ଶରଦ ପାୱାରଙ୍କ ସାକ୍ଷାତକାର, ପ୍ରଧାନମନ୍ତ୍ରୀ ଓ କଂଗ୍ରେସ…
ପ୍ରସାଦ ରାଓ
ଏପ୍ରିଲ ୦୯
ବିରୋଧୀ ଦଳମାନେ ଦୁର୍ନୀତିଗ୍ରସ୍ତ । ବେକ ପର୍ଯ୍ୟନ୍ତ ଦୁର୍ନୀତିରେ ବୁଡି ରହିଛନ୍ତି । ତେଣୁ, ସିବିଆଇ, ଇଡି ଭଳି କେନ୍ଦ୍ରୀୟ ସଂସ୍ଥାଙ୍କ ଚଢାଉକୁ ଭୟ କରୁଛନ୍ତି । ବିରୋଧୀ ନେତାଙ୍କ ଉପରେ ସିବିଆଇ, ଇଡି ଚଢାଉ ହେଲେ ତାହାକୁ ରାଜନୈତିକ ଉଦ୍ଦେଶ୍ୟ ରଖି କେନ୍ଦ୍ରୀୟ ସଂସ୍ଥାଙ୍କ ଦୁରୁପଯୋଗ ହେଉଥିବା ଅଭିଯୋଗ କରାଯାଉଛି । ଏଭଳି ଚଢାଉ ଉପରେ ରୋକ୍ ଲଗାଯିବାକୁ ୧୪ଟି ବିରୋଧୀ ଦଳ ସୁପ୍ରିମ କୋର୍ଟରେ ମିଳିତ ଭାବେ ଆବେଦନ କରିଥିଲେ ମଧ୍ୟ ସୁପ୍ରିମ କୋର୍ଟ ବୁଧବାର (ଏପ୍ରିଲ ୫ ତାରିଖ) ଦିନ ଏହି ଆବେଦନର ଶୁଣାଣୀ କରିବାକୁ ମନା କରି ଦେଇ ରାଜନୈତିକ ଉପାୟରେ ଏହାର ସମାଧାନ କରିବାକୁ ସେମାନଙ୍କୁ କହିଛନ୍ତି । ତାହା ବିରୋଧୀ ନେତାଙ୍କ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନକୁ ଅଦାଲତ ସ୍ୱୀକୃତି ଦେଲା ଭଳି ହୋଇଛି । ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶନିବାର ଦିନ ତେଲେଂଗାନା ରାଜଧାନୀ ହାଇଦ୍ରାବାଦଠାରେ ଆୟୋଜିତ ଏକ ଉଦ୍ଘାଟନ ସଭାରେ ଭାଷଣ ଦେବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳଙ୍କୁ ଏଭଳି ଭାବେ ଛିଗୁଲାଇଛନ୍ତି ।
କେବଳ ହାଇଦ୍ରାବାଦ ସଭାରେ ନୁହେଁ, ୨୦୨୩ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ଅନ୍ୟ ରାଜ୍ୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳ ନେତାଙ୍କ ଦୁର୍ନୀତିକୁ ବଡ ପ୍ରସଙ୍ଗ କରି ସେମାନଙ୍କ ବିରୋଧରେ ଚାଲିଥିବା ସିବିଆଇ ଓ ଇଡି କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ ସାବ୍ୟସ୍ତ କରିବାକୁ ପଛାଉ ନାହାନ୍ତି । ଅପରପକ୍ଷରେ, ବିରୋଧୀ ସିବିଆଇ ଓ ଇଡି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ଦେଶର ସମ୍ବିଧାନ ଓ ଗଣତନ୍ତ୍ର ବିପନ୍ନ ହୋଇପଡିଥିବା ଦର୍ଶାଇ ବିଜେପି ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସଂଗଠିତ ହେଉଥିବା ସଂସଦର ଗତ ବଜେଟ ଅଧିବେଶନ ସମୟରେ ଦେଖିବାକୁ ମିଳିଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ଦଳମାନେ ଏକାଠି ହେବାର ନାଟକ କରୁଥିବା ବେଳେ କୌଣସି ମତେ ସେମାନଙ୍କୁ ଭାଗ ଭାଗ କରି ରଖିବାକୁ ଶାସକ ବିଜେପି ଯେଉଁ ଅଭିଯାନ ଜାରି ରଖିଛି ତାହା ଶୁକ୍ରବାର ଦିନ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ଏନଡିଟିଭିରେ ପ୍ରସାରିତ ଏନସିପି ନେତା ଶରଦ ପାୱାରଙ୍କ ଲାଇଭ୍ ସାକ୍ଷାତକାରରୁ ସ୍ପଷ୍ଟ ହେଉଛି ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ବିରୋଧୀ-ଏକତା ଉଦ୍ୟମର ମଂଗ ଧରି ଥିବା ବଡ ରାଜନେତାଙ୍କ ମଧ୍ୟରେ ଅଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗର ଜେପିସି ତଦନ୍ତ ଦାବି କରି ସଂସଦର ଗତ ବଜେଟ ଅଧିବେଶନକୁ ଅଚଳ କରି ଦେଇଥିବା ୨୦ଟି ରାଜନୈତିକ ଦଳ ମଧ୍ୟରେ ଏନସିପି ମଧ୍ୟ ଥିଲା । ସଂସଦ ଭିତରେ ଓ ବାହାରେ କଂଗ୍ରେସ ନେତୃତ୍ୱରେ ମିଳିତ ପ୍ରଦର୍ଶନ ମଧ୍ୟ ହୋଇଥିଲା । ତେବେ, ଏନସିପି ମୁଖ୍ୟ ପାୱାର ଶୁକ୍ରବାର (ଏପ୍ରିଲ ୭ ତାରିଖ) ଦିନ ଏନଡିଟିଭିକୁ ଦେଇଥିବା ଲାଇଭ୍ ସାକ୍ଷାତକାରରେ ଅଚାନକ ମତ ବଦଳାଇ ‘ଆଦାନୀ ଗୃପ୍’ ଅପରିଚିତ ଶତୃଙ୍କ ଟାର୍ଗେଟ୍ ହୋଇଥିବା ଏବଂ ହିଣ୍ଡେନବର୍ଗ ରିପୋର୍ଟ ଭିତ୍ତିରେ ‘ଆଦାନୀ ଗୃପ୍’ ବିରୋଧରେ ଜେପିସି (ଯୁଗ୍ମ ସଂସଦୀୟ କମିଟି)ର ତଦନ୍ତ ଦାବି ଅନାବଶ୍ୟକ ଥିବା କହି କଂଗ୍ରେସ ସମେତ ଅନ୍ୟ ସହଯୋଗୀ ଦଳଙ୍କୁ ଅଡୁଆରେ ପକାଇଛନ୍ତି ।
ଅବଶ୍ୟ ପାୱାରଙ୍କ ଯୁକ୍ତି ହେଉଛି, ଯେହେତୁ ସୁପ୍ରିମ କୋର୍ଟ ‘ଆଦାନୀ ଗୃପ୍’ ବିରୋଧରେ ହୋଇଥିବା ଷ୍ଟକ୍ ଓ ଆର୍ଥିକ ଜାଲିଆତି ଅଭିଯୋଗର ତଦନ୍ତ ପାଇଁ ଏକ ବୈଷୟିକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ସେହି ସମାନ ଅଭିଯୋଗର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଆଦେଶ ଦିଆଯିବାର କୌଣସି ଔଚିତ୍ୟ ରହୁ ନାହିଁ । ସଂସଦରେ ବିଜେପି ସଦସ୍ୟ ସଂଖ୍ୟା ଯଥେଷ୍ଟ ଅଧିକ ଥିବାରୁ ଯୁଗ୍ମ ସଂସଦୀୟ କମିଟି ଗଠନ ହେଲେ ସେଥିରେ ଶାସକ ଦଳର ପ୍ରତିନିଧିତ୍ୱ ଅଧିକ ରହିବ ଏବଂ ସରକାର ଯେଭଳି ଚାହିଁବେ ସେଭଳି ବାଟରେ ତଦନ୍ତ ପରିଣାମ ଯିବ । ଏଥିରେ ବାସ୍ତବ୍ୟ ସତ୍ୟ ପ୍ରଘଟ ହେବା ସମ୍ଭାବନା କ୍ଷୀଣ । ବିରୋଧୀ ମଧ୍ୟ କୌଣସି ପ୍ରକାର ଲଭବାନ ହେବେ ନାହିଁ । ପାୱାରଙ୍କ ମତ ଶାସକ ଦଳକୁ ସୁହାଇଲା ଭଳି ହୋଇଥିବାରୁ ବିରୋଧୀ ଏକତା ଉଦ୍ୟମକୁ ଭଣ୍ଡୁର କରିବା ପାଇଁ ଏହା ବିଜେପି ପ୍ରୟୋଜିତ ଏକ ରାଜନୈତିକ ଚାଲ୍ ନୁହେଁ ତ (?) ବୋଲି ବିରୋଧୀ ମହଲରେ ପ୍ରଶ୍ନ ହେଉଛି ।
ପାୱାର ଏନଡିଟିଭି ସାକ୍ଷାତକାରରେ ଏହା ମଧ୍ୟ କହିଛନ୍ତି ଯେ, ହିଣ୍ଡେନବର୍ଗ ହେଉଛି ଆମେରିକାର ଏକ ଅନାମଧେୟ ସର୍ଟସେଲର୍ କଂପାନୀ । ସଂପୃକ୍ତ ସଂସ୍ଥା ପ୍ରକାଶ କରିଥିବା ରିପୋର୍ଟ ଅଧାରରେ ଦେଶର ଅନ୍ୟତମ ପ୍ରମୁଖ ଉଦ୍ୟୋଗପତି ଗୌତମ ଆଦାନୀଙ୍କ ବ୍ୟବସାୟିକ ସଂସ୍ଥା ସମୂହକୁ ସନ୍ଦେହ କରାଯାଇ ଅଭିଯୋଗର ଜେପିସି ତଦନ୍ତ ହେବା ଉଚିତ ମନେ ହେଉ ନାହିଁ । ସୁପ୍ରିମ କୋର୍ଟ ଦ୍ୱାରା ଗଠିତ ବିଶେଷଜ୍ଞ କମିଟି ଧାର୍ଯ୍ୟ ସମୟ ମଧ୍ୟରେ ତଦନ୍ତ ସାରି ବାସ୍ତବ୍ୟ ସତ୍ୟ ପଦାକୁ ଆଣିବେ ବୋଲି ତାଙ୍କ ବିଶ୍ୱାସ ରହିଛି । ପାୱାରଙ୍କ ଏହି ସକ୍ଷାତକାରକୁ ନେଇ କଂଗ୍ରେସ ଓ ଅନ୍ୟ ବିରୋଧୀ ହତୋତ୍ସାହିତ ଥିଲେ ମଧ୍ୟ ଏହା ପାୱାରଙ୍କ ବ୍ୟକ୍ତିଗତ ମତ, ଅନ୍ୟ ୧୯ଟି ବିରୋଧୀ ଦଳର ମତ ନୁହେଁ ବୋଲି କଂଗ୍ରେସ କହିଛି । ଜେପିସି ତଦନ୍ତ ଦାବିରେ ବିରୋଧୀ ମେଂଟର ଚାପ ସରକାରଙ୍କ ଉପରେ ଅବ୍ୟାହତ ରହିବ ବୋଲି ଶନିବାର କଂଗ୍ରେସ ନେତା ଜୟରାମ ରମେଶ ସ୍ପଷ୍ଟ କରିଛନ୍ତି ।
ଏଠାରେ ଉଲ୍ଳେଖନୀୟ ଯେ, ଏନଡିଟିଭି ଏବେ ଉଦ୍ୟୋଗପତି ଆଦାନୀଙ୍କ ମାଲିକାନାରେ ରହିଛି । ୨୦ଟି ବିରୋଧୀ ଦଳ ଆଦାନୀଙ୍କ ବ୍ୟବସାୟ ସଂପର୍କରେ ହିଣ୍ଡେନବର୍ଗ ରିପୋର୍ଟରେ ପ୍ରକାଶିତ ତଥ୍ୟ ଅତ୍ୟନ୍ତ ଗୁରୁତର ଦର୍ଶାଇ ତାହାର ଜେପିସି ତଦନ୍ତ ଦାବି କରିବା ଦ୍ୱାରା କେନ୍ଦ୍ର ସରକାର ଓ ଉଦ୍ୟୋଗପତି ଆଦାନୀଙ୍କ ବ୍ୟବସାୟ ସମୂହର ଅଡୁଆ ବଢିଛି । ୨୦୨୩ରେ କିଛି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏବେ ସବୁ ରାଜନୈତିକ ଦଳ ‘ନିର୍ବାଚନ ମୁଡ୍’ରେ ଥିବା ସମୟରେ ଆଦାନୀ ଗୃପ୍ ବିରୋଧରେ ଜାଲିଆତି ଅଭିଯୋଗରେ ବିରୋଧୀ ଜେପିସି ତଦନ୍ତ ଦାବିରେ ଅଡି ରହିବା ଏବଂ ବିରୋଧୀଙ୍କୁ ଏକାଠି ହେବାରେ ଏହି ପ୍ରସଙ୍ଗ ସହାୟକ ହେଉଥିବା ଦେଖି ସରକାର ଘାବରେଇବା ସ୍ୱାଭାବିକ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ମାନହାନୀ ମାମଲାରେ ସୁରଟର ଏକ ତଳ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଦୁଇ ବର୍ଷ କାରାଦଣ୍ଡ ପାଇବା ପରେ ଲୋକସଭା ସାଂସଦ ପଦ ହରାଇଛନ୍ତି । ଏହାପରେ ମଧ୍ୟ ସେ ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିବା ବନ୍ଦ କରି ନାହାନ୍ତି । ସାବରକର ପ୍ରସଙ୍ଗରେ ଏନସିପି ମୁଖ୍ୟ ପାୱାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମୁହଁ ବନ୍ଦ କରିଥିଲେ । ଏବେ ଆଦାନୀ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ମୁହଁ ବନ୍ଦ ପାଇଁ ପାୱାରଙ୍କୁ ବ୍ୟବହାର କରାଯାଇଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ପାୱାର କହିଛନ୍ତି, ହିଣ୍ଡେନବର୍ଗ ରିପୋର୍ଟ ଭିତ୍ତିରେ ଜେପିସି ତଦନ୍ତ ଦାବିରେ ସଂସଦ ଅଚଳ କରାଯିବା ସପକ୍ଷରେ ସେ ନଥିଲେ । ବିରୋଧୀ ପ୍ରସଙ୍ଗକୁ ମାତ୍ରାଧିକ ଗୁରୁତ୍ୱ ଦେଇ ସଂସଦ ଅଚଳ କରିବା ଓ ଏହାର ପ୍ରଭାବରେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେବା ଗ୍ରହଣୀୟ ନୁହେଁ ବୋଲି ପାୱାର କହିଛନ୍ତି ।
‘ଆଦାନୀ ଗୃପ୍’କୁ ନେଇ ହିଣ୍ଡେନବର୍ଗଙ୍କ ରିପୋର୍ଟ ଗତ ଜାନୁଆରୀ ୨୪ ତାରିଖରେ ଦେଶ ସାମ୍ନାକୁ ଆସିବା ପରେ ଦେଶବ୍ୟାପୀ ରାଜନୈତିକ ହାଂଗାମା ଚାଲିଛି । ଏହି ରିପୋର୍ଟ ପ୍ରକାଶିତ ହେବା ପରେ ଉଦ୍ୟୋଗପତି ଆଦାନୀଙ୍କ ବ୍ୟବସାୟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଅତୀତରେ ଟାଟା-ବିରଳା ଗୋଷ୍ଠୀ ଟାର୍ଗେଟ୍ ହେଉଥିଲେ । ଏବେ, ଆଦାନୀ-ଆମ୍ବାନୀ ଗୋଷ୍ଠୀ ଟାର୍ଗେଟ୍ ହୋଇଛନ୍ତି ବୋଲି ଉଲ୍ଲେଖ କରି ପାୱାର କହିଛନ୍ତି, ୟୁପିଏ ସରକାରରେ ମଧ୍ୟ ଟୁ-ଜି ସ୍ପେକ୍ଟ୍ରମ ଦୁର୍ନୀତିକୁ ନେଇ ସଂସଦ ଅଚଳ ହୋଇଥିଲା । ସରକାରୀ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ଅଧିକାର ସମସ୍ତଙ୍କ ରହିଛି । ତେବେ, ସଂସଦରେ ବିତର୍କର ମଧ୍ୟ ଆବଶ୍ୟକ ରହିଛି । ୫୬ ବର୍ଷ ଧରି ବିଧାନସଭା ଓ ସଂସଦରେ ତାଙ୍କ ପ୍ରତିନିଧିତ୍ୱ ସମୟରେ ସେ ବହୁବାର ଏଭଳି ଅଚଳାବସ୍ଥା ଦେଖିଛନ୍ତି । ତେବେ, ସଂଧ୍ୟାରେ ଅଚଳାବସ୍ଥା ସୃଷ୍ଟି ହେଲେ ପର ଦିନ ଶୃଙ୍ଖଳିତ ଭାବ ସଂପୃକ୍ତ ପ୍ରସଙ୍ଗରେ ବିତର୍କ ମଧ୍ୟ ହେଉଥିଲା । ଆଜି ଉଭୟ ଶାସକ ଓ ବିରୋଧୀ ବିବାଦକୁ ଏଭଳି ଏକ ଚରମ ପର୍ଯ୍ୟାୟକୁ ନେଇ ବିତର୍କର ବାଟ ବନ୍ଦ କରି ଦେବା ଉଚିତ ହେଉ ନାହିଁ ।
ପାୱାରଙ୍କ ସାକ୍ଷାତକାର ପରେ ବିରୋଧୀ ଏକତାକୁ ନେଇ ଦୁଇ ଦିନ ହେଲା ଜାତୀୟ ଗଣମାଧ୍ୟମରେ ବିତର୍କ ଚାଲିଛି । ଏନସିପିର ମତ ବିରୋଧୀ ଏକ ଉଦ୍ୟମକୁ ଭଣ୍ଡୁର କରିବ ନାହିଁ ତ (?) ବୋଲି ରାଜନୈତିକ ବିଶ୍ଲେଷକମାନେ ପ୍ରଶ୍ନ ଉଠାଇଛନ୍ତି । ତେବେ, କଂଗ୍ରେସ କହିଛି ପାୱାରଙ୍କ ମତ ‘ଏନସିପିର ମତ’ ହୋଇପାରେ, କିନ୍ତୁ ଅନ୍ୟ ୧୯ଟି ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କ ସହ ‘ଆଦାନୀ ଗୃପ୍’ର ଘନିଷ୍ଟତାକୁ ନଜରରେ ରଖି ଏହି ଗୃପ୍ ବିରୋଧରେ ହୋଇଥିବା ଅଭିଯୋଗକୁ ଗୁରୁତ୍ୱର ସହ ଦେନଉଛନ୍ତି । ଏହାର ଜେପିସି ତଦନ୍ତ ଦାବିରେ ସେମାନେ ଅଟଳ ଅଛନ୍ତି । ଅବଶ୍ୟ, ଦେଶର ସମ୍ବିଧାନ ଓ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ଲଢେଇରେ ଏନସିପି ସେମାନଙ୍କ ସହ ସାମିଲ ଅଛି । ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ପରାଜିତ କରିବା ପାଇଁ ୨୦ ବିରୋଧୀ ଦଳ ଏକତ୍ର କାର୍ଯ୍ୟ କରିବେ । କଂଗ୍ରେସ ଏଭଳି ମତ ରଖିଥିବା ବେଳେ ଟିଏମସି (ତୃଣମୂଳ କଂଗ୍ରେସ) ଟିଏମସି ସାଂସଦ ମହୁଆ ମୈତ୍ର କିନ୍ତୁ ପାୱାରଙ୍କ ସାକ୍ଷାତକାରକୁ ତାତ୍ସଲ୍ୟ କରି କହିଛନ୍ତି, ଆଦାନୀଙ୍କ ମାଲିକାନାରେ ଥିବା ଚ୍ୟାନେଲ ଆଦାନୀଙ୍କ ବଂଧୁଙ୍କ ସାକ୍ଷାତକାର ନେଇଛି । ‘ଲଂଗ୍ ଲିଭ୍ ମିଡିଆ’.. । ଅନ୍ୟ ବିରୋଧୀ ଦଳମାନେ କଂଗ୍ରେସ ସହ ଥିବା ସ୍ପଷ୍ଟ କରିଛନ୍ତି ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ମୋଦୀ ସାଙ୍ଗିଆ’ ପ୍ରସଙ୍ଗରେ ୨୦୧୯ରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ମନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଏବଂ ତୁରନ୍ତ ସଂସଦର ସଦସ୍ୟ ପଦ ହରାଇବା ପରେ ଶାସକ ବିଜେପି ପ୍ରତି କଂଗ୍ରେସ ଅଧିକ ଆକ୍ରମଣାତ୍ମକ ହୋଇଛି । ରାହୁଲ ବାରମ୍ବାର ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗ ଉଠାଇ ଏଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଦଳ କହୁଥିବା ବେଳେ ସମାଭାବାପନ୍ନ ବିରୋଧୀ ଦଳମାନେ ରାହୁଲଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରି ମିଳିତ ଭାବେ ବିଜେପିର ମୁକାବିଲା କରୁଛନ୍ତି । ଏପରିକି, ସେମାନେ ଲୋକସଭା ବାଚସ୍ପତି ଡମ୍ ବିରଳାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ମଧ୍ୟ ସ୍ଥିର କରିଥିଲେ । ତେବେ, ଆଗୁଆ ସଂସଦ ଅଧିବେଶନକୁ ସ୍ଥଗିତ କରିଦିଆଯିବାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନାହିଁ । ପାୱାରଙ୍କ ଏନଡିଟିଭି ସାକ୍ଷାତକାର ପରେ ବିରୋଧୀ ଏକତା ଉଦ୍ୟମକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇସାରିଥିବାରୁ ଆଗାମୀ ଦିନରେ ବିରୋଧୀଙ୍କ ରଣନୀତି କଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଇତିମଧ୍ୟରେ, ତାମିଲନାଡୁ ଡିଣ୍ଡିଗୁଲ କଂଗ୍ରେସ ସଭାପତି ମଣିକନ୍ଦନଙ୍କ ଏକ ବୟାନ କଂଗ୍ରେସ ନେତୃତ୍ୱର ଅଡୁଆ ବଢାଇଛି । ଦଳ କ୍ଷମତାକୁ ଆସିଲେ ରାହୁଲଙ୍କ ବିରୋଧରେ ଦଣ୍ଡାଦେଶ ଘୋଷଣା କରିଥିବା ବିଚାରପତିଙ୍କ ଜିଭ କାଟି ଦିଆଯିବ ବୋଲି ମଣିକନ୍ଦନଙ୍କ ବିବୃତି ଦେଶର ଆଇନ ବ୍ୟବସ୍ଥା ପ୍ରତି କଂଗ୍ରେସର ଆକ୍ରମଣ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ ଶନିବାର କହିଛନ୍ତି । ବିରୋଧୀ ଦଳଗୁଡିକ ଦେଶର ସମ୍ବିଧାନ ଓ ଆଇନ ବ୍ୟବସ୍ଥାକୁ ପଦାନତ କରିବାକୁ ଉଦ୍ୟମ କଲେ ତାହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି । ପୁନର୍ବାର ବିଜେପି କଂଗ୍ରେସର ବଂଶଗତ ଶାସନକୁ ବିବାଦ ଭିତରକୁ ଟାଣିଛି ଏବଂ ବିଚାର ବ୍ୟବସ୍ଥାକୁ ଧମକାଇବା କଂଗ୍ରେସର ଏକ ଅଭ୍ୟାସ ବୋଲି କହିଛି । ମଣିକନ୍ଦନଙ୍କ ବୟାନକୁ ‘ଭାବପ୍ରବଣତା’ କହି ଏଡାଇ ହେବ ନାହିଁ । ବିଭିନ୍ନ ସମୟରେ କଂଗ୍ରେସ ନେତାମାନେ ଏଭଳି ବିବାଦୀୟ ବୟାନ ଦେଇ ନିଜେ ଅଡୁଆରେ ପଡିବା ସହ କଂଗ୍ରେସକୁ ମଧ୍ୟ ଅଡୁଆରେ ପକାଉଛନ୍ତି । ବିଜେପି ଏହାର ଫାଇଦା ନେଉଛି । ଅନ୍ୟ ବିରୋଧୀ ଦଳମାନେ ବିଜେପି ବିରୋଧରେ ଏକାଠି ହେଉଥିଲେ ମଧ୍ୟ କିଛି କଂଗ୍ରେସ ନେତାଙ୍କ ଏଭଳି ଦାୟିତ୍ୱହୀନ ବୟାନ ସମସ୍ତଙ୍କ ପାଇଁ ଅଡୁଆ ହେଉଥିବାରୁ କେତେ ଦିନ ସେମାନେ ତାହାକୁ ଅଣଦେଖା କରିବେ ଦେଖିବାକୁ ବାକି ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS