କୋଟିଆ ବିବାଦର ସମାଧାନ କେବେ ?


ପ୍ରସାଦ ରାଓ
ଏପ୍ରିଲ ୦୭
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକର ଏଜେନ୍ସୀ ଅଂଚଳ କୋଟିଆ ଗ୍ରାମପୁଂଜକୁ ନେଇ ଆନ୍ଧ୍ର-ଓଡ଼ିଶା ବିବାଦ ଜଟିଳ ହେବାରେ ଲାଗିଛି । ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ହେଲା ଏହି ବିବାଦ ଚାଲିଛି । ଓଡ଼ିଶା ସରକାର ସମାଧାନ ଚାହୁଁଛନ୍ତି ସିନା ସୁପ୍ରିମ କୋର୍ଟଙ୍କ ମାଧ୍ୟମରେ । ସୁପ୍ରିମ କୋର୍ଟ ସମ୍ବିଧାନର ୧୩୧ ଧାରା ଅନୁଯାୟୀ ରାଜ୍ୟ-ରାଜ୍ୟ ବିବାଦରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିବା ସହ ଆପୋଷ ଆଲୋଚନା ମାଧ୍ୟମରେ ଦୁଇ ରାଜ୍ୟ ବିବାଦର ସମାଧାନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ବିବାଦର ସମାଧାନ ପର୍ଯ୍ୟନ୍ତ ସଂପୃକ୍ତ ଅଂଚଳରେ ସ୍ଥିତାବସ୍ଥା ବଜାୟ ରହିବ ବୋଲି ନିର୍ଦେଶ ଦିଆଯାଇଛି । ତଥାପି, ଆନ୍ଧ୍ର ସରକାର ବରାବର କୋଟିଆ ଅଂଚଳରେ ଅନୁପ୍ରବେଶ କରି ଅଂଚଳବାସୀଙ୍କୁ ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ଦେବା ସହ ବିବାଦୀୟ ଅଂଚଳକୁ ନିଜ ଅକ୍ତିଆରକୁ ନେବାକୁ ଉଦ୍ୟମ କରି ଆସୁଛନ୍ତି । ଓଡ଼ିଶା ସରକାର ରାଜନୈତିକ ଉପାୟରେ ଏହି ବିବାଦର ସମାଧାନ ସମ୍ଭବ ହୋଇପାରୁନଥିବା ଦେଖି ସମ୍ବିଧାନର ଧାରା ୧୩୧କୁ ଉଚ୍ଛେଦ କରାଯିବାକୁ ସୁପ୍ରିମ କୋର୍ଟରେ ଆବେଦନ କରି ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରଣାକୁ ଅପେକ୍ଷା କରିଛନ୍ତି ।
କୋଟିଆ ଗ୍ରାମପୁଂଜର ବାସ୍ତବ ସ୍ଥିତି ଏଭଳି ଥିବା ସମୟରେ ଗତ ଏପ୍ରିଲ ପହିଲା ଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂପୃକ୍ତ ଅଂଚଳ ଗସ୍ତରେ ଯିବା ଏବଂ ନିଜ ସମର୍ଥକଙ୍କ ଗହଣରେ ସେଠାରେ ‘ଉକ୍ରଳ ଦିବସ’ ପାଳନ କରିବା କୌଣସି ଦୃଷ୍ଟିରୁ ଅସ୍ୱାଭାବିକ ନଥିଲେ ମଧ୍ୟ ରାଜ୍ୟ ସରକାର କୋଟିଆ ବିବାଦର ସମାଦାନ ପାଇଁ ଗମ୍ଭୀର ନୁହନ୍ତି ବୋଲି କେନ୍ଦ୍ର ମନ୍ତ୍ରୀଙ୍କ ବୟାନ ରାଜ୍ୟ ସରକାରଙ୍କୁ କ୍ଷୁବ୍ଧ କରିଛି । କେନ୍ଦ୍ର ମନ୍ତ୍ରୀଙ୍କ ସହ ରାଜ୍ୟର ଚାରି ଜଣ ବିଜେପି ବିଧାୟକ ମଧ୍ୟ ସେଦିନ କୋଟିଆ ଯାଇଥିଲେ ଏବଂ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଘେରି ଥିଲେ । କୋଟିଆ ଅଂଚଳରେ ଆନ୍ଧ୍ର ପ୍ରଶାସନର ଅବାଧ ପ୍ରବେଶକୁ ରୋକିବା ପାଇଁ ରାଜ୍ୟ ସରକାର ବିବାଦୀୟ ଅଂଚଳରେ ୧୫୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ କରୁଥିବା କହୁଥିଲେ ମଧ୍ୟ ବାସ୍ତବରେ ସେଭଳି କିଛି ଆଖିଦୃଶିଆ କାମ ହୋଇ ନାହିଁ ଏବଂ ସବୁ ଦୃଷ୍ଟିରୁ ସେହି ଅଂଚଳ ଆଜି ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି ବୋଲି ବିଜେପି ମନ୍ତ୍ରୀ ଓ ବିଧାୟକଙ୍କ ଅଭିଯୋଗ ଶାସକ ବିଜେଡ଼ି ବିଜେପି ମଧ୍ୟରେ ବାକ୍ ଯୁଦ୍ଧର କାରଣ ହୋଇଛି । ଓଡ଼ିଶାରେ ୨୩ ବର୍ଷ ହେଲା ବିଜେଡ଼ି କ୍ଷମତାରେ ଥିଲେ ମଧ୍ୟ କୋଟିଆଅଂଚଳର ବିକାଶ ପାଇଁ କିଛି କରି ନାହିଁ ବୋଲି ବିଜେପିର ଅଭିଯୋଗକୁ ବିଜେଡ଼ି ‘ରାଜନୀତି ଦ୍ୱାରା ପ୍ରେରିତ’ କହି ଫୁ’ କରି ଉହାଇ ଦେଇଛି । ଏପ୍ରିଲ ପହିଲାରୁ ଆରମ୍ଭ ହୋଇଥିବା ବିଜେପି-ବିଜେଡି ରାଜନୈତିକ ବିବାଦ ୨୦୨୪ ନିର୍ବାଚନ ପାଇଁ ଭୋଟ ଧ୍ରୁବୀକରଣ ଉଦ୍ୟମ ବୋଲି ଆଲୋଚନା ହେଉଛି ।
କେନ୍ଦ୍ର ମନ୍ତ୍ରୀ ପ୍ରଧାନ କୋଟିଆ ବିବାଦକୁ ନେଇ କେବଳ ଓଡ଼ିଶା ସରକାରଙ୍କୁ ଘେରି ନାହାନ୍ତି, ଏପ୍ରିଲ ପହିଲା ଦିନ କୋଟିଆ ପଂଚାୟତରେ ଉପସ୍ଥିତ ଆନ୍ଧ୍ର ଅଧିକାରଙ୍କୁ ଘଉଡାଇବା ପାଇଁ ‘ଆନ୍ଧ୍ର ଗୋ-ବ୍ୟାକ୍’ ଧ୍ୱନୀ ଦେଇ ଆନ୍ଧ୍ର ସରକାରଙ୍କୁ ମଧ୍ୟ କ୍ଷୁବ୍ଧ କରିଛନ୍ତି । ଏହା ଏକ ‘ବିବାଦୀୟ ଅଂଚଳ’ ବୋଲି ଆନ୍ଧ୍ର ଅଧିକାରୀମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ବୁଝାଉଥିବା ବେଳେ ମନ୍ତ୍ରୀ କିଛି ନଶୁଣି ‘ଆନ୍ଧ୍ର ଗୋ-ବ୍ୟାକ୍’ ଧ୍ୱନୀ ଦେଇ ସଂପୃକ୍ତ ଅଧିକାରୀଙ୍କୁ ସ୍ତାନ ଛାଡି ପଳାଇବାକୁ ବାଧ୍ୟ କରିଥିଲେ । ଆନ୍ଧ୍ର ଅଧିକାରୀମାନେ ଅପମାନିତ ହୋଇ ଫେରି ଥିବା ବେଳେ କେନ୍ଦ୍ର ମନ୍ତ୍ରୀଙ୍କ ଆଚରଣକୁ ଆନ୍ଧ୍ର ସରକାର ନାପସନ୍ଦ କରି ସେ ଓଡ଼ିଶାର ମନ୍ତ୍ରୀ ନା ସମଗ୍ର ଭାରତର ମନ୍ତ୍ରୀ ବୋଲି ପ୍ରଶ୍ନ ଉଠାଇଛନ୍ତି । ପରେ, ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ପେଡିକା ରାଜାନ୍ନା ଦୋରା ସାମ୍ବିଦିକ ସମ୍ମିଳନୀ କରି କେନ୍ଦ୍ର ମନ୍ତ୍ରୀଙ୍କ ‘ଆନ୍ଧ୍ର ଗୋ-ବ୍ୟାକ୍’ ଧ୍ୱନୀକୁ ନିନ୍ଦା କରିଛନ୍ତି ଓ ଏହାର ପରିଣତିକୁ ନେଇ ଚେତାବନୀ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ ଆଚରଣକୁ ଆନ୍ଧ୍ର ସରକାର ଓ ପଡୋଶୀ ରାଜ୍ୟର ବିରୋଧୀ ରାଜନୈତିକ ଦଳମାନେ ମିଳିତ ଭାବେ ନିନ୍ଦା ଓ ବିରୋଧ କରିଥିବା ବେଳେ ଓଡ଼ିଶାରେ ସେଭଳି କିଛି ଦେଖିବାକୁ ମିଳି ନାହିଁ । କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ, ‘ଆନ୍ଧ୍ର ଗୋ-ବ୍ୟାକ୍’ ଏବଂ କୋଟିଆ ସମସ୍ୟାକୁ ନେଇ ଓଡ଼ିଶା ସରକାରଙ୍କୁ ସମାଲୋଚନା ପଛରେ କେବଳ ରାଜନୀତି ରହିଛି ବୋଲି ବିଜେଡ଼ି ସମାଲୋଚନା କରିଥିବା ବେଳେ ବିଜେପି କୋଟିଆ ସମାସ୍ୟାକୁ ନେଇ ଓଡ଼ିଶା ଚିନ୍ତିତ ନୁହେଁ କହି ପ୍ରଧାନମନ୍ତ୍ରୀଙ୍କ ନିକଟରେ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିବାକୁ ଚେତାବନୀ ଦେଇଛି ।
କେନ୍ଦ୍ର ମନ୍ତ୍ରୀ ପ୍ରଧାନ ନିଜେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଚେତାବନୀ ଦେଇଥିବାରୁ ଏହି ସମସ୍ୟାକୁ ନେଇ କେନ୍ଦ୍ର ସରକାର କେତେଦୂର ଗମ୍ଭୀର ତାହା ଦେଖିବା ସମୟ ଆସିଛି । ଏଠାରେ ସୂଚନାଯୋଗ୍ୟ କି, ବ୍ରିଟିଶ ଶାସନ ଅମଳରୁ କୋଟିଆ ଅଂଚଳ ଅବହେଳିତ ରହି ଆସିଥିବା ବେଳେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଆନ୍ଧ୍ର ପ୍ରଦେଶ ଗଠନ ପରେ ଏହି ଅଂଚଳ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ସୀମା ବିବାଦର କାରଣ ହୋଇ ରହିଛି । କୋଟିଆ ଗ୍ରାମପୁଂଜର ୨୮ଟି ରାଜସ୍ୱ ଗ୍ରାମରୁ ୨୧ଟି ବିବାଦୀୟ ଅଂଚଳ ଭାବେ ପରିଗଣିତ ହେଉଛି । ୧୯୬୮ ମସିହାରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ ଉଦ୍ୟମ କରିଥିଲେ । ତେବେ, ସେଥିରେ ସଫଳତା ନ ମିଳିବାରୁ ଓଡ଼ିଶା ସରକାର ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ, କେନ୍ଦ୍ର-ରାଜ୍ୟ ବା ରାଜ୍ୟ-ରାଜ୍ୟ ବିବାଦରେ ସୁପ୍ରିମ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସମ୍ବିଧାନର ଧାରା ୧୩୧ରେ ସ୍ପଷ୍ଟ ଉଲ୍ଲେଖ ଥିବାରୁ ଦୁଇ ରାଜ୍ୟ ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ସୁପ୍ରିମ କୋର୍ଟ ପରାମର୍ଶ ଦେଇଆସିଛନ୍ତି । ୨୦୦୬ରେ ସୁପ୍ରିମ କୋର୍ଟର ଏକ ତିନି ଜଣିଆ ଖଣ୍ଡପୀଠ ଏହି ପରାମର୍ଶ ଦେବା ସହ ବିବାଦର ସ୍ଥାୟୀ ସମାଧାନ ପର୍ଯ୍ୟନ୍ତ କୋଟିଆ ଗ୍ରମାପୁଂଜରେ ସ୍ଥିତାବସ୍ଥା ରକ୍ଷା କରିବାକୁ ଦୁଇ ରାଜ୍ୟକୁ ନିର୍ଦେଶ ଦେଇଛନ୍ତି ।
ସୁପ୍ରିମ କୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦେଶ ଦେଇଥିବା ସତ୍ତ୍ୱେ କୋଟିଆ ଗ୍ରାମପୁଂଜରେ ଆନ୍ଧ୍ର ସରକାରଙ୍କ ଅବାଧ ପ୍ରବେଶ ରହିଛି ଏବଂ ପଡୋଶୀ ରାଜ୍ୟର ବିଭିନ୍ନ ବିକାଶମୂଳକ ଯୋଜନା ବିବାଦୀୟ ଅଂଚଳରେ କାର୍ଯ୍ୟକାରୀ କରାଯାଉଛି । ଆନ୍ଧ୍ର ସରକାର ସଂପୃକ୍ତ ଅଂଚଳରେ ପଂଚାୟତ ନିର୍ବାଚନ କରାଇ ୨୦୨୧ରେ (ଫେବୃୟାରୀ ୨୧ ଓ ଏପ୍ରିଲ ୭ ତାରିଖ) ଓଡ଼ିଶା ସରକାରଙ୍କ ଆଡୁ ଦୁଇଟି ‘କୋର୍ଟ ଅବମାନନା ମାମଲା’ର ସମ୍ମୁଖୀ ହୋଇଛନ୍ତି । ଆନ୍ଧ୍ର ସରକାରଙ୍କ ବିରୋଧରେ ସୁପ୍ରିମ କୋର୍ଟରେ ‘କୋର୍ଟ ଅବମାନନା’ ବିଚାରାଧୀନ ରହିଛି । ସୁପ୍ରିମ କୋର୍ଟ ଖଣ୍ଡପୀଠ ଦୁଇଟି ଯାକ କୋର୍ଟ ଅବମାନନା ମାମଲା ଏକତ୍ର କରି ଶୁଣାଣୀ କରିଥିଲେ ମଧ୍ୟ ରାୟ ଦେଇ ନାହାନ୍ତି । ତେବେ, ଏହା ଦୁଇ ରାଜ୍ୟ ମଧ୍ୟରେ ଏକ ରାଜନୈତିକ ବିବାଦ ଥିବାରୁ ରାଜନୈତିକ ଉପାୟରେ ଆପୋଷ ଆଲୋଚନାରେ ବିବାଦର ସମାଧାନ କରିବାକୁ ଦୁଇ ରାଜ୍ୟଙ୍କୁ କହୁଛନ୍ତି । ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ପରମର୍ଶକ୍ରମେ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ମୁଖ୍ୟମନ୍ତ୍ରୀସ୍ତର ବୈଠକ ହୋଇ ଯୁଗ୍ମ କମିଟିମାନ ଗଠନ ହୋଇଛି ଏବଂ ବିବାଦର ସମାଧାନ ପାଇଁ ବିଚାରବିମର୍ଶ ଚାଲି ଥିବା ସର୍ବୋଚ୍ଚ ନ୍ୟାୟପାଳିକାକୁ ଅବଗତ କରାଯାଇଛି । ତେବେ, ବାସ୍ତବିକତା ହେଉଛି, ପଚାଶ ବର୍ଷ ତଳର ବିବାଦ ଯେଉଁ ଥିଲା ଆଜି ମଧ୍ୟ ସେଇଠି ରହିଛି । ଆନ୍ଧ୍ର ଅଧିକାରୀମାନେ ଲଗାତର ବିବାଦୀୟ କୋଟିଆ ଅଂଚଳରେ ଅନୁପ୍ରବେଶ କରୁଛନ୍ତି ଏବଂ ଆନ୍ଧ୍ର ସରକାରଙ୍କ ଯୋଜନା ସବୁକୁ କାର୍ଯ୍ୟକାରୀ କରୁଛନ୍ତି ।
କୋଟିଆ ଅଂଚଳରେ ଆନ୍ଧ୍ର ସରକାର ପଂଚାୟତ ନିର୍ବାଚନ କରାଇବାକୁ ଉଦ୍ୟମ କରିବାରୁ କୋରାପୁଟ ଜିଲ୍ଲାର ରାଜନେତାମାନେ ଦଳମତ ନିର୍ବିଶେଷରେ ତାହାର ବିରୋଧ କରିଥିଲେ । ଉପାନ୍ତ ଅଂଚଳର ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସମସୟ ସମୟରେ ଆନ୍ଧ୍ର ଅଧିକାରୀମାନଙ୍କୁ ଘଉଡାଇବାର ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି । ତେବେ, ଏହାକୁ ବିବାଦୀୟ ଅଂଚଳ କହି ଆନ୍ଧ୍ର ପ୍ରଶାସକମାନେ ସଂପୃକ୍ତ ଅଂଚଳରେ ନିଜର ପ୍ରଭୁତ୍ୱ ଜାହିର କରିବା ଛାଡି ନାହାନ୍ତି । ଫଳରେ, ଦୁଇ ରାଜ୍ୟ ମଧ୍ୟରେ ସଂପର୍କ ଅଧିକ ତୀକ୍ତ ହୋଇଛି । ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହେଉନଥିବା ଦେଖି ଓଡ଼ିଶା ସରକାର ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ଚାହୁଁ ଥିବାରୁ ସମ୍ବିଧାନର ଧାରା ୧୩୧କୁ ଉଚ୍ଛେଦ କରାଯିବାକୁ କୋର୍ଟରେ ଆବେଦନ କରିଛନ୍ତି । ଏହି ଆବେଦନ ସମତେ ଦୁଇଟି କୋର୍ଟ ଅବମାନନା ମାମଲା ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବାରୁ କୋଟିଆ ମାମଲା ‘ସବ୍ ଜୁଡିସ୍’ ହୋଇ ରହିଛି ।ଏଭଳି ସ୍ଥିତିରେ କୋଟିଆ ବିବାଦର ସମାଧାନରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଜରୁରୀ ମନେ ହେଉଛି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଥିବା ବେଳେ ଆନ୍ଧ୍ରରେ ମୁଖ୍ୟମନ୍ତ୍ରୀ ୱାଇ.ଏସ୍.ଜଗନମୋହନ ରେଡ୍ଡୀଙ୍କ ୱାଇଏସଆରସିପି ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ବିଜେଡ଼ି) ସରକାର ରହିଛି । ୱାଇଏସଆରସିପି ଓ ବିଜେଡି କେନ୍ଦ୍ରରେ ଶାସନରେ ଥିବା ଏନଡ଼ିଏ (ଜାତୀୟ ଗଣତାନ୍ତ୍ରିକ ମେଂଟ)ର ଅଂଶୀଦାର ନଥିଲେ ମଧ୍ୟ ସଂସଦରେ ମୋଦୀ ସରକାରଙ୍କୁ ସମସ୍ତ ନୀତିଗତ ନିଷ୍ପତ୍ତିରେ ସମର୍ଥନ ଦେଇଆସିଛନ୍ତି । ପ୍ରଧାନମନ୍ତ୍ରୀ ଚାହିଁଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟସ୍ଥତାରେ କୋଟିଆ ବିବାଦର ସମାଧାନ ଦିଗରେ ଉଦ୍ୟମ ଆରମ୍ଭ କରିପାରନ୍ତେ । କିନ୍ତୁ, ଆଜି ସୁଦ୍ଧା ସେଭଳି କିଛି ଉଦ୍ୟମ ଦେଖିବାକୁ ମିଳି ନାହିଁ ।
କୋଟିଆକୁ ନେଇ କେନ୍ଦ୍ର ସରକାର କେବେ ଗମ୍ଭୀର ଥିବା ମଧ୍ୟ ମନେ ହେଉ ନାହିଁ । ଛତିଶଗଡ଼ ସହ ଓଡ଼ିଶାର ମହାନଦୀ ଜଳ ବିବାଦ ଭଳି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ମଧ୍ୟ ଟ୍ରିବ୍ୟୁନାଲ, କୋର୍ଟ କଚୋରୀର ମୋହତାଜ୍ ରହିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏପ୍ରିଲ ୧ ତାରିଖ କୋଟିଆ ଗ୍ରାମପଂଜ ଗସ୍ତ ଓ ଏହି ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଘୋଷଣା ସମସ୍ୟା ସମାଧାନରେ ବିଶେଷ ସହାୟକ ହେବ ବୋଲି ଆଶା ନଥିଲେ ମଧ୍ୟ କେନ୍ଦ୍ରୀୟ ହସ୍ତକ୍ଷେପର ସୁଯୋଗ ସୃଷ୍ଟି କରିପାରେ ବୋଲି ରାଜ୍ୟର ରାଜନୈତିକ ବିଶ୍ଲେଷକମାନେ ଆଶା ରଖିଛନ୍ତି । କୋଟିଆ ସମସ୍ୟାର ସମାଧାନ ପାଇଁ ସୁପ୍ରିମ କୋର୍ଟକୁ ଏକମାତ୍ର ମାଧ୍ୟମ ହେବ ବୋଲି ଓଡ଼ିଶା ସରକାର ଭାବୁ ଥିବାରୁ ଏହି ସୁଯୋଗ ସୃଷ୍ଟି ପାଇଁ ସମ୍ବିଧାନର ଧାରା ୧୩୧କୁ ଉଚ୍ଛେଦ କରାଯିବାକୁ ୨୦୨୨ ଜାନୁଆରୀରେ ଆବେଦନ କରିଥିଲେ । କୋଟିଆ ଗ୍ରାମପୁଂଜ ଓଡ଼ିଶାର ସାବ୍ୟସ୍ତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆବେଦନପତ୍ରରେ କୋଟିଆ ସଂପର୍କିତ ସମସ୍ତ ଐତିହାସିକ ଦସ୍ତାବିଜ ଏବଂ ପ୍ରମାଣ ଉପସ୍ଥାପନ କରାଯାଇଛି । ପ୍ରଧାନ ବିଚାରପତି ଡିି.ୱାଇ.ଚନ୍ଦ୍ରଚୂଡ ମଧ୍ୟ ୨୦୨୩ ଫେବୃୟାରୀ ୨୮ ତାରିଖରେ ଉଭୟ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ନୋଟିସ ଜାରି କରି ୨୮ ଦିନ ମଧ୍ୟରେ ଜବାବ ନ ମିଳିଲେ ଅଦାଲତ ଏକତରଫା ନିଷ୍ପତ୍ତି ନେବେ ବୋଲି ସୂଚାଇ ଦେଇଥିଲା । ତେବେ, କେନ୍ଦ୍ର ବା ଆନ୍ଧ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ କୌଣସି ଜବାବ ଦାଖଲ ହୋଇନଥିବା ଓଡ଼ିଶା ପକ୍ଷରୁ ସୁପ୍ରିମ କୋର୍ଟରେ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୁପ୍ରିମ କୋର୍ଟଙ୍କ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହି ମାମଲା ସମେତ ମୋଟ ତିନିଟି ମାମଲା ସୁପ୍ରିମ କୋର୍ଟଙ୍କ ବିଚାରାଧୀନ ଥିବା ଜଣାପଡିଛି ।
ତେବେ, କୁଟିଆ ସମସ୍ୟାକୁ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରଧାନ ଓ ତାଙ୍କ ସହ ସଂପୃକ୍ତ ଅଂଚଳ ଗସ୍ତ କରି ଫେରି ଥିବା ରାଜ୍ୟର ଚାରି ଜଣ ବିଜେପି ବିଧାୟକ – ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ବ୍ରହ୍ମଗିରି), ମୁକେଶ ମହାଲିଂଗ (ଲୋଇସିଂହା), ସନାତନ ବିଜୁଳି (ବଡସାହି) ଓ ସୁରଜ ସୂର୍ଯ୍ୟବଂଶୀ (ଧାମନଗର) ଓଡ଼ିଶା ସରକାରଙ୍କୁ ଘେରିବା ପାଇଁ ଯେଉଁ ସବୁ ପ୍ରଶ୍ନ ଉଠାଇଛନ୍ତି ସେସବୁ ବେଶ୍ ଗୁରୁତ୍ୱ ରଖୁଛି । ଆପୋଷ ଆଲୋଚନା ମାଧ୍ୟମରେ କୋଟିଆ ବିବାଦର ସମାଧାନ କରିବାକୁ ସୁପ୍ରିମ କୋର୍ଟ କହିବା ପରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଦୁହିଁଙ୍କ ମଧ୍ୟରେ କି ଆଲୋଚନା ହେଲା ତାହା ରାଜ୍ୟବାସୀଙ୍କୁ କାହିଁକି ଅବଗତ କରାଯାଇ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଦୁଇ ରାଜ୍ୟ ସରକାର ଉଚ୍ଚ ପ୍ରଶାସନିକ ସ୍ତରରେ ଯୁଗ୍ମ କମିଟି ଗଠନ କରି ବିବାଦୀୟ ୨୧ଟି କୋଟିଆ ଗ୍ରାମକୁ ଯାଇ ସମାଧାନର ପନ୍ଥା ବାହାର କରିବେ ବୋଲି ସରକାର କହିଥିଲେ । ବର୍ଷେ ବିତି ଥିଲେ ସୁଦ୍ଧା ସେଥିରେ କିଛି ଅଗ୍ରଗତି ଘଟି ନଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାଛଡା, କୋଟିଆ ଅଂଚଳରେ ୧୫୦ କୋଟି ଟଙ୍କାର ଉ୍ନୟନ କାର୍ଯ୍ୟ ଚାଲି ଥିବା ସରକାର କହୁଥିବା ବେଳେ ବାସ୍ତବ କ୍ଷେତ୍ରରେ ସେଭଳି କିଛି ପରିବର୍ତ୍ତନ ଦେଖିବାକୁ ମିଳୁ ନାହିଁ କାହିଁକି (?) ବୋଲି ମଧ୍ୟ ସେମାନେ ପ୍ରଶ୍ନ କରିଛନ୍ତି । ଏସବୁ ପ୍ରଶ୍ନକୁ ‘ରାଜନୀତି’ କହି ରାଜ୍ୟ ସରକାର ଟାଳି ଦେଇପାରନ୍ତି । ତେବେ, କୋଟିଆ ବିବାଦର ସମାଧାନ ପାଇଁ ଓଡ଼ିଶାର ସବୁ ରାଜନୈତିକ ଦଳ ଏକାଠି ହେବାର ଆବଶ୍ୟକତା ଥିବାରୁ ସରକାର ବିରୋଧୀଙ୍କୁ ବିଶ୍ୱାସକୁ ନେବା ଉଚିତ ବୋଲି ତଥ୍ୟାଭିଜ୍ଞ ମହଲରେ ମତପ୍ରକାଶ ପାଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS