ଦେଶର ୩୦ରୁ ୨୯ ମୁଖ୍ୟମନ୍ତ୍ରୀ କୋଟିପତି, ସବୁଠୁ ଧନୀ ଜଗନ ଓ ଗରୀବ ମମତା !
ପ୍ରସାଦ ରାଓ
ଏପ୍ରିଲ ୧୨
ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠକୁ ସମୀକ୍ଷା କରି ଆସୋସିଏସନ୍ ଫର୍ ଡେମେକ୍ରେଟିକ ରାଇଟସ୍ (ଏଡିଆର) ପକ୍ଷରୁ ଆଜି ପ୍ରକାଶିତ ରିପୋର୍ଟ ଚମକାଇଲା ଭଳି ହୋଇଛି । ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ଜଣ କୋଟିପତି ହୋଇଥିବା ବେଳେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସଂପତ୍ତି ହିଁ ଲକ୍ଷରେ ରହିଛି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ ସର୍ବଗ୍ରେ ରହିଛନ୍ତି । ତାଙ୍କ ସ୍ଥାବର, ଅସ୍ଥାବର ସଂପତ୍ତିର ପରିମାଣ ସର୍ବାଧିକ ୫୧୦ କୋଟି ଟଙ୍କା ଥିବା ବେଳେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସଂପତ୍ତିର ପରିମାଣ ସର୍ବନିମ୍ନ ୧୫ ଲକ୍ଷ ଟଙ୍କା ରହି ଥିବା ଏଡିଆର ରିପୋର୍ଟରୁ ସୂଚନା ମିଳିଛି । ନିର୍ବାଚନ ସମୟରେ ଦାଖଲ ହୋଇଥିବା ସତ୍ୟପାଠର ସମୀକ୍ଷା କରି ଏଡିଆର ଓ ଇଲେକ୍ସନ୍ ୱାଚ (ନ୍ୟୁଜ୍) ଏହି ସିଦ୍ଧାନ୍ତରେ ପହଂଚି ଥିବା କହିଛନ୍ତି । ଏଡିଆର ପକ୍ଷରୁ ୨୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଂଚଳର (ଦିଲ୍ଲୀ ଓ ପୁଡୁଚେରୀ) ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ସମୟରେ ଦାଖଲ ସତ୍ୟପାଠକୁ ସମୀକ୍ଷା କରାଯାଇଥିବା ବେଳେ କେବଳ ଜମ୍ମୁ-କଶ୍ମୀର ଏଥିରୁ ବାଦ୍ ପଡିଛି । କାହିଁକି ନା କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ଏବେ ନିର୍ବାଚିତ ସରକାର ନାହିଁ ବା କେହି ମୁଖ୍ୟମନ୍ତ୍ରୀ ନାହାନ୍ତି । ଏଡିଆର ରିପୋର୍ଟରେ କୁହାଯାଇଛି, ଦେଶର ୯୭ ପ୍ରତିଶତ (୩୦ରୁ ୨୯) ମୁଖ୍ୟମନ୍ତ୍ରୀ କୋଟିପତି ଏବଂ ସେମାନଙ୍କ ହାରାହାରି ସଂପତ୍ତିର ପରିମାଣ ହେଉଛି ୩୩.୯୬ କୋଟି ଟଙ୍କା । ସ୍ଥାବର ଓ ଅସ୍ଥାବର ସଂପତ୍ତି ପରିମାଣରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ରେଡ୍ଡୀ ସର୍ବାଗ୍ରେ ଥିବା ସମୟରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କ ସଂପତ୍ତି ପରିମାଣ ହେଉଛି ୧୬୩ କୋଟି ଟଙ୍କା । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୩ କୋଟି ଟଙ୍କାରୁ ଅଧିକ ସଂପତ୍ତି ସହ ତୃତୀୟ ସ୍ଥାନରେ ରହିଛନ୍ତି । ରିପୋର୍ଟ ଅନୁଯାୟୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ସେମାନଙ୍କ ସଂପତ୍ତି ପରିମାଣ ୩ କୋଟି ଟଙ୍କାରୁ ଅଧିକ ବୋଲି ସତ୍ୟପାଠରେ ସୂଚିତ କରିଥିବା ବେଳେ କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ଓ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ନିଜ ନିଜ ସଂପତ୍ତି ପରିମାଣ ୧ କୋଟି ଟଙ୍କାରୁ ଅଧିକ ଥିବା ସୂଚିତ କରିଛନ୍ତି । ସବୁଠୁ ପଛରେ ଅଛନ୍ତି ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ତାଙ୍କ ସଂପତ୍ତିର ପରିମାଣ ୧୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ଦର୍ଶାଇଛନ୍ତି । ଏଡିଆର ରିପୋର୍ଟ ଅନୁଯାୟୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତିର ପରିମାଣ ୬୩.୮୭ କୋଟି ଟଙ୍କା ହୋଇଥିବା ବେଳେ ସେଥିରେ ସ୍ଥାବର ସଂପତ୍ତି ଭାବେ ଭୁବନେଶ୍ୱରରେ ଥିବା ‘ନବୀନ ନିବାସ’ର ଦୁଇ ତୃତୀୟାଂଶ ଅଧିକାର ଅର୍ଥାତ ହାରାହାରି ୯.୫୨ କୋଟି ଟଙ୍କା ମୂଲ୍ୟ ସଂପତ୍ତି ଏବଂ ନୂଆଦିଲ୍ଲୀ ଡକ୍ଟର ଏପିଜେ ଅବଦୁଲ କାଲାମ ରୋଡରେ ଥିବା ସଂପତ୍ତିର ଅଧା ଅର୍ଥାତ ହାରାହାରି ୪୩.୩୬ କୋଟି ଟଙ୍କା ମୂଲ୍ୟର ସଂପତ୍ତି ଅନ୍ତର୍ଭୁକ୍ତ ରହିଛି । ୨୦୨୧ ଡିସେମ୍ବର ୩୧ ତାରିଖରେ ନବୀନଙ୍କ ବ୍ୟାଙ୍କ ବାଲାନ୍ସ ୯୪.୪୧ ଲକ୍ଷ ଟଙ୍କା ଥିଲା ବୋଲି ଏଡିଆର ରିପୋର୍ଟରୁ ଜଣାପଡିଛି । ଏଡିଆର ରିପୋର୍ଟ ସମୀକ୍ଷାରୁ ଆଉ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି । ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୧୩ ଜଣ ଅର୍ଥାତ ୪୩ ପ୍ରତିଶତଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ଆପରାଧିକ ଷଡଯନ୍ତ୍ର ଭଳି ଗୁରୁତର ମାମଲା ଥିବା ସେମାନେ ଦାଖଲ କରିଥିବା ସତ୍ୟପାଠର ସମୀକ୍ଷାରୁ ଜଣାପଡିଛି । ଏସବୁ ଅପରାଧ ଜାମନ ବିହୀନ ଏବଂ ଦୋଷୀ ସାବ୍ୟସ୍ତ ହେଲେ ୫ ବର୍ଷରୁ ଅଧିକ କାରାଦଣ୍ଡ ପ୍ରାବଧାନ ରହିଛି । ଆଜି ଏଡିଆର ରିପୋର୍ଟ ପ୍ରକାଶ ପାଇବା ପରେ ତାହା ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାରେ ରହିଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀଙ୍କ ସଂପତ୍ତି ପରିମାଣ ଦେଶର ୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସର୍ବାଧିକ ଥିବା ଗଣମାଧ୍ୟମକୁ ଆଚମ୍ବିତ କରିନଥିଲେ ମଧ୍ୟ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଲିକାର ସବୁଠୁ ପଛରେ ରହିବା ସମସ୍ତଙ୍କୁ ଚକିତ କରିଛି । ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଦାଖଲ କରୁଥିବା ସତ୍ୟପାଠ ଯଦି ନିଚ୍ଛକ ସତ୍ୟ ଉପରେ ଆଧାରିତ ହୋଇଥାଏ ତେବେ ମାତ୍ର ୧୫ ଲକ୍ଷ ଟଙ୍କା ସ୍ଥାବର, ଅସ୍ଥାବର ସଂପତ୍ତିର ମାଲିକାଣୀ ମମତା ବାନାର୍ଜୀଙ୍କୁ ଜଣେ ଗରୀବ ମୁଖ୍ୟମନ୍ତ୍ରୀ କହିବା ଭୁଲ ହେବ ନାହିଁ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS