ରାୟପୁର ଅଧିବେଶନ: ନିର୍ବାଚନ ନୁହେଁ, ଖର୍ଗେଙ୍କ ଦ୍ୱାରା ମନୋନୀତ ହେବେ ସିଡବ୍ଲୁସି ସଦସ୍ୟ !


ପ୍ରସାଦ ରାଓ
ନୂଆଦିଲ୍ଲୀ
ଫେବୃଆରୀ ୨୪/୨୩
ଛତିଶଗଡ଼ର ରାୟପୁରରେ ଚାଲିଥିବା କଂଗ୍ରେସର ୮୫ତମ ପ୍ଲିନାରୀ ଅଧିବେଶନରେ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି ସିଡବ୍ଲୁସିି (କଂଗ୍ରେସ କାର୍ଯ୍ୟକାରୀଣୀ କମିଟି) ଗଠନକୁ ନେଇ ମତପାର୍ଥକ ଦେଖା ଦେଇଥିବା ସୂଚନା ମିଳିଛି । ଦଳର କିଛି ବରିଷ୍ଠ ନେତା ନିର୍ବାଚନ ମାଧ୍ୟମରେ ସିଡବ୍ଲୁସି ସଦସ୍ୟ ଚୟନ କରାଯିବା ଚାହୁଁଥିବା ବେଳେ ଆଜି ଅନୁଷ୍ଠିତ କଂଗ୍ରେସ ଷ୍ଟିଅରିଂ କମିଟି ବୈଠକରେ ଦଳର ନବନିର୍ବାଚିତ ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କୁ ସିଡବ୍ଲୁସି ପାଇଁ ସଦସ୍ୟ ମନୋନୀତ କରିବାକୁ ଅଧିକାର ପ୍ରଦାନ କରାଯାଇଛି । ଏହା ଦଳରେ ମତଭେଦର ସୂତ୍ରପାତ କରିଛି ବୋଲି ଆଭ୍ୟନ୍ତରୀଣ ସୂତ୍ରରୁ ଜଣାପଡିଛି । କଂଗ୍ରେସ ଷ୍ଟିଅରିଂ କମିଟିର ନିଷ୍ପତ୍ତି ସର୍ବସମ୍ମତ ବୋଲି ଏଆଇସିସି ସାଧାରଣ ସଂପାଦକ (ଗଣଯୋଗାଯାଗ) ଜୟରାମ ରମେଶ ଆଜି ଗଣମାଧ୍ୟମକୁ କହିଥିବା ବେଳେ ଅଜୟ ମାକାନ, ଅଭିଷେକ ମନୁ ସଂଘଭି, ଦିଗବିଜୟ ସିଂହଙ୍କ ଭଳି କିଛି ବରିଷ୍ଠ ନେତାମାନେ ବୈଠକରେ ସିଡବ୍ଲୁସି ପାଇଁ ନିର୍ବାଚନ ହେବା ସପକ୍ଷରେ ମତ ଦେଇଥିଲେ । ଏବେ ନହେଲେ ମଧ୍ୟ ଅନ୍ତତଃ ୨୦୨୪ ସାଧାରଣ ନିର୍ବାଚନ ପରେ ସିଡବ୍ଲୁସି ପାଇଁ ନିର୍ବାଚନ କରାଯିବାକୁ ବରିଷ୍ଠ ନେତା ସିଂଘଭି ପ୍ରସ୍ତାବ ଦେଇଥିଲେ । ତେବେ, ଦଳର ଅନ୍ୟତମ ବରିଷ୍ଠ ନେତା ଦିନେଶ ଗୁଣ୍ଡୁ ରାଓ କହିଛନ୍ତି, ସିଡବ୍ଲୁସି ସଦସ୍ୟ ଚୟନକୁ ନେଇ ଦଳରେ କୌଣସି ମତପାର୍ଥକ୍ୟ ନାହିଁ । କଂଗ୍ରେସ ସଭାପତି ଖର୍ଗେଙ୍କ ଉପରେ ଆମର ସଂପୂର୍ଣ୍ଣ ବିଶ୍ୱାସ ରହିଛି । ଏହାଦ୍ୱାରା କଂଗ୍ରେସ ଦଳକୁ ସୁଦୃଢ କରିବା ପାଇଁ ତାଙ୍କ ହାତମୁଠା ଟାଣ ହୋଇ ପାରିବ ।
‘ଦଳର ସ୍ୱାର୍ଥ ପାଇଁ କଂଗ୍ରେସ ଯାହା ଆବଶ୍ୟକ କରିବ’ ବୋଲି ଗୁଣ୍ଡୁ ରାଓ କହିଛନ୍ତି । ଦଳର ଆଜିର ଷ୍ଟିଅରିଂ କମିଟି ବୈଠକରେ ଗାନ୍ଧୀ ପରିବାରର ତିନି ସଦସ୍ୟ ପୂର୍ବତନ କଂଗ୍ରେସର ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ର ଅନୁପସ୍ଥିତ ଥିଲେ । କଂଗ୍ରେସ ସଭାପତି ଖାର୍ଗେଙ୍କୁ ସ୍ୱାଧୀନ ଭାବେ ନିଷ୍ପତ୍ତି ନେବା ସୁଯୋଗ ଦେବାକୁ ଗାନ୍ଧୀ ପରିବାର ଷ୍ଟିଅରିଂ କମିଟି ବୈଠକରେ ଅନୁପସ୍ଥିତ ରହିଥିଲେ ମଧ୍ୟ ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ରଣକୌଶଳ କଣ ହେବ ତାହା ଉପରେ ହେଉଥିବା ସମସ୍ତ ଆଲୋଚନାରେ ଭାଗ ନେଇଥିବା ଜଣାପଡିଛି । ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରର ପତ ପରେ ଅନୁଷ୍ଠିତ ଅନେକ ନିର୍ବାଚନରେ କଂଗ୍ରେସ ଦଳ ପରାଜୟର ସାମ୍ନା କରିଛି । କଂଗ୍ରେସ ଉପରେ ଥିବା ଗାନ୍ଧୀ ପରିବାରର ଛାପ ଯୋଗୁଁ ଲଗାତର ନିର୍ବାଚନ ପରାଜୟ ହେଉଛି ବୋଲି ଅଭିଯୋଗ ହେବା ପରେ ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କଂଗ୍ରେସ ସଭାପତି ପଦ ପାଇଁ ଗତ ବର୍ଷ ଅକ୍ଟୋବର ମାସରେ ନିର୍ବାଚନ କରାଇ ଥିଲେ । ବରିଷ୍ଠ କଂଗ୍ରେସ ନେତା ଖାର୍ଗେ ଦଳର ଅଫିସିଆଲ୍ ପ୍ରାର୍ଥୀ ଭାବେ ସଭାପତି ନିର୍ବାଚନ ଲଢି ଥିବା ବେଳେ ଅନ୍ୟତମ ବରିଷ୍ଠ ନେତା ଶଶି ଥରୁର ତାଙ୍କ ପ୍ରତିଦ୍ୱଦ୍ୱୀ ରହିଥିଲେ । ଖାର୍ଗେଙ୍କ ପ୍ରତି ଗାନ୍ଧୀ ପରିବାରର ସମର୍ଥନ ଥିବା ଦୃଶ୍ୟମାନ ହେଉଥିଲେ ମଧ୍ୟ ଥରୁର ପ୍ରତିଦ୍ୱନ୍ଦ୍ୱିତା ଓହରି ନଯାଇ ନିର୍ବାଚନ ମଇଦାନରେ ରହିଥିଲେ ଓ ପରାଜିତ ହୋଇଥିଲେ ।
ଖାର୍ଗେ କଂଗ୍ରେସ ସଭାପତି ନିର୍ବାଚିତ ହେବା ପରେ ମଧ୍ୟ ଦଳ ଉପରେ ଗାନ୍ଧୀ ପରିବାରର ନିୟନ୍ତ୍ରଣ ସୁଦୃଢ ଥିବା ଚର୍ଚ୍ଚା ହେଉଛି । ଦଳରେ ନେତୃତ୍ୱ ପରିବର୍ତ୍ତନ ଘଟି ଥିବାରୁ ଖାର୍ଗେଙ୍କୁ ଅଧିକ ଶକ୍ତିଶାଳୀ କରିବା ପାଇଁ ତାଙ୍କ ମନୋନୀତ ନେତାଙ୍କୁ ନେଇ ସିଡବ୍ଲୁସି ଗଠନ ହେବା ଦଳର ନେତୃତ୍ୱ ଚାହୁଁଛନ୍ତି । ନୂତନ ସିଡବ୍ଲୁସିର ଅନୁପସ୍ଥିତିରେ କଂଗ୍ରେସ ଷ୍ଟିଅରିଂ କମିଟି ସର୍ବଶକ୍ତି ସଂପନ୍ନ ରହିଛି । ଖାର୍ଗେ ତାଙ୍କ ଇଚ୍ଛା ମୁତାବକ ନେତାଙ୍କୁ ସିଡବ୍ଲୁସିକୁ ଚୟନ କରି ୨୦୨୪ ନିର୍ବାଚନ ପୂର୍ବରୁ ନିଜ ସ୍ଥିତି ସୁଦୃଢ କରିବାର ଆବଶ୍ୟକତା ଥିବାରୁ ତାଙ୍କୁ ଆଜି ସିଡବ୍ଲୁସି ସଦସ୍ୟ ମନୋନୟନ ଅଧିକାର ଦିଆଯାଇଛି । ରାୟପୁରରେ କଂଗ୍ରେସର ଯେଉଁ ତିନି ଦିନିଆ ପ୍ଲିନାରୀ ଅଧିବେଶନ ଚାଲିଛି ସେଥିରେ ଦଳ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବ । ଏଥିସହିତ, ଅନ୍ୟ ସମଭାବାପନ୍ନ ରାଜନୈତିକ ଦଳଙ୍କୁ ନିଜ ସହ ସାମିଲ କରି ଏକ ଦ୍ୟଢ ବିରୋଧୀ ମେଂଟ ଗଠନ ଦିଗରେ ପଦକ୍ଷେପ ନେବ ବୋଲି ଆଶା କରାଯାଉଛି । ତେଣୁ, ଏହାକୁ ନେଇ କଂଗ୍ରେସ ଅଧିବେଶନରେ ବିସ୍ତୁତ ଆଲୋଚନା ଚାଲିଛି ।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ଦୀର୍ଘ ‘ଭାରତ ଯୋଡୋ’ ପଦଯାତ୍ରାରେ ମିଳିଥିବା ଅପୂର୍ବ ସଫଳତା ପରେ କଂଗ୍ରେସ ପକ୍ଷରୁ ରାୟପୁରରେ ଆୟୋଜିତ ତିନି ଦିନିଆ ପ୍ଲିନାରୀ ଅଧିବେଶନ ଦଳ ପାଇଁ ବିଶେଷ ଗୁରୁତ୍ୱ ରଖୁଛି । ଏହି ତିନି ଦିନିଆ ଅଧିବେଶରେ ଦେଶର ବିଭିନ୍ନ ଅଂଚଳରୁ ପ୍ରାୟ ୧୫ ହଜାର ପ୍ରତିନିଧି ଯୋଗ ଦେଉଥିବା ସୂଚନା ମିଳିଛି । ଏହି ଅଧିବେଶନ ଅବସରରେ କଂଗ୍ରେସ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପ୍ରସ୍ତାବ ରଖିଛି ସେଥିରେ ଦଳର ସମ୍ବିଧାନରେ ଅନ୍ୟୁନ ୩୦ଟି ସଂଶୋଧନ କରାଯିବା ଅନ୍ୟତମ । ଦଳ ଗ୍ରାମ, ମଂଡଳ ଓ ୱାର୍ଡସ୍ତରରେ ଶାଖା ପ୍ରତିଷ୍ଠା ପାଇଁ ବିଚାର କରୁଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS