ବିରୋଧୀଙ୍କ ପରବର୍ତ୍ତୀ ରଣନୀତି କଣ ?
ପ୍ରସାଦ ରାଓ
ମାର୍ଚ୍ଚ ୨୭
କଂଗ୍ରେସ ନେତା ରହୁଲ ଗାନ୍ଧୀଙ୍କୁ ସୁରଟର ଏକ ଅଦାଲତ ‘ମୋଦୀ ସାଂଗିଆ’ ମାନହାନୀ ମାମଲାରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ପରେ ଲୋକସଭା ସଚିବାଳୟ ତାଙ୍କ ସାଂସଦ ପଦ ତୁରନ୍ତ ରଦ୍ଦ କରିବା ଏକ ଆଇନଗତ ମାମଲା ହୋଇଥିଲେ ମଧ୍ୟ ବିରୋଧୀ ତାହାକୁ ରାଜନୈତିକ ରଂଗ ଦେଇ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରିବା ଦେଶବାସୀଙ୍କୁ ବିସ୍ମିତ କରିଛି । ସୁରଟ ଅଦାଲତ ରାୟକୁ ଉପର ଅଦାଲତରେ ଚ୍ୟାଲେଂଜ କରିବା ପାଇଁ ରାହୁଲଙ୍କୁ ୩୦ ଦିନ ସମୟ ଦିଆଯାଇଛି । ଏହି ସମୟ ସୀମା ମଧ୍ୟରେ ରାହୁଲ ସଂପୃକ୍ତ ସେସନ୍ସ କୋର୍ଟ, ଗୁଜରାଟ ହାଇକୋର୍ଟ କିମ୍ବା ସୁପ୍ରିମ କୋର୍ଟରୁ ଦଣ୍ଡ ଉପରେ ରହିତାଦେଶ ନ ଆଣିଲେ ଜେଲ ଯିବା ନିଶ୍ଚିତ ଜାଣି ସୁଦ୍ଧା କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଆଇନଗତ ଦିଗକୁ ଗୁରୁତ୍ୱ ନଦେଇ ସଂସଦ ଓ ସଂସଦ ବାହାରେ ପ୍ରତିବାଦ ଆନ୍ଦୋଳନରେ ମାତିବା ହିଁ ବିସ୍ମୟର କାରଣ ହୋଇଛି । ରାହୁଲ ପଛେ ଜେଲ ଯାଆନ୍ତୁ, ତାଙ୍କ ବିରୋଧରେ ଲୋକସଭା ସଚିବାଳୟ ପକ୍ଷରୁ ହୋଇଥିବା ତ୍ୱରିତ କାର୍ଯ୍ୟାନୁଷ୍ଠାନ କଂଗ୍ରେସ ପାଇଁ ସହାନୁଭୂତିର ସ୍ରୋତ ସୃଷ୍ଟି କରୁ ଏବଂ ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀଙ୍କୁ ଫାଇଦା ଦେଉ – ତାହା ଯଦି କଂଗ୍ରେସର ରଣନୀତି ହୋଇଥିବ ତେବେ ଦଳ ଠିକ୍ ରାସ୍ତାରେ ଚାଲିଛି କୁହାଯାଇପାରେ ।
ରାହୁଲଙ୍କ ବିରୋଧରେ ଅଦାଲତର ଦଣ୍ଡାଦେଶ ପ୍ରକାଶ ପାଉ ପାଉ ଲୋକସଭା ସଚିବାଳୟର ତ୍ୱରିତ କାର୍ଯ୍ୟାନୁଷ୍ଠାନ କଂଗ୍ରେସକୁ ବିରୋଧ କରି ଆସୁଥିବା ବିରୋଧୀ ଦଳଙ୍କୁ ମଧ୍ୟ ବିଜେପି ବିରୋଧୀ ମଂଚରେ ଏକାଠି କରିଛି । ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଏହା ବଡ ଉପଲବ୍ଧୀ କୁହାଯିବା ଭୁଲ ହେବ ନାହିଁ । କିନ୍ତୁ, ବିରୋଧୀ ଏକତା ନୁହେଁ, ଅଦାଲତ ହିଁ ରାହୁଲଙ୍କ ଦଣ୍ଡାଦେଶ କାଏମ ରଖିବ କି ଏହା ଉପରେ ରହିତାଦେଶ ଜାରି କରିବ, ତାହା ଉପରେ ତାଙ୍କ ଭାଗ୍ୟ ନିର୍ଭର କରୁଛି । କଂଗ୍ରେସର ଆଇନ ବିଶାରଦମାନେ ଏହି ଦିଗଟିକୁ ଯୁଦ୍ଧକାଳୀନ ଭିତ୍ତିରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବା କଥା । କିନ୍ତୁ, ସେମାନେ କେତେଦୂର ପଦକ୍ଷେପ ନେଲେଣି ଲୋକଲୋଚନକୁ ଆସିନି । ଅପରପକ୍ଷରେ, କଂଗ୍ରେସ ଓ ବିରୋଧୀଙ୍କ ପ୍ରତିବାଦ ଆନ୍ଦୋଳନକୁ ହିଁ ପୂର୍ଣ୍ଣତଃ ଫୋକସ୍ କରୁଥିବା ଦେଖିବାକୁ ମିଳୁଛି ।
ଏଥିରୁ ଗୋଟିଏ କଥା ଚର୍ଚ୍ଚା ହେଉଛି, କଂଗ୍ରେସ ଦଳର ବରିଷ୍ଠ ନେତାମାନେ ଅନ୍ୟ ବିରୋଧୀ ଦଳ ଓ ସାଧାରଣ ଜନତାର ସହାନୁଭୂତି ଗୋଟାଇବାକୁ ଯେତିକି ପ୍ରୟାସ କରୁଛନ୍ତି ରାହୁଲଙ୍କୁ ଦଣ୍ଡମୁକ୍ତ କରିବା ଦିଗରେ ସେତିକି ପ୍ରୟାସ କରୁଥିବା ଦେଖିବାକୁ ମିଳୁନାହିଁ ।
କଂଗ୍ରେସରେ ରାହୁଲଙ୍କ ନେତୃତ୍ୱକୁ ନେଇ ବଡବଡିଆ ନେତାଙ୍କ ମଧ୍ୟରେ ଥିବା ବିତୃଷ୍ଣା ଏଥିରୁ ପ୍ରତିଫଳିତ ହେଉଛି ବୋଲି ଯାହା ଆଲୋଚନା ହେଉଛି ସେଥିରେ କେତେମାତ୍ରାରେ ସତ୍ୟତା ରହିଛି ଭିନ୍ନ କଥା, କିନ୍ତୁ କଂଗ୍ରେସ ଅଦାଲତି ଲଢେଇକୁ ଯେତିକି ଗୁରୁତ୍ୱ ଦେବା କଥା ନଦେଇ ରାଜନୈତିକ ଲଢେଇକୁ ଗୁରୁତ୍ୱ ଦେଉଥିବା ମାର୍ଚ୍ଚ ୨୩ ତାରିଖ ସୁରଟ ଅଦାଲତର ରାୟ ପରେ ଗଲା କିଛି ଦିନ ହେଲା ଚାଲିଥିବା ରାଜନୈତିକ କାର୍ଯ୍ୟକଳାପରୁ ସ୍ପଷ୍ଟ ଦେଖିବାକୁ ମିଳୁଛି । ଏକ ଆପରାଧୀକ ମାନହାନୀ ମାମଲାରେ ସୁରଟର ଏକ ନିମ୍ନ ଅଦାଲତ କଂଗ୍ରେସର ବରିଷ୍ଠ ନେତା ରହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ସହ ଅର୍ଥଦଣ୍ଡରେ ଦଣ୍ଡିତ କରିବା ସହ ରାୟକୁ ନେଇ ଉପର କୋର୍ଟରେ ଅପିଲ କରିବାକୁ ୩୦ ଦିନ ସମୟ ଦେଇଛନ୍ତି । କଂଗ୍ରେସ ଉପର କୋର୍ଟରେ ଆବେଦନ କରିଥିବା କୁହାଯାଉଥିଲେ ମଧ୍ୟ ସେନେଇ ସ୍ପଷ୍ଟ ଚିତ୍ର ଆସି ନାହିଁ । ରାହୁଲଙ୍କ ଦଣ୍ଡାଦେଶ କାଏମ୍ ରହିଲେ ସେ ଆଠ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢି ପାରିବେ ନାହିଁ । ବିରୋଧୀଙ୍କ କହିବା କଥା ହେଉଛି, ୨୦୧୯ ସାଧାରଣ ନିର୍ବାଚନରେ ପ୍ରଚାର ସମୟରେ ଶାସକ ଓ ବିରୋଧୀ ଦଳର ବହୁ ନେତା ପରସ୍ପରକୁ ଅପମାନିତ କଲା ଭଳି ଟିପ୍ପଣୀମାନ ଦେଇଥିଲେ ମଧ୍ୟ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିଲା । କେବଳ ‘ମୋଦୀ ସାଂଗିଆ’କୁ ନେଇ ରାହୁଲଙ୍କ ବକ୍ତବ୍ୟକୁ ସୁରଟର ଜଣେ ବିଜେପି ବିଧାୟକ ଚ୍ୟାଲେଂଜ କରି ଥାନାରେ ଏତଲା ଦେବାରୁ ସୁରଟର ନିମ୍ନ ଅଦାଲତ ଦୁଇ ବର୍ଷ କାଳ ମାମଲାର ଶୁଣାଣୀ କରି ଏବଂ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ଆଇନ ଦିଗରୁ ସ୍ୱାଭାବିକ ମନେ ହେଉଥିଲେ ମଧ୍ୟ ଏହା ପଛରେ ଶାସକ ଦଳର ଅଦୃଶ୍ୟ ଅଭିସନ୍ଧି ରହିଛି ।
କଂଗ୍ରେସର କନ୍ୟାକୁମାରୀରୁ କଶ୍ମୀର ‘ଭାରତ ଯୋଡୋ’ ପଦଯାତ୍ରା ଅପୂର୍ବ ସଫଳତା ପାଇ ଥିବାରୁ ବିଜେପି ବ୍ୟତିବ୍ୟସ୍ତ ହୋଇ ରାହୁଲ ଯେପରି ଲମ୍ବା ସମୟ ପାଇଁ ରାଜନୈତିକ ମଇଦାନରୁ ଦୂରରେ ରହିବେ ସେଭଳି ବ୍ୟବସ୍ଥା କରିଥିବା ବିରୋଧୀ ସନ୍ଦେହ କରୁଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ଏକ ବିକଳ୍ପ ବିରୋଧୀ ମେଂଟ ଗଠନରେ କଂଗ୍ରେସକୁ ସାମିଲ କରିବାକୁ ଚାହୁଁନଥିବା ଅରବିନ୍ଦ କେଜରୀୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍), ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି), ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ୍), ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସପି) ଏବେ ରହୁଲଙ୍କ ବିରୋଧରେ ହୋଇଥିବା ଅଦାଲତି ରାୟ ଓ ଲୋକସଭା ସଚିବାଳୟର ତ୍ୱାରିତ କାର୍ଯ୍ୟାନୁଷ୍ଠାନକୁ ଖୋଲାଖୋଲି ସମାଲୋଚନା କରିଛନ୍ତି । ଏହି ସବୁ ଦଳର ସାଂସଦମାନେ ବିଭିନ୍ନ ପ୍ରତିବାଦମୂଳକ କାର୍ଯ୍ୟରେ କଂଗ୍ରେସ ସହ ଏକାଠି ରହିବା ଆଗାମୀ ଦିନରେ ଦେଶରେ ଏକ ବିଜେପି ବିରୋଧୀ ବୃହତ୍ ମେଂଟ ଗଠନ ସମ୍ଭାବନାକୁ ସୁଦୃଢ କରିଛି । ରାହୁଲଙ୍କ ପ୍ରତି ହୋଇଥିବା କାର୍ଯ୍ୟାନୁଷ୍ଠାନ ଦେଶରେ ‘ଗଣତନ୍ତ୍ରର ହତ୍ୟା’ ଓ ‘ବିରୋଧୀଙ୍କ କଂଠରୋଧ ଉଦ୍ୟମ’ ବୋଲି ସେମାନେ କହୁଛନ୍ତି । ଏପରିକି, କଂଗ୍ରେସ ଓ ରହୁଲ ଗାନ୍ଧୀଙ୍କ କଟୁ ସମାଲୋଚକ ଭାବେ ପରିଚିତ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ରାହୁଲଙ୍କ ବିରୋଧରେ ସଂସଦ ସଚିବାଳୟର କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରି ଦିବଙ୍ଗତ ବିଜେପି ନେତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ‘ଛେଟେ ମନସେ କୋଇ ବଡା ନେହିଁ ହେତା’ ଉକ୍ତିକୁ ଦୋହରାଇଛନ୍ତି ।
‘ଭାରତ ଯୋଡୋ’ ଯାତ୍ରା ସମୟରେ ବିହାରରେ କଂଗ୍ରେସ ଓ ରାହୁଲଙ୍କ ଠାରୁ ନିଜକୁ ଦୂରେଇ ରଖିଥିବା ଜନତା ଦଳ ସଂଯୁକ୍ତ (ଜେଡିୟୁ) ଏବେ କଂଗ୍ରେସ ସମର୍ଥନରେ ଆଗେଇ ଆସିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସନ୍ଦିଗ୍ଧ ନିରବତା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଜେଡିୟୁ ରାଷ୍ଟ୍ରୀୟ ସଭାପତି ରାଜୀବ ରଂଜନ ଓରଫ ଲଲ୍ଲନ ସିଂହ, ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଜୟ କୁମାର ଚୌଧୁରୀ, ଦଳର ରାଜ୍ୟ ମୁଖପାତ୍ର ନିରଜ କୁମାର ପ୍ରମୁଖ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ସମାଲୋଚନା କରି କଂଗ୍ରେସକୁ ସମର୍ଥନ ଦେଇଛନ୍ତି । କେନ୍ଦ୍ର ସରକାର ବିରୋଧୀ ରାଜନୈତିକ ଦଳ ନେତାଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥାଙ୍କ ଦୁରୁପଯୋଗ କରିବା ମାଧ୍ୟମରେ ଦେଶରେ ଏକପ୍ରକାର ‘ଅଘୋଷିତ ଜରୁରୀ ପରିସ୍ଥିତି’ ଜାରି କରିଛନ୍ତି ବୋଲି ଜେଡିୟୁ ନେତୃବର୍ଗ କହିଛନ୍ତି । ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ (ଆରଜେଡି) ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ମୂଳରୁ ବିରୋଧ କରୁଛନ୍ତି । ତେବେ, ୨୦୦୪ରୁ ୨୦୦୯ ମଧ୍ୟରେ ରେଳବାଇରେ ‘ନିଯୁକ୍ତି ପାଇଁ ଜମି’ ଲାଂଚ ନେବା ମାମଲାରେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ସିବିଆଇ ଓ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ଆଡୁ ଘଂଟି ହେବାପରେ ତେଜସ୍ୱୀଙ୍କ ସ୍ୱର ଅଧିକ କଡା ହୋଇଛି ।
ନିକଟରେ ସିବିଆଇ ଲାଲୁ ପୁତ୍ର ତେଜସ୍ୱୀଙ୍କୁ ନିଜ ଦିଲ୍ଲୀ କାର୍ଯ୍ୟାଳୟକୁ ଡକାଇ ଦୀର୍ଘ ସମୟ ଜେରା କରିଥିଲେ । ତାହା କେନ୍ଦ୍ର ସରକାର ବିରୋଧରେ ଆରଜେଡିକୁ ଅଧିକ ମୁଖର କରିଛି । ଏହା ବିରୋଧୀ ନେତାଙ୍କ ସ୍ୱରକୁ ଚପାଇ ଦେଶକୁ ‘ବିରୋଧୀ ମୁକ୍ତ’ କରିବା ଦିଗରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁଚିନ୍ତିତ ଯୋଜନା ବୋଲି ଆରଜେଡି କହିଛି । ଦେଶର ପ୍ରାୟ ସମସ୍ତ ବିରୋଧୀ ଦଳ (ଅଣ ବିଜେପି) ଏକାଭଳି ଅଭିଯୋଗ କରୁଥିବା ସମୟରେ ବିଜେପି କହୁଛି ମାନହାନୀ ମାଲାରେ ଦଣ୍ଡିତ ହେବା ପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହେବା ଆଇନସମ୍ମତ । ବିରୋଧୀ ଦଳଙ୍କ ପ୍ରଚାରକୁ ନିଷ୍କ୍ରିୟ କରିବାକୁ ବିଜେପି ଉଦ୍ୟମ କରିବା ସହ ୨୦୧୩ରେ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ସରକାର ଯେଉଁ ଅଧ୍ୟଦେଶ ଆଣି ଥିଲେ ତାହାକୁ ସାମ୍ବାଦିକ ସମ୍ମଳନୀରେ ‘ନନସେନ୍ସ’ କହି ଚିରି ଦେବା ଆଜି ରାହୁଲଙ୍କ ପାଇଁ ଫାସ ହୋଇଛି ବୋଲି ପାଲଯା ଅଭିଯୋଗ କରୁଛି । ଏହି ଅଧ୍ୟାଦେଶ ଆଇନରେ ପରିଣତ ହୋଇଥିଲେ ୨ ବର୍ଷ ବା ତା’ଠାରୁ ଅଧିକ ସମୟ ପାଇଁ କାରାଦଣ୍ଡରେ ଦଣ୍ଡିତ ମନ୍ତ୍ରୀ, ବିଧାୟକ, ସାଂସଦମାନେ ଅପିଲ ପାଇଁ ତିନି ମାସ ସମୟ ପାଇଥା’ନ୍ତେ । ଏହାଛଡା, ‘ମୋଦୀ ସାଂଗିଆ’କୁ ନେଇ ରାହୁଲ ଗାନ୍ଧୀ ୨୦୧୯ ନିର୍ବାଚନ ସମୟରେ ଦେଇଥିବା ଟିପ୍ପଣୀ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ବିରୋଧୀ ବୋଲି ମଧ୍ୟ ବିଜେପିର ପ୍ରଚାର ଅଭିଯାନ ଚାଲିଛି । କଂଗ୍ରେସ ଓ ବିରୋଧୀଙ୍କ ପ୍ରଚାରଧାରା ବା ନ୍ୟାରେଟିଭକୁ ନିଷ୍ପ୍ରଭ କରିବା ସକାଶେ ବିଜେପି ଅଭିଯାନ ଜୋରଦାର ଥିବା ବେଳେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଆଜି କଳା ପୋଷାକ ପରିଧାନ କରି ଦିଲ୍ଲୀରେ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାହୁଲଙ୍କ ବିରୋଧରେ ସଂସଦର କାର୍ଯ୍ୟାନୁଷ୍ଠାନ ‘ଗଣତନ୍ତ୍ର ପ୍ରତି ଆକ୍ରମଣ’ ବୋଲି ଦର୍ଶାଇଛନ୍ତି ।
ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଆଜି ସଂସଦ ଭିତରେ ଓ ବାହାରେ କଳା ପୋଷାକ ପରିଧାନ କରି ବିରୋଧୀ ନେତାଙ୍କ ସହ ବିକ୍ଷୋଭରେ ସାମିଲ ହୋଇଥିଲେ, ଯାହାକି ସାଧାରଣ ଜନତାଙ୍କ ସହାନୁଭୂତି ଗୋଟାଇବାକୁ କଂଗ୍ରେସ ଓ ବିରୋଧୀଙ୍କ ଚାଲ୍ ବୋଲି ବିଜେପି କହିଛି । ଏହାଛଡା, ‘ମୋଦୀ ସାଂଗିଆ’କୁ ନେଇ ୨୦୧୯ରେ ରାହୁଲଙ୍କ ମନ୍ତବ୍ୟ ‘ଓବିସି ବିରୋଧୀ’ ବୋଲି ଅଭିଯୋଗ କରି ବିଜେପି ସଂଖ୍ୟାଗରିଷ୍ଠ ଓବିସି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ରାଜନୀତି ଆରମ୍ଭ କରି ଦେଇଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଯଥେଷ୍ଟ ସମୟ ଅଛି । ସେତେବେଳର ପରିସ୍ଥିତି କଣ ଥିବ ଆଜିଠାରୁ ଆକଳନ କରିବା ସମ୍ଭବ ନୁହେଁ । ତେବେ, ଚଳିତ ବର୍ଷ ନଅଟ ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ତିନିଟି ରାଜ୍ୟରେ ସରିଛି । ଆଉ ଛଅଟି ରାଜ୍ୟରେ ନିର୍ବାଚନ ହେବ । ମେ’ ମାସ ସୁଦ୍ଧା କର୍ଣ୍ଣାଟକରେ ନିର୍ବାଚନ ହେବାକୁ ଥିବା ବେଳେ ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ, ତେଲେଂଗାନା ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ନିର୍ବାଚନ ବାକି ରହିଛି । ମିଜୋରାମରେ ମଧ୍ୟ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବ । ବାକି ଥିବା ବିଧାନସଭା ନିର୍ବାଚନଗୁଡିକ ଉଭୟ ବିଜେପି ଓ କଂଗ୍ରେସ ପାଇଁ ବେଶ୍ ଗୁରୁତ୍ୱ ରଖୁଛି । ୨୦୨୪ ପୂର୍ବରୁ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନଗୁଡିକରେ ବିରୋଧୀଙ୍କ ରଣନୀତି କଣ ହେବ ତାହା ଉପରେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ବହୁମାତ୍ରାରେ ନିର୍ଭର କରୁଥିବାରୁ ବିରୋଧୀ ରାଜନୈତିକ ଦଳମାନେ ଆଗକୁ କି ରଣନୀତି ଆପଣାଇବେ ତାହା ଉପରେ ଅନେକ କିଛି ନିର୍ଭର କରୁଛି । ଦେଶର ରାଜନୈତିକ ଭବିଷ୍ୟତ ମଧ୍ୟ ଏସବୁ ନିର୍ବାଚନ ଫଳାଫଳ ଉପରେ ନିର୍ଭର କରୁଥିବାରୁ ସମଗ୍ର ଦେଶର ନଜର ଏବେ ବିରୋଧୀଙ୍କ ଉପରେ ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS