ଦିଲ୍ଲୀରେ ନୀତୀଶ-ତେଜସ୍ୱୀଙ୍କୁ ଭେଟିଲେ ଖର୍ଗେ ଓ ରାହୁଲ- ବିରୋଧୀ ଏକତା ଦିଗରେ ପାଦ ଆଗକୁ ବଢିଲା ?
ପ୍ରସାଦ ରାଓ
ଏପ୍ରିଲ ୧୨
୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ମିଳତ ଲଢେଇ ପାଇଁ ଏକ ସମ୍ଭାବ୍ୟ ବିରୋଧୀ ମେଂଟ ଗଠନ ଦିଗରେ କଂଗ୍ରେସ, ଜେଡିୟୁ ଓ ଆରଜେଡ଼ି ଆଜି ପାଦେ ଆଗେଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଆଜି ନୂଆଦିଲ୍ଲୀରେ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ସହଯୋଗୀ ବିହାର ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ନେତା ତେଜସ୍ୱୀ ଯାଦବଙ୍କୁ ଭେଟି ବିରୋଧୀ ମେଂଟ ଗଠନ ଉପରେ ଆଲୋଚନା କରିଛନ୍ତି । ସେମାନଙ୍କ ମଧ୍ୟରେ ହୋଇଥିବା ବୈଠକରେ ଜେଡିୟୁ ରାଷ୍ଟ୍ରୀୟ ସଭାପତି ରାଜୀବ ରଂଜନ ସିଂହ ଓରଫ ଲଲ୍ଳନ ସିଂହ, ଆରଜେଡ଼ି ରାଜ୍ୟସଭା ସାଂସଦ ମନୋଜ କୁମାର ଝା ଏବଂ ବରିଷ୍ଠ କଂଗ୍ରେସ ନେତା ସଲମନ ଖୁର୍ସିଦ ଉପସ୍ଥିତ ଥିଲେ । ଆଲୋଚନା ପରେ କଂଗ୍ରେସ ସଭାପତି ଖାର୍ଗେ ଗଣମାଧ୍ୟମକୁ କହିଛନ୍ତି, ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ପରାଜିତ କରିବା ପାଇଁ ଏକ ବିରୋଧୀ ମେଂଟ ଗଠନ ଦିଗରେ ଏହା ହେଉଛି ଏକ ଐତିହାସିକ ପଦକ୍ଷେପ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ବୈଠକକୁ ‘ଐତିହାସିକ’ ବୋଲି କହିଛନ୍ତି । ମିଳିତ ବିରୋଧୀ ମେଂଟ ଗଠନ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି । ମିଳିତ ଆଲୋଚନା ମାଧ୍ୟମରେ ବିରୋଧୀ ଦଳମାନେ ମିଳିତ ଭାବେ ଦେଶ ସମ୍ମୁଖରେ ସେମାନଙ୍କ ମିଳିତ ଦୃଷ୍ଟିଭଂଗୀ ଉପସ୍ଥାପନ କରିବାରେ ସକ୍ଷମ ହେବେ ବୋଲି ରାହୁଲ କହିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାହା ସହଯୋଗୀ ତଥା ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସହ ଏବେ ଦିଲ୍ଲୀରେ ଅଛନ୍ତି । ଯଥା ସମ୍ଭବ ଅଧିକରୁ ଅଧିକ ସଂଖ୍ୟକ ବିରୋଧୀ ଦଳଙ୍କୁ ଏକଜୁଟ କରିବାକୁ ସେମାନେ ଉଦ୍ୟମ କରୁଛନ୍ତି ବୋଲି ନୀତୀଶ କୁମାର ମଧ୍ୟ ଏହି ଆଲୋଚନା ପରେ କହିଛନ୍ତି । ଜେଡିୟୁ ନେତା ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି କଂଗ୍ରେସ ସଭାପତି ଖର୍ଗେ ଓ ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବା ପୂର୍ବରୁ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟି ଥିଲେ । ଲାଲୁ ଏବେ ଝିଅ ମିଶା ଭାରତୀଙ୍କ ଦିଲ୍ଲୀ ବାସଭବନରେ ରହି ଚିକିତ୍ସିତ ହେଉଛନ୍ତି । ଏଆଇସିସି ସଭାପତି ଖର୍ଗେ ତାଙ୍କ ଅଫିସିଅଆଲ ଟ୍ୱିଟର୍ ହ୍ୟାଣ୍ଡେଲରେ ଟ୍ୱିଟ୍ କରି କହିଛନ୍ତି, ଦେଶବାସୀଙ୍କ ସ୍ୱର ମିଳିତ ଭାବେ ଉତ୍ଥାପନ କରିବାକୁ ଏବଂ ଦେଶକୁ ଏକ ନୁଆ ଦିଗନ୍ତ ଦେବାକୁ ବିରୋଧୀ ନେତାମାନେ ସଂକଳ୍ପବଦ୍ଧ । ‘ଦେଶକୁ ଓ ଦେଶର ସମ୍ବିଧାନକୁ ଆମେ ସୁରକ୍ଷା ଦେବୁ’ ବୋଲି ଖର୍ଗେ ହିନ୍ଦୀରେ ଟ୍ୱିଟ୍ କରିଛନ୍ତି । ଖର୍ଗେ ପୂର୍ବରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ପୂର୍ବରୁ ଟିଏମସି ଏକାକୀ ନିର୍ବାଚନ ଲଢିବ ବୋଲି ଘୋଷଣା କରିଥିଲେ ମଧ୍ୟ ‘ମୋଦୀ ସାଂଗିଆ’କୁ ନେଇ ଏକ ମାନହାନୀ ମାମଲାରେ ସୁରଟର ଏକ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ କାରାଦଣ୍ଡ ଦେବା ଏବଂ ତାହା ପରେ ଲୋକସଭା ସଚିବାଳୟ ପକ୍ଷରୁ ତୁରନ୍ତ ରାହୁଲ ସାଂସଦ ପଦ ରଦ୍ଦ କରିଦିଆଯିବା ପରେ ଏହା ବିରୋଧରେ ବିରୋଧୀ ଦଳଙ୍କ ସହ ସ୍ୱର ମିଳାଇଛି । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିକୁ ଜଡରୁ ଓପାଡି ଫିଙ୍ଗିବା ପାଇଁ ବିରୋଧୀ ଦଳଙ୍କୁ ଆହ୍ୱାନ ଦେଇ ବିରୋଧୀ ଏକତା ଉଦ୍ୟମରେ ଏକପ୍ରକାର ସାମିଲ ହୋଇଛି । ସେହିଭଳି ଦିଲ୍ଲୀ ଓ ପଂଜାବରେ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି (ଆପ୍) ରାହୁଲଙ୍କ ବିରୋଧରେ ହୋଇଥିବା ଲୋକସଭା ସଚିବାଳୟ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରି ତାଙ୍କ ସମର୍ଥନ ଦେଇଛି । ତେବେ, ବିରୋଧୀ ମେଂଟରେ ‘ଆପ୍’ ସାମିଲ ହେବ କି ନାହିଁ ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ । ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ନିକଟରେ ଗଣମାଧ୍ୟମରେ କହିଛନ୍ତି, ସେ ବିଜେପି ବିରୋଧରେ ବିରୋଧୀ ଏକତା ନୁହେଁ, ଦେଶବାସୀ ଏକାଠି ହେବା ଉପରେ ଗୁରୁତ୍ୱ ଦେଉଛନ୍ତି । ଦେଶବାସୀ ଏକାଠି ହେଲେ ହିଁ ବିଜେପିକୁ କ୍ଷମତାରୁ ହଟାଇବା ଉଦ୍ଦେଶ୍ୟ ସାଧନ ହେବ । ବିରୋଧୀ ଏକତା କହିଲେ ଦେଶବାସୀ ତାହାକୁ ପସନ୍ଦ କରୁନାହାନ୍ତି । ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ମଧ୍ୟ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ପଣ ରଖି ବିରୋଧୀ ଏକତା ଦିଗରେ କାର୍ଯ୍ୟ କରୁଛି । ତେବେ, କଂଗ୍ରେସକୁ ସାଂଗରେ ନେଇ ବିରୋଧୀ ମେଂଟ ଗଠନ ଉଦ୍ୟମକୁ ବିଆରଏସ ବିରୋଧ କରୁଛି । ଏଭଳି ସ୍ଥିତିରେ କଂଗ୍ରେସ ସଭାପତି ଖର୍ଗେ ଆଜି ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ସାଂଗରେ ଧରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିବା ଏବଂ ସେମାନଙ୍କ ସହ ଏକ ବିକଳ୍ପ ବିରୋଧୀ ମେଂଟ ଗଠନ ଦିଗରେ ଆଲୋଚନା କରିବା ନିଶ୍ଚିତ ଭାବେ ରାଜନୈତିକ ଗୁରୁତ୍ୱ ରଖୁଛି । ଯେଉଁ ସମଭାବାପନ୍ନ ରାଜନୈତିକ ଦଳମାନେ ୨୦୨୪ ନିର୍ବାଚନରେ ବିଜେପିକୁ ପରାଜିତ କରିବା ଉଦେ୍ଦେଶ୍ୟ ରଖି ମିଳିତ ଭାବେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ସେମାନେ ନିଶ୍ଚିତ ଭାବେ ଗୋଟିଏ ମଂଚରେ ଏକାଠି ହେବେ ବୋଲି କଂଗ୍ରେସ, ଜେଡ଼ିୟୁ ଓ ଆରଜେଡି ନେତାମାନେ ଆଶା ପ୍ରକାଶ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS