ପାଇଲଟଙ୍କ ଅନଶନ – ‘କଂଗ୍ରେସ କଫିନରେ ଶେଷ କଂଟା’ ?
ପ୍ରସାଦ ରାଓ
ଏପ୍ରିଲ ୧୧
ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟ କଂଗ୍ରେସରେ ଗେହେଲୋଟ-ପାଇଲଟ୍ ବିବାଦ ଚରମରେ ପହଂଚି ଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ୨୦୧୮ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଥିବା ଦର୍ଶାଇ କଂଗ୍ରେସ ଯୁବ ନେତା ତଥା ରାଜ୍ୟର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଆଜି ନିଜ ଦଳର ସରକାର ବିରୋଧରେ ଦିନିକିଆ ଅନଶନରେ ବସି କଂଗ୍ରେସକୁ ଅଡୁଆରେ ପକାଇଛନ୍ତି । ପାଇଲଟଙ୍କ ଅଭିଯୋଗ ହେଉଛି, ମୁଖ୍ୟମନ୍ତ୍ରୀ ଗେହେଲୋଟ ୨୦୧୮ ବିଧାନସଭା ନିର୍ବାଚନରେ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ କଂଗ୍ରେସ କ୍ଷମତାକୁ ଆସିଲେ ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସରକାର ବିରୋଧରେ ଥିବା ଦୁର୍ନୀତି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ କରିବେ । କିନ୍ତୁ, ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଆଉ ଏକ ବିଧାନସଭା ନିର୍ବାଚନର ସାମ୍ନା କରିବାକୁ ଯାଉଥିବା ବେଳେ ଜନସାଧାରଣଙ୍କୁ ଦେଇଥିବା ଏହି ପ୍ରତିଶ୍ରୁତି ପାଳନରେ ଶିଥିଳତା ପ୍ରଦର୍ଶନ କରି ବିଶ୍ୱାସ ଭଂଗ କରିଛନ୍ତି । ଏହାର ପ୍ରତିବାଦରେ ସେ (ପାଇଲଟ୍) ଆଜି ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିବା ଫୁଲେଙ୍କ ଜନ୍ମଶତବାର୍ଷିକୀ ଅବସରରେ ଦିନିକିଆ ଅନଶନରେ ବସିବେ ବୋଲି ଚେତାବନୀ ଦେଇଥିଲେ । ଚେତାବନୀ ଅନୁଯାୟୀ ପାଇଲଟ ଆଜି ଗେହେଲୋଟ ସରକାର ବିରୋଧରେ ରାଜସ୍ଥାନ ରାଜଧାନୀ ଜୟପୁରର ‘ସହୀଦ ସ୍ମାରକୀ ସ୍ଥଳ’ରେ ଦିନିକିଆ ଅନଶନରେ ବସିଛନ୍ତି ।
କଂଗ୍ରେସ ନେତୃତ୍ୱ ପାଇଲଟଙ୍କୁ ଗତକାଲି ଚେତାଇ ଦେଇଥିଲେ ଯେ, ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କ ବିରୋଧରେ ସେ ଅନଶନରେ ବସିଲେ ତାହା ଦଳ ବିରୋଧୀ କାର୍ଯ୍ୟ ଭାବେ ବିଚାର କରାଯିବ ଏବଂ ତାଙ୍କ ବିରୋଧରେ ଦଳ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ । ଏହାସତ୍ତ୍ୱେ ପାଇଲଟ ଆଜି ଅନଶନରେ ବସିବା ‘କଫିନରେ ଶେଷ କଂଟା’ ବୋଲି ବିଜେପି କହିଛି । ବିଜେପି ଏଭଳି ପ୍ରତିକ୍ରିୟା ବ୍ୟକ୍ତ କରିବାର କାରଣ ହେଉଛି, କଂଗ୍ରେସ ଦଳ ୨୦୧୮ ବିଧାନସଭା ନିର୍ବାଚନ ସେତେବେଳେ ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି ଥିବା ସଚିନ ପାଇଲଟଙ୍କ ନେତୃତ୍ୱରେ ଲଢି ବିଜେପିକୁ କ୍ଷମତାଚ୍ୟୁତ କରିବାରେ ସଫଳ ହୋଇଥିଲେ ମଧ୍ୟ ଦଳର ବୟୋଜ୍ୟେଷ୍ଠ ନେତାଙ୍କ ଚାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ଆସନରେ ବସା ଯାଇଥିଲା । ପାଇଲଟ ଓ ତାଙ୍କ ସମର୍ଥକମାନେ ଏହାର ଦୃଢ ବିରୋଧ କରିବାରୁ କଂଗ୍ରେସ ହାଇକମାଣ୍ଡ ପାଇଲଟଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଦେଇ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଥିଲେ । ଫଳରେ, ଦୁଇ ନେତାଙ୍କ ମଧ୍ୟରେ କିିଛି ଦିନ ପାଇଁ ସନ୍ଧି ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ଥିବା ଅହଂଭାବ କୁହୁଳି କୁହୁଳି ଦୁଇ ବର୍ଷ ପରେ ଖୋଲା ଯୁଦ୍ଧର ରୂପ ନେଇଥିଲା । ବର୍ତ୍ତମାନ କେନ୍ଦ୍ର ସରକାରରେ ମନ୍ତ୍ରୀ ଥିବା ମଧ୍ୟ ପ୍ରଦେଶର ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକାଭଳି ପରିସ୍ଥିତିରେ ତତ୍କାଳୀନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ବିରୋଧରେ ବିଦ୍ରୋହ କରି ନିଜ ସମର୍ଥକ ବିଧାୟକଙ୍କୁ ଧରି ବିଜେପିକୁ ଚାଲି ଯିବାରୁ କମଳନାଥ ସରକାରଙ୍କ ପତନ ଘଟିଥିଲା ଏବଂ ରାଜ୍ୟରେ ବିଜେପି ସରକାରର ପୁନଃ ପ୍ରତିଷ୍ଠା ହୋଇଥିଲା । ସିନ୍ଧିଆଙ୍କୁ ଦେଖି ରାଜସ୍ଥାନରେ ସଚିନ ପାଇଲଟ ପ୍ରଦେଶ କଂଗ୍ରେସ ସଭାପତି ଓ ଉପ ମୁଖ୍ୟମନ୍ତ୍ରୀ ପଦରେ ଥାଇ ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କ ବିରୋଧରେ ବିଦ୍ରୋହର ସୂତ୍ରପାତ କରିଥିଲେ ଏବଂ ନିଜ ସମର୍ଥକ ବିଧାୟକଙ୍କୁ ଧରି ଦିଲ୍ଲୀରେ ଡେରା ପକାଇ ଥିଲେ ।
ତେବେ, ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ବିଦ୍ରୋହୀ ବିଧାୟକଙ୍କୁ ପୁନର୍ବାର ନିଜ କବ୍ଚାକୁ ନେବାରେ ସଫଳ ହେବାରୁ ପାଇଲଟ ନିଜ ଉଦ୍ଦେଶ୍ୟ ସାଧନରେ ସଫଳ ହୋଇନଥିଲେ । ଏହା ପଛରେ ବିଜେପିର ଷଡଯନ୍ତ୍ର ଥିବା କୁହାଯାଉଥିଲେ ମଧ୍ୟ ପାଇଲଟଙ୍କ ସହ ଥିବା କଂଗ୍ରେସ ବିଧାୟକଙ୍କ ସମର୍ଥନ କମି ଯିବା ଦେଖି ବିଜେପି ନିରବ ରହିବାକୁ ବାଧ୍ୟ ହୋଇଥିଲା । ଏଭଳି ସ୍ଥିତିରେ ପାଇଲଟ କଂଗ୍ରେସରେ ରହିଲେ ସିନା ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି ଓ ଉପ ମୁଖ୍ୟମନ୍ତ୍ରୀ ପଦ ହରାଇଲେ । ଏକଦା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କ ଅତ୍ୟନ୍ତ ଘନିଷ୍ଟ ଥିବା ପାଇଲଟ ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କ ବିରୋଧରେ ତାଙ୍କର ବିଦ୍ରୋହାତ୍ମକ କାର୍ଯ୍ୟକଳାପ ଯୋଗୁଁ କଂଗ୍ରେସରେ ଏକପ୍ରକାର କୋଣଠେସା ହୋଇ ରହିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ଆଶା ମଉଳି ଯାଇଥିବା ଦେଖି ନିର୍ବାଚନ ଖୁବ କମ୍ ଦିନ ଥିବାରୁ ପାଇଲଟ କଂଗ୍ରେସ ନେତୃତ୍ୱର ବାରଣକୁ ନ ମାନି ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କ ବିରୋଧୀ ଅଭିଯାନକୁ ଶାଣିତ କରିଥିବା ଆଜି ଦେଖିବାକୁ ମିଳିଛି । କଂଗ୍ରେସ ଆଡୁ କୌଣସି କାର୍ଯ୍ୟାନୁଷ୍ଠାନ ହେଲେ ସେ ବିଜେପିକୁ ଯିବା ସମ୍ଭାବନା ଥିବାରୁ ବିଜେପି ଏହାକୁ ‘କଂଗ୍ରେସ କଫିନରେ ଶେଷ କଂଟା’ ବୋଲି ମନ୍ତବ୍ୟ ଦେଇଥିବା ଅନୁମାନ କରାଯାଉଛି ।
ଆଜି ଅନଶନ ସ୍ଥଳରେ ପାଇଲଟ ସମର୍ଥକଙ୍କ ସ୍ଲୋଗାନ ଥିଲା – ‘ହମାରା ସିଏମ୍ କୈସି ହୋ, ସଚିନ ପାଇଲଟ୍ ଜୈସି ହୋ..’ । ପାଇଲଟଙ୍କ ସହ ବହୁ ସମର୍ଥକ, ନେତା, କର୍ମୀ, ସର୍ବ ବ୍ରାହ୍ମଣ ମହାସଭାର ପ୍ରତିଷ୍ଠାତା ସଭାପତି ପଣ୍ଡିତ ସୁରେଶ ମିଶ୍ର, ପୂର୍ବତନ ଜୟପୁର ମେୟରଜ୍ୟୋତି ଖଣ୍ଡେଲୱାଲ ପ୍ରମୁଖ ମଂଚାସୀନ ଥିଲେ । ପାଇଲଟଙ୍କ ଦିନିକିଆ ଅନଶନ ନିଷ୍ପତ୍ତି କଂଗ୍ରେସର ସ୍ୱାର୍ଥ ବିରୋଧୀ ଏବଂ ଏହା ଏକ ଦଳ ବିରୋଧୀ କାର୍ଯ୍ୟ ବୋଲି ଏଆଇସିସିର ରାଜସ୍ଥାନ ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧୱା ଗତକାଲି ରାତିରେ କହିଥିଲେ । ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କ ସହ ଦଳର ଯୁବ ନେତା ପାଇଲଟଙ୍କ ଏଭଳି କୌଣସି ଇସ୍ୟୁ ଥିବା ପୂର୍ବରୁ ତାଙ୍କୁ ଜଣାଇ ନାହାନ୍ତି ବୋଲି ରନ୍ଧୱା କହିଥିବା ବେଳେ ଏହା ପୂର୍ବରୁ ରାଜସ୍ଥାନ ପାଇଁ ଏଆଇସିସି ପ୍ରଭାରୀ ଥିବା ଅଜୟ ମାକାନଙ୍କୁ ସେସବୁ କଥା ଜଣାଇ ଥିଲେ ବୋଲି ପାଇଲଟ କହିଛନ୍ତି । ରାଜସ୍ଥାନରେ ଏଭଳି ରାଜନୈତିକ ନାଟକ ଚାଲିଥିବା ବେଳେ କଂଗ୍ରେସ ନେତା ତଥା ଏଆଇସିସିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ କେରଳର ୱାଇନାଡୁକୁ ଚାଲି ଯାଇଥିବା କଂଗ୍ରେସ ନେତୃତ୍ୱର ମତିଗତିକୁ ଅସ୍ପଷ୍ଟ କରି ଦେଇଛି । ପାଇଲଟ ସନ୍ଧ୍ୟାରେ ଅନଶନ ସରିବା ପରେ ଏକ ସାମ୍ବାଦିକ ସମ୍ମିଳନୀ ରଖି ଥିବାରୁ ସେଠାରେ ତାଙ୍କ ବକ୍ତବ୍ୟ କଣ ହେବ (?), ତାହା ଉପରେ ଗଣମାଧ୍ୟମ ଓ ରାଜନେତାଙ୍କ ନଜର ରହିଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS