ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ, ୩୦ ଦିନ ପାଇଁ ଜାମିନ ମଂଜୁର
ପ୍ରସାଦ ରାଓ
ମାର୍ଚ୍ଚ ୨୩
୨୦୧୯ର ଏକ ଆପରାଧୀକ ମାନହାନୀ ମାମଲାରେ ସୁରଟ ଜିଲ୍ଲା କୋର୍ଟ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ପରେ, କୋର୍ଟ ତାଙ୍କ ଜାମିନ ମଂଜୁର କରିଥିବା ଜଣାପଡିଛି । ରାହୁଲ ୨୦୧୯ରେ ମନ୍ତବ୍ୟ ଦେଇଥିଲେ, ‘ଯେତେସବୁ ଚୋର ସେମାନଙ୍କ ସାଂଗିଆ ମୋଦୀ ରହିଛି’ । ‘ମୋଦୀ ସାଂଗିଆ’କୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ଏଭଳି ଟିପ୍ପଣୀକୁ ମାନହାନୀସୂଚକ ଦର୍ଶାଇ ବିଜେପି ବିଧାୟକ ତଥା ପୂର୍ବତନ ଗୁଜରାଟ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଏକ ଆପରାଧୀକ ମାନହାନୀ ମାମଲା କରିଥିଲେ । କୋର୍ଟ ରାହୁଲ ଗାନ୍ଧୀଙ୍କୁ ଆଇପିସିର ୪୯୯ ଓ ୫୦୦ ଦଫାରେ ଦୋଷୀ ସାବ୍ୟସ୍ତ କରି କାରାଦଣ୍ଡ ଆଦେଶ ଦେଇଥିବା ବେଳେ ଆଇନ ଅନୁଯାୟୀ ୩୦ ଦିନ ଅପିଲ ସମୟ ଥିବାରୁ ତାଙ୍କୁ ଅପିଲ ସମୟ ପର୍ଯ୍ୟନ୍ତ ଜାମିନ ଦିଆଯିବାକୁ ରାହୁଲଙ୍କ ପକ୍ଷରୁ ଆବେଦନ ହୋଇଥିଲା । କୋର୍ଟ ତାହାକୁ ବିଚାରକୁ ନେଇ ଅପିଲ ସମୟ ୩୦ ଦିନ ପର୍ଯ୍ୟନ୍ତ ରାହୁଲଙ୍କ ଜାମିନ ମଂଜୁର କରିବା ସହ କାରାଦଣ୍ଡାଦେଶକୁ ସ୍ଥଗିତ ରଖିଥିବା ପୂର୍ଣ୍ଣେଶଙ୍କ ଓକିଲ କେତନ ରେଶମୱାଲା ସୂଚନା ଦେଇଛନ୍ତି । ଅପରପକ୍ଷରେ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ମାମଲା ଲଢୁଥିବା ଓକିଲ କହିଛନ୍ତି, ରାହୁଲଙ୍କ ଆବେଦନ ଉପରେ କୋର୍ଟ ଦୁଇ ବର୍ଷ କାରାଦଣ୍ଡ ଆଦେଶକୁ ୩୦ ଦିନକୁ କମାଇ ଉପର କୋର୍ଟରେ ଆବେଦନ କରିବା ଅଧିକାର ସାବ୍ୟସ୍ତ କରିବା ସକାଶେ ତାଙ୍କୁ ଜାମିନ ଦେଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୧୯ ଲୋକସଭା ନିର୍ବାଚନ ସମୟରେ ଏପ୍ରିଲ ୧୩ ତାରିଖ ଦିନ କର୍ଣ୍ଣାଟକର କୋଲାରଠାରେ ଏକ ନିର୍ବାଚନ ସଭାରେ ଭାଷଣ ଦେବା ଅବସରରେ ଏଭଳି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଟିପ୍ପଣୀ ଦେବା ସମୟରେ ରାହୁଲ ନିରବ ମୋଦୀ, ଲଳିତ ମୋଦୀ ପ୍ରମୁଖଙ୍କ ନାମ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS