କଂଗ୍ରେସ ମୁଖପାତ୍ର ପୱନ ଖେରା ଗିରଫ, ସୁପ୍ରିମ କୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ


ପ୍ରସାଦ ରାଓ
ନୂଆଦିଲ୍ଲୀ
ଫେବୃଆରୀ ୨୩/୨୩
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅସୌଜନ୍ୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଆଜି କଂଗ୍ରେସ ନେତା ତଥା ଦଳର ଜାତୀୟ ମୁଖପାତ୍ର ପୱନ ଖେରାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଏକ ଇଣ୍ଡିଗୋ ବିମାନରୁ ଗିରଫ କରାଯାଇଛି । ତେବେ, ଗିରଫ ହେବାର କିଛି ଘଂଟା ମଧ୍ୟରେ ସେ ସୁପ୍ରିମ କୋର୍ଟରୁ ଅନ୍ତରୀଣ ଜାମିନ ପାଇଛନ୍ତି । ଖେରା ନିକଟରେ ଆଦାନୀ-ହିଣ୍ଡନବର୍ଗ ପ୍ରସଙ୍ଗକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂପର୍କରେ ଅସୌଜନ୍ୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏହି ମନ୍ତବ୍ୟକୁ ନେଇ ବିଜେପି କ୍ଷୁବ୍ଧ । ଖେରାଙ୍କ ବିରୋଧରେ ବିଜେପି ଶାସିତ ୟୁପି ଓ ଆସାମରେ ଏକାଧିକ ମାମଲା ରୁଜୁ ହୋଇଛି । ଆଜି କଂଗ୍ରେସ ମୁଖପାତ୍ର ଖେରା ଛତିଶଗଡ ରାଜଧାନୀ ରାୟପୁରଠାରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଆୟୋଜିତ ଏକ ଅଧିବେଶନରେ ଯୋଗ ଦେବାକୁ ଅନ୍ୟ କଂଗ୍ରେସ ନେତାଙ୍କ ସହ ‘ଇଣ୍ଡିଗୋ’ର ଏକ ବିମାନରେ ରାୟପୁର ଯିବା ସମୟରେ ତାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଜବରଦସ୍ତ ଓହ୍ଲାଇ ଦିଆଯାଇ ଗିରଫ କରାଯାଇଥିଲା । ରାୟପୁର ଯାଉଥିବା ଇଣ୍ଡିଗୋ ବିମାନରେ କଂଗ୍ରେସ ଦଳର ଅନ୍ୟ ନେତାମାନେ ମଧ୍ୟ ଥିଲେ । ଖେରାଙ୍କୁ ଜବରଦସ୍ତ ବିମାନରୁ ଓହ୍ଲାଇ ଗିରଫ କରାଯିବା ପ୍ରତିବାଦରେ ପାଖାପାଖି ୫୦ କଂଗ୍ରେସ ନେତା ଦିଲ୍ଲୀ ବିମାନ ବନ୍ଦର ଟର୍ମିନାଲରେ ଧାରଣାରେ ବସିବା ସହ ବିମାନକୁ ଯିବାକୁ ଦେଇନଥିଲେ । ଇତିମଧ୍ୟରେ, କଂଗ୍ରେସ ଦଳ ପକ୍ଷରୁ ଖେରାଙ୍କ ବିରୋଧରେ ୟୁପି ଓ ଆସାମରେ ହୋଇଥିବା ସମସ୍ତ ମାମଲାକୁ ଏକାଠି କରି ଶୁଣାଣୀ କରିବାକୁ ହୋଇଥିବା ଆବେଦନକୁ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ରାଜି ହେବା ସହ ଖେରାଙ୍କୁ ଅନ୍ତରୀଣ ଜାମିନ ମଂଜୁର କରିଛନ୍ତି । କଂଗ୍ରେସ ମୁଖପାତ୍ର ଖେରା ଆଦାନୀ-ହିଣ୍ଡେନବର୍ଗ ମାମଲାର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ପାଇଁ ହେଉଥିବା ଦାବି ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଜେପିସି ଗଠନ କରିଥିଲେ, ଅଟଳ ବିହାରୀ ବାଜପେୟୀ ଜେପିସି ଗଠନ କରିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜେପିସି ଗଠନ କରିବାରେ ସମସ୍ୟା ରହିଲା କେଉଁଠି ବୋଲି ପ୍ରଶ୍ନ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀଙ୍କ ନାମକୁ ‘ନରେନ୍ଦ୍ର ଗୌତମ ଦାସ … କ୍ଷମା କରିବେ …ଦାମୋଦରଦାସ… ମୋଦୀ’ ବୋଲି ଆକ୍ଷେପାତ୍ମକ ମନ୍ତବ୍ୟ ଦେଇଥିଲେ । ପରେ ସେ ‘ଭୁଲରେ ପାଟିରୁ ଖସି ଗଲା’ କହି ଏଥିପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ତଥାପି, ବିଜେପି ପାଇଁ ଖେରାଙ୍କ ଆକ୍ଷେପ ଅସହ୍ୟ ଥିଲା ଏବଂ ତାଙ୍କ ବିରୋଧରେ ବିଜେପି ଶାସିତ ୟୁପି ଓ ଆସାମରେ ଏକାଧିକ ଏତଲା ରୁଜୁ ହୋଇଛି । ସବୁ ମାମଲାକୁ ଏକାଠି କରି ଶୁଣାଣୀ କରାଯିବାକୁ କଂଗ୍ରେସ ପକ୍ଷରୁ ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନ ଉପରେ ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଶୁଣାଣୀ କରିବା ବେଳେ ଖେରାଙ୍କ ଏହି ବିବଦମାନ ମନ୍ତବ୍ୟ ‘ସ୍ଲିପ୍ ଅଫ୍ ଟଂଗ୍’ ବା ପାଟିରୁ ଖସି ଗଲା ବୋଲି କଂଗ୍ରେସ ପକ୍ଷରୁ ସଫେଇ ଦିଆଯାଇଛି । ଖେରା ଏଥିପାଇଁ କ୍ଷମା ମାଗି ନେଇଛନ୍ତି ବୋଲି ମଧ୍ୟ ପ୍ରଧାନ ବିଚାରପତିଙ୍କୁ ଅବଗତ କରାଯାଇଛି । ତେବେ, ଖେରା ଜାଣିଶୁଣି ଏଭଳି କରିଛନ୍ତି ବୋଲି ବିଜେପି କହିଛି । ତେବେ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ ବିବୃତି ଦେଇ ଦେଶର ପିତୃତୁଲ୍ୟ ପ୍ରଧାନମନ୍ତ୍ରୀଙ୍କ ପ୍ରତି କଂଗ୍ରେସ ମୁଖପାତ୍ରଙ୍କ ଏଭଳି ଅସୌଜନ୍ୟମୂଳକ ଟିପ୍ପଣୀ କଂଗ୍ରେସ ନେତୃତ୍ୱ ଦ୍ୱରା ପ୍ରୟୋଜିତ ଏବଂ ଏହାକୁ କେବେହେଲେ ଦଳ ଭୁଲିବ ନାହିଁ ବା ବରଦାସ୍ତ କରିବ ନାହିଁ ବୋଲି କହିଛନ୍ତି । ଅପରପକ୍ଷରେ, କଂଗ୍ରେସ ଅଭିଯୋଗ କରିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ’ ଯାତ୍ରା ସଫଳ ହେବା ପରେ ବିବ୍ରତ ହୋଇପଡିଥିବା ବିଜେପି ଏଆଇସିସିର ରାୟପୁର ଅଧିବେଶନକୁ ଭଣ୍ଡୁର କରିବା ପାଇଁ ଗତ ସପ୍ତାହରେ ଛତିଶଗଡର କିଛି କଂଗ୍ରେସ ବିଧାୟକଙ୍କ ଘର ଓ ଦପ୍ତରରେ ମନିଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ଦ୍ୱାରା ଛଢାଉ କରାଇ ଥିଲା । ଆଜି ଦିଲ୍ଲୀ ବିମାନ ବନ୍ଦରରେ ହୋଇଥିବା ନାଟକୀୟ ଗିରଫଦାରୀ ଏହାର ଅଂଶବିଶେଷ । ‘ଏହା କିଛି ନୁହେଁ, ବିଚଳିତ ଅବସ୍ଥାରେ ଥିବା କେନ୍ଦ୍ର ସରକାରଙ୍କ ମାତ୍ରାଧିକ କାର୍ଯ୍ୟକଳାପ’ ବୋଲି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଆଜି ଦିଲ୍ଲୀ ବିମାନ ବନ୍ଦରରେ ଘଟିଥିବା ଘଟଣାକୁ ନେଇ ଜାତୀୟ ଗଣମାଧମ୍ୟରେ ମନ୍ତବ୍ୟ ରଖିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS