ରବିବାର ସିବିଆଇରେ ହାଜିରା ନୋଟିସ, କେଜରୀୱାଲଙ୍କ ବିପଦ ବଢୁଛି !
ପ୍ରସାଦ ରାଓ
ଏପ୍ରିଲ ୧୫
୨୦୧୧ରେ ଦୁର୍ନୀତି ବିରୋଧୀ ଅଭିଯାନରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଏବେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଫସି ସିବିଆଇ ଜେରାର ସାମ୍ନା କରିବାକୁ ଯାଉଥିବା ଭାରତୀୟ ରାଜନୀତିର ପରିବତ୍ତିତ ସ୍ୱରୂପକୁ ସାମ୍ନାକୁ ଆଣିଛି । ଗତ କିଛି ଦିନ ହେଲା ମୁଖ୍ୟମନ୍ତ୍ରୀ କେଜରୀୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ସାର୍ଟିଫିକେଟର ବୈଧତାକୁ ନେଇ ଗଣମାଧ୍ୟମରେ ପ୍ରଶ୍ନ ଉଠାଇ ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଥିଲେ । ଜଣେ ସ୍ୱଳ୍ପ ଶିକ୍ଷିତ ବା ଅଶିକ୍ଷିତ ବ୍ୟକ୍ତି ଦେଶର ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ରହିବା ଦେଶ ପାଇଁ ବିପଦ ବୋଲି ସେ ଲଗାତର ଭାବେ ଅଭିଯୋଗ କରି ପ୍ରଧାନମନ୍ତ୍ରୀ ଓ ଶାସକ ବିଜେପିର ଚକ୍ଷୁଶୂଳ ଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଡିଗ୍ରୀର ପ୍ରମାଣ ମାଗିବା ଅନାବଶ୍ୟକ ଏବଂ ତାହା ଆରଟିଆଇ ଆଇନ ପରିସୀମା ବାହାରେ ବୋଲି ଗୁଜରାଟ ହାଇକୋର୍ଟ ନିକଟରେ ରାୟ ଦେଇ ସାର୍ଟିଫିକେଟ ଦାଖଲ ପାଇଁ ସେଂଟ୍ରାଲ ଇନ୍ଫରମେସନ କମିଶନ (ସିଆଇସି)ଙ୍କ ନିର୍ଦେଶକୁ ଖାରଜ କରିବା ଓ ଆରଟିଆଇ ମାଧ୍ୟମରେ ଏଭଳି ତଥ୍ୟ ମାଗିଥିବା ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ୨୫ ହଜାର ଟଙ୍କା ଜରିମାନା କରିବା ପରେ ମଧ୍ୟ ବିବାଦରେ ପୂର୍ଣ୍ଣଛେଦ ପଡି ନଥିଲା । ଗୁଜରାଟ ହାଇକୋର୍ଟଙ୍କ ରାୟ ସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଓ ତାଙ୍କ ଦଳ ‘ଆପ୍’ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିବା ବନ୍ଦ କରି ନଥିଲା । ‘ଆପ୍’ର ମନ୍ତ୍ରୀ ଓ ବିଧାୟକମାନେ ନିଜ ନିଜ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ସ୍ୱରୂପ ସେମାନଙ୍କ ସାର୍ଟିଫିକେଟ ଗଣମାଧ୍ୟମ ସମ୍ମୁଖରେ ପ୍ରଦର୍ଶନ କରି ବିଜେପି ନେତାମାନେ ମଧ୍ୟ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ଦିଅନ୍ତୁ ବୋଲି ଦାବି କରିଥିଲେ ଏବଂ ସେଦିଗରେ ଏକ ନୂତନ ଅଭିଯାନ ଆରମ୍ଭ କରିଥିଲେ । ବିଜେପିକୁ ଅଡୁଆରେ ପକାଇବାକୁ ‘ଆପ୍’ର ଅଭିଯାନ ଜୋର ଧରିଥିବା ବେଳେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ସିବିଆଇ ଶୁକ୍ରବାର ଦିନ ସମନ ପଠାଇଛି ଓ ରବିବାର (୧୬ ତାରିଖ) ପୂର୍ବାହ୍ନ ୧୧ଟାରେ ଦିଲ୍ଲୀସ୍ଥିତି କାର୍ଯ୍ୟାଳୟକ ଡକାଇଛି । ଏହା ‘ପ୍ରତିଶୋଧ ରାଜନୀତି’ ବୋଲି ବିରୋଧୀ କହୁଛନ୍ତି । ‘ଆପ୍’ର ଅଭିଯୋଗ ହେଉଛି, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଓ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ଯେଉଁ ଅଭିଯୁକ୍ତଙ୍କ ତାଲିକା ଅଦାଲତକୁ ଦେଇଛନ୍ତି ସେଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ନାମ ନାହିଁ । ସିବିଆଇ ଅବକାରୀ ଦୁର୍ନୀତି ଅଭିଯୁକ୍ତ ତାଲିକାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ପୂର୍ବ ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଏକ ନମ୍ବରରେ ରଖିଛି । ସିସୋଦିଆଙ୍କ ଘରେ ଓ କାର୍ଯ୍ୟାଳୟରେ ସିବିଆଇ ବାରମ୍ବାର ଚଢାଉ କରି ଓ ଜେରା କରି ଗତ ମାର୍ଚ୍ଚ ମାସ ଶେଷ ଭାଗରେ ତାଙ୍କୁ ଗିରଫ କରିଥିଲା । ସେ ଏବେ ଦିଲ୍ଲୀର ତିହାର ଜେଲରେ ଅଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ୧୦୦ କୋଟି ଟଙ୍କାର ଦୁର୍ନୀତି କାରବାର ହୋଇଥିବା ସିବିଆଇ ଓ ଇଡି ଅଭିଯୋଗପତ୍ରରେ ଦର୍ଶାଇ ଥିଲେ ମଧ୍ୟ ସିସୋଦିଆଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢାଉରୁ ଲାଂଚ ବାବଦ କଣା ପଇସାଟିଏ ମଧ୍ୟ ଜବତ କରିବାକୁ ସକ୍ଷମ ହୋଇ ନାହାନ୍ତି । ଏପ୍ରକାର ସ୍ଥିତିରେ ସିସୋଦିଆଙ୍କୁ ଜାମିନ ମିଳୁ ନାହିଁ । ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଜେରା ପାଇଁ ସମନ ହୋଇଛି, ଯାହାକି ‘ଆପ୍’କୁ ଧ୍ୱଂସ କରିବା ପାଇଁ ବିଜେପିର ଏକ ଷଡଯନ୍ତ୍ର । ଶୁକ୍ରବାର ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ସମନ ଜାରି କରିବା ପରେ ଦେଶର ରାଜନୀତି ସରଗରମ ହୋଇଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାମାନେ କେନ୍ଦ୍ର ସରକାରଙ୍କ ଗୋଡାଣିଆ ହୋଇ କାର୍ଯ୍ୟ କରୁଥିବାରୁ ସେମାନଙ୍କ ବିରୋଧରେ ଅଦାଲତକୁ ଯିବେ ବୋଲି ମୁଖ୍ୟମନ୍ତ୍ରୀ କେଜରୀୱାଲ ଆଜି ଚେତାବନୀ ଦେବା ଆଉ ଏକ ଆଲୋଡନ ସୃଷ୍ଟି କରିଛି । କେଜରୀୱାଲ ଅଭିଯୋଗ କରିଛନ୍ତି, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମମଲାରେ ସିବିଆଇ ଓ ଇଡି ପକ୍ଷରୁ ଅଦାଲତରେ ଦାଖଲ ହୋଇଥିବା ଅଭିଯୋଗପତ୍ରରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ସଂପର୍କିତ ଭୁଲ ତଥ୍ୟ ଉପସ୍ଥାପନ କରାଯାଇ ଅଦାଲତକୁ ବିଭ୍ରାନ୍ତ କରିବା ଉଦ୍ୟମ ହୋଇଛି । ଏହି କଥିତ ଦୁର୍ନତି ମାମଲାରେ ଏଯାବତ୍ ଗିରଫ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ନିର୍ଯ୍ୟାତନା ଦିଆଯାଇ ସରକାରଙ୍କୁ ସୁହାଇଲା ଭଳି ବୟାନ ଲିପିବଦ୍ଧ କରାଯାଇଛି । ଆସନ୍ତା କାଲି ସିବିଆଇ ଜେରାର ସମ୍ମୁଖୀନ ହେବାକୁ ସେ ସିବିଆଇ କାର୍ଯ୍ୟାଳୟକୁ ଯିବା ନିଶ୍ଚିତ ବୋଲି ବୋଲି ମୁଖ୍ୟମନ୍ତ୍ରୀ କେଜରୀୱାଲ କହିଛନ୍ତି । ଅପରପକ୍ଷରେ, ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୋମବାର ପୂର୍ବାହ୍ନ ୧୧ଟାରେ ଦିଲ୍ଲୀ ବିଧାନସଭାର ଏକ ଜରୁରୀ ଅଧିବେଶନ ଡକାଯାଇଛି । ‘ଆପ୍’ର ଦିଲ୍ଲୀ ଆବାହକ ଗୋପାଳ ରାଏଙ୍କ ଅଧ୍ୟକ୍ଷତାରେ ଆଜି ଦିଲ୍ଲୀରେ ବିଧାୟକମାନଙ୍କ ଏକ ଜରୁରୀ ବୈଠକ ହେଉଥିବା ସୂଚନା ମିଳିଛି । ସିସୋଦିଆଙ୍କ ଭଳି କେଜରୀୱାଲଙ୍କୁ ମଧ୍ୟ ସିବିଆଇ କୌଣସି କାର୍ଯ୍ୟ ଦିବସରେ ନଡକାଇ ରବିବାର ଦେଖି ଡାକିବା ପଛରେ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଗିରଫ କରିବା ଷଡଯନ୍ତ୍ର ରହିଛି ବୋଲି ‘ଆପ୍’ ନେତାମାନେ ଅଭିଯୋଗ କରିଛନ୍ତି । ସିବିଆଇ ଓ ଇଡି ବିରୋଧରେ ଅଦାଲତରେ ମାମଲା ରୁଜୁ କରିବାକୁ ମୁଖ୍ୟମନ୍ତ୍ରୀ କେଜରୀୱାଲ ଆଜି ଦେଇଥିବା ବୟାନ ବିଜେପିକୁ ସମାଲୋଚନା କରିବାକୁ ଖୋରାକ ଯୋଗାଇଛି । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି, ଆଇନ ତା’ ବାଟରେ ଯିବା ଆବଶ୍ୟକ । ‘ଆଇନ ତା’ବାଟରେ ଯାଉ, ଆମେ ଆଇନର ଶାସନରେ ବିଶ୍ୱାସ କରିବା ଆବଶ୍ୟକ’ ବୋଲି ରିଜ୍ଜୁ ଟ୍ୱିଟ୍ କରିଛନ୍ତି । ଅଦାଲତରେ ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ଅଦାଲତ ବିରୋଧରେ ମଧ୍ୟ ମାମଲା କରିବେ କି ? ବୋଲି ରିଜ୍ଜୁ କେଜରୀୱାଲଙ୍କୁ ପ୍ରଶ୍ନ କରିଛନ୍ତି । ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ କାଲି ନିଜ କାର୍ଯ୍ୟାଳୟକୁ ଡକାଇ ଥିବା କଥାରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ବିରୋଧୀ ଏକତା ଉଦ୍ୟମର ଅନ୍ୟତମ ପୁରୋଧା ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆଜି ପାଟନାଠାରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ । ‘କେଜରୀୱାଲଙ୍କ ସହ କଣ ଚାଲିଛି ସମସ୍ତେ ଜାଣନ୍ତି, ଠିକ୍ ସମୟ ଆସିଲେ ସେ (କେଜରୀୱାଲ) ତାହାର ଉପଯୁକ୍ତ ଜବାବ ଦେବେ’ ବୋଲି ନୀତୀଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ବିଳମ୍ବରେ ହେଲେ ମଧ୍ୟ ସିବିଆଇ ଯାଂଚର ସାମ୍ନା କରିବେ, ଏକଥା ବହୁ ପୂର୍ବରୁ ଜାଣିଥିଲେ ଏବଂ ସିସୋଦିଆଙ୍କ ପରେ କେନ୍ଦ୍ର ସରକାର ତାଙ୍କୁ ଟାର୍ଗେଟ୍ କରିବେ ବୋଲି ବାରମ୍ବାର ବୟାନ ଦେଉଥିଲେ । ଏବେ, ସିବିଆଇର ତାହା ସତ୍ୟ ସାବ୍ୟସ୍ତ କରିଛି ଓ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଅଡୁଆ ବଢାଇଛି । ତେବେ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ‘ଆପ୍’ ମୁଖ୍ୟ କେଜରୀୱାଲଙ୍କୁ ସିବିଆଇ ଗିରଫ କଲେ ତାହାର ରାଜନୈତିକ ପରିଣତି ବିଜେପି ବିରୋଧରେ ଯିବା ସମ୍ଭାବନା ଥିବାରୁ କେନ୍ଦ୍ର ସରକାର ତରବରିଆ ଭାବେ ଏଭଳି ପଦକ୍ଷେପ ନେଇ ନପାରନ୍ତି ବୋଲି ରାଜନୈତିକ ବିଶ୍ଲେଷକଙ୍କ ମତ । କାଲି କେଜରୀୱାଲ ସିବିଆଇ ନିକଟରେ ହାଜର ହେବା ପରେ ହିଁ ଦେଶର ରାଜନୀତି କୁଆଡେ ଯିବ ତାହା ଅଧିକ ସ୍ପଷ୍ଟ ହୋଇଯିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS