ରାହୁଲ-କେଜରୀୱାଲ ଉଭୟେ ଏକା ଡଙ୍ଗାର ଯାତ୍ରୀ !
ପ୍ରସାଦ ରାଓ
ଏପ୍ରିଲ ୦୨
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଦାନୀ-ହିଣ୍ଡେନବର୍ଗ ବିବାଦୀୟ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରୁଥିବା ବେଳେ ‘ଆମ୍ ଆଦମୀ ପାର୍ଟି’ ମୁଖ୍ୟ ଅରବିନ୍ଦ କେଜରୀୱାଲ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ପ୍ରସଙ୍ଗ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିବା ଭାରତୀୟ ରାଜନୀତିରେ ଏକ ନୂଆ ଧାରା ସୃଷ୍ଟି କରିଛି । ଦେଶରେ ଜରୁରୀ ପରିସ୍ଥିତି ଜାରି କରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ‘ବୋଫର୍ସ’ ଘଟଣାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସେମାନଙ୍କ ସମୟରେ ବିରୋଧୀଙ୍କ ତୀବ୍ର ଆକ୍ରମଣର ସମ୍ମୁଖୀନ ହୋଇଥିଲେ, ଯାହାକି ଆଜି ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗରେ ପ୍ରଡଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ତେବେ, ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରସଙ୍ଗକୁ ନେଇ କୌଣସି ବିରୋଧୀ ନେତା ପ୍ରଧାନମନ୍ତ୍ରୀଙ୍କ ଉପରେ ହାମଲା କରିବା ଏହା ପ୍ରଥମ ଘଟଣା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସିଧାସଳଖ ଟାର୍ଗେଟ୍ କରି ନିଜର ରାଜନୈତିକ କ୍ୟାରିୟରକୁ ଚମକାଇବାକୁ ଚାହୁଁଥିଲେ । କିନ୍ତୁ, ଏବେ ତାହା ତାଙ୍କୁ ସଂକଟ ଭିତରକୁ ଠେଲି ଦେଇଛି । ଆଦାନୀ-ମୋଦୀ ସଂପର୍କକୁ ଉଜାଗର କରିବାକୁ ଯାଇ ରାହୁଲ ୨୦୧୯ ସାଧାରଣ ନିର୍ବାଚନ ସମୟରେ ଦେଇଥିବା ଏକ ଅପ୍ରିତିକର ମନ୍ତବ୍ୟ ପାଇଁ ଆଇନ ପଂଝାରେ ଫସି ଯାଇଛନ୍ତି । ସୁରଟର ଏକ ନିମ୍ନ ଅଦାଲତ ଗତ ମାର୍ଚ୍ଚ ମାସ ଶେଷ ଭାଗରେ ରାହୁଲ ଗାନ୍ଧୀଙ୍କ ଏଭଳି ଅପ୍ରିତିକର ମନ୍ତବ୍ୟ ପାଇଁ ହୋଇଥିବା ଆପରାଧୀକ ମାନହାନୀ ମାମଲାରେ ତାଙ୍କୁ ସର୍ବାଧିକ ଦୁଇ ବର୍ଷ କାରାଦଣ୍ଡ ଦେବା ସହ ଆର୍ଥିକ ଜରିମାନା ଦେବାକୁ କହିଛନ୍ତି । ସୁରଟର ସେସନ୍ସ କୋର୍ଟରେ ଆବେଦନ ପାଇଁ ତାଙ୍କୁ ୩୦ ଦିନ ସମୟ ଦିଆଯାଇ ସେପର୍ଯ୍ୟନ୍ତ ଦଣ୍ଡାଦେଶକୁ ସ୍ଥଗିତ ରଖା ଯାଇଥିଲେ ସ୍ୱୟଂକ୍ରୀୟ ଭାବେ ତାଙ୍କ ସାଂସଦ ପଦ ରଦ୍ଦ ହୋଇଯାଇଛି । ଲୋକସଭା ସଚିବାଳୟ ରାହୁଲଙ୍କ ବିରୋଧରେ ସୁରଟ ଅଦାଲତର ରାୟ ପ୍ରକାଶ ପାଉ ପାଉ ତାଙ୍କ ଲୋକସଭା ସଭ୍ୟ ପଦକୁ ରଦ୍ଦ କରିବା ସହ ଚାରି ଥରର ସାଂସଦ ଥିବା ରାହୁଲଙ୍କୁ ଦିଲ୍ଲୀର ୧୨, ତୁଗଲକ ଲେନ୍ ବାସଭବନକୁ ଛାଡିବାକୁ ନୋଟିସ ଦିଆସରିଛି । କଂଗ୍ରେସ ଦଳର ଜଣେ ଶୀର୍ଷ ନେତାଙ୍କ ବିରୋଧରେ ହୋଇଥିବା ଲୋକସଭା କାର୍ଯ୍ୟାନୁଷ୍ଠାନ ଦଳୀୟ ନେତା ଓ କର୍ମୀଙ୍କୁ ବିଚଳିତ କଲା ଭଳି । ତେବେ, କଂଗ୍ରେସ ଦଳ ଏଥିରୁ ଫାଇଦା ଖୋଜୁଛି । ବିଭିନ୍ନ କାରଣରୁ କଂଗ୍ରେସ ଓ ଦକ୍ଷିଣପନ୍ଥୀ ବିଜେପିକୁ ନିଜର ଶତୃ ଭାବୁଥିବା ବିରୋଧ ଦଳମାନେ ଏବେ ରାହୁଲଙ୍କ ବିରୋଧରେ ହୋଇଥିବା ଲୋକସଭା ସଚିବାଳୟର କାର୍ଯ୍ୟାନୁଷ୍ଠାନକୁ ଦୃଢ ବିରୋଧ କରିବା ସହ କଂଗ୍ରେସ ପ୍ରତି ସହାନୁଭୂତିଶୀଳ ହୋଇଛନ୍ତି ଏବଂ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାଜିତ କରିବା ପାଇଁ ଏକ ବିକଳ୍ପ ବିରୋଧୀ ମେଂଟ ଗଠନ, ଯାହାକି ଅତ୍ୟନ୍ତ ମନ୍ଥର ଗତିରେ ଚାଲି ଥିଲା, ତାହା ଏବେ ଗତିଶୀଳ ହେବାରେ ଲାଗିଛି । ସୁରଟ କୋର୍ଟରେ ହୋଇଥିବା ଦଣ୍ଡାଦେଶକୁ ରଦ୍ଦ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ସୋମବାର (ଏପ୍ରିଲ ୩ ତାରିଖ) ଦିନ ସୁରଟ ସେସନ୍ସ କୋର୍ଟରେ ଆବେଦନ କରାଯିବ ବୋଲି ସୂଚନା ମିଳିଛି । ଦଣ୍ଡାଦେଶ ରଦ୍ଦ ଆବେଦନ ଉପରେ ସେସନ୍ସ କୋର୍ଟ ବିଚାରପତି ନିର୍ଣ୍ଣୟ ନେବା ଯାଏଁ ରାହୁଲଙ୍କ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିବାକୁ ମଧ୍ୟ ଆବେଦନ ହେଉଛି । ଏବେ, ରାହୁଲ ଗାନ୍ଧୀଙ୍କ ରାଜନୈତିକ ଭବିଷ୍ୟତ ଅଦାଲତର ନିଷ୍ପତ୍ତି ଉପରେ ନିର୍ଭର କରୁଛି । ସୁରଟ ସେସନ୍ସ କୋର୍ଟ, ଗୁଜରାଟ ହାଇକୋର୍ଟ କିମ୍ବା ସୁପ୍ରିମ କୋର୍ଟ ଯଦି ରାହୁଲଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିବେ ନାହିଁ ସେ ଜେଲ ଯିବାକୁ ବାଧ୍ୟ ହେବେ ଏବଂ ଆଠ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିବାରୁ ବଂଚିତ ହେବେ । ତେଣୁ, କଂଗ୍ରେସ ଦଳ ଚିନ୍ତାରେ ଥିବା ବେଳେ ଅଣ-ବିଜେପି ବିରୋଧୀ ଦଳମାନେ ‘ବିରି ମାଡରେ କୋଳଥ ଚେପା’ ନ୍ୟାୟରେ ଭବିଷ୍ୟତରେ ଶାସକ ବିଜେପି ସେମାନଙ୍କ ବିରୋଧରେ ମଧ୍ୟ ଏଭଳି ଷଡଯନ୍ତ୍ର କରିପାରେ ବୋଲି ଆଶଙ୍କା କରି ମୋଦୀ ସରକାରଙ୍କ ବିରୋଧରେ ଏକାଠି ହେବାର ପ୍ରୟାସକୁ ତ୍ୱରାନ୍ୱିତ କରିଛନ୍ତି । ସଂସଦ ଭିତରେ ଓ ବାହାରେ ସେମାନେ କଂଗ୍ରେସକୁ ସମର୍ଥନ ଦେଇ ମିଳିତ ଲଢେଇକୁ ଜୋରଦାର କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ୨୦୧୯ ସାଧାରଣ ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ଥିଲେ ଏବଂ କର୍ଣ୍ଣାଟକର କୋଲାରଠାରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେବା ବେଳେ ଆର୍ଥିକଜାଲିଆତି ଅଭିଯୋଗରେ ଦେଶଛାଡି ପଳାଇ ଥିବା ନିରବ ମୋଦୀ, ଲଳିତ ମୋଦୀଙ୍କ ନାମ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ମଧ୍ୟ ନେଇ ‘ମୋଦୀ ସାଂଗିଆ’କୁ ଟାହିଟାପରା କରିଥିଲେ । ଏହା ଏକ ରାଜନୈତିକ ମନ୍ତବ୍ୟ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ରାହୁଲ ଗାନ୍ଧୀ ଯେଉଁ ମୋଦୀମାନଙ୍କ ନାମ ନେଇଥିଲେ ସେମାନଙ୍କ ମଧ୍ୟରୁ କେହି ତାଙ୍କ ବିରୋଧରେ ମାନହାନୀ ମାମଲା କରିନଥିଲେ । ଗୁଜରାଟର ଜଣେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ‘ରାହୁଲଙ୍କ ମନ୍ତବ୍ୟ ସମଗ୍ର ମୋଦୀ ସମାଜ ପ୍ରତି ଅପମାନସୂଚକ’ ଦର୍ଶାଇ ସୁରଟରେ ଏତଲା ଦେଇଥିଲେ । ସୁରଟର ନିମ୍ନ ଅଦାଲତରେ ରାହୁଲଙ୍କ ବିରୋଧରେ ଆପରାଧୀକ ମାନହାନୀ ମାମଲାର ଶୁଣାଣୀ ସମୟରେ ବିଚାରପତି ପ୍ରତିଟି ଶୁଣାଣୀ ସମୟରେ ରାହୁଲ ଗାନ୍ଧୀ ସଂପୃକ୍ତ ଅଦାଲତରେ ହାଜର ନିର୍ଦେଶ ଦିଆଯାଉ ବୋଲି ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ । ଦେବାକୁ ମନା କରିଦେଇଥିଲେ । ଏହାପରେ ଅଭିଯୋଗକାରୀ ହାଇକୋର୍ଟ ଯାଇ ମାମଲା ସ୍ଥଗିତ ରଖି ଥିଲେ । ବିଚାରପତି ବଦଳିବା ପରେ ମଧ୍ୟ ମାମଲା ଥଣ୍ଡାବାକ୍ସରେ ଥିଲା । କିନ୍ତୁ, ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆକ୍ରମଣକୁ ଶାଣିତ କରିବା ପରେ ବର୍ଷେ ହେଲା ଶିତଳଭଣ୍ଡାରରେ ଥିବା ଆପରାଧୀକ ମାନହାନୀ ମାମଲାକୁ ପୁନର୍ଜୀବିତ ହୋଇ ଶୁଣାଣୀ ଆରମ୍ଭ ହୋଇଗଲା ଏବଂ ମାସକ ଭିତରେ ସମସ୍ତ ଶୁଣାଣୀ ସରି ରାୟ ମଧ୍ୟ ଆସିଗଲା । କୌଣସି ଆପରାଧୀକ ମାନହାନୀ ମାମଲାରେ ଦୋଷୀଙ୍କୁ ସର୍ବାଧିକ ଦୁଇ ବର୍ଷ କାରାଦଣ୍ଡ ଦିଆଯିବା ଏବଂ ରାୟ ପ୍ରକାଶ ପାଇବାର ୨୪ ଘଂଟା ମଧ୍ୟରେ ତାଙ୍କ ଲୋକସଭା ସଭ୍ୟ ପଦ ରଦ୍ଦ କରି ସରକାରୀ ଘରୁ ବେଦଖଲ ପାଇଁ ଲୋକସଭା ସଚିବାଳୟ ନୋଟିସ ଜାରି କରିବା ଶାସକ ଦଳର ଏକ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ବିରୋଧୀ କହୁଛନ୍ତି । ସାମ୍ବିଧାନିକ ଜ୍ଞାନସଂପନ୍ନ ରାଜନୈତିକ ବିଶ୍ଲେଷକଙ୍କ କହିବା ଅନୁସାରେ ଜଣେ ସାଂସଦଙ୍କୁ ଯେକୌଣସି ମାମଲାରେ ଦୁଇ ବର୍ଷରୁ ଅଧିକ କାରାଦଣ୍ଡ ହେଲେ ସଂପୃକ୍ତ ସାଂସଦଙ୍କ ସଭ୍ୟପଦ ରଦ୍ଦ କରିବାକୁ ହେଲେ ସମ୍ବିଧାନର ଧାରା ୧୦୩ ଅନୁଯାୟୀ ରାଷ୍ଟ୍ରପତିଙ୍କ ଅନୁମୋଦନର ଆବଶ୍ୟକତା ରହିଛି । ଏନେଇ ନିଷ୍ପତ୍ତି ନେବା ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ଆୟୋଗ ସହ ଆଲୋଚନା କରିଥା’ନ୍ତି । ରାହୁଲଙ୍କ କ୍ଷେତ୍ରରେ ତାହା ହୋଇ ନାହିଁ । ଏହା ଏକ ସାମୟ ସାପେକ୍ଷ ପ୍ରକ୍ରିୟା ହୋଇଥିବାରୁ ଲୋକସଭା ସଚିବାଳୟ ରାହୁଲଙ୍କ ସାଂସଦ ପଦକୁ ଅଯୋଗ୍ୟ ଘୋଷଣା କରିବା ସମୟରେ ଏହାକୁ ଅଣଦେଖା କରି କୋର୍ଟ ରାୟ ଆସିବାର ୨୪ ଘଂଟା ମଧ୍ୟରେ ତାଙ୍କ ସାଂସଦ ପଦ ରଦ୍ଦ କରିଛନ୍ତି, ଯାହାକି ଶାସକ ଦଳ ସର୍ବୋଚ୍ଚ ନେତୃତ୍ୱର ଇଂଗିତ ବିନା ସମ୍ଭବ ନୁହେଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ରାହୁଲ ଗାନ୍ଧୀ ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ରାଜନୈତିକ ଆକ୍ରମଣ କରି ଆଇନ ଫାସରେ ପଡିଥିବା ବେଳେ ଏବେ ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ପ୍ରଶ୍ନ ଉଠାଇ ଗୁଜରାଟ ହାଇକୋର୍ଟ ଦ୍ୱାରା ଭର୍ତ୍ସିତ ହୋଇଛନ୍ତି । ଏହା ଆରଟିଆଇ ଅନ୍ତର୍ଭୁକ୍ତ ନୁହେଁ, କେଜରୀୱାଲ ଏଭଳି ସୂଚନା ମାଗି ଥିବାରୁ ଚାରି ସପ୍ତାହ ମଧ୍ୟରେ୨୫ ହଜାର ଟଙ୍କା ଜରିମାନା ଦେବାକୁ ଗୁଜରାଟ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପିଜି କରିଥିବା ତାଙ୍କ ନିର୍ବାଚନ କାଗଜପତ୍ରରେ ଦର୍ଶାଇ ଥିବା ବେଳେ କେଜରୀୱାଲ ଆରଟିଆଇ ମାଧ୍ୟମରେ ମୋାଦୀଙ୍କ ସାର୍ଟିର୍ଫିକେଟ ସଂପର୍କିତ ବିସ୍ତୃତ ସୂଚନା ମାଗି ଥିଲେ । ୨୦୧୬ରେ ସିଆଇସି (ସେଂଟ୍ରାଲ ଇନଫରମେସନ୍ କମିଶନ) ଏମ.ଶ୍ରୀଧର ଆଚାର୍ଯ୍ୟୁଲୁ ଗୁଜରାଟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଏନେଇ ନିର୍ଦେଶ ଦେଇଥିଲେ । ଗୁଜରାଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାର୍ଟିଫିକେଟ ୱେବ୍ ପୃଷ୍ଠାରେ ଲୋଡ୍ କରାଯିବା ସହ ସିଆଇସିଙ୍କ ନିର୍ଦେଶକୁ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଂଜ କରିଥିଲେ । ଶୁକ୍ରବାର ଦିନ ଗୁଜରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ ବୀରେନ ବୈଷ୍ଣବ ଗୁଜରାଟ ବିଶ୍ୱବିଦ୍ୟାଳୟର ଅବେଦନକୁ ବିଚାର କରି ସିଆଇସିଙ୍କ ନିର୍ଦେଶକୁ ଖାରଜ କରିଛନ୍ତି । ପ୍ରଧାନମନ୍ତ୍ରୀ ଜଣେ ଜନପ୍ରତିନିଧି ହୋଇଥିବାରୁ ତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ପ୍ରଶ୍ନ ଉଠାଇବା ଓ ସୂଚନା ମାଗିବା ‘ଅନାବଶ୍ୟକ’ ବୋଲି ହାଇକୋର୍ଟ କହିଛନ୍ତି । ଏଥିରେ ଜନସାଧାରଣଙ୍କ ସ୍ୱାର୍ଥ ଜଡିତ ନୁହେଁ ବୋଲି ହାଇକୋର୍ଟ ରାୟରେ କୁହାଯାଇଛି । ଗୁଜରାଟ ହାଇକୋର୍ଟଙ୍କ ରାୟ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ନେତୃବର୍ଗଙ୍କୁ ଆହ୍ଲାଦିତ କରିଥିଲେ ମଧ୍ୟ ‘ଆପ୍’ ମୁଖ୍ୟ କେଜରୀୱାଲଙ୍କୁ ମର୍ମାହତ କରିଛି । ତେବେ, ସେ ଦବି ନଯାଇ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଆକ୍ରମଣ ଜୋରଦାର କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ଦେଶବାସୀ ଜାଣିବାକୁ ହକ୍ଦାର ନୁହନ୍ତି କି (?) ବୋଲି ସେ ପାଲଟା ପ୍ରଶ୍ନ କରି ଗୁଜରାଟ ହାଇକୋର୍ଟ ରାୟ ଉପରେ ପରୋକ୍ଷରେ ପ୍ରଶ୍ନ ଉଠାଇଛନ୍ତି । କଣ ପାଇଁ ବିଜେପି ତଥ୍ୟ ଲୁଚାଇବା ଉଦ୍ୟମ କରୁଛି (?) ବୋଲି କେଜରୀୱାଲ ଓ ‘ଆପ୍’ର ରାଜ୍ୟସଭା ସାଂସଦ ସଂଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇ ଥିବା ବେଳେ ଏହା ରାଜନୀତି ଦ୍ୱାରା ପ୍ରେରିତ ବୋଲି ବିଜେପି କହିଛି । ଗୁଜରାଟ ହାଇକୋର୍ଟ ରାୟକୁ କେଜରୀୱାଲ ସୁପ୍ରିମ କୋର୍ଟରେ ଚ୍ୟାଲେଂଚ କରିବା ଅଧିକାର ରଖନ୍ତି । ତେବେ, ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ନହୋଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ଏକ ରାଜନୈତିକ କୌଶଳ ଭାବେ ବିଚାର କରାଯାଉଛି । ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ‘ଆପ୍’ ମୁଖ୍ୟ କେଜରୀୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଯେଉଁ ମୋର୍ଚ୍ଚା ଖୋଲିଛନ୍ତି ତାହା ବିଜେପି ବିରୋଧୀ ରଣନୀତିକୁ କେତେ ଆଗକୁ ନେବ, ତାହା ଦେଖିବାକୁ ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS