ସେସନ୍ସ କୋର୍ଟରେ ରାହୁଲ ଆବେଦନ କଲେ, ଏପ୍ରିଲ ୧୩ରେ ଶୁଣାଣୀ
ପ୍ରସାଦ ରାଓ
ଏପ୍ରିଲ ୦୩
ସୁରଟର ଏକ ନିମ୍ନ ଅଦାଲତରେ ଏକ ଆପରାଧୀକ ମାନହାନୀ ମାମଲାରେ ଦଣ୍ଡିତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଣ୍ଡାଦେଶ ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଜାରି ପାଇଁ ଆଜି ସୁରଟର ସେସନ୍ସ କୋର୍ଟ ବା ଦୌରା ଜଜ୍ କୋର୍ଟରେ ଆବେଦନ କରିଛନ୍ତି । ଦୌରା ଜଜ୍ ରାହୁଲଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ଜାମିନ ମଂଜୁର କରିବା ସହ ଆବେଦନର ଶୁଣାଣୀ ଏପ୍ରିଲ ୧୩ ତାରିଖକୁ ଧାର୍ଯ୍ୟ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ କର୍ଣ୍ଣାଟକର କୋଲାରଠାରେ ଏକ ଜନସଭାରେ ଉଦ୍ବୋଧନ ଦେବା ସମୟରେ ‘ସବୁ ମୋଦୀ ଚୋର’ ବୋଲି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ, ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସମଗ୍ର ମୋଦୀ ସମାଜ ପ୍ରତି ଅପମାନ ଦର୍ଶାଇ ସୁରଟର ଜଣେ ବିଜେପି ନେତା ତଥା ପୂର୍ବତନ ଗୁଜରାଟ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ଏତଲା ଦେଇଥିଲେ । ସୁରଟର ନିମ୍ନ ଅଦାଲତରେ ରାହୁଲଙ୍କ ବିରୋଧରେ ହୋଇଥିବା ଆପରାଧୀକ ମାନହାନୀ ମାମଲାର ବିଚାର ଚାଲି ଥିଲା । ମାର୍ଚ୍ଚ ୨୩ ତାରିଖ ନିମ୍ନ ଅଦାଲତ ଏହି ମାମଲାର ରାୟ ଦେଇ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଜରିମାନା କରିଛନ୍ତି । ଏହି ଭିତ୍ତିରେ ଲୋକସଭା ସଚବାଳୟ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଛି । ଦଣ୍ଡଦେଶ ଉପରେ ରହିତାଦେଶ ପାଇଁ ରାହୁଲ ଦୌରା ଜଜ୍ କୋର୍ଟରେ ଆବେଦନ କରିବାକୁ ତଳ କୋର୍ଟ ତାଙ୍କୁ ୩୦ ଦିନ ସମୟ ଦେଇଥିଲେ ଏବଂ ସେଯାଏଁ ଦଣ୍ଡାଦେଶ ସ୍ଥଗିତ ରଖି ଥିଲେ । ରାହୁଲ ଆଜି ଭଉଣୀ (ଏଆଇସିସି ସାଧାରଣ ସଂପାଦିକା) ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଦିଲ୍ଲୀରୁ ସୁରଟ ଯାଇ ଦୌରା ଜଜ କୋର୍ଟରେ ତାଙ୍କ ଆବେଦନପତ୍ର ଦାଖଲ କରିଥିଲେ । ନିମ୍ନ ଅଦାଲତର ରାୟ ଉପରେ ରହିତାଦେଶ ପାଇଁ ସେ ଆବେଦନ କରିଛନ୍ତି । ରାହୁଲଙ୍କ ସହ ତିନି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ (ରାଜସ୍ଥାନ), ଭୂପେଶ ବାଘେଲା (ଛତିଶଗଡ଼) ଓ ସୁଖବିନ୍ଦର ସିଂହ ସୁଖୁ (ହିମାଚଳ ପ୍ରଦେଶ) ସୁରଟ ଯାଇଥିଲେ । ସୁରଟ ଯିବା ପୂର୍ବରୁ ରାହୁଲ ଗତକାଲି ମା’ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଥିଲେ । ରାହୁଲ ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ସୁରଟ ଦୌରା ଜଜ୍ କୋର୍ଟରେ ଆବେଦନ କରିବାକୁ ଯାଇଥିବା ବେଳେ ବହୁ ବରିଷ୍ଠ କଂଗ୍ରେସ ନେତା ତାଙ୍କ ସହ ଯାଇଥିବା କଥାକୁ ବିଜେପି କଟୁ ସମାଲୋଚନା କରିଛି । ଏହା ରାହୁଲଙ୍କ ‘ପିଲାଳିଆମୀ’ ଓ କଂଗ୍ରେସର ‘ନାଟକବାଜୀ’ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ ଟ୍ୱିଟ୍ କରିଛନ୍ତି । ଆପିଲେଟ୍ କୋର୍ଟ ଉପରେ ଚାପ ସୃଷ୍ଟିି କରିବା ପାଇଁ ଏଭଳି କୌଶଳ କରାଯାଇଛି । ତେବେ, ଦେଶର କୌଣସି ଅଦାଲତରେ ଏହି କୌଶଳ କାମ କରିବ ନାହିଁ ବୋଲି ସେ କହିଛନ୍ତି । ଅପରପକ୍ଷରେ, କଂଗ୍ରେସ କହିଛି, ଦଳର ବରିଷ୍ଠ ନେତାମାନଙ୍କୁ ସାଂଗରେ ଧରି ରାହୁଲ ସୁରଟ ଯାଇଥିବା ‘ଶକ୍ତି ପ୍ରଦର୍ଶନ’ ନୁହେଁ, ତାଙ୍କ ପ୍ରତି ଦଳର ସଂପୂର୍ଣ୍ଣ ସମର୍ଥନ ଥିବା ସୂଚାଉଛି । ରାହୁଲଙ୍କ ସମର୍ଥନରେ ସୁରଟରେ ଏକାଠି ହେଉଥିବା କଂଗ୍ରେସ ନେତା ଓ କର୍ମୀଙ୍କୁ ଗୁଜରାଟ ସରକାର ବେଆଇନ ଭାବେ ଗିରଫ କରିଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି । ଏହା ଗଣତନ୍ତ୍ରର ହତ୍ୟା ବୋଲି ସେ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS