୨୦୨୩ରେ କର୍ଣ୍ଣାଟକରେ କଂଗ୍ରେସ ସରକାର ?


ପ୍ରସାଦ ରାଓ
ମାର୍ଚ୍ଚ ୩୦
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଗତକାଲି ମୁଖ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରୁ କରୁ ଆସନ୍ତା ନିର୍ବାଚନରେ କେଉଁ ଦଳର ବିଜୟ ସମ୍ଭାବନା ଅଧିକ ରହିଛି, ସେନେଇ ସର୍ଭେ ରିପୋର୍ଟ ଆସିଲାଣି । ସିଭୋଟର ଦ୍ୱାରା ପ୍ରକାଶିତ ସର୍ଭେ ରିପୋର୍ଟରେ ବର୍ତ୍ତମାନ କର୍ଣ୍ଣାଟକରେ ଶାସନ କରୁଥିବା ବିଜେପି ସରକାର ପ୍ରତି ବହୁମାତ୍ରାରେ ଜନଅସନ୍ତୋଷ ଥିବାରୁ ୨୦୨୩ରେ କଂଗ୍ରେସ ବିଜେପିକୁ ପରାଜିତ କରି କର୍ଣ୍ଣାଟକରେ ସରକାର ଗଢିବା ସମ୍ଭାବନା ଅଧିକ ରହିଛି । ରାଜ୍ୟର ୫୭ ପ୍ରତିଶତ ମତଦାତା ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସରକାରଙ୍କ କାର୍ଯ୍ୟକଳାପକୁ ନେଇ କ୍ଷୁବ୍ଧ । ୪୭ ପ୍ରତିଶତ ମତଦାତା ମୁଖ୍ୟମନ୍ତ୍ରୀ ବୋମାଇଙ୍କ ଶାସନକୁ ‘ନିମ୍ନମାନ’ର କହିଥିବା ବେଳେ ମାତ୍ର ୨୬.୮ ପ୍ରତିଶତ କହିଛନ୍ତି ରାଜ୍ୟରେ ‘ଭଲ’ ଶାସନ ଚାଲିଛି ।
ମୋଟ ୨୨୪ ବିଧାନସଭା ଆସନ ପାଇଁ କର୍ଣ୍ଣାଟକରେ ମେ’ ୧୦ ତାରିଖ ଦିନ ଭୋଟ ହେବାକୁ ଯାଉଛି । କଂଗ୍ରେସ ଓ ବିଜେପି ରାଜ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଦଳ ଥିବା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବଗୌଡାଙ୍କ ଜନତା ଦଳ (ଏସ୍) ସର୍ବଦା ନିର୍ଣ୍ଣାୟକ ଭୂମିକାରେ ରହି ଆସିଛି । ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ପାଇବାରେ ବିଫଳ ହୋଇଥିଲା । ଫଳରେ, ରାଜ୍ୟରେ କଂଗ୍ରେସ ଜନତା ଦଳ (ଏସ୍) ସହ ନିର୍ବାଚନ ପରବର୍ତ୍ତୀ ମେଂଟ କରି ଜେଡିଏସ୍ ନେତୃତ୍ୱରେ ସରକାର ଗଠନ କରିଥିଲା । ଜେଡିଏସ୍ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡାଙ୍କ ପୁତ୍ର ଏଚ.ଡି.କୁମାରସ୍ୱାମୀ ମେଂଟ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ ହୋଇଥିଲେ । ତେବେ, ସରକାର ଅଧିକ ଦିନ ତିଷ୍ଠି ନଥିଲା । ଅଚାନକ କଂଗ୍ରେସ ଓ ଜେଡ଼ିଏସ୍ ବିଧାୟକ ଦଳରେ ବିଦ୍ରୋହର ସୂତ୍ରପାତ ହୋଇ ଉଭୟ ଦଳରୁ କିଛି କିଛି ବିଧାୟକ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେବାରୁ ୨୦୧୯ ଜୁଲାଇରେ କଂଗ୍ରେସ-ଜେଡିଏସ୍ ମେଂଟ ସରକାରର ପତନ ଘଟିଥିଲା ।
କଂଗ୍ରେସ ଓ ଜେଡିଏସ୍ ବିଧାୟକ ଦଳରେ ବିଦ୍ରୋହ ଓ ମେଂଟ ସରକାରର ପତନ ପଛରେ ବିଜେପିର ଷଡଯନ୍ତ୍ର ଥିବା ଏବଂ ରାଜ୍ୟର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରାପ୍ପା ସରକାରରେ ଅସ୍ଥିରତା ସୃଷ୍ଟି କରି କୁମାରସ୍ୱାମୀଙ୍କ ସରକାରର ପତନ ଘଟାଇବାରେ ମୁଖ୍ୟ ଭୂମିକା ନେଇଥିଲେ ବୋଲି ବିରୋଧୀ ଅଭିଯୋଗ କରିଆସୁଛନ୍ତି । ଏହାପରେ, ରାଜ୍ୟରେ ବି.ଏସ.ୟେଦୁରାପ୍ପାଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ବିଜେପି ସରକାର ଗଠନ କରିଥିଲା । ୟେଦୁରାପ୍ପା ୨୦୨୧ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରହିଥିଲେ । କେନ୍ଦ୍ରୀୟ ନେତୃତ୍ୱର ଚାପରେ ଜୁଲାଇ ୨୬ ତାରିଖ ଦିନ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଜୁଲାଇ ୨୮ ତାରିଖ ଦିନ ବିଜେପିର ଜଣେ ଲୋ-ପ୍ରୋଫାଇଲ ନେତା ବାସବରାଜ ବୋମାଇ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ । ବୋମାଇଙ୍କ ସରକାର ଇତିମଧ୍ୟରେ ଗୁରୁତର ଦୁର୍ନୀତି ଅଭିଯୋଗର ସାମ୍ନା କରୁଛନ୍ତି । ରାଜ୍ୟରେ ବେକାରୀ ଓ ଧାର୍ମିକ ଭେଦଭାବ ସମସ୍ୟା ସହ ପ୍ରତିଟି ସରକାରୀ କାର୍ଯ୍ୟରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଲାଂଚ କାରବାର ହେଉଥିବା ଅଭିଯୋଗ ବୋମାଇଙ୍କ ପାଇଁ ବଡ ସମସ୍ୟା ହୋଇଛି ।
କଂଗ୍ରେସ ବୋମାଇ ସରକାରଙ୍କ ଦୁର୍ନୀତିଗ୍ରସ୍ତ ଚେହେରାକୁ ନିର୍ବାଚନ ଆୟୁଧ କରି ୨୦୨୩ରେ ନିର୍ବାଚନ ମଇଦାନରେ ଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀ ବୋମାଇଙ୍କ ନେତୃତ୍ୱରେ ନିର୍ବାଚନ ପରିଚାଳନା ନକରି ଦଳର ରାଷ୍ଟ୍ରୀୟ ନେତାଙ୍କୁ ଆଗରେ ରଖି ନିର୍ବାଚନ ପରିଚାଳନା କରୁଥିବା ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଘନ ଘନ କର୍ଣ୍ଣାଟକ ଗସ୍ତ କରି ନିର୍ବାଚନ ସଭାମାନ କରିବା ସହ ରାଜ୍ୟରେ ଏକ୍ସପ୍ରେସ୍ ହାଇୱେ ଭଳି ବଡ ବଡ ପ୍ରକଳ୍ପମାନ ଉଦ୍ଘାଟନ କରିଛନ୍ତି । ସେହିଭଳି, ରାଜ୍ୟର ପ୍ରଭାବଶାଳୀ ଭୋକାଲିଂଗା ଓ ଲିଂଗାୟତ ସଂପ୍ରଦାୟକୁ ସନ୍ତୁଷ୍ଟ କରିବା ପାଇଁ ସଂଖ୍ୟାଲଘୁ ସଂପ୍ରଦାୟର କୋଟା କାଟି ସେମାନଙ୍କ ସଂରକ୍ଷଣ କୋଟା ବୃଦ୍ଧି କରାଯାଇଛି । ସଂଖ୍ୟାଲଘୁ ଜାତି କୋଟାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ନଅ ବର୍ଷର ଶାସନ ଏବଂ ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର ଥିବାରୁ ବିକାଶ ଘଟିଛି ବୋଲି ବିଜେପି ପ୍ରଚାର କରିବା ସହ ବିରୋଧୀଙ୍କୁ ଦୁର୍ନୀତିଗ୍ରସ୍ତ କହି ମାତ୍ ଦେବାକୁ ପ୍ରୟାସ କରୁଛି ।
୨୦୨୩ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ‘କ୍ଲୋଜ୍ କଂଟେଷ୍ଟ’ ହେବ ବୋଲି ସିଭୋଟର ସର୍ଭେରୁ ସୂଚନା ମିଳୁଛି । ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟର ୩୯.୧ ପ୍ରତିଶତ ମତଦାତା କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କୁ ୨୦୨୩ରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ପସନ୍ଦ କରୁଥିବା ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ସପକ୍ଷରେ ୩୧.୧ ପ୍ରତିଶତ ମତଦାତା ମତ ଦେଇଛନ୍ତି । ଜେଡିଏସ୍ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ୱାମୀଙ୍କ ପ୍ରତି ୨୧.୪ ପ୍ରତିଶତ ଓ ଅନ୍ୟତମ କଂଗ୍ରେସ ନେତା ଡି.କେ.ଶିବକୁମାରଙ୍କ ପ୍ରତି ମାତ୍ର ୩.୨ ପ୍ରତିଶତ ମତଦାତାଙ୍କ ସମର୍ଥନ ରହିଛି । ସଂଗୃହିତ ଜନମତକୁ ଆଧାର କରି ସିଭୋଟର ସର୍ଭେ ଅନୁଯାୟୀ କଂଗ୍ରେସ ୨୦୨୩ ବିଧାନସଭା ନିର୍ବାଚନରେ ରାଜ୍ୟର ୨୨୪ ଆସନରୁ ୧୧୫ରୁ ୧୨୭ ଆସନରେ ବିଜୟୀ ହେବା ସମ୍ଭାବନା ଥିବା ବେଳେ ବିଜେପି ୬୮ରୁ ୮୦ ଏବଂ ଜେଡିଏସ୍ ୨୩ରୁ ୩୫ ପର୍ଯ୍ୟନ୍ତ ପାଇବ । କଂଗ୍ରେସ ଦଳ ରାଜ୍ୟରେ ପୂର୍ବରୁ ମଧ୍ୟ ବହୁବାର ସରକାର କରିଛି ଏବଂ ନିର୍ବାଚନରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହି ଆସିଛି ।
କଂଗ୍ରେସ ୨୦୦୮ବିଧାନସଭା ନିର୍ବାଚନରେ ୮୦ ବିଧାନସଭା ଆସନ ପାଇ ପରାଜୟର ସାମ୍ନା କରିଥିଲେ ମଧ୍ୟ ୨୦୧୩ରେ ୧୨୨ ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠ ଦଳ ଭାବେ ସରକାର ଗଠନ କରିଥିଲା । ୨୦୧୮ ନିର୍ବାଚନରେ ଦଳର ବିଧାୟକ ସଂଖ୍ୟା ପୁନର୍ବାର ୮୦କୁ ଖସି ଯାଇଥିଲା । ବିଜେପି ୧୦୦ରୁ ଅଧିକ ଆସନ ପାଇ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ମଧ୍ୟ ସରକାର ଗଠନ କରିବାକୁ ସଂଖ୍ୟା ନଥିଲା । ତଥାପି, ବି.ଏସ୍. ୟେଦୁରାପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସରକାରକୁ ହାଇଜାକ୍ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ, କଂଗ୍ରେସ ଜେଡିଏସ୍ ସହ ମେଂଟ ନିର୍ବାଚନ ପରବର୍ତ୍ତୀ କରି ସରକାର ଗଠନ ପାଇଁ ଦାବିଦାର ହେବାରୁ ୟେଦୁରାପ୍ପା ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ପ୍ରଭାବଶାଳୀ ଲିଂଗାୟତ ଗୋଷ୍ଠୀର ନେତା ୟେଦୁରାପ୍ପା ୨୦୨୩ ବିଧାନସଭା ନିର୍ବାଚନରେ ନିଜେ ପ୍ରାର୍ଥୀ ନହୋଇ ପୁଅଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିବା ସୂଚନା ମିଳିଛି । ସେ ରାଜ୍ୟବ୍ୟାପୀ ଗସ୍ତ କରି ବିଜେପିକୁ କ୍ଷମତାସୀନ କରିବାକୁ କାର୍ଯ୍ୟ କରିବେ ବୋଲି ଏକ ସମ୍ବାଦ ସରବରାହ ସଂସ୍ଥାକୁ କହିଛନ୍ତି ।
ରାଜ୍ୟର ୨୨୪ ବିଧାନସଭା ଆସନରୁ ୩୬ଟି ଅନୁସୂଚିତ ଜାତି ଓ ୧୫ଟି ଅନୁସୂୂଚିତ ସଂପ୍ରଦାୟ ପାଇଁ ସଂରକ୍ଷିତ ରହିଛି । ମୋଟ ମତଦାତାଙ୍କ ସଂଖ୍ୟା ହେଉଛି ୫ କୋଟି ୨୧ ଲକ୍ଷ ୭୩ ହଜାର ୫୭୯ । ମେ’ ୧୦ ତାରିଖ ଦିନ ଭୋଟ ହୋଇ ୧୩ ତାରିଖ ଗଣତି ହେବ ଓ ଫଳାଫଳ ପ୍ରକାଶ ପାଇବ । ୨୦୨୩ ଫେବୃୟାରୀ ହୋଇଥିବା ତିନିଟି ଉତ୍ତର ପୂର୍ବାଂଚଳ ରାଜ୍ୟ ନିର୍ବାଚନରେ କଂଗ୍ରେସ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଆଉ ଛଅଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି । କର୍ଣ୍ଣାଟକରୁ ତାହା ଆରମ୍ଭ ହେଉଛି । କର୍ଣ୍ଣାଟକରେ ସରକାର ପ୍ରତିଷ୍ଠା କରିପାରିଲେ ହିଁ ଦଳର ନେତା ଓ କର୍ମୀଙ୍କ ମନୋବଳ ବଢିବ । ତେଣୁ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ହେଉଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଦଳ ପାଇଁ ‘ଏସିଡ ଟେଷ୍ଟ୍’ ହେବାକୁ ଯାଉଛି ।
ନିକଟରେ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ ୨୦୧୯ର ଏକ ମାନହାନୀ ମାମଲାରେ ସୁରଟର ଏକ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲ ଓ ଆର୍ଥିକ ଜରିମାନା ଦଣ୍ଡରେ ଦଣ୍ଡିତ କରିବା ସଂଗେ ସଂଗେ ଲୋକସଭା ସଚିବାଳୟ ତୁରନ୍ତ ତାଙ୍କ ଲୋକସଭା ସଭ୍ୟ ପଦ ରଦ୍ଦ କରିଛି । ଲୋକସଭା ସଚିବାଳୟ ପକ୍ଷରୁ ହୋଇଥିବା ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପଛରେ ବିଜେପିର ଷଡଯନ୍ତ୍ର ଥିବା ବିରୋଧୀ ଅଭିଯୋଗ କରୁଛନ୍ତି ଏବଂ ଅନ୍ୟୁନ ୧୭ଟି ବିରୋଧୀ ଦଳ ରାହୁଲଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କଂଗ୍ରେସ ସହ ମିଳିତ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ଏଭଳି ପୃଷ୍ଠଭୂମିରେ ମେ’ ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେଉଥିବାରୁ ଏହାର ଫଳାଫଳ ଉଭୟ କଂଗ୍ରେସ ଓ ବିଜେପି ପାଇଁ ଗୁରୁତ୍ୱ ରଖୁଛି । କିଛି ମାସ ତଳେ ହୋଇଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ସମ୍ଭାବନା ନେଇ ସିଭୋଟର ଆକଳନ କରିଥିଲେ ସୁଦ୍ଧା କଂଗ୍ରେସର ବିଜୟ ହୋଇଛି । ତେଣୁ, କର୍ଣ୍ଣାଟକକୁ ନେଇ ସିଭୋଟର ସର୍ଭେ ଯାହା ଆକଳନ କରିଛି ତାହା କେତେଦୂର ସତ୍ୟ ହେବ, ତାହା ମେ’ ୧୩ ତାରିଖ ଭୋଟ ଫଳାଫଳ ପ୍ରକାଶ ପାଇଲେ ଜଣାପଡିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS