ଆଇନ ଶୃଙ୍ଖଳା ଓ ୫-ଟି ମୁଖ୍ୟ ପ୍ରସଙ୍ଗ
ପ୍ରସାଦ ରାଓ
ଭୁବନେଶ୍ୱର, ମାର୍ଚ୍ଚ ୨୩
ଚଳିତ ବିଧାନସଭାର ବଜେଟ ଅଧିବେଶନରେ ବିରୋଧୀ ଦୁଇଟି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁଥିବା ଦେଖିବାକୁ ମିଳୁଛି । ଦୁଇଟି ଯାକ ପ୍ରସଙ୍ଗ ସ୍ପର୍ଶକାତର । ପ୍ରଥମଟି ରାଜ୍ୟର ଜନଜୀବନ ସହ ସିଧାସଳଖ ସଂପୃକ୍ତ ଥିବା ସମୟରେ ଦ୍ୱିତୀୟଟି ରାଜ୍ୟ ସରକାରଙ୍କ ବିଚାରଧାରା ସହ ସଂପୃକ୍ତ । ସରକାର ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ଯେତିି ଅଡୁଆରେ ନାହାନ୍ତି, ସେତିକି ଅଡୁଆରେ ଅଛନ୍ତି ୫-ଟି ନାମକ ଅଦୃଶ୍ୟ ଛାଟକୁ ନେଇ । ସରକାର କହୁଛନ୍ତି ରାଜ୍ୟରେ ୫-ଟି ଶାସନ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ନିକଟତମ ଭାବେ ଜଣାଶୁଣା ପ୍ରଶାସନିକ ଅଧିକାରୀ ଆଇଏଏସ ଭି.କାର୍ତ୍ତିକେୟନ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦ ସହ ୫-ଟି ସଚିବ ପଦ ମଧ୍ୟ ସମ୍ଭାଳୁଛନ୍ତି । ରାଜ୍ୟରେ ଯାହା କିଛି ବିକାଶମୂଳକ ଯୋଜନା ହେଉଛି ସେସବୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ମୁଣ୍ଡାଇଛନ୍ତି ୫-ଟି ସଚିବ, ଯାହାକି କେବଳ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ପାଇଁ ନୁହେଁ, ରାଜନେତାଙ୍କ ପାଇଁ ମଧ୍ୟ ଅଶ୍ୱସ୍ତିକର ମନେ ହେଉଛି । ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି, ସମୀକ୍ଷା ବୈଠକରେ ସିଏମଓ (ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ) ପ୍ରତିନିଧିମାନେ ଅଂଚଳର ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ଏବଂ ନୂଆ ପ୍ରକଳ୍ପ କଥା ମଧ୍ୟ ଘୋଷଣା କରୁଛନ୍ତି । ତାଙ୍କ ସହ ରହୁଥିବା ଶାସକ ଦଳର ବରିଷ୍ଠ ନେତା ଓ ରାଜ୍ୟର ପ୍ରଶାସନିକ ମୁଖ୍ୟମାନେ ନାମକୁ ମାତ୍ର ଏସବୁ କାର୍ଯ୍ୟରେ ଭାଗ ନେବାର ସୁଯୋଗ ପାଉଛନ୍ତି ।
ଜଣେ ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ଭାବେ ବିଶ୍ୱାସକୁ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟ ଶାସନରେ ବ୍ୟବହାର କରୁଥିବା ବିରୋଧୀଙ୍କୁ ସମାଲୋଚନା କରିବାକୁ ସୁଯୋଗ ଦେଇଛି । ୫-ଟି କଣ ? ଏହା ଏକ ମନ୍ତ୍ରଣାଳୟ କି ? ଏହାର କାର୍ଯ୍ୟ କଣ, ମନ୍ତ୍ରୀ କିଏ ? – ପ୍ରଭୃତି ପ୍ରଶ୍ନର ଉତ୍ତର ସରକାରଙ୍କ ନିକଟରେ ନାହିଁ । ରାଜ୍ୟର ପ୍ରଶାସନିକ ମୁଖ୍ୟ ହୋଉଛନ୍ତି ମୁଖ୍ୟ ଶାସନ ସଚିବ । ବିଭିନ୍ନ ମନ୍ତ୍ରଣାଳୟର ଶାସନ ସଚିବମାନେ ଅଛନ୍ତି । ରାଜ୍ୟକୁ ଠିକ୍ ବାଟରେ ଚଳାଇବା ସେମାନଙ୍କ ଦାୟିତ୍ୱ ହେଉଛି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ୫-ଟି ସଚିବ ନାମରେ ଜଣେ ଆଇଏଏସ ଅଧିକାରୀଙ୍କୁ ସମସ୍ତଙ୍କ ଉପରେ ଲଦି ଦେବା ଏବଂ ତାଙ୍କ ମାଧ୍ୟମରେ ସବୁ ନିଷ୍ପତ୍ତି କାର୍ଯ୍ୟକାରୀ କରାଉଥିବା ଅନ୍ୟ ପ୍ରଶାସନିକ ଅଧିକାରଙ୍କ କ୍ଷମତାକୁ ଗୌଣ କରିଦେଉନାହିଁ କି (?) ବିଧାନସଭା ଭିତରେ ଓ ବାହାରେ ବିରୋଧୀ ଦଳଙ୍କ ପ୍ରଶ୍ନ ମୁଖ୍ୟମନ୍ତ୍ରୀ ଓ ତାଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ (ବିଜେଡ଼ି) ସରକାରଙ୍କୁ ଅଡୁଆରେ ପକାଉଛି ସତ, କିନ୍ତୁ ସରକାରୀ ଦଳ ମୁଖପାତ୍ରମାନେ ଗୋଲମୋଲ ଉତ୍ତର ଦେଇ ବିରୋଧୀଙ୍କ ମୁହଁ ବନ୍ଦ ଉଦ୍ୟମ କରୁଥିବା ‘ଗାଲୁଆଙ୍କ ବାରବାଟି ଚାଷ’ କୁହାଯାଇପାରେ । ଶାସକ ଦଳ କହୁଛି ଏହା ଏକ ‘ବିଚାରଧାରା’ ।
୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଉଭୟ ଶାସକ ଓ ବିରୋଧୀ ରକ୍ତମୁଖା । ନିର୍ବାଚିତ ବିଧାୟକ ଓ ସାଂସଦମାନେ ନିଜ ନିଜ ନିର୍ବାଚନମଣ୍ଡଳୀକୁ ଯାଇ ଜନସଂପର୍କକୁ ପୁନଃସ୍ଥାପନ କରିବାକୁ ବ୍ୟଗ୍ର ଥିବା ବେଳେ ୫-ଟି ନାମରେ ବିଭିନ୍ନ ଜିଲ୍ଲାରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା ହେଉଛି । ୫-ଟି ସଚିବ ବିଭିନ୍ନ ନିର୍ବାଚନମଣ୍ଡଳୀରେ ସମୀକ୍ଷା ବୈଠକ କରି ସେଠାକାର ସରକାରୀ ଅଧିକାରୀ ଏବଂ ଦଳୀୟ ନେତା ଓ କମୀଙ୍କୁ ଭେଟି ଜ୍ଞାନ ଦେଉଛନ୍ତି । ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ଏହା ଅଶ୍ୱସ୍ତିକର ହୋଇଥିଲେ ସୁଦ୍ଧା ୫-ଟି ବ୍ୟବସ୍ଥା ବିରୋଧରେ ମୁହଁ ଖୋଲିବାକୁ କାହାର ସାହାସ ନାହିଁ । ବିଜେଡ଼ି ରାଜ୍ୟ ନେତାଙ୍କ ଅବସ୍ଥା ମଧ୍ୟ ଏକାଭଳି । ନିକଟରେ ୫-ଟି ସଚିବ ନବରଂଗପୁର ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ରାଜ୍ୟ ବିଜେଡ଼ିର ପ୍ରଭାବଶାଳୀ ନେତା ତଥା ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ୫-ଟି ସଚିବଙ୍କ ନିକଟରେ ନ ବସି ସମ୍ମିଳନୀ କକ୍ଷ ପ୍ରବେଶ ଦ୍ୱାରରେ ଠିଆ ହୋଇ ଅନ୍ୟମାନଙ୍କୁ ସ୍ୱାଗତ କରୁଥିବା କଥାକୁ ଗଣମାଧ୍ୟମ ଠିକ୍ ଭାବେ ଗ୍ରହଣ କରିପାରି ନଥିଲେ ।
‘ଆପଣ ଦ୍ୱାରପାଳ ଭୂମିକାରେ ଅଛନ୍ତି କି ?’ ବୋଲି କେହି ଜଣେ ଉତ୍ସୁକ ପ୍ରତିନିଧି ପ୍ରଶ୍ନ କରିବାରୁ ବବି ବାବୁଙ୍କ ତ୍ୱରାନ୍ୱିତ ଉତ୍ତର ଥିଲା – ଜନସାଧାରଣଙ୍କ ବିକାଶ ପ୍ରସଙ୍ଗରେ ‘କ୍ରୀତଦାସ’ ହେବାକୁ ସେ ପ୍ରସ୍ତୁତ । ଏକଦା ରାଜ୍ୟର ପୂର୍ବତନ ବରିଷ୍ଠ ମନ୍ତ୍ରୀ ତଥା ବିଧାନସଭାର ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏଭଳି ଏକ ମନ୍ତବ୍ୟ ଦେଇ ଆଜି ସୁଦ୍ଧା ସମାଲୋଚିତ ହୋଇଆସୁଛନ୍ତି । ପାତ୍ରଙ୍କ ମନ୍ତବ୍ୟ ଥିଲା – ‘ଆମେ ସବୁ ନବୀନଙ୍କ ଚାକର’ । ନିଜକୁ ନବୀନଙ୍କ ‘ଚାକର’ କହି ନିଜ ସମର୍ଥକଙ୍କୁ ଆମୋଦିତ କରିଥିବା ପୂର୍ବତନ ବାଚସ୍ପତି ପାତ୍ର ଆଜି ‘ଶଂଖ ଆମର ଗର୍ବ’ ଭିଡ଼ିଓ ପୋଷ୍ଟରେ ସୀମିତ ହୋଇ ଗଲେଣି । ବିଜେଡ଼ି ସଂଗଠନ ସଂପାଦକ ବବି ଦାସ ନିଜକୁ ୫-ଟି ବ୍ୟବସ୍ଥାର ‘କ୍ରୀତଦାସ’ କହି ମନକୁ ଶାନ୍ତ୍ୱନା ଦେବାରେ କିଛି ଅସୁବିଧା ନାହିଁ । କାରଣ, ଆଗାମୀ ଦିନରେ ବିଜେଡ଼ିର ନେତୃତ୍ୱ କିଏ ନେବେ ତାହା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଣ୍ଣୟ କରିବେ । ନେତୃତ୍ୱ ରାଜନେତାଙ୍କ ହାତକୁ ଗଲେ ମଧ୍ୟ ପ୍ରଶାସକ ହିଁ ନିଜ ଇଚ୍ଛାନୁସାରେ ରାଜ୍ୟରେ ଶାସନ କରିବେ । ୨୩ ବର୍ଷର ଏହି ପରଂପରା ଏତେଶୀଘ୍ର ବଦଳିବାର ନାହିଁ । ବିରୋଧୀ ବିଜେପି ବା କଂଗ୍ରେସ ୨୦୨୪ ନିର୍ବାଚନରେ ବିଜେଡ଼ିକୁ କ୍ଷମତାଚ୍ୟୁତ କରିବା ସ୍ଥିତିରେ ନଥିବାରୁ ୫-ଟି ବିଚାରଧାରର ବୈରୀ ହେବାର ଆବଶ୍ୟକତା ବା କଣ ?
ଶାନ୍ତିପ୍ରୀୟ ଓଡ଼ିଶା…
ଏବେ ଆସିବା ଦ୍ୱତୀୟ ପ୍ରସଙ୍ଗକୁ । ‘ରାଜ୍ୟର ଆଇନ ଶୃଙ୍ଖଳା ନାହିଁ, ଜଂଗଲ ରାଜ୍ ଚାଲିଛି’ ବୋଲି ବିରୋଧୀଙ୍କ ଅଭିଯୋଗର ମୁହଁତୋଡ ଜବାବ ଦେଇଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀଙ୍କ ଆଡୁ ବାରମ୍ବାର ଏଭଳି ଅଭିଯୋଗ ହେବା ଓଡ଼ିଶାବାସୀଙ୍କ ପାଇଁ ଅପମାନସୂଚକ କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବେକାବୁ ଥିଲେ ବାହାରୁ ଆସୁଥିବା ଉଦ୍ୟୋଗପତିମାନେ ରାଜ୍ୟରେ ଏତେ ପରିମାଣର ପୁଂଜି ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥା’ନ୍ତେ କି (?) ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ବିରୋଧୀଙ୍କୁ ବିଦ୍ୟୁତ ଝଟକା ମାରିଲା ଭଳି ହୋଇଛି । ବିଧାନସଭାରେ ଚର୍ଚ୍ଚାର ମୋଡ ବଦଳି ଯାଇଛି । ମୁଖ୍ୟମନ୍ତ୍ରୀ ମଂଗଳବାର ଦିନ ବିଧାନସଭାରେ ଅନ୍ୟ କାହାଦ୍ୱାରା ଲିଖିତ ବିବୃତି ପାଠ କରିବା ଗୃହର ବିଧିବିଧାନ ବିରୋଧୀ ବୋଲି କଂଗ୍ରେସ ଓ ବିଜେପି ଅଭିଯୋଗ କରିଥିବା ବେଳେ ବିଜେଡ଼ି ମନ୍ତ୍ରୀ, ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ରକ୍ଷାକବଜ ଭାବେ ପ୍ରତିରୋଧ କରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଂଗ ପ୍ରସ୍ତାବ ଆଣି ବାଚସ୍ପତିଙ୍କୁ ଅଡୁଆରେ ପକାଇ ଥିଲେ ମଧ୍ୟ ଗତକାଲି ବାଚସ୍ପତି ତାହା ଉପରେ ଆଲୋଚନା ହେବାକୁ ଦେଇନଥିଲେ । ପ୍ରସ୍ତାବ ଉପରେ ବିଚାର କରିବେ କହି ଆଲୋଚନାକୁ ଟାଳିଥିଲେ । ତେବେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀଙ୍କ ଅଭିଯୋଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରର ପୃଷ୍ଠଭୂମୀ ହେଉଛି, ଗତ ଜାନୁୟାରୀ ୨୯ ମଧ୍ୟାହ୍ନରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଘଟିଥିବା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ।
ଜଣେ କାର୍ଯ୍ୟରତ ପୁଲିସ ଅଫିସର ଶାସକ ଦଳର ଜଣେ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କୁ ତାଙ୍କରି ନିର୍ବାଚନମଣ୍ଡଳୀରେ ସ୍ପଷ୍ଟ ଦିବାଲୋକରେ ହତ୍ୟା କରିବା ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇବାକୁ ବିରୋଧୀଙ୍କୁ ସୁଯୋଗ ଦେଇଛି । ଘଟଣା ଘଟିବାର ପାଖାପାଖି ଦୁଇ ମାସ ସମୟ ବିତିଲାଣି ଏହି ହତ୍ୟାର ରହସ୍ୟ ଉନ୍ମୋଚିତ ହୋଇ ନାହିଁ । ରାଜ୍ୟ କ୍ରାଇମ ବ୍ରାଂଚ ଘଟଣାର ତଦନ୍ତ କରୁଛି । ଓଡ଼ିଶା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ତଦନ୍ତର ତଦାରଖ କରୁଛନ୍ତି । ଅଭିଯୁକ୍ତକୁ ରାଜ୍ୟ ବାହାରକୁ ନେଇ ବିଭିନ୍ନ ବିଜ୍ଞାନସମ୍ମତ ପରୀକ୍ଷା କରାଯାଇଛି । ରାଜ୍ୟ ସରକାର ଘଟଣାର ତଦନ୍ତରେ ବିଦେଶୀ ତଦନ୍ତକାରୀ ସଂସ୍ଥାଙ୍କ ସହାୟତା ନେବା କଥା ମଧ୍ୟ ଘୋଷଣା କରିଛନ୍ତି । ବିଜେପି ଏହାର ସିବିଆଇ ତଦନ୍ତ ଚାହୁଁଥିବା ବେଳେ କଂଗ୍ରେସ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ଚାହୁଁଛି । ହତ୍ୟା ଅଭିଯୁକ୍ତ ପୁଲିସ ଏଏସଆଇ (ଚାକିରୀରୁ ବରଖାସ୍ତ ହୋଇସାରିଛି) ଗୋପାଳ ଦାସ ଆଜି ସୁଦ୍ଧା ଏକ ରହସ୍ୟମୟ ଚରିତ୍ର ହୋଇ ରହିଛନ୍ତି । ସେ ମନ୍ତ୍ରୀଙ୍କୁ ଅତି ନିକଟରୁ ସର୍ଭିସ ରିଭଲଭରରୁ ଗୁଳି କରି ହତ୍ୟା କରିଥିବା ଆରମ୍ଭରୁ ସ୍ୱୀକାର କରୁଥିଲେ ମଧ୍ୟ ଏହାପଛରେ ଆଉ କାହାର ସଂପୃକ୍ତ ଅଛି କି ନାହିଁ (?), ତାହା ଜାଣିବାରେ ଓ ଜଣାଇବାରେ ଓଡ଼ିଶା କ୍ରାଇମ ବ୍ରାଂଚ ଆଜି ସୁଦ୍ଧା ସକ୍ଷମ ହୋଇ ନାହିଁ ।
ତେଣୁ, କ୍ରାଇମ ବ୍ରାଂଚ ତଦନ୍ତକୁ ନେଇ ବିରୋଧୀ ଆଙ୍ଗୁଠି ଉଠାଇବାର ଯଥାର୍ଥତା ରହିଛି । ବିରୋଧୀ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଥିବା ବେଳେ ଶାସକ ବିଜେଡ଼ି କେନ୍ଦ୍ରୀୟ ଅବହେଳାକୁ ଆଳ କରି ବିରୋଧୀଙ୍କୁ ମୁକାବିଲା କରିବା ଦ୍ୱାରା ବିଧାନସଭା ଭିତରେ ଓ ବାହାରେ ଯେଭଳି ଅସ୍ୱାଭାବିକ ପରିସ୍ଥିତି ଲାଗି ରହିଛି ତାହାକୁ ମୁଖ୍ୟମନ୍ତ୍ରୀଙ୍କ ବିବୃତି ସାମୟିକ ଭାବେ ଦୂର କରିଥିଲେ ମଧ୍ୟ କ୍ରାଇମ ବ୍ରାଂଚ ତଦନ୍ତ ନିର୍ଣ୍ଣାୟକ ସ୍ଥିତିରେ ନ ପହଂଚିବା ଯାଏଁ ବିରୋଧୀ ସରକାରଙ୍କୁ ଛାଡିବା ସମ୍ଭାବନା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ପରେ ବିରୋଧୀ ପଶ୍ଚିମ ଓଡ଼ିଶାର ଜଣେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତାଙ୍କ କୁଶପୁତ୍ତଳିକା ଦାହ କରି ତାହା ଦର୍ଶାଇଛନ୍ତି । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ନିରପେକ୍ଷ ଭାବେ ସବୁ ଦିଗରୁ ତଦନ୍ତ ଚାଲିଛି, ଯିଏ ଦୋଷୀ ହୋଇଥାଉନା କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମଂଗଳବାର ଦେଇଥିବା ବିବୃତିରେ କହିଛନ୍ତି । ତେବେ, ବିରୋଧୀ ୨୦୨୪ ନିର୍ବାଚନ ସରିବା ଯାଏଁ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘାଂଟିବେ, ଏଥିରେ କିଛି ସନ୍ଦେହ ନାହିଁ ।
ମନମୋହନ ହେଲେ ଓଡ଼ିଶା ବିଜେପି ସଭାପତି
ବିଭିନ୍ନ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ବିଜେଡ଼ି-ବିଜେପି ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ଆଜି ବିଜେପିର ରାଜ୍ୟ ଶାଖା ସଭାପତିଙ୍କୁ ବଦଳାଇ ଦିଆଯାଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଓଡ଼ିଶାରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ମନମୋହନ ସାମଲଙ୍କୁ ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି । ବିଜେପି ରାଜ୍ୟ ସଭାପତି ଥିବା ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ପୁରି ଯାଇଥିଲେ ସୁଦ୍ଧା ସଭାପତି ପରିବର୍ତ୍ତନ ହୋଇନଥିଲା । ସଭାପତି ନିଯୁକ୍ତ ହେବା ପରେ ସାମଲ କହିଛନ୍ତି, ରାଜ୍ୟରେ କୁଶାସନ ଓ ଦୁର୍ନୀତି ବିରୋଧରେ ବିଜେପିର ଅଭଯାନ ଚାଲୁ ରହିବ । ୨୦୨୪ରେ ବିଜେଡ଼ି ସରକାରକୁ କ୍ଷମତାଚ୍ୟୁତ କରିବାକୁ ଦଳ କାର୍ଯ୍ୟ କରିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS