁ-ତୀର’କୁ ସିନ୍ଧେ ଗୋଷ୍ଠୀ ହାତରେ ସମର୍ପି ଦେଇଥିବା ବେଳେ ତାହାକୁ ଚ୍ୟାଲେଂଜ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପକ୍ଷରୁ ସୁପ୍ରିମ କୋର୍ଟରେ ଯେଉଁ ଆବେଦନ ହୋଇଛି ତାହା ଉପରେ ଆଜି ସୁପ୍ରିମ କୋର୍ଟରେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଶୁଣାଣୀ କରିଛନ୍ତି । ସ୍ଥିତାବସ୍ଥା ବଜାୟ ରଖାଯିବା ସକାଶେ ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀ ସୁପ୍ରିମ କୋର୍ଟରେ ଆବେଦନ କରିଥିବା ବେଳେ ବର୍ତ୍ତମାନ ପାଇଁ ଶିବସେନା ଓ ତାହାର ନିର୍ବାଚନ ଚିହ୍ନ ସିନ୍ଧେ ଗୋଷ୍ଠୀ ହାତରେ ରହିବ, ଦୁଇ ସପ୍ତାହ ପରେ ଉଦ୍ଧବ ଠାକରେ ଗୋଷ୍ଠୀର ଆବେଦନ ଉପରେ ଶୁଣାଣୀ ହେବ ବୋଲି ଆଜି ଖଣ୍ଡପୀଠ କହିଛନ୍ତି । ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ କପିଲ ସିବଲ୍ ଆଜି ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ ଅଦାଲତରେ ପ୍ରତିନିଧିତ୍ୱ କରି ଶିବସେନାର ସଂପତ୍ତି ଓ ବ୍ୟାଙ୍କ୍ ଆକାଉଂଟର ସୁରକ୍ଷା ଦିଆଯିବାକୁ ଆବେଦନ କରିଥିଲେ । ଭାରତୀୟ ନିର୍ବାଚନ ଆୟୁକ୍ତ ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ଗୋଷ୍ଠୀକୁ ପ୍ରକୃତ ଶିବସେନା ବୋଲି ସ୍ୱୀକୃତି ଦେଇ ଦଳ ଓ ଦଳର ନିର୍ବାଚନ ଚିହ୍ନ ଏହି ଗୋଷ୍ଠୀକୁ ସମର୍ପି ଦେବା ପରେ ସିନ୍ଦେ ଗୋଷ୍ଠୀ ଶିବସେନାର ସଂପତ୍ତି କବଜା କରିବା ଆରମ୍ଭ କରିଛନ୍ତି । ଗତକାଲି ଏହି ଗୋଷ୍ଠୀ ସଂସଦରେ ଥିବା ଶିବସେନା କାର୍ଯ୍ୟାଳୟକୁ ଦଖଲ କରି ନେଇଛନ୍ତି । ତେଣୁ, ସୁପ୍ରିମ କୋର୍ଟରେ ଠାକରେ ଗୋଷ୍ଠୀ ପକ୍ଷରୁ ପୂର୍ବରୁ ହୋଇଥିବା ଆବେଦନଗୁଡିକର ଫଇସଲା ନହେବା ଯାଏଁ ଶିବସେନା କାର୍ଯ୍ୟାଳୟ ଓ ବ୍ୟାଙ୍କ ଆକାଉଂଟକୁ ସୁରକ୍ଷା ଦିଆଯାଉ ବୋଲି ସିବଲ୍ ଖଣ୍ଡପୀଠକୁ ଆବେଦନ କରିଥିଲେ । ତେବେ, ଖଣ୍ଡପୀଠ କହିଛନ୍ତି ଦଳ ଓ ନିର୍ବାଚନ ଚିହ୍ନକୁ ନେଇ ଭାରତୀୟ ନିର୍ବାଚନ ଆୟୁକ୍ତ ଯେଉଁ ନିର୍ଦେଶ ଶୁଣାଇଛନ୍ତି ‘ବର୍ତ୍ତମାନ ପରିସ୍ଥିତି’ରେ ତାହାକୁ ନିଷ୍କ୍ରିୟ (ଫ୍ରିଜ୍) କରବାକୁ ଅଦାଲତ ଚାହୁଁ ନାହାନ୍ତି । ନିର୍ବାଚନ ଆୟୁକ୍ତଙ୍କ ନିର୍ଦେଶ ବାହାରେ ଯଦି କିଛି କରାଯାଉଛି ତାହାକୁ ସେମାନେ ଅଦାଲତରେ ଚ୍ୟାଲେଂଜ କରି ପାରିବେ । ସିନ୍ଧେ ଗୋଷ୍ଠୀ ଦଳରେ କୌଣସି ହ୍ୱିପ୍ ଜାରି କରିବେ ନାହିଁ ଏବଂ ଶିବସେନା କାର୍ଯ୍ୟାଳୟ ଓ ବ୍ୟାଙ୍କ ଆକାଉଂଟ ଦଖଲ ଉଦ୍ୟମ କରିବେ ନାହିଁ ବୋଲି ଅଦାଲତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଦୁଇ ସପ୍ତାହ ପରେ ଖଣ୍ଡପୀଠ ଉଦ୍ଧବ ଠାକରେ ଗୋଷ୍ଠୀର ଆବେଦନର ଶୁଣାଣୀ କରିବେ ବୋଲି କହିଛନ୍ତି । ଏଠାରେ ସୂଚନାଯୋଗ୍ୟ କି, ଗତ ବର୍ଷ ଜୁନ ମାସରେ ଶିବସେନାରେ ଏକ ବିଦ୍ରୋହର ସୂତ୍ରପାତ କରି ସିନ୍ଧେ ଗୋଷ୍ଠୀ ଉଦ୍ଧବ ଗୋଷ୍ଠୀ ଶିବସେନାରୁ ଅଲଗା ହୋଇଯାଇଥିଲେ । ପରେ, ସିନ୍ଧେ ରାଜ୍ୟରେ ବିଜେପି ସହ ମିଳିତ ଭାବେ ସରକାର ପ୍ରତିଷ୍ଠା କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସିନ୍ଧେଙ୍କ ସମେତ ୧୬ ଶିବସେନା ବିଧାୟକ ପ୍ରଥମେ ଦଳର ନେତୃତ୍ୱ ବିରୋଧରେ ବିଦ୍ରୋହ କରି ଦଳତ୍ୟାଗ କରିଥିଲେ । ଦଳବଦଳ ନିରୋଧ ଆଇନ ବଳରେ ଏହି ବିଧାୟକମାନଙ୍କ ସଭ୍ୟପଦ ରଦ୍ଧ କରାଯିବାକୁ ହୋଇଥିବା ଆବେଦନ ସୁପ୍ରିମ କୋର୍ଟରେ ବିଚାରାଧୀନ ରହିଛି । ସୁପ୍ରିମ କୋର୍ଟ ତାହାର ବିଚାର କରି ରାୟ ଦେଲେ ବିଦ୍ରୋହୀ ବିଧାୟକମାନେ ସଭ୍ୟପଦ ହରାଇବା ସମ୍ଭାବନା ଥିବାରୁ କୋର୍ଟରେ ଏହି ମାମଲା ଶୁଣାଣୀ ହୋଇ ରାୟ ଆସିବା ପାଇଁ ଶିବସେନାର ସ୍ଥିତାବସ୍ଥା ବଜାୟ ରଖିବାକୁ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS