ମୋଦୀଙ୍କ ‘ଡିଗ୍ରୀ’କୁ ନେଇ ସିଆଇସିଙ୍କ ନିର୍ଦେଶ ହାଇକୋର୍ଟରେ ଖାରଜ, କେଜରୀୱାଲଙ୍କୁ ଜରିମାନା


ପ୍ରସାଦ ରାଓ
ମାର୍ଚ୍ଚ ୩୧
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ରାଜୁଏସନ ଓ ପୋଷ୍ଟ୍ ଗ୍ରାଜୁଏସନ୍ ଡିଗ୍ରୀର ସଂପୂର୍ଣ୍ଣ ସୂଚନା ଦେବାକୁ ୨୦୧୬ରେ ସେଂଟ୍ରାଲ ଇନଫରମେସନ୍ କମିସନ୍ (ସିଆଇସି) ଗୁଜରାଟ ବିଶ୍ୱବିଦ୍ୟାଳୟକୁ ଯେଉଁ ନିର୍ଦେଶ ଦେଇଥିଲା ତାହାକୁ ଆଜି ଗୁଜରାଟ ହାଇକୋର୍ଟ ‘ଅନାବଶ୍ୟକ’ ଦର୍ଶାଇ ଖାରଜ କରିଛନ୍ତି । ଆରଟିଆଇ ଆବେଦନ ମାଧ୍ୟମରେ ଆପ୍ (ଆମ୍ ଆଦମୀ ପାର୍ଟି) ପକ୍ଷରୁ ଏହି ସୂଚନା ମଗା ଯାଇଥିଲା । ଏହି ସୂଚନା ମାଗିଥିବା ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଗୁଜରାଟ ହାଇକୋର୍ଟ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି । କେଜରୀୱାଲ ଚାରି ସପ୍ତାହ ମଧ୍ୟରେ ଜରିମାନା ଅର୍ଥ ଗୁଜରାଟ ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷ (ଗୁଜରାଟ ଷ୍ଟେଟ୍ ଲିଗାଲ ସର୍ଭିସ ଅଥରିଟି)ଙ୍କ ନିକଟରେ ଜମା କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଆରଟିଆଇ ଆବେଦନରେ ହୋଇଥିବା ନିବେଦନ ଆଧାରରେ ସିଆଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ରାଜୁଏସନ୍ ଓ ମାଷ୍ଟର ଡିଗ୍ରୀ ସଂପର୍କିତ ବିସ୍ତୃତ ସୂଚନା ଦେବାକୁ ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ), ଗୁଜରାଟ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ନିର୍ଦେଶ ଦେଇଥିଲେ । ଏହି ଆଦେଶକୁ ଗୁଜରାଟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଂଜ କରିଥିଲେ । ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ନିର୍ବାଚନ ଡକୁମେଂଟରେ ସେ ୧୯୭୮ରେ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍ ଓ ୧୯୮୩ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ କରିଥିବା ଦର୍ଶାଇଛନ୍ତି । ‘ଆପ୍’ ମୁଖ୍ୟ କେଜରୀୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଖୋଲାଖୋଲି ପ୍ରଶ୍ନ ଉଠାଉଛନ୍ତି । ଦେଶ ଜଣେ ଶିକ୍ଷିତ ବ୍ୟକ୍ତି ଦେଶର ପ୍ରଧାନମନ୍ତ୍ରୀ ହେବା ଚାହେଁ ନା ଅଶିକ୍ଷିତ ବା ଅର୍ଦ୍ଧଶିକ୍ଷିତ ବ୍ୟକ୍ତି (?) ବୋଲି କେଜରୀୱାଲ କ୍ୟାଂପେନ୍ ଚଳାଇ ଥିବା ଗୁଜରାଟ ହାଇକୋର୍ଟ ଆଜି ଏଭଳି ଏକ ରାୟ ଦେଇଥିବା ଗୁରୁତ୍ୱପୂର୍ଣ୍ଣ । ଗତ ମାସରେ ଗୁଜରାଟ ହାଇକୋର୍ଟରେ ଏହି ମାମଲାର ଶୁଣାଣୀ ଚାଲି ଥିବା ବେଳେ ଗୁଜରାଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସଲିସିଟର ଜେନେରାଲ (ଏସଜି) ତୁଷାର ମେହେଟ୍ଟା ହାଇକୋର୍ଟରେ ଯୁକ୍ତି ରଖି ଥିଲେ, କୌଣସି ବିଶ୍ୱବିଦ୍ୟାଳୟକୁ ଏଭଳି ସୂଚନା ଦେବାକୁ ବାଧ୍ୟ କରାଯାଇପାରିବ ନାହିଁ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଉଚ୍ଚ ପଦବୀରେ ଆସୀନ ବ୍ୟକ୍ତି ଜଣକ ଡକ୍ଟରେଟ୍ କି ଅଶିକ୍ଷିତ, ତାହା ତାଙ୍କ କାର୍ଯ୍ୟରେ କିଛି ଫରକ ପକାଉ ନାହିଁ । ମାମଲାଟି ମଧ୍ୟ ଜନସ୍ୱାର୍ଥ ସମ୍ବଳିତ ନୁହେଁ । ଅପରପକ୍ଷରେ ଏହା ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ଭଂଗ କରୁଛି । ‘ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ସହ ତାଙ୍କ ଡିଗ୍ରୀ ସଂପର୍କିତ ସୂଚନାର କୌଣସି ଭୂମିକା ନାହିଁ । କୌଣସି ବ୍ୟକ୍ତିଙ୍କ ପିଲାଳିଆମୀ ବା ଦାୟିତ୍ୱହୀନ ଜିଜ୍ଞାସାକୁ ସନ୍ତୁଷ୍ଟ କରିବା ପାଇଁ ଆମେ କାହାରିକୁ ଏଭଳି ତଥ୍ୟ ମାଗି ପାରିବା ନାହିଁ’ ବୋଲି ସଲିସିଟର ଜେନେରାଲ କହିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଓକିଲ ପେର୍ସି କାଭିନଙ୍କ ଯୁକ୍ତି ଥିଲା, ନିର୍ବାଚନ ବେଳେ ଦାଖଲ ନାମାଙ୍କନପତ୍ର ଫର୍ମରେ ଶିକ୍ଷାଗତ ଯୋଗ୍ୟତା ସଂପର୍କିତ ସୂଚନା ରହୁଛି । ‘ଆମେ କେବଳ ତାଙ୍କ (ପ୍ରଧାନମନ୍ତ୍ରୀ ମୋଦୀଙ୍କ) ଡିଗ୍ରୀ ସଂପର୍କିତ ତଥ୍ୟ ମାଗିଛୁ, ମାର୍କସିଟ୍ ନୁହେଁ’ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଗୁଜରାଟ ହାଇକୋର୍ଟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ସଂପର୍କିତ ସୂଚନା ମାଗିବା ଅନାବଶ୍ୟକ ଦର୍ଶାଇ ସିଆଇସିଙ୍କ ନିର୍ଦେଶକୁ ଖାରଜ କରିଥିବା ବେଳେ ଏହି ତଥ୍ୟ ମାଗିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଜରିମାନା କରିଛନ୍ତି । ରାୟ ପ୍ରକାଶ ପାଇବା ପରେ କେଜରୀୱାଲ ପ୍ରତିକ୍ରିୟା ରଖିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ କେତେ ଶିକ୍ଷିତ ତାହା ଜାଣିବା ଅଧିକାର କଣ ଦେଶବାସୀଙ୍କ ନାହିଁ ? କୋର୍ଟରେ ଏସଂପର୍କରେ ତଥ୍ୟ ଉପସ୍ଥାନ କରିବାକୁ ସେମାନେ କାହିଁକି ଦୃଢ ଭାବେ ବିରୋଧୀ କରୁଛନ୍ତି ?? ଜଣେ ଅଶିକ୍ଷିତ ବା କମ୍ ଶିକ୍ଷିତ ପ୍ରଧାନମନ୍ତ୍ରୀ ଦେଶ ପାଇ ବିପଜ୍ଜନକ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ‘ଆମ୍ ଆଦମୀ ପାର୍ଟି’ (ଆପ୍) ପ୍ରଶ୍ନ ଉଠାଇବା ସହ ବିଭିନ୍ନ ସହରରେ ପୋଷ୍ଟର ମାରି ବ୍ୟାପକ କ୍ୟାଂପେନ ଚଳାଇଛି । ହାଇକୋର୍ଟଙ୍କ ଆଜିର ରାୟ ପରେ ‘ଆପ୍’ର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS