ୟୁପି ପୁଲିସର ଏନକାଉଂଟରରେ ବାହୁବଳୀ ଆସାଦ ଅହମ୍ମଦର ମୃତ୍ୟୁ
ପ୍ରସାଦ ରାଓ
ଏପ୍ରିଲ ୧୩
ୟୁପିର ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡରେ ମୁଖୃ ଅଭିଯୁକ୍ତ ଥାଇ ପୁଲିସକୁ ଚକମା ଦେଇ ବୁଲୁଥିବା ଗ୍ୟାଙ୍ଗଷ୍ଟର ଆସାଦ ଅହମ୍ମଦ ଓ ତା’ର ସହଯୋଗୀ ଘୁଲାମକୁ ଆଜି ପୁଲିସ ୟୁପିର ଝାନ୍ସୀରେ ଏନକାଉଂଟର କରିଛନ୍ତି । ପୁଲିସ ଗୁଳିରେ ଦୁହେଁ ପ୍ରାଣ ହରାଇଛି । ଆସାଦ ଘନିଷ୍ଟ ସହଯୋଗୀ ଘୁଲମା ସହ ଏକ ବାଇକରେ ମଧ୍ୟ ପ୍ରଦେଶ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଖବର ପାଇଁ ସେମାନଙ୍କୁ ପିଛା କରିଥିବା ଏବଂ ସେମାନେ ଗୁଳି ଚଳାଇବାରୁ ପାଲଟା ଗୁଳିରେ ମୃତ୍ୟୁବରଣ କରିଥିବା ୟୁପି ପୁଲିସ କହିଛି । ପୁଲିସ ଏହି ଦୁଇ ଅପରାଧୀଙ୍କ ନାମରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରଖି ଥିଲେ । ଆସାଦ ଅହମ୍ମଦ ହେଉଛି ୟୁପିର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟରରୁ ରାଜନେତା ହୋଇଥିବା ଏବଂ ଏବେ ଏକ ଅପହରଣ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ପୂର୍ବତନ ସମାଜବାଦୀ ସାଂସଦ ଆତିକ ଅହମ୍ମଦଙ୍କ ପୁଅ । ଆଇନଜୀବୀ ଉମେଶ ପାଲକୁ ଗୁଳି କରି ହତ୍ୟା କରିବା ବେଳର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ୍ ହୋଇ ରହିଛି ଏବଂ ପୁଲିସ ଆସାଦ ଅହମ୍ମଦକୁ ଚିହ୍ନଟ କରିବା ପରେ ତାକୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ଆସାଦ ଓ ତା୩ର ସହଯୋଗୀ ପୁଲିସ ଆଖିରେ ଧୁଳି ଦେଇ ଘୁରି ବୁଲୁଥିଲେ । ଆଜି ମଧ୍ୟାହ୍ନରେ ଆସାଦ ଓ ଘୁଲାମ ଗୋଟିଏ ମଟର ସାଇକଲରେ ମଧ୍ୟ ପ୍ରଦେଶ ଆଡକୁ ପଳାଉ ଥିବା ସୂଚନା ପାଇ ଉତ୍ତର ପ୍ରଦେଶ ପୁଲିସର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ସେମାନଙ୍କ ପିଛା କରିଥିଲେ । ଘୁଲାମ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇବାରୁ ପୁଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇ ଥିଲେ ବୋଲି ପୁଲିସ କହିଛନ୍ତି । ମୃତ ଦୁଇ ଅପରାଧୀଙ୍କ ନିକଟରୁ ଅତ୍ୟାଧୁନିକ ଅସ୍ତ୍ର, ନୂଆ ସେଲଫୋନ୍ ଓ ସିମକାର୍ଡ ଜବତ ହୋଇଥିବା ଜଣାପଡିଛି । ୟୁପି ପୁଲିସ କହିବା ଅନୁଯାୟୀ, ଆସାଦ ଅହମ୍ମଦ ଉମେଶ ପାଲକୁ ହତ୍ୟା କରିବା ପରେ ପ୍ରଥମେ ଲକ୍ଷ୍ନୌ ପଳାଇ ଥିଲା । ସେଠାରୁ କାନପୁର, ମିରଟ ହୋଇ ଦିଲ୍ଲୀରେ ଆତ୍ମଗୋପନ କରିଥିଲା । ଦିଲ୍ଲୀରୁ ମଧ୍ୟ ପ୍ରଦେଶ ଖସି ପଳାଇବାକୁ ସେ ଯୋଜନା କରିଥିବା ନେଇ ପୁଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ ସୂଚନା ପାଇଥିଲେ ଏବଂ ଆଜି ବାଇକରେ ମଧ୍ୟ ପ୍ରଦେଶ ସୀମା ଆଡକୁ ଯାଉଥିବା ବଳେ ଆସାଦ ଓ ଘୁଲାମକୁ ପିଛା କରିଥିଲେ । ଝାନ୍ସୀର ବାବିନା ରୋଡରେ ଏହି ଏନକାଉଂଟର ହୋଇଥିଲା । ଦୁଇ ଜଣ ଡିଏସପିଙ୍କ ନେତୃତ୍ୱରେ ୧୨ ଜଣିଆ ପୁଲିସ ଏହି ଏନକାଉଂଟରରେ ସାମିଲ ଥିଲେ । ମୋଟ ୪୨ ରାଉଣ୍ଡ ଗୁଳି ବ୍ୟବହାର ହୋଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ଏକା ହତ୍ୟା ଘଟଣାରେ ବାପା ଆତିକ ଅହମ୍ମଦ କୋର୍ଟରେ ପେସ୍ ହୋଇ ୧୪ ଦିନିଆ ନ୍ୟାୟିକ ହାଜକୁ ଯିବା ସମୟରେ ପୁଅ ଆସାଦ ଅହମ୍ମଦ ପୁଲିସ ଗୁଳିରେ ପ୍ରାଣ ହରାଇ ଥିବା ଖବର ଆସିଛି । ଆସାଦ ଅହମ୍ମଦ ଦ୍ୱାରା ହତ୍ୟାର ଶିକାର ହୋଇଥିବା ଉମେଶ ପାଲ ଜଣେ ଓକିଲ ଏବଂ ୨୦୦୫ରେ ହୋଇଥିବା ବିଏସପି ବିଧାୟକ ରାଜୁ ପାଲ ହତ୍ୟା ଘଟଣାରେ ଜଣେ ସାକ୍ଷୀ ଥିଲେ । ଗତ ଫେବୃଆରୀ ୨୪ ତାରିଖ ଦିନ ଉମେଶ ପାଲଙ୍କୁ ପ୍ରୟାଗରାଜସ୍ଥିତ ତାଙ୍କ ବାସଭବନ ବାହାରେ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା କରାଯାଇଥିଲା । ଉମେଶ ପାଲଙ୍କୁ ସୁରକ୍ଷା ଦେଉଥିବା ସୁରକ୍ଷା କର୍ମଚାରୀ ମଧ୍ୟ ଦୁର୍ବୁତ୍ତଙ୍କ ଗୁଳିରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣା ସମଗ୍ର ୟୁପିରେ ହଇଚଇ ସୃଷ୍ଟି କରିବା ସହ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରେ ବିପର୍ଯ୍ୟସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିନ୍ଦା ଶୁଣିବାକୁ ମିଳିଥିଲା । ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଥିଲେ । ଆସାଦ ଅହମ୍ମଦର ପିତା ଆତିକ ଅହମ୍ମଦ ହେଉଛି ସମାଜବାଦୀ ପାର୍ଟିର ଜଣେ ପୂର୍ବତନ ସାଂସଦ । ଗ୍ୟାଙ୍ଗଷ୍ଟରରୁ ରାଜନେତା ଆତିକ ଅହମ୍ମଦଙ୍କ ବିରୋଧରେ ମଧ୍ୟ ଶତାଧିକ ଗୁରୁତର ଅପରାଧ ମାମଲା ରହିଛି । ୧୭ ବର୍ଷ ତଳେ ୨୦୦୬ରେ ଉମେଶ ପାଲକୁ ଅପହରଣ କରିଥିବା ମାମଲାରେ ଗତ ମାସରେ ଆତିକ ଅହମ୍ମଦକୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଆତିକ ଅହମ୍ମଦ ୟୁପି ଜେଲରେ ଥିବା ସମୟରେ ଜଣେ ବ୍ୟବସାୟୀଙ୍କ ହତ୍ୟା ଷଡଯନ୍ତ୍ର ରଚିଥିଲା । ତାହା ଜଣାପଡିବା ପରେ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଅନୁସାରେ ଆତିକକୁ ଗୁଜରାଟର ସାବରମତି ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ୨୦୧୯ରୁ ସେ ସାବରମତି ଜେଲରେ ଅଛି ଏବଂ ଗତ କିଛି ମାସ ହେଲା କୋର୍ଟ ଶୁଣାଣୀ ପାଇଁ ଆତିକକୁ କଡା ସୁରକ୍ଷା ବଳୟରେ ଗୁଜରାଟରୁ ୟୁପି ଅଣାଯାଉଛି । ଆତିକ ଅହମ୍ମଦ ମଧ୍ୟ ଏନକାଉଂଟର ଆଶଙ୍କାରେ ସର୍ବଦା ଆତଙ୍କିତ । ଆଜି ଆସାଦ ଅହମ୍ମଦଙ୍କ ସଫଳ ଏନକାଉଂଟରକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମର୍ଥନ କରି ପୁଲିସକୁ ସାବାସୀ ଦେଇଥିବା ବେଳେ ସମାଜବାଦୀ ପାର୍ଟି ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ‘ଏହା ଏକ ମିଥ୍ୟା ଏନକାଉଂଟର’ କହି ସରକାରଙ୍କୁ ସମାଲୋଚନା କରିଛନ୍ତି । ଅଖିଳେଶ କହିଛନ୍ତି, ନ୍ୟାୟିକ ବ୍ୟବସ୍ଥା ଉପରେ ବିଜେପିର ବିଶ୍ୱାସ ନଥିବାରୁ ଯୋଗୀ ସରକାର ଆଇନ ହାତକୁ ନେଉଛନ୍ତି । ଅନ୍ୟାନ୍ୟ ପ୍ରସଙ୍ଗରୁ ଜନତାଙ୍କ ନଜର ହଟାଇବା ପାଇଁ ଆଜିର ଏହି ଏନକାଉଂଟର କରାଯାଇଛି । କାହାର ବଂଚିବାର ଅଧିକାର ଅଛି କି ନାହିଁ ତାହା ଅଦାଲତ ନିର୍ଣ୍ଣୟ ନେବା ସ୍ଥଳେ ଶାସକ ଦଳ ନେଉଥିବା କ୍ଷୋଭର ବିଷୟ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS