ଓଡ଼ିଶାରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ପ୍ରସାଦ ରାଓ
ଭୁବନେଶ୍ୱର, ମାର୍ଚ୍ଚ ୨୧
ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନି ଦିନିଆ ଓଡ଼ିଶା ଗସ୍ତରେ ଆଜି ଏଠାରେ ପହଂଚିଛନ୍ତି । ଆଜି ରାତିରେ ସେ ପୁରୀ ନିର୍ମାଣ ସଦନରେ ଅବସ୍ଥାନ କରିବେ ଓ ଅସନ୍ତା କାଲି ଶ୍ରୀମନ୍ଦିର ଯାଇ ତିନି ଠାକୁରଙ୍କ ଦର୍ଶନ କରିବେ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସମ୍ଭାବନା ରହିଛି । ୨୩ ତାରିଖ ସେ ନବୀନଙ୍କୁ ଭେଟିବେ ବୋଲି ଆଲୋଚନା ହେଉଛି । ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭେଟଘାଟ ହେଲେ ଦ୍ୱିପାକ୍ଷୀକ ବିଷୟ ସମେତ ୨୦୨୪ ସାଧାରଣ ନିର୍ବାଚନ ଉପରେ ଆଲୋଚନା ହେବା ସମ୍ଭାବନା ନିଶ୍ଚିତ । ନିକଟରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କଲିକତା ଗସ୍ତରେ ଯାଇ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଥିଲେ । ଦୁଇ ନେତା ସେମାନଙ୍କ ଦଳ ଟିଏମସି ଓ ସମାଜବାଦୀ ପାର୍ଟି କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ରକ୍ଷା କରି ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାଜିତ କରିବା ସକାଶେ ଏକ ବିରୋଧୀ ମେଂଟ ଗଠନକୁ ନେଇ ଆଲୋଚନା କରିଥିଲେ । ଏହାପରେ ମମତାଙ୍କ ଓଡ଼ିଶା ଗସ୍ତ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସମ୍ଭାବନା ରାଜନୈତିକ ମହଲରେ ମୃଦୁ ଗୁଂଜରଣ ସୃଷ୍ଟି କରିଛି । ୨୦୦୯ ନିର୍ବାଚନରୁ ଓଡ଼ିଶାରେ ଶାସକ ବିଜେଡ଼ି କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରାଜନୀତି କରିଆସୁଛି । ତେବେ, ବିଭିନ୍ନ ଜାତୀୟ ପ୍ରସଙ୍ଗରେ ଓଡ଼ିଶା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡ଼ି କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କୁ ସମର୍ଥନ ଦେଇ ଆସୁଥିବାରୁ ନବୀନ ଏନଡିଏର ଅଧିକ ନିକଟତର ଥିବା ସର୍ବଦା ଆଲୋଚନା ହେଉଛି । ୨୦୧୪ରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପ୍ରତିଷ୍ଠା ପରେ କେନ୍ଦ୍ର ସରକାରଙ୍କ ସହ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ସଂପର୍କ ଘନିଷ୍ଟ ରହିଛି । ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ପ୍ରଦର୍ଶନରେ ଉନ୍ନତି ଘଟି ଦଳ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ଥିବାରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଦୁଇ ଦଳ ମଧ୍ୟରେ ସଂପର୍କ ତୀକ୍ତ ରହିଛି । ବିଜେପିର କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱ ୨୦୨୪ ନୀର୍ବାଚନରେ ‘ଓଡ଼ିଶା ଦଖଲ’ର ବ୍ଲୁ ପ୍ରିଂଟ୍ ଉପରେ କାର୍ଯ୍ୟ କରୁଥିବାରୁ ବିଜେଡ଼ି ଉତ୍କ୍ଷିପ୍ତ ଥିଲେ ମଧ୍ୟ ଏନଡିଏଠାରୁ ଦୂରେଇ ବିଜେପି ବିରୋଧୀ ମେଂଟରେ ସାମିଲ ହେବା ସମ୍ଭାବନା କ୍ଷୀଣ । ଅପରପକ୍ଷରେ, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (ଟିଏସି), ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ (ସମାଜବାଦୀ ପାର୍ଟି), ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (ବିଆରଏସ୍) ୨୦୨୪ରେ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ବିଜେପିକୁ ପରାଜିତ କରିବା ଭଳି ଏକ ଅଣ-କଂଗ୍ରେସ ଓ ଅଣ-ବିଜେପି ମେଂଟ ଗଠନ ପ୍ରୟାସରେ ଅଛନ୍ତି । ଏହି ପରିସ୍ଥିତିରେ ବେଂଗଲ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଓଡ଼ିଶା ଗସ୍ତ ବେଶ୍ ଗୁରୁତ୍ୱ ରଖୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କ ଭେଟି କେବଳ ଔପଚାରିକ ହେବ କି ସେ ଦେଶରେ ବିଜେପି ଓ କଂଗ୍ରେସ ବିରୋଧରେ ଏକ ବିକଳ୍ପ ବିରୋଧୀ ମେଂଟ ଗଠନରେ ବିଜେଡ଼ିକୁ ସାମିଲ କରିବାକୁ ନବୀନଙ୍କୁ ମନାଇ ପାରିବେ, ତାହା ଉପରେ କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶର ନଜର ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS