କଂଗ୍ରେସ ଆଉ ‘ସାବରକର’ ପ୍ରସଙ୍ଗ ଉଠାଇବ ନାହିଁ
ପ୍ରସାଦ ରାଓ
ମାର୍ଚ୍ଚ ୨୮
‘ସେ ସାବରକର ନୁହନ୍ତି, ଗାନ୍ଧୀ’- କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ଏହି ଟିପ୍ପଣୀ ବିରୋଧୀ ଏକତା ପ୍ରତି ବିପଦ ସୃଷ୍ଟି କରିଥିଲା । ବିଶେଷକରି, ହିନ୍ଦତ୍ୱବାଦୀ ଦଳ ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ରାହୁଲଙ୍କ ‘ସାବରକର’ ଟିପ୍ପଣୀକୁ ନେଇ କ୍ଷୁବ୍ଧ ଥିବା ଗତକାଲି ସ୍ପଷ୍ଟ ହୋଇଯାଇଥିଲା । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଗତକାଲି ରାହୁଲଙ୍କୁ ସମର୍ଥନରେ ବିରୋଧ ପ୍ରଦର୍ଶନ କରୁଥିବା ୧୭ଟି ବିରୋଧୀ ରାଜନୈତିକ ଦଳ ନେତାଙ୍କୁ ନୈଶ୍ୟ ଭୋଜିକୁ ନିମନ୍ତ୍ରଣ କରିଥିଲେ ମଧ୍ୟ ରାହୁଲଙ୍କ ‘ସାବରକର’ହୋଇଥିଲେ ଯୋଗୁଁ କ୍ଷୁବ୍ଧ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ସେଥିରେ ସାମିଲ ହୋଇନଥିଲେ । ରାହୁଲ ଗାନ୍ଧୀଙ୍କ ‘ସାବରକର’ ଟିପ୍ପଣୀ ବିରୋଧୀ ଏକତା ପାଇଁ ‘ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲା’ ସଦୃଶ ଥିଲା । ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାହୁଲଙ୍କ ମନ୍ତବ୍ୟର ଦୃଢ ବିରୋଧ କରି ସମାଭାବାପନ୍ନ ବିରୋଧୀ ଦଳ ଏକାଠି ହେବା ଉଦ୍ୟମରେ ଏହା ପ୍ରତିବନ୍ଧକ ହେବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ । ତେବେ, ଆଜି ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ବରିଷ୍ଠ ନେତା ସଂଜୟ ରାଉତ କହିଛନ୍ତି – ରାହୁଲ ଗାନ୍ଧୀ ଉଦ୍ଧବଙ୍କୁ ଟେଲିଫୋନ କରି କଥାବାର୍ତ୍ତା ହେବା ପରେ ମତଭେଦ ଦୂର ହୋଇଛି । ‘ଆମ ଲଢେଇ ମୋଦୀଙ୍କ ସହ, ସାବରକରଙ୍କ ସହ ନୁହେଁ’ ବୋଲି ଫୋନ୍ କଥାବାର୍ତ୍ତାରେ ରାହୁଲଙ୍କୁ ଜଣାଇ ଦିଆଯାଇଛି । ‘ଗଲା କଥା ଗଲାଣି । ଆମେ ଏବେ ବିରୋଧୀ ଏକତା ପ୍ରତି ଧ୍ୟାନ ଦେବୁ’ ବୋଲି ରାଉତ ଦେଇଛୁ’ ବୋଲି ସଂଜୟ ରାଉତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଗୋଷ୍ଠୀ ସହ କଂଗ୍ରେସ ଓ ଏନସିପିର ମହାଗଠବନ୍ଧନ ଥିବା ସମୟରେ ରାହୁଲଙ୍କ ମନ୍ତବ୍ୟ ସେଥିରେ ଫାଟ ସୃଷ୍ଟି କଲା ଭଳି ଥିଲା ।
ବ୍ରିଟେନରେ ରାହୁଲ ଗାନ୍ଧୀ ‘ଭାରତୀୟ ଗଣତନ୍ତ୍ର ବିପନ୍ନ’ ବୋଲି ଦେଇଥିବା ମନ୍ତବ୍ୟକୁ ବିଜେପି ଦୃଢ ବିରୋଧ କରୁଛି । ସେ ବିଜେପି ନେତାଙ୍କ ଚରମ ଆକ୍ରୋଶର ଶିକାର ହୋଇଛନ୍ତି । ବ୍ରିଟେନରେ ରାହୁଲ ଦେଇଥିବା ମନ୍ତବ୍ୟ ପାଇଁ ସେ ସଂସଦରେ କ୍ଷମା ମାଗନ୍ତୁ ବୋଲି ବିଜେପି ଅଡି ବସି ଥିବା ବେଳେ ଗୁଜରାଟ ସୁରଟର ଏକ ନିମ୍ନ ଅଦାଲତ ରାହୁଲ ୨୦୧୯ ସାଧାରଣ ନିର୍ବାଚନ ସମୟରେ ‘ମୋଦୀ ସାଂଗିଆ’କୁ ନେଇ ଦେଇଥିବା ଏକ ଟିପ୍ପଣୀକୁ ନେଇ ଅଦାଲତି ମାମଲାରେ ଫସି ଯାଇଛନ୍ତି । ନିମ୍ନ ଅଦାଲତ ରାହୁଲଙ୍କ ମାମଲାର ବିଚାର କରି ଦୁଇ ବର୍ଷ ଜେଲ୍ ଓ ଅର୍ଥଦଣ୍ଡରେ ଦଣ୍ଡ ଦେଇଥିବା ବେଳେ ଲୋକସଭା ସଚିବାଳୟ ରାହୁଲଙ୍କ ସାଂସଦ ପଦ ରଦ୍ଦ କରିଛନ୍ତି । ତଥାପି, ରାହୁଲ କ୍ଷମା ମାଗନ୍ତୁ ବୋଲି ବିଜେପି ଅଡି ବସିଛି । ଏନେଇ ରାହୁଲ ଗାନ୍ଧୀ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତବ୍ୟ ଦେଇ ‘ସେ ସାବରକର ନୁହନ୍ତି, ଗାନ୍ଧୀ – ତେଣୁ କ୍ଷମା ମାଗିବା ପ୍ରଶ୍ନ ଉଠୁ ନାହିଁ’ ବୋଲି କହିଥିଲେ । ଏକ ଆପରାଧୀକ ମାନହାନୀ ମାମଲାରେ ରାହୁଲଙ୍କୁ ସର୍ବାଧିକ ଦୁଇ ବର୍ଷ କାରାଦଣ୍ଡ ହେବା, କୋର୍ଟ ରାୟ ପ୍ରକାଶ ପାଉ ପାଉ ଲୋକସଭା ସଚିବାଳୟ ତାଙ୍କ ସାଂସଦ ପଦ ରଦ୍ଦ କରିବା ପଛରେ ବିଜେପିର ଷଡଯନ୍ତ୍ର ଥିବା ବିରୋଧୀ ଦଳ ନ୍ତାମାନଙ୍କ ହୃଦବୋଧ ହୋଇଛି । ତେଣୁ, ଗତକାଲି କଂଗ୍ରେସ ସମେତ ୧୭ଟି ବିରୋଧୀ ଦଳ ସାଂସଦ ସଂସଦରେ କଳା ପୋଷାକ ପରିଧାନ କରି ବିରୋଧ ପ୍ରଦର୍ଶନ କରିଥିଲେ । ବିଭିନ୍ନ ରାଜ୍ୟରେ ମଧ୍ୟ କଂଗ୍ରେସ ପକ୍ଷରୁ ଏଭଳି ବିରୋଧ ପ୍ରଦର୍ଶନ ହୋଇଛି । ଏଥିରେ ମହାରାଷ୍ଟ୍ର ଶିବସେନା ଉଦ୍ଧବ ଗୋଷ୍ଠୀ ମଧ୍ୟ ସାମିଲ ରହିଛି ।
ତେବେ, ରାହୁଲଙ୍କ ‘ସାବରକର’ ଟିପ୍ପଣୀ ଶିବସେନା ଉଦ୍ଧବ ଗୋଷ୍ଠୀକୁ କ୍ଷୁବ୍ଧ କରିଥିବା ଦୃଷ୍ଟିରୁ ଆଗାମୀ ଦିନରେ କୌଣସି ବିରୋଧୀ ଦଳ ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ କୌଣସି ପ୍ରକାର ମନ୍ତବ୍ୟ ନଦେବାକୁ ଆଜି ୧୭ଟି ବିରୋଧୀ ଦଳଙ୍କ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଏହି ବୈଠକରେ ରାହୁଲ ଗାନ୍ଧୀ ତାଙ୍କ ମା’ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଉପସ୍ଥିତ ଥିଲେ ଏବଂ ବିରୋଧୀ ଦଳ ନେତାମାନଙ୍କୁ ସମ୍ବୋଧିତ କରିଥିଲେ । ସୁରଟର ଏକ ନିମ୍ନ ଅଦାଲତ ତାଙ୍କୁ ଏକ ଆପରାଧୀକ ମାନହାନୀ ମାମଲାରେ ଦୁଇ ବର୍ଷ କାରାଦଣ୍ଡ ଦେବା ପରେ ଲୋକସଭା ସଚିବାଳୟ ତ୍ୱରିତ ତାଙ୍କ ସାଂସଦ ପଦ ରଦ୍ଦ କରିଛି । ଏଭଳି ଅସମୟରେ ୧୭ଟି ବିରୋଧୀ ଦଳ ଏହାର ବିରୋଧ କରି କଂଗ୍ରେସ ପଛରେ ଠିଆ ହୋଇଥିବାରୁ ରାହୁଲ ସବୁ ବିରୋଧୀ ଦଳ ନେତାଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇବେ ବୋଲି ମଧ୍ୟ ସ୍ଥିର କରାଯାଇଥିବା କଂଗ୍ରେସ ଦଳର ଆଭ୍ୟନ୍ତରୀଣ ସୂତ୍ରରୁ ସୂଚନା ମିଳିଛି । ରାହୁଲଙ୍କ ସାଂସଦ ପଦ ରଦ୍ଦକୁ ନେଇ କଂଗ୍ରେସ ଏକମାସ ବ୍ୟାପୀ ପ୍ରତିବାଦ ଆନ୍ଦୋଳନ କରିବ ବୋଲି ଆଜି ଘୋଷଣା କରିଛି । ରାହୁଲଙ୍କ ସାଂସଦ ପଦ ରଦ୍ଦ ହେଉ ହେଉ ନୂଆଦିଲ୍ଲୀର ୧୨, ତୁଗଲକ ଲେନ୍ ରେ ତାଙ୍କୁ ମିଳି ଥିବା ସରକାରୀ ବାସଭବନ ୨୨ ଦିନ ମଧରେ ଛାଡିବାକୁ ଲୋକସଭା ସଚିବାଳୟକ ହାଉସିଂ କମିଟି ନୋଟିସ ଜାରି କରିଛନ୍ତି ଏବଂ ସେହି କୋଠାକୁ ଯୋଗାଇ ଦିଆଯାଇଥିବା ବିଦ୍ୟୁତ ଓ ପାନୀୟ ଜଳ ସଂଯୋଗର ବକେୟା ଆଦାୟ ‘ନୋ ଅବଜେକ୍ସନ୍ ସାର୍ଟଫିକେଟ’ ଦେବାକୁ ନୋଟିସର ଏକ ନକଲ ନୂଆଦିଲ୍ଲୀ ମୁନସିପାଲ କାଉନସିଲ (ଏନଡିଏମସି)କୁ ପଠାଇଛନ୍ତି । ଲୋକସଭା ସଚିବାଳୟ ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନମାନ ପଛରେ କେଉଁ ଅଦୃଶ୍ୟ ହାତ ରହିଛି ତାହା ଯେକେହି ଅନୁମାନ କରି ପାରିବ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS