ଜଣେ ମୋଦୀ ସମସ୍ତଙ୍କ ପାଇଁ ଭାରି ?


ପ୍ରସାଦ ରାଓ
ଫେବୃଆରୀ ୨୭/୨୩
‘ଜଣେ ମୋଦୀ ସମସ୍ତଙ୍କ ପାଇଁ ଭାରି’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ସଂସଦରେ ଏଭଳି ତାତ୍ସଲ୍ୟ କରିଛନ୍ତି ବିରୋଧୀଙ୍କୁ । ମୋଦୀଙ୍କ କହିବା ଅର୍ଥ ହେଉଛି, ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାଜିତ କରିବା ପାଇଁ ସମସ୍ତେ ବ୍ୟଗ୍ର । ତେବେ, ମୁକାବିଲା ପାଇଁ ବିରୋଧୀ ଯେଭଳି ଶକ୍ତି ଗୋଟାଇବା କଥା ଏପର୍ଯ୍ୟନ୍ତ ତାହା ବାସ୍ତବତାଠାରୁ ବହୁ ଦୂରରେ । ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ବିରୋଧୀଙ୍କ ମେଂଟ ଉଦ୍ୟମ ତରଳ ଅବସ୍ଥାରେ ରହିଛି । ବିରୋଧୀ ନେତାଙ୍କ ବ୍ୟକ୍ତିଗତ ଉଚ୍ଚାଭିଳାଷ ସେମାନେ ଏକାଠି ହୋଇ ମେଂଟ ଗଠନ କରିବାରେ ମୁଖ୍ୟ ପ୍ରତିବନ୍ଧକ ରହିଛି । ସେମାନଙ୍କ ମଧ୍ୟରେ ନୀତି ଓ ଆଦର୍ଶଗତ ସାମଂଜସ୍ୟ ନାହିଁ । କେବଳ କେନ୍ଦ୍ରରେ ବିଜେପିକୁ କ୍ଷମତାଚ୍ୟୁତ କରିବା ହେଉଛି ବିରୋଧୀଙ୍କ ଏକମାତ୍ର ଉଦ୍ଦେଶ । ତେଣୁ, ଏକ ଶକ୍ତିଶାଳୀ ବିରୋଧୀ ମେଂଟର ଅଭାବ ୨୦୨୪ରେ ବିଜେପିର ବଡ ଶକ୍ତି ହୋଇ ରହିଛି । ଯେହେତୁ ବିଜେପି ମୋଦୀଙ୍କ ଏକକ ନେତୃତ୍ୱକୁ ଭରସା କରି ୨୦୧୪ରୁ ବିଭିନ୍ନ ନିର୍ବାଚନ ଲଢୁଛି ଏବଂ ବିଜୟ ହାସଲ କରି ଆସୁଛି ସେ ଏକାକୀ ସବୁ ବିରୋଧୀ ଦଳଙ୍କ ଉପରେ ଭାରି ପଡିବେ ।
ପ୍ରଧାନମନ୍ତ୍ରୀ ମୋଦୀ ଯାହା କହୁଛନ୍ତି ପ୍ରାୟତଃ ସବୁ ବିରୋଧୀ ଦଳ ସେଥିରେ ଏକମତ । ଆଜିର ଦିନରେ କୌଣସି ବିରୋଧୀ ଦଳ ଏକାକୀ ବିଜେପିକୁ (ଜାତୀୟସ୍ତରରେ) ପରାଜିତ କରିବା ଅବସ୍ଥାରେ ନାହିଁ । ୨୦୧୪ ପୂର୍ବରୁ ଦେଶରେ କଂଗ୍ରେସର ଯେଭଳି ପ୍ରତିଷ୍ଠା ଥିଲା ତାହା ଏବେ ଆଉ ନାହିଁ । ଚଉଦ ନିର୍ବାଚନରେ ୧୦ ବର୍ଷର କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରର ପତନ ପରେ ମୋଦୀ ସରକାରଙ୍କ ‘କଂଗ୍ରେସ ମୁକ୍ତ ଭାରତ’ ଅଭିଯାନ କଂଗ୍ରେସକୁ ଏତେଦୂର ଦୁର୍ବଳ କରିଛି ଯେ କଂଗ୍ରେସ ଏକାକୀ ବିଜେପିକୁ ସାମ୍ନା କରିବା ସ୍ଥିତିରେ ନାହିଁ । ବିଜେପିକୁ ପରାଜିତ କରିବା ପାଇଁ ବିରୋଧୀ ରାଜନୈତିକ ଦଳମାନେ କଂଗ୍ରେସ ନେତୃତ୍ୱରେ ମେଂଟ ଗଠନକୁ ଭରସା କରିପାରୁ ନାହାନ୍ତି । ତେଣୁ, ସେମାନେ କଂଗ୍ରେସକୁ ବାଦ୍ ଦେଇ ମେଂଟ ଗଠନ କଥା କହୁଛନ୍ତି । ଅଧିକାଂଶ ବିରୋଧୀ ଦଳଙ୍କ ମତରେ ବିଜେପି ଓ କଂଗ୍ରେସ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ । ଦୁଇଟି ଯାକ ଜାତୀୟ ରାଜନୈତିକ ଦଳ ହେଉଛି ସେମାନଙ୍କ ଶତୃ । ତେଣୁ, ଏକ ତୃତୀୟ ସାମ୍ମୁଖ୍ୟ ଗଠନର ଆବଶ୍ୟକତା ରହିଛି ।
୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରାୟତଃ ସବୁ ରାଜନୈତିକ ଦଳଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡ଼ି) ୨୦୦୯ ନିର୍ବାଚନରୁ ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତା କଥା କହି ନିର୍ବାଚନ ଲଢି ଆସୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍) ଏକାକୀ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରାଜିତ କରିପାରିବ ବୋଲି ବାହାସ୍ପୋଟ ମାରୁଛି । ବିହାରରେ ଜେଡ଼ିୟୁ-ଆରଜେଡି-କଂଗ୍ରେସ ମେଂଟ, ୟୁପିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ ମାୟାବତୀଙ୍କ ବିଏସପି, ପଶ୍ଚିମ ବଂଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟି, ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ଡ଼ିଏମକେ, ତେଲେଂଗାନାରେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ବିଆରଏସ୍, ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆରସିପି, ମହାରାଷ୍ଟ୍ରରେ ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀ, ଶରଦ ପାୱାରଙ୍କ ଏନସିପି, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜେଏମଏମ (ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା) ଏବଂ କେରଳର ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନଙ୍କ ନେତୃତ୍ୱରେ ପରିଚାଳିତ କମ୍ୟୁନିଷ୍ଟ ମେଂଟ ଜାତୀୟ ରାଜନୀତିରେ ପ୍ରମୁଖ ଭୂମିକାରେ ରହିବାକୁ ଆଗ୍ରହୀ । ଏହି ନେତାଙ୍କ ମଧ୍ୟରୁ କିଛି ୨୦୨୪ରେ ବିରୋଧୀ ମେଂଟର ନେତୃତ୍ୱ ନେବାକୁ ଓ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହେବାକୁ ଆଶା ପାଳିଛନ୍ତି । ନିଜ ନିଜ ରାଜ୍ୟରେ ସେମାନେ ପ୍ରଭାବଶାଳୀ ଥିଲେ ସୁଦ୍ଧା ଲୋକସଭା ନିର୍ବାଚନ କଥା ଆସିଲେ ଏକୁଟିଆ ବିଜେପିକୁ ପରାସ୍ତ କଲା ଭଳି ସ୍ଥିତିରେ ନାହାନ୍ତି । ସେଥିରୁ କିଛି ନେତା ଏନଡିଏର ଅଂଶୀଦାର ଥିବା ବେଳେ ଅନ୍ୟମାନେ ବିଜେପିର ପରାଜୟ ଚାହୁଁଥିଲେ ମଧ୍ୟ ଏକ ଶକ୍ତିଶାଳୀ ବିରୋଧୀ ମେଂଟ ଗଠନ ଉଦ୍ୟମରେ ଏପର୍ଯ୍ୟନ୍ତ ସଫଳ ହୋଇ ନାହାନ୍ତି ।
ବିରୋଧୀ ଶିବିର ବିଭାଜିତ ଅବସ୍ଥାରେ ଥିବା ବିଜେପି ପାଇଁ ବଡ ଶକ୍ତି ହୋଇଛି । ଦଳକୁ ଟକ୍କର ଦେବା ପାଇଁ ଏକ ଶକ୍ତିଶାଳୀ ରାଜନୈତିକ ବିକଳ୍ପର ଅଭାବ ବିଜେପିକୁ ଭରସା କରିବା ପାଇଁ ଦେଶବାସୀଙ୍କୁ ବାଧ୍ୟ କରୁଛି । ଏଇଥିପାଇଁ ପ୍ରଧାନମନ୍ତ୍ରୀ ଦୃଢତାର ସହ କହିଛନ୍ତି, ସେ ଏକାକୀ ସମସ୍ତଙ୍କ ପାଇଁ ଭାରି ପଡିବେ । ସଂସଦର ଉଭୟ ଗୃହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଭଳି ତାତ୍ସଲ୍ୟ ବିରୋଧୀଙ୍କ ଦୁର୍ବଳତାକୁ ଉଜାଗର କରିବା ସହ ବିଜେପିରେ ତଳୁ ଉପର ପର୍ଯ୍ୟନ୍ତ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛି । ଭାରତ ଭଳି ଏକ ବୃହତ୍ତ ଗଣତନ୍ତ୍ରରେ ଶକ୍ତିଶାଳୀ ବିରୋଧୀ ଦଳ ନଥିଲେ ସରକାର ସ୍ୱେଚ୍ଛାଚାରୀ ହେବା ସ୍ୱାଭାବିକ, ଏକଥା ସମସ୍ତେ ଅନୁଭବ କରୁଥିଲେ ମଧ୍ୟ କଂଗ୍ରେସ ବା ଅନ୍ୟ କୌଣସି ବିରୋଧୀ ଦଳ ଏକାଠି ବସି ଏକ ବିରୋଧୀ ଶକ୍ତିକୁ ଦେଶ ସାମ୍ନାରେ ଉପସ୍ଥାପନ କରିବାରେ ସଫଳ ହୋଇ ନଥିବା ଦେଶବାସୀଙ୍କୁ ନିରୁତ୍ସାହିତ କରିଛି । କେନ୍ଦ୍ରରେ ବିଜେପି ସରକାରଙ୍କ ଗତ ନଅ ବର୍ଷର ଶାସନରେ ଯେଉଁମାନେ ଅତିଷ୍ଟ ସେମାନେ ମଧ୍ୟ ଶକ୍ତିଶାଳୀ ବିକଳ୍ପର ଅଭାବକୁ ଦେଖି ସରକାରଙ୍କ ଗୁଣଗାନ କରୁଛନ୍ତି ବା ନିରବ ରହିବାକୁ ବାଧ୍ୟ ହେଉଛନ୍ତି ।
ଏହା ହେଉଛି ଆଜି ଦିନର ବାସ୍ତବତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ଅପୂର୍ବ ସଫଳତା ଦେଇ ସରକାର ପ୍ରତିଷ୍ଠା କରିବା ପରେ ୨୦୨୪ରେ ଲଗାତର ତୃତୀୟ ଥର ପାଇଁ ସଂଖ୍ୟାଗରିଷ୍ଠତା ଆଣି କ୍ଷମତାକୁ ଫେରିବେ ବୋଲି ବିଭିନ୍ନ ସର୍ଭେ ସଂସ୍ଥା ଦ୍ୱାରା ହେଉଥିବା ଆକଳନକୁ ଭୁଲ ପ୍ରମାଣିତ କରିବା ପାଇଁ ବିରୋଧୀଙ୍କ ଆଡୁ ଯେଭଳି ଉଦ୍ୟମ ହେବା କଥା ହେଉ ନାହିଁ । ଜେଡିୟୁ ନେତା ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଥାଇ ବିଜେପି ଓ ଏନଡିଏ ସହ ସଂପର୍କ ଛିନ୍ନ କରି ଆରଜେଡି, କଂଗ୍ରେସ ସହ ‘ମହାଗଠବନ୍ଧନ’ ସରକାର ପ୍ରତିଷ୍ଠା କରିବା ପରେ ତାଙ୍କର ଜାତୀୟ ରାଜନୀତିରେ ପ୍ରବେଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ନୀତୀଶ ମଧ୍ୟ ଜଣେ ପୋଖତ ଖେଳାଳୀ ହୋଇଥିବାରୁ ୨୦୨୪ ପୂର୍ବରୁ ଜାତୀୟସ୍ତରରେ ଏକ ବିରୋଧୀ ମେଂଟ ଗଠନ ଉଦ୍ୟମ ଆରମ୍ଭ କରିଥିଲେ । ତେବେ, ପ୍ରଧାନମନ୍ତ୍ରୀ ହେବାକୁ ନୀତୀଶ ଆଗ୍ରହୀ ବୋଲି ବିଜେପିର ପ୍ରଚାର ବିରୋଧୀ ମେଂଟ ଗଠନ ପ୍ରକ୍ରିୟାକୁ ଆଗକୁ ଯିବାକୁ ଦେଇ ନାହିଁ । ନୀତୀଶ ବାରମ୍ବାର କହୁଛନ୍ତି, ରାଜନୈତିକ ସ୍ୱାର୍ଥକୁ ଜଳାଂଜଳି ଦେଇ ବିରୋଧୀ ଦଳମାନେ ଗୋଟିଏ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ (ବିଜେପିକୁ ପରାଜିତ କରିବା) ଉଦ୍ଦେଶ୍ୟ ସାଧନ ପାଇଁ ଏକାଠି ହେଲେ ହିଁ ୨୦୨୪ରେ ମୋଦୀଙ୍କୁ ପରାଜିତ କରିବା ସମ୍ଭବ ।
କଂଗ୍ରେସ ହେଉଛି ଏକମାତ୍ର ଜାତୀୟ ରାଜନୈତିକ ଦଳ ଯାହାର ଦେଶବ୍ୟାପୀ ସମର୍ଥନ ଓ ସଂଗଠନ ରହିଛି । ତେଣୁ, କଂଗ୍ରେସକୁ ବାଦ୍ ଦେଇ ଏକ ଶକ୍ତିଶାଳୀ ବିରୋଧୀ ମେଂଟ ସମ୍ଭବ ନୁହେଁ ବୋଲି ସେ ଚେତାଇ ଦେଇଛନ୍ତି । ତଥାପି, ବିରୋଧୀ ଏକତା ବହୁ ଦୂରରେ । କଂଗ୍ରେସ ପକ୍ଷରୁ ମଧ୍ୟ ସେଭଳି କିଛି ଉତ୍ସାହ ଦେଖିବାକୁ ମିଳି ନଥିଲା । ତେବେ, ରବିବାର ଦିନ ଛତିଶଗଡର ରାୟପୁରଠାରେ ଶେଷ ହୋଇଥିବା କଂଗ୍ରେସର ତିନି ଦିନିଆ ୮୫ତମ ମହାଅଧିବେଶନରେ ଗୃହୀତ ରାଜନୈତିକ ପ୍ରସ୍ତାବରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ସମଭାବାପନ୍ନ ରାଜନୈତିକ ଦଳଙ୍କୁ ନେଇ ମେଂଟ ଗଠନ କଥା କୁହାଯାଇଛି । ତେବେ, ସମ୍ଭାବ୍ୟ ବିରୋଧୀ ମେଂଟର ନେତୃତ୍ୱ କିଏ ନେବ, ତାହା କଂଗ୍ରେସ ସ୍ପଷ୍ଟ କରିନାହିଁ । କେବଳ କଂଗ୍ରେସ ଓ ରାହୁଲ ଗାନ୍ଧୀ ଦେଶରେ ଏକ ଅଣ-ବିଜେପି ସରକାର ପ୍ରତିଷ୍ଠା କରିବାକୁ ସକ୍ଷମ ବୋଲି ‘ଭାରତ ଯୋଡୋ’ ପଦଯାତ୍ରା ସମୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ହାଇଦ୍ରାବାଦରେ କହିଥିଲେ । କିନ୍ତୁ, କଂଗ୍ରେସର ରାୟପୁର ମହାଅଧିବେଶନରେ ସେ ନିରବ ଥିବା ଦେଖିବାକୁ ମିଳିଛି । ମମତା ବାନାର୍ଜୀ,କେ.ଚନ୍ଦ୍ରଶେଖର ରାଓ ଓ ଅନ୍ୟ ବିରୋଧୀ ନେତାଙ୍କ ସହ ଆଲୋଚନା ପରେ ହିଁ ଦଳ ନେତୃତ୍ୱ ପ୍ରସଙ୍ଗକୁ ନେଇ କିଛି କହିପାରେ ବୋଲି ଅନୁମାନ କରାଯାଉଛି ।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କନ୍ୟାକୁମାରୀରୁ କଶ୍ମୀର ‘ଭାରତ ଯୋଡୋ’ ପଦଯାତ୍ରା ସମୟରେ କଂଗ୍ରେସକୁ ବିପୁଳ ଜନସମର୍ଥନ ମିଳିଛି । ତାହା ରାହୁଲଙ୍କ ପୂର୍ବ ଭାବମୂତ୍ତିରେ କିଛିଟା ଉନ୍ନତି ଆଣି ଥିଲେ ମଧ୍ୟ ବିରୋଧୀ ରାଜନୈତିକ ଦଳଙ୍କ ଆଡୁ ସେଭଳି ସମର୍ଥନ ମିଳି ନାହିଁ । କେବଳ ଜମ୍ମୁ-କଶ୍ମୀରରେ ତିନି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତି ରାହୁଲଙ୍କ ପଦଯାତ୍ରାରେ ସାମିଲ ହୋଇଥିଲେ । ଏବେ ରାହୁଲ ପୂର୍ବରୁ ପଶ୍ଚିମକୁ ଆଉ ଏକ ପଦଯାତ୍ରାରେ ବାହାରିବେ ବୋଲି ଘୋଷଣା କରିଛନ୍ତି । କଂଗ୍ରେସ ରାୟପୁର ଅଧିବେଶନରେ ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କ ‘ରାଜନୀତିରୁ ସନ୍ୟାସ ନେବା’ ମନ୍ତବ୍ୟ ମଧ୍ୟ ଅନ୍ୟତମ ଚର୍ଚ୍ଚାର ବିଷୟ ହୋଇଛି । ୨୦୦୪ ଓ ୨୦୦୯ ନିର୍ବାଚନରେ ଡକ୍ଟର ମନମୋହନ ସିଂହଙ୍କ ନେତୃତ୍ୱରେ କଂଗ୍ରେସର ଅପୂର୍ବ ବିଜୟ ତାଙ୍କୁ ଆତ୍ମସନ୍ତୋଷ ଦେଇଥିଲା । ରାହୁଲଙ୍କ ‘ଭାରତ ଯୋଡୋ’ ଯାତ୍ରା ମଧ୍ୟ ସେଭଳି ଆତ୍ମସନ୍ତୋଷ ଦେଇଛି । ‘ଭାରତ ଯୋଡୋ’ ଯାତ୍ରାରୁ ସେ ଇନିଂସ୍ ସମାପ୍ତ କଥା ଚିନ୍ତା କରୁଛନ୍ତି ବୋଲି ସୋନିଆ ଦେଇଥିବା ବକ୍ତବ୍ୟ ସେ ‘ରାଜନ÷ତିକ ସନ୍ୟାସ’ ନେବାକୁ ଚାହୁଁ ଥିବାର ଆଭାସ ଦେଉଥିଲେ ମଧ୍ୟ ଦଳ ପକ୍ଷରୁ ତୁରନ୍ତ ଏଭଳି ସମ୍ଭାବାନକୁ ଏଡାଇ ଦିଆଯାଇଛି ।
ସୋନିଆଙ୍କ ବକ୍ତବ୍ୟର ସାରମର୍ମ ହେଉଛି – ‘ଭାରତ ଯୋଡୋ’ ଯାତ୍ରାର ସଫଳତାରୁ ସେ ତାଙ୍କ ସଭାପତିତ୍ୱ ଇନିଂସ୍ ସମାପ୍ତ କରୁଛନ୍ତି, ରାଜନୀତିରୁ ସନ୍ୟାସ ନୁହେଁ – ବୋଲି କଂଗ୍ରେସ ପଦାଧିକାରୀମାନେ ସ୍ପଷ୍ଟୀକରଣ ଦେଇ ଏହି ଆଲୋଚନାର ପରିସମାପ୍ତି ଘଟାଇବାକୁ ଉଦ୍ୟମ କରିଛନ୍ତି । ତଥାପି, କଂଗ୍ରେସ ତାହାର ନୂତନ ସଭାପତି ଖର୍ଗେଙ୍କ ନେତୃତ୍ୱରେ ନିର୍ବାଚନକୁ ଯିବ କି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ (?) – ତାହା ମଧ୍ୟ ପୁନଃ ଆଲୋଚନାର ବିଷୟ ହେଲାଣି । ବିରୋଧୀ ଶିବିରରୁ ଶରଦ ପାୱାର, ନୀତୀଶ କୁମାର ଭଳି ନେତାଙ୍କ ନାମ ଆଗକୁ ଆସିଲାଣି । ଏଭଳି ସ୍ଥିତିରେ ୨୦୨୪ ପୂର୍ବରୁ ସମ୍ଭାବ୍ୟ ବିରୋଧୀ ମେଂଟର ରୂପରେଖ କଣ ହେବ ତାହା ଅସ୍ପଷ୍ଟ । କେଜରୀୱାଲ, ମମତା ବାନାର୍ଜୀଙ୍କ ଭଳି ନେତାଙ୍କ ଉପରେ ମଧ୍ୟ ଅନେକ କିଛି ନିର୍ଭର କରୁଛି । ବିରୋଧୀ ମେଂଟରେ ଯେଉଁ ଶୂନ୍ୟସ୍ଥାନ ରହିଛି ତାହା ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୨୦୨୪ ବିଜୟକୁ ନେଇ ଦୃଢୋକ୍ତି ପ୍ରକାଶ କରିବାର ସୁଯୋଗ ଦେଇଛି, ଏଥିରେ କିଛି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS