ଖାଲିସ୍ତାନୀ ଉଗ୍ରବାଦୀ ଅମ୍ରିତପାଲ ସିଂହ ନେପାଳ ପଳାଇଛି ?
ପ୍ରସାଦ ରାଓ
ମାର୍ଚ୍ଚ ୨୮
ପଂଜାବ ପୁଲିସର ‘ମୋଷ୍ଟ୍ ୱାଂଟେଡ’ ତାଲିକାରେ ଥିବା ଖାଲିସ୍ତାନୀ ଉଗ୍ରବାଦର ପ୍ରଚାରକ ଅମ୍ରିତପାଲ ସିଂହ ବେଶ ବଦଳାଇ ଦିଲ୍ଲୀ ରାଜରାସ୍ତାରେ ବୁଲୁଥିବାର ଏକ ସିସିଟିଭି ଫୁଟେଜ୍ ପୁଲିସହାତରେ ଲାଗିଛି । ମାର୍ଚ୍ଚ ୨୧ ତାରିଖର ଏହି ସିସିଟିଭି ଫୁଟେଜ୍ ହାତରେ ଲାଗିବା ପରେ ଅମ୍ରିତପାଲ ସିଂହ ଦିଲ୍ଲୀ ହୋଇ ନେପାଳ ପଳାଇ ଥିବା ସଂଦେହ କରୁଛନ୍ତି । ମାର୍ଚ୍ଚ ୨୧ ତାରିଖ ସିସିଟିଭି ଫୁଟେଜରେ ଅମ୍ରିତପାଲ ନିଜର ହୁଲିଆ ସଂପୂର୍ଣ୍ଣ ବଦଳାଇ ମୁଣ୍ଡରେ ପଗଡି ବାନ୍ଧି ନଥିବା, ମୁଣ୍ଡର ଚୂଳକୁ ଖୋଲା ଛାଡି ଦେଇଥିବା ଏବଂ ମୁହଁରେ ମାସ୍କ୍ ପିନ୍ଧି ଥିବା ଦେଖିବାକୁ ମିଳିଛି ବୋଲି ପୁଲିସ କହିଛନ୍ତି । ଅମ୍ରିତପାଲ ପଂଜାବର ଆଜନାଲା ପୁଲିସ ଥାନରେ ସଶସ୍ତ୍ର ଚଢାଉ କରି ନିଜର ଜଣେ ଘନିଷ୍ଟ ସହଯୋଗୀକୁ ପୁଲିସ ହେପାଜତରୁ ଛଡାଇ ନେବା ଘଟଣାରୁ ପଂଜାବ ପୁଲିସ ଓ ସରକାରଙ୍କ ନଜରକୁ ଆସିଥିଲା । ଏହି ଘଟଣାରେ ଅମ୍ରିତପାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପଂଜାବ ପୁଲିସର ଶିଥିଳତାକୁ ସବୁ ମହଲ ସମାଲୋଚନା କରିବାରୁ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରି ଅମ୍ରିତପାଲ ସିଂହ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ପଂଜାବ-ହରିୟାଣା ହାଇକୋର୍ଟ ମଧ୍ୟ ଅମ୍ରିତପାଲକୁ ତୁରନ୍ତ ହାଜର କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ । ଏହାପରେ ପଂଜାବ ପୁଲିସ ମାର୍ଚ୍ଚ ୧୮ ତାରିଖରୁ ଅମ୍ରିତପାଲକୁ ଧରିବା ପାଇଁ ଜୋରଦାର ଅଭିଯାନ ଚଳାଇ ଥିଲେ ମଧ୍ୟ ଆଜି ସୁଦ୍ଧା ସଫଳ ହୋଇ ନାହାନ୍ତି । ପଂଜାବ ପୁଲିସ ଓ ବିଭିନ୍ନ ଗୁଇନ୍ଦା ସଂସ୍ଥା ଅମ୍ରିତପାଲକୁ ଧରିବା ପାଇଁ ପ୍ରୟାସ କରୁଥିଲେ ସୁଦ୍ଧା ସେ ବେଶ ବଦଳାଇ ଖସି ଯିବାରେ ସଫଳ ହେଉଛି । ଅନ୍ୟପକ୍ଷରେ, ଅମ୍ରିପାଲର ଅତି ଘନିଷ୍ଟ ସହଯୋଗୀ ଓ ଶତାଧିକ ସମର୍ଥନଙ୍କୁ ପଂଜାବ ପୁଲିସ ଗିରଫ କଲେଣି । ସେଥିରୁ ଚାରି ଜଣ ଘନିଷ୍ଟ ସହଯୋଗୀଙ୍କୁ ସୁରକ୍ଷା କାରଣରୁ ଆସାମର ଦିବ୍ରୁଗଡ ଜେଲରେ ରଖା ଯାଇଛି । ତେବେ, ଅମ୍ରିତପାଲ କେତେବେଳେ ଦାମୀ କାର୍ ରେ ତ କେତେବେଳେ ବାଇକ୍ ରେ ପଂଜାବ ପୁଲିସକୁ ଚକମା ଦେଇ ଫେରାର ହେବାରେ ସଫଳ ହୋଇଛି । ସେ ପଂଜାବର ଗ୍ରାମାଂଚଳରେ ଆତ୍ମଗୋପନ କରିବା ପରେ ହରିୟାଣା ଖସି ପଳାଇ ଥିବା ଚର୍ଚ୍ଚା ହେଉଥିଲା । ଏବେ ଦିଲ୍ଲୀରେ ବୁଲୁଥିବା ସିସିଟିଭି ଫୁଟେଜ ପୁଲିସ ହାତରେ ଲାଗିଛି । ସେ ଦିଲ୍ଲୀ ଦେଇ ନେପାଳ ପଳାଇ ଥିବା ପୁଲିସ ସନ୍ଦେହ କରୁଛନ୍ତି । ପଂଜାବରେ ଖାଲିସ୍ତାନ ଉଗ୍ରବାଦର ପ୍ରଚାରକ ଅମ୍ରିତପାଲ ସିଂହର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସଂପର୍କ ଥିବା କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ କହୁଛି । ଅମ୍ରିପାଲ ସିଂହ ଦୁବାରରୁ ପଂଜାବ ଚାଲି ଆସି ‘ୱାରିସ୍ ପଂଜାବ ଦେ’ର ମୁଖ୍ୟ ହୋଇଥିଲା ଏବଂ ପଂଜାବରେ ପୁନର୍ବାର ଖାଲିସ୍ତାନୀ ଉଗ୍ରବାଦୀ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇ ଥିଲା । ଏଥିସକାଶେ ସେ ନିଜର ଏକ ସ୍ୱତନ୍ତ୍ର ସଶସ୍ତ୍ର ସେନା ପ୍ରସ୍ତୁତ କରୁଥିଲା ବୋଲି ପୁଲିସ ଓ ଗୁଇନ୍ଦା ସଂସ୍ଥା କହୁଛନ୍ତି । ତେବେ, ଅଜନାଲା ଘଟଣା ପୂର୍ବରୁ ସେମାନେ କେମିତି ଏସବୁ ଜାଣିପାରି ନଥିଲେ ତାହା ବଡ ପ୍ରଶ୍ନ ହୋଇଛି । ଅମ୍ରିତପାଲ ନେପାଳ ପଳାଇ ଥିବା ସନ୍ଦେହ କରାଯାଉଥିବାରୁ ଭାରତ ସରକାର ନେପାଳ ସରକାରଙ୍କୁ ସତର୍କ କରାଇଛନ୍ତି । ତେବେ, ଅମ୍ରିତପାଲ ହାତପାଆନ୍ତାରେ ଅଛି, ଅତିଶୀଘ୍ର ଗିରଫ ହେବ ବୋଲି ପଂଜାବ ସରକାର ମଂଗଳବାର ଦିନ ପଂଜାବ-ହରିୟାଣା ହାଇକୋର୍ଟକୁ କହିଛନ୍ତି ପଂଜାବ ସରକାର ମଂଗଳବାର ଦିନ ପଂଜାବ-ହରିୟାଣା ହାଇକୋର୍ଟଙ୍କୁ ସୂଚିତ କରିଥିବା ଜଣାପଡିଛି । ଅମ୍ରିତପାଲକୁ ଧରିବା ପାଇଁ ପଂଜାବ ପୁଲିସ ମାର୍ଚ୍ଚ ୧୮ ତାରିଖରୁ ଅଭିଯାନ ଚଳାଇ ଥିବା ବେଳେ ସେ ବାରମ୍ବାର ବେଶ ବଦଳାଇ ଖସି ଯାଉଥିବା ପଂଜାବ ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି । ଅମ୍ରିତପାଲ ସିଂହ ଅଶି ଦଶକରେ ଖାଲିସ୍ତାନୀ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିବା ନିହତ ଉଗ୍ରବାଦୀ ଜର୍ଣ୍ଣଲ ସିଂହ ଭିନ୍ଦରନୱାଲେଙ୍କୁ ନିଜର ଆଦର୍ଶ କରି ପଂଜାବରେ ପୁନର୍ବାର ଅଶାନ୍ତ ପରିବେଶ ସୃଷ୍ଟି କରିବାକୁ ଯୋଜନାରେ ଥିଲା । ସେ ଦୁବାଇରେ ଥିବା ପରିବାରର ଟ୍ରାନ୍ସପୋର୍ଟ ବ୍ୟବସାୟକୁ ଛାଡି ପଂଜାବ ଚାଲି ଆସିଥିଲା ଓ ଦେଶ ବିରୋଧୀ ଅଭିଯାନ ପାଇଁ ପ୍ରସ୍ତୁତି ଚଳାଇ ଥିଲା । କେବଳ ପଂଜାବ ସରକାର ନୁହେଁ, ଏନଆଇଏ ଭଳି କେନ୍ଦ୍ର ସରକାରଙ୍କ ଉଗ୍ରବାଦ ବିରୋଧୀ ଗୁଇନ୍ଦା ସଂସ୍ଥାମାନେ ମଧ୍ୟ କେମିତି ଏହାର ସୁରାକ ପାଇ ନଥିଲେ ତାହା ଆଜି ବଡ ପ୍ରଶ୍ନ ହୋଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS