ପାଂଚ ଦିନ ପାଇଁ ସିବିଆଇ ହାଜତକୁ ଗଲେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ


ପ୍ରସାଦ ରାଓ
ଫେବୃଆରୀ ୨୭/୨୩
ଦିଲ୍ଲୀରେ ‘ଆପ୍’ ସରକାରଙ୍କ ନୂତନ ଅବକାରୀ ନୀତିର କାର୍ଯ୍ୟକାରିତାରେ ଦୁର୍ନୀତି ମାମଲାରେ ସିବିଆଇ ଗତକାଲି ରାତିରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରି ଆଜି ସେଠାକାର ରୋଜ ଏଭିନ୍ୟୁ କୋର୍ଟରେ ହାଜରେ କରାଇଛନ୍ତି । କୋର୍ଟରେ ହାଜରେ ହେବା ପରେ ସିସୋଦିଆଙ୍କୁ ବିଚାରପତି ଏମ.କେ.ନାଗପାଲ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ, ଅର୍ଥାତ ପାଂଚ ଦିନ ପାଇଁ ସିବିଆଇ ହାଜତକୁ ପଠାଇଛନ୍ତି । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଅବକାରୀ ନୀତିର କାର୍ଯ୍ୟକାରିତାରେ ହୋଇଥିବା ଦୁର୍ନୀତି ମାମଲାରେ ଜେରା କରିବାକୁ ସିବିଆଇ ଗତକାଲି ନିଜ କାର୍ଯ୍ୟାଳୟକୁ ଡାକି ଥିଲେ । ‘ଆପ୍’ ନେତା ଓ କର୍ମୀଙ୍କ ସହ ବିରାଟ ପଟୁଆରରେ ସିସୋଦିଆ ଗତକାଲି ପୂର୍ବାହ୍ନରେ ସିବିଆଇ କାର୍ଯ୍ୟାଳୟରେ ପହଂଚିବା ପରେ ତାଙ୍କୁ ଦୀର୍ଘ ଆଠ ଘଂଟା ଧରି ଜେରା କରାଯାଇଥିଲା । ଜେରା ବେଳେ ସିସୋଦିଆ ସିବିଆଇ ଅଧିକାରୀଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇନଥିବା ଅଭିଯୋଗ ହୋଇଛି । ରାତି ପ୍ରାୟ ୮ଟା ବେଳେ ସିସୋଦିଆଙ୍କୁ ଗିରଫ କରାଗଲା ବୋଲି ସିବିଆଇ ଅଧିକାରୀମାନେ ସୂଚନା ଦେଇଥିଲେ । ସିସୋଦିଆଙ୍କୁ ଗିରଫ କରାଯିବା ଘଟଣାକୁ ନେଇ ଦିଲ୍ଲୀରେ ପ୍ରବଳ ଉତ୍ତେଜନା ଲାଗି ରହି ଥିବାରୁ ପୁଲିସ ‘ଆପ୍’ ଓ ବିଜେପି କାର୍ଯ୍ୟାଳୟ ନିକଟରେ ବ୍ୟାପକ ପୁଲିସ ବନେ୍ଦାବସ୍ତ କରିବା ସହ ଦୁଇଟି ଯାକ ରାଜନୈତିକ ଦଳର କାର୍ଯ୍ୟାଳୟ ଥିବା ଡିଡିୟୁ ମାର୍ଗ ରାସ୍ତାକୁ ବ୍ୟାରିକେଡ ଦ୍ୱାରା ଆବଦ୍ଧ କରିଛନ୍ତି । ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ଗିରଫ ପ୍ରତିବାଦରେ ‘ଆପ୍’ କର୍ମୀଙ୍କ ପକ୍ଷରୁ ବିକ୍ଷୋଭମାନ ପ୍ରଦର୍ଶନ ହୋଇଥିବା ସୂଚନା ମିଳିଛି । ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଓ ଦଳର ସାଂସଦ ସଂଜୟ ସିଂହ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ଗିରଫ ଘଟଣାକୁ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରଙ୍କ ଏକଛତ୍ରବାଦ କହି ନିନ୍ଦା କରିଛନ୍ତି । ଗତବର୍ଷ ଦିଲ୍ଲୀ ଆମ୍ ଆଦମୀ ପାର୍ଟି ସରକାର ରାଜ୍ୟରେ ନୂତନ ଅବକାରୀ ନୀତି ଘୋଷଣା କରି ବିବାଦରେ ଫସି ଥିଲେ । ଏହି ନୂତନ ନୀତି କାର୍ଯ୍ୟକାରି କରିବାରେ ବ୍ୟାପକ ଆର୍ଥିକ ଦୁର୍ନୀତି ହୋଇଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏଲଜି ଭି.କେ.ସାକ୍ସେନା ଏହାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ । ରାଜ୍ୟର ଅବକାରୀ ମନ୍ତ୍ରୀ ଥିବା ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ସିବିଆଇ ଏକ ନମ୍ବର ଅଭିଯୁକ୍ତ ଦର୍ଶାଇ ମାମଲା ରୁଜୁ କରିଥିଲା ଏବଂ ତାଙ୍କ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ଏକାଧିକ ଥର ଚଢାଉ କରିଥିଲା । ତେବେ, ଅବକାରୀ ଦୁର୍ନୀତି ନେଇ ତାଙ୍କ ଘରୁ ବା ଦପ୍ତରରୁ କିଛି ପ୍ରମାଣ ମିଳି ନଥିବା କୁହାଯାଉଥିଲା । ଅବକାରୀ ଦୁର୍ନୀତି ନେଇ ସିବିଆଇ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟରେ ଦୁଇଟି ଚାର୍ଜସିଟ୍ ଦାଖଲ କରିଥିଲେ ମଧ୍ୟ ସେଥିରେ ସିସୋଦିଆଙ୍କ ନାମ ନଥିଲା । ତେବେ, ସିସୋଦିଆଙ୍କୁ ସିବିଆଇ କାର୍ଯ୍ୟାଳୟକୁ ଡକାଇ ଜେରା କରାଯାଇଥିଲା । ପୁଣି ଥରେ ଗତ ୧୯ ତାରିଖ ଦିନ ହାଜର ହେବାକୁ ସିବିଆଇ ପକ୍ଷରୁ ସିସୋଦିଆଙ୍କୁ ନୋଟିସ କରାଯାଇଥିବା ବେଳେ ସେ ରାଜ୍ୟର ଅର୍ଥ ମନ୍ତ୍ରୀ ଥିବାରୁ ଓ ବିଧାନସଭାରେ ବଜେଟ ଉପସ୍ଥାପନ ପାଇଁ ପ୍ରସ୍ତୁତି ଚାଲି ଥିବାରୁ ଅନ୍ୟ ଏକ ତାରିଖ ଦେବାକୁ ସିବିଆଇକୁ ଅନୁରୋଧ କରିଥିଲେ । ସେହି ଅନୁସାରେ ଫେବୃୟାରୀ ୨୬ରେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ସିସୋଦିଆଙ୍କୁ ସାନି ନୋଟିସ ହୋଇଥିଲା । ଗତକାଲି ସିବିଆଇ ସମ୍ମୁଖରେ ହାଜର ହେବାକୁ ଯିବା ସମୟରେ ସିସୋଦିଆ ସାତରୁ ଆଠ ମାସ ଜେଲରେ ରହିବାକୁ ମାନସିକ ପ୍ରସ୍ତୁତି ନେଇ ସିବିଆଇ କାର୍ଯ୍ୟାଳୟକୁ ଯାଉଥିବା ନିଜ ସମର୍ଥକମାନଙ୍କୁ କହିଥିଲେ । ତାଙ୍କ ଅସୁସ୍ଥ ପତ୍ନୀଙ୍କ ପ୍ରତି ଧ୍ୟାନ ରଖିବାକୁ ମଧ୍ୟ ସେ ସହଯୋଗୀଙ୍କୁ ଅନୁରୋଧ କରିଥିଲେ । ସିବିଆଇ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଗିରଫ କରିଥିବା ଖବର ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଓ ଅନ୍ୟ ‘ଆପ୍’ ନେତାମାନେ ତାଙ୍କ ବାସଭବନକୁ ଯାଇ ପରିବାରକୁ ଆଶ୍ୱାସନା ଦେଇଛନ୍ତି । ମନୀଷଙ୍କ ଗିରଫଦାରୀ ଉଦ୍ଦେଶ୍ୟମୂଳକ ଦର୍ଶାଇ ଦେଶବାସୀ ସବୁ ଦେଖୁଛନ୍ତି, ସେମାନଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ଏହି ନେତାମାନେ କହିଛନ୍ତି । ଏଲଜିଙ୍କ ବିରୋଧ କାରଣରୁ ଗଲା ବର୍ଷ ହିଁ କେଜରୀୱାଲ ସରକାର ନୂତନ ଅବକାରୀ ନୀତି ପ୍ରତ୍ୟାହାର କରି ନେଇଥିଲେ ମଧ୍ୟ ସିବିଆଇ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ପାରି ନାହାନ୍ତି । ପଂଜାବରେ ସେହି ଏକା ଅବକାରୀ ନୀତି କାର୍ଯ୍ୟକାରୀ କରି ଆମ୍ ଆଦମୀ ପାର୍ଟି ସରକାର ୪୮ ପ୍ରତିଶତ ରାଜସ୍ୱ ବୃଦ୍ଧି କରିଥିବା ବେଳେ ଦିଲ୍ଲୀରେ ବିଜେପି ରାଜନୈତିକ କାରଣରୁ ଏଲଜିଙ୍କ ମାଧ୍ୟମରେ ନୂଆ ଅବକାରୀ ନୀତି କାର୍ଯ୍ୟକାରୀ କରିବାରେ ପ୍ରତିବନ୍ଧକ ସୃଷ୍ଟି କଲା ବୋଲି ‘ଆପ୍’ ମୁଖ୍ୟ କେଜରୀୱାଲ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଅଭିଯୋଗ କରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS